ଲିଜ୍‌ ଅବଧି ଶେଷ ପୂର୍ବରୁ ଖଣିଜ ରପ୍ତାନୀ ଜୋରଦାର

ଲିଜ୍‌ ଅବଧି ଶେଷ ପୂର୍ବରୁ ଖଣିଜ ରପ୍ତାନୀ ଜୋରଦାର

ବାଣିଜ୍ୟ ପ୍ରତିନିଧି ୨୦୨୦ରେ ୨୪ ଜଣ ଖଣି ପଟ୍ଟାଦାର ବା ଲିଜ୍୍ ସୂତ୍ରରୁ ଖଣି ଉପଭୋଗ କରୁଥିବା କମ୍ପାନୀଙ୍କ ଖଣି ପଟ୍ଟା ଅବଧି ସରିବ। ସେଥିପାଇଁ ସେମାନଙ୍କର ନିୟନ୍ତ୍ରଣାଧୀନ ଖଣିଗୁଡ଼ିକରୁ ସର୍ବାଧିକ ପରିମାଣର ଖଣିଜ ସଂପଦ ଉତ୍ତୋଳନ କରିବାକୁ ସଂପୃକ୍ତ ପଟ୍ଟାଦାରମାନେ ବ୍ୟସ୍ତ। ଉତ୍ତୋଳନ କରି ବିପୁଳ ପରିମାଣର ଖଣିଜ ସଂପଦକୁ ରାଜ୍ୟ ଏପରିକି ଦେଶ ବାହାରକୁ ରପ୍ତାନୀ କରିବା ପାଇଁ ଅଦ୍ଭୂତପୂର୍ବ ତତ୍ପରତା ଲକ୍ଷ୍ୟ କରାଯାଉଛି। କିନ୍ତୁ କେହି କମ୍ପାନୀ ସେହି ଖଣିଜକୁ ମୂଲ୍ୟଯୁକ୍ତ କରି ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ବିନିଯୋଗ ପାଇଁ ଅନାଗ୍ରହୀ। ଖଣିଜ ସଂପଦକୁ ଯେଭଳି ପଦ୍ଧତିରେ ଉତ୍ତୋଳନ କରାଯାଉଛି ସେସବୁ ଖଣି ନିଃଶେଷ ହୋଇ ପରବର୍ତ୍ତୀ ଅବସ୍ଥାରେ ନିଲାମଯୋଗ୍ୟ ରହିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେବେ ରାଜ୍ୟ ସରକାର ରୟାଲ୍ଟି, ଡିଏମ୍ଏଫ ଭଳି ରାଜସ୍ୱ ଆଦାୟ କରି ଖୁସ୍ ଥିବା କୁହାଯାଉଛି। ଖଣିଗୁଡ଼ିକ ଏଭଳି ସ୍ଥିତି ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଉତ୍ତର ଲୋଡ଼ିଥିଲେ। ମନ୍ତ୍ରୀଙ୍କ ଉତ୍ତରରୁ ୨୪ ଜଣ ଖଣି ପଟ୍ଟାଦାରଙ୍କ ଖଣିଜ କାରବାରର ସଙ୍ଗିନ ପରିସଂଖ୍ୟାନ ମିଳିଛି। ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ୨୦୧୫-୧୬ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଖଣିଜ ସଂପଦ ଉତ୍ତୋଳନ କରୁଥିବା ୨୪ ଜଣ ପଟ୍ଟାଦାରଙ୍କ ଖଣି ପଟ୍ଟା ଅବଧି ସରୁଛି। ସେମାନେ ହେଉଛନ୍ତି କେଜେଏସ୍ ଆହୁଲୁୱାଲିଆ-ନୂଆଗାଁ ଲୁହାପଥର ଖଣି, କେନ୍ଦୁଝର, ମେସର୍ସ କେପି ଏଣ୍ଟରପ୍ରାଇଜେସ୍- ଠାକୁରାଣୀ ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଜି.ଏସ୍.ମିଶ୍ର ଆଣ୍ଡ ସନ୍ସ- ଗୋରୁମହିଷାଣୀ ଲୁହାପଥର ଖଣି, ମୟୂରଭଞ୍ଜ, ମେସର୍ସ ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସିଜ୍- ବାଦାମପାହାଡ଼ ଲୁହାପଥର ଖଣି, ମୟୂରଭଞ୍ଜ, ମେସର୍ସ ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍, ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ଏମ୍.ଏଲ୍.ରୁଙ୍ଗ୍ଟା- ସିଲ୍‌ଜୋର-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ବି.ସି.ମହାନ୍ତି ଆଣ୍ଡ ସନ୍ସ-କମର୍ଦ୍ଦା କ୍ରୋମାଇଟ୍ ଖଣି, ଯାଜପୁର, ମେସର୍ସ ରୁଙ୍ଗ୍ଟା ସନ୍ସ-କଟାସାହି ମାଙ୍ଗାନିଜ୍ ଖଣି, କେନ୍ଦୁଝର, ମେସର୍ସ ରୁଙ୍ଗଟା ମାଇନ୍ସ-କୋଇଡ଼ା ମାଙ୍ଗାନିଜ୍, ସୁନ୍ଦରଗଡ଼, ଆର.ପି. ସାଓ-ଗୁଆଳି ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍- କେନ୍ଦୁଝର ଲୁହାପଥର ଖଣି, ମେସର୍ସ ମିଶ୍ରିଲାଲ୍ ମାଇନ୍ସ- କ୍ରୋମାଇଟ୍, ଯାଜପୁର, ମେସର୍ସ ପଟ୍ଟନାୟକ ମିନେରାଲ୍ସ- ଲୁହାପଥର ଖଣି, କେନ୍ଦୁଝର, କେ.ଏନ୍.ରାମ ଆଣ୍ଡ କୋ.- ଲୁହାପଥର ଖଣି, କେନ୍ଦୁଝର, ମେସର୍ସ କଳିଙ୍ଗ ମାଇନିଂ, ଲୁହାପଥର ଖଣି, କେନ୍ଦୁଝର, ମେସର୍ସ ଏଏମ୍ଟିସି- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ବି.ଆଇ.କୋ. - ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ଫିଗ୍ରେଡ୍ ଆଣ୍ଡ କୋ.- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ବି.ଆଇ.କୋ. - ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼, ମେସର୍ସ ଟାଟା ଷ୍ଟିଲ୍ ଲିମିଟେଡ୍-କ୍ରୋମାଇଟ୍, ଯାଜପୁର, ମେସର୍ସ ରୁଙ୍ଗଟା ମାଇନ୍ସ-କୋଇଡ଼ା ମାଙ୍ଗାନିଜ୍, ସୁନ୍ଦରଗଡ଼, ମେସର୍ସ ସିରାଜ୍ଉଦ୍ଦିନ ଆଣ୍ଡ କୋ.-ଲୁହାପଥର, କେନ୍ଦୁଝର ଓ ପି.କେ.ଆହୁଲୁୱାଲିଆ- ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼। ଖଣିମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ୨୪ ଜଣ ପଟ୍ଟାଦାର ଗତ ୨୦୧୫-୧୬ରୁ ୨୦୧୮-୧୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେତେ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିଛନ୍ତି, କେତେ ରାଜ୍ୟ ଭିତରେ ଓ କେତେ ରାଜ୍ୟ ବାହାରକୁ ଚାଲାଣ କରିଛନ୍ତି ଏବଂ କେତେ ପରିମାଣର ବିଦେଶକୁ ରପ୍ତାନୀ କରିଛନ୍ତି ସେ ସଂପର୍କିତ ବିସ୍ତୃତ ତଥ୍ୟ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଉତ୍ତୋଳିତ ଖଣିଜ ଦ୍ରବ୍ୟ ବାବଦରେ ସେମାନେ କେତେ ପରିମାଣର ରୟାଲ୍ଟି, ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡକୁ ଦେଇଛନ୍ତି ସେ କଥା ମଧ୍ୟ ଦର୍ଶାଇଛନ୍ତି। ଏହି ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ ଏମ୍‌ଏମ୍‌ଡିଆର(ସଂଶୋଧନ) ଆଇନ ଆସିବା ପରେ ଟାଟା, ରୁଙ୍ଗ୍ଟା, ସିରାଜ୍‌ଉଦ୍ଦିନ୍ଙ୍କ ଭଳି ପଟ୍ଟାଦାରମାନେ ଅଧିକ ପରିମାଣର ଖଣିଜ ଦ୍ରବ୍ୟ ଉତ୍ପାଦନ କରିବା ସହିତ ଚାଲାଣ ଓ ରପ୍ତାନୀ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ବିଗତ ବର୍ଷ ତୁଳନାରେ ଅଧିକ ପରିମାଣର ରାଜସ୍ୱ ଖଣି କ୍ଷେତ୍ରରୁ ଅର୍ଜନ କରିପାରିଛନ୍ତି।

Share :