ନବୀନଙ୍କ ନୀତିବାଣୀ- ଛଳନାର ଛାନ୍ଦ!

ନବୀନଙ୍କ ନୀତିବାଣୀ- ଛଳନାର ଛାନ୍ଦ!

Share :

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ବିଧାନସଭାର ୧୪୭ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି। ହାରାହାରି ହିସାବରେ ୬୫ ପ୍ରତିଶତ। ଏମାନଙ୍କ ମଧ୍ୟରେ ପ୍ରଥମ ୫ ଜଣ ହେଲେ ବିଜୁ ଜନତା ଦଳର ସଦସ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩ କୋଟି ୮୭ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତିର ମାଲିକ। ତାଲିକାର ୧ ନମ୍ବର ସ୍ଥାନ ତାଙ୍କର। ତାଙ୍କ ପଛକୁ ଦ୍ବିତୀୟ ସର୍ବାଧିକ ଧନୀ ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ତାଙ୍କ ସଂପତ୍ତିର ମୂଲ୍ୟ ୩୩ କୋଟି ୬୨ ଲକ୍ଷ ଟଙ୍କା। ତୃତୀୟ ସ୍ଥାନରେ ଅଛନ୍ତି ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର। ତାଙ୍କ ସଂପତ୍ତିର ମୂଲ୍ୟ ୩୧ କୋଟି ୪୩ ଲକ୍ଷ ଟଙ୍କା। ତାଙ୍କ ପଛକୁ ଅଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ତାଙ୍କ ସଂପତ୍ତିର ମୂଲ୍ୟ ୩୦ କୋଟି ୨୯ ଲକ୍ଷ ଟଙ୍କା। ପଞ୍ଚମ ସ୍ଥାନରେ ଅଛନ୍ତି ବିଜେଡିର ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୧୯ କୋଟି ୧୫ ଲକ୍ଷ ଟଙ୍କା। ଏହିପରି ଭାବେ ହିସାବ କଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳର ୧୧୨ ବିଧାୟକଙ୍କର ମୁଣ୍ଡ ପିଛା ହାରାହାରି ସଂପତ୍ତିର ମୂଲ୍ୟ ହେଉଛି ୫.୦୮ କୋଟି ଟଙ୍କା। ଅର୍ଥାତ ବିଜେଡି ବିଧାୟକମାନଙ୍କ ସଂପତ୍ତିର ମୋଟ ମୂଲ୍ୟ ୫୬୦ କୋଟ ଟଙ୍କା ଉପରେ। ଦଳର ଏହି ବିଧାୟକମାନଙ୍କ ସଂପତ୍ତି ମଧ୍ୟରେ ରହିଛି ଦାମୀ ଗାଡ଼ି, ସୁନା ଓ ହୀରାର ଗହଣା, ପ୍ରାସାଦୋପମ ଅଟ୍ଟାଳିକା, ଦାମୀ ଫାର୍ମ ହାଉସ୍ ଆଦି ବିଳାସପୂର୍ଣ୍ଣ ଜୀବନର ପ୍ରାୟ ସମସ୍ତ ଉପାଦାନ ଓ ଉପକରଣ। ଦଳୀୟ ବିଧାୟକମାନଙ୍କ ମଧ୍ୟରେ କିଏ ପରିବହନ କମ୍ପାନୀର ମାଲିକ ତ କିଏ ଗଣମାଧ୍ୟମ ସଂସ୍ଥାର ମାଲିକ, କିଏ ସିନେମା ପ୍ରଯୋଜକ ତ କିଏ ଖଣି ବ୍ୟବସାୟୀ, କିଏ ରିୟଲ ଇଷ୍ଟେଟ ବେପାରୀ ତ କିଏ ବଡ଼ ବଡ଼ କାମର ଠିକାଦାର, କିଏ ଇଂଜିନିଅରିଂ କଲେଜର ମାଲିକ ତ କିଏ ପରିବହନ ଠିକାଦାର। କିଏ ପୁଣି ହୋଟେଲ ମାଲିକ ତ କିଏ ପୁରୁଣା ସାମନ୍ତ ଓ ଜମିଦାର। ଅନେକ ବାଛିବାଛି ଏହି କୋଟିପତି ରୟସୀମାନଙ୍କୁ ଦଳର ପ୍ରାର୍ଥୀ କରିଥିଲେ ନବୀନ ପଟ୍ଟନାୟକ। ଏବେ ସେମାନଙ୍କୁ ସରଳ ଜୀବନ ଯାପନ କରିବାକୁ, ଦାମୀ ଗାଡ଼ି ନ ଚଢ଼ିବାକୁ ଓ ଦାମୀ ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେଉଥିବା ଲୋକ ମଧ୍ୟ ସେଇ ନବୀନ ପଟ୍ଟନାୟକ! ନବୀନବାବୁ ଯେମନ୍ତେ ଘର ଭିତରେ ଗୋଟେ ପ୍ରକାର ଓ ବାହାରେ ଆଉ ଗୋଟେ ପ୍ରକାର ଜୀବନଯାପନ କରୁଛନ୍ତି ବିଧାୟକମାନେ ସେହିପରି କରନ୍ତୁ ବୋଲି ବୋଧହୁଏ ସେ ଉପଦେଶ ଦେଇଛନ୍ତି! ଘର ଭିତରର ବିଳାସ ଭୋଟରମାନଙ୍କ ଆଗରେ ଯେପରି ଧରା ନପଡ଼େ ସେଥିପ୍ରତି ସତର୍କ ରହିବାକୁ ବୋଧହୁଏ ସେ ଚେତାବନୀ ଦେଇଛନ୍ତି! ଜୁଲାଇ ୩, ୨୦୧୯ ତରିଖରେ ବିଜୁ ଜନତା ଦଳ ତରଫରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ନବୀନ ନିବାସଠାରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରେସ ବିବୃତି ଅନୁସାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ମୁଁ ପ୍ରଥମକରି ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ବିଡିଓମାନଙ୍କୁ ଡାକି କହିଲି, ଏବେ ନିର୍ବାଚନ ସରିଯାଇଛି। ମୁଁ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ବିଧାୟକ ଅଟେ। ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ ଓ ଅନୁଗ୍ରହ ପ୍ରଦର୍ଶନ ନ କରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ। ଦଳୀୟ ଭିତ୍ତିରେ କୌଣସି ବାଛବିଚାର କରନ୍ତୁ ନାହିଁ। ବିଧାୟକ ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ମୁଁ ସବୁବେଳେ ନିଷ୍ଠାର ସହିତ ଏହି ନୀତିକୁ ପାଳନ କରି ଆସୁଛି। ମୁଁ ଚାହୁଁଛି ଆପଣମାନେ ସବୁବେଳେ ଏହି ନୀତିକୁ ଅନୁସରଣ କରନ୍ତୁ। ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନୂଆ ବିଧାୟକମାନଙ୍କୁ କହିଛନ୍ତି, ଆପଣମାନେ ଯଦି ବିଜୁବାବୁଙ୍କୁ ଦେଖିବେ ତାଙ୍କର ପରିଚୟ ଥିଲା ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ସବୁ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରିବା ଓ ଲୋକଙ୍କ ପାଇଁ କାମ କରିବା। ମୁଁ ମୋ ଅନୁଭୂତିରୁ କହୁଛି, ଆପଣମାନେ ଯଦି ଦୁର୍ନୀତି ଠାରୁ ଦୂରରେ ରହି ଲୋକଙ୍କ ପାଇଁ କାମ କରନ୍ତି ନିର୍ବାଚନ ସହଜ ହେବ ଏବଂ ବାରମ୍ୱାର ନିର୍ବାଚିତ ହେଉଥିବେ। ଆଉ ଯଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଣମାନେ କାମ କରନ୍ତି ତାହା ହେଲେ ବିପରୀତ ହେବ। ସାଧାରଣ ଜୀବନରେ ଆଉ ଏକ ମୁଖ୍ୟ କଥା ହେଲା ସରଳତା। ଲୋକମାନେ ସରଳତାକୁ ପସନ୍ଦ କରିଥାନ୍ତି। ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନ ଯାପନ କରେ ତେବେ ଏହା ସାଧାରଣ ଲୋକ ଏବଂ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି ହେବ। ଆପଣମାନେ ମୋ ପରାମର୍ଶକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଲୋକମାନଙ୍କର ଆମ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ପରିଶ୍ରମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଥିଲେ। ନବୀନ ନିବାସରେ ସକାଳ ଜଳଖିଆ ଖାଇ ନବୀନବାବୁଙ୍କଠାରୁ ନୀତିବାଣୀ ଶୁଣି ଫେରିବା ପରେ କେତେକ ବିଧାୟକ ଗଣମାଧ୍ୟମକୁ ମଧ୍ୟ ଏହି ସୂଚନା ଦେଇଛନ୍ତି। ସେମାନଙ୍କ ସୂଚନା ଅନୁସାରେ ନବୀନବାବୁ କାଳେ ସେମାନଙ୍କୁ ଦାମୀ ଗାଡ଼ି ନ ଚଢ଼ିବାକୁ ଓ ସୁନା ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେଇଛନ୍ତି। କୋଟିପତିଙ୍କ ପ୍ରାର୍ଥୀ କରି, କୋଟି କୋଟି ଟଙ୍କା ଖର୍ଚ୍ଚରେ ସେମାନଙ୍କୁ ଜିତାଇ ଆଣି ସରଳ ଜୀବନଯାପନ କରିବାର ପ୍ରବଚନ ଦେବା ଗୁରୁମନ୍ତ୍ର ନା ଛଳନାର ଛାନ୍ଦ? ପୋଷାକ ଓ ଚପଲକୁ ଛାଡ଼ିଦେଲେ ନବୀନବାବୁଙ୍କ ସରଳତାର ପ୍ରମାଣ ଆଉ କ’ଣ? ତାହା କେବଳ ଭୋଟରଙ୍କୁ ଦେଖେଇବା ପାଇଁ ସିନା। ଘର ଭିତରେ ସେ ଖାଆନ୍ତି କ’ଣ ପିଅନ୍ତି କେଉଁ ଶେଯରେ ଶୁଅନ୍ତି କି ସାବୁନ, ପାଉଡର, ସେଣ୍ଟ ଇତ୍ୟାଦି ବ୍ୟବହାର କରନ୍ତି ତାହା କିଏ ଦେଖିଛି? ନା ସେ ତାହା ଦେଖେଇବେ? ନବୀନ ନିବାସ ଭିତରକୁ ତ ଦଳୀୟ ମନ୍ତ୍ରୀ ଓ ବିଧାୟକମାନେ ପ୍ରବେଶ କରିବା କଷ୍ଟକର, ଆଉ ସାଧାରଣ ଭୋଟର ବାପୁଡ଼ା କୁଆଡ଼ୁ ଜାଣିବେ ନବୀନବାବୁ ବିଳାସୀ ନା ସରଳ? ସରଳ ଲୋକ କ’ଣ ନବୀନ ନିବାସ ଭଳି ୨ ଏକର ଜମି ପରିମିତ ଏକ ବିଶାଳ ଅଟ୍ଟାଳିକାରେ ଚାକରବାକର ଓ ଅଫିସର ପରିବେଷ୍ଟିତ ଜୀବନ ଯାପନ କରନ୍ତି? ସରଳ ଲୋକ କ’ଣ ଭୁବନେଶ୍ବରରୁ ଜଟଣୀ ବା କଟକ ଯିବା ପାଇଁ ହେଲିକପ୍ଟର ବ୍ୟବହାର କରନ୍ତି? ସରଳ ଲୋକ କ’ଣ ମାସକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଘରେ ବିଦେଶୀ କୁକୁର ପାଳନ କରନ୍ତି? ଓଡ଼ିଶାର ସରଳ ଲୋକମାନେ ସଳପ, ମହୁଲି, ଚାଉଳି କି ତାଡ଼ି ପିଉଥିବେ। କେତେ ଜଣ ସରଳ ଲୋକଙ୍କ ଭାଗ୍ୟରେ ଫେମସ୍‌ ଗ୍ରାଉସ୍‌ ସ୍କଚ୍ ପିଇବାର ବିଳାସ ପିହିତ ଅଛି? ନବୀନବାବୁ ବିଧାୟକମାନଙ୍କ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଭୁଲ କଥା ନୁହେଁ। ରାଜ ଉଆସ ଛାଡ଼ି ନଖାଇ ନିପିଇ ବର୍ଷବର୍ଷ ଧରି ସାଧନା କରିବା ପରେ ଶାକ୍ୟ ରାଜକୁମାର ସିଦ୍ଧାର୍ଥ ଗୌତମ କାମନାବାସନା ରହିତ ସରଳ ଜୀବନର ବାର୍ତ୍ତା ପ୍ରଚାର କରି ହୋଇଯାଇଥିଲେ ଗୌତମ ବୁଦ୍ଧ। ନବୀନବାବୁଙ୍କ ନୀତିବାଣୀ ଶୁଣି ବିଜେଡିର କେତେ ଜଣ ବିଧାୟକ ବିଳାସପୂର୍ଣ୍ଣ ବଙ୍ଗଳା ଛାଡ଼ି କୁଡ଼ିଆରେ ରହିବେ? ଦାମୀ ଗାଡ଼ି, ଅଳଙ୍କାର ଓ ଖାଦ୍ୟାଦି ବର୍ଜନ କରି ଟଙ୍କିକିଆ ଚାଉଳ ଖାଉଥିବା ଓଡ଼ିଶାର ଗରୀବ ଲୋକମାନଙ୍କ ମେଳରେ ଦିନରାତି କଟେଇବେ? ବିଧାୟକମାନଙ୍କୁ ଦୁର୍ନୀତି ନକରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରବଚନ ଶୁଣାଇଛନ୍ତି। ବହୁତ ଭଲ କଥା। ଦୁର୍ନୀତି ଏ ଦେଶର ସବୁଠୁଁ ଦୁରାରୋଗ୍ୟ କର୍କଟ। ଦୁର୍ନୀତି ଯୋଗୁଁ ହିଁ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଦେଶ ଓ ରାଜ୍ୟର ସମବିକାଶ ସମ୍ଭବ ହୋଇନାହିଁ- ଧନୀ ଅଧିକ ଧନୀ ହୋଇଛି ଓ ଗରୀବ ଅଧିକ ଗରୀବ। ରାଷ୍ଟ୍ର ସଂପତ୍ତିର ୯୦ ଭାଗ ୧୦ ଭାଗ ଲୋକଙ୍କ ମାଲିକାନାକୁ ଚାଲି ଯାଇଥିବାବେଳେ ୯୦ ଭାଗ ଲୋକ ମାତ୍ର ୧୦ ଭାଗ ସଂପତ୍ତିରେ ଯଥେକଷ୍ଟେ ଚଳି ଯାଉଛନ୍ତି। ନବୀନବାବୁ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଦୁର୍ନୀତିର ଛାଇ ଦେଇ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ବି ତୃତୀୟ ଓ ଚତୁର୍ଥ ପାଳିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସତ୍ତ୍ବେ ମନ୍ତ୍ରୀ ଓ ସଚିବମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏବେ ରାଜ୍ୟର ଡଜନେ ଉପରେ ଆଇଏଏସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଭିଜିଲାନ୍ସ ବିଭାଗ ମାଗିଥିବା ଅନୁମତି ଫାଇଲ ତାଙ୍କର ମଞ୍ଜୁରୀ ଅପେକ୍ଷାରେ ପଡ଼ି ରହିଛି। ଖଣି ଓ ଚିଟ୍‌ ଫଣ୍ଡ ଦୁର୍ନୀତିରେ ସନ୍ଦେହ ଘେରରେ ଥିବା ଅନେକ ଅଭିଯୁକ୍ତ ନେତା ଓ ଅଫିସରଙ୍କୁ ସେ ବିଧାୟକ ଓ ମନ୍ତ୍ରୀ ପଦ ସହିତ ବିଭିନ୍ନ ସରକାରୀ ପଦବୀ ପ୍ରଦାନ କରିଛନ୍ତି। ଖଣି ଦୁର୍ନୀତି ଓ ଚିଟ୍‌ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ମକଦ୍ଦମାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନବୀନବାବୁଙ୍କ ସରକାର ବିରୋଧ କରିବାବେଳେ ଏହି ନୀତିବାଣୀ ତାଙ୍କର ମନରେ ନଥିଲା ବୋଧହୁଏ! ନହେଲେ ସେ ନିଶ୍ଚୟ ନିଜ ଆଡ଼ୁ ତାଙ୍କ ସରକାର ଅମଳରେ ହୋଇଥିବା ଯାବତ ଦୁର୍ନୀତି ପାଇଁ ପ୍ରଭାବଶାଳୀ ଯୁବନେତା ଓ ପ୍ରଭାବଶାଳୀ ଆଇଏଏସ ଅଫିସରମାନଙ୍କୁ ଜେଲ୍‌ରେ ରଖିବାର ସୁବ୍ୟବସ୍ଥା କରିଥାନ୍ତେ!

Share :