ଆର୍ଥିକ ପ୍ରତିନିଧି ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଜାଲିଆତି, ଠକାମୀ ଏବଂ ଅନିୟମିତତା ଯୋଗୁଁ ୬୦୦ କୋଟି ଟଙ୍କାର ଲୁଟ୍ ହୋଇଛି ବୋଲି ନାବାର୍ଡ ତଦନ୍ତ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟକୁ ଆଧାର କରି ସୂଚନାଧିକାର କର୍ମୀମାନେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଲୋହିଆ ଏକାଡେମୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଲେ ଯେ, ବିଗତ ଦିନରେ ସୂଚନାଧିକାର ଆଇନରେ ମିଳିଥିବା ତଥ୍ୟକୁ ଆଧାର କରି ରାଜ୍ୟ ସମବାୟ ବ୍ୟାଙ୍କରେ ମ୍ୟାନେଜ୍ମେଣ୍ଟ୍ ଇନ୍ଚାର୍ଜ ବିଷ୍ଣୁପଦ ସେଠୀ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ତୁଷାରକାନ୍ତି ପଣ୍ଡା ମିଳିତ ଭାବେ ଦୁର୍ନୀତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବା ତଥ୍ୟ ଓସା ତରଫରୁ ପ୍ରକାଶ କରାଯାଇ ତଦନ୍ତ ପାଇଁ ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ନାବାର୍ଡ ସମବାୟ ବ୍ୟାଙ୍କର ଆର୍ଥିକ ପରିଚାଳନା ସମ୍ପର୍କରେ ତଦନ୍ତ କରି ଗତ ଏପ୍ରିଲ ୨୦୧୯ରେ ରାଜ୍ୟ ସରକାରଙ୍କୁ ବ୍ୟାପକ ଅର୍ଥ ହରିଲୁଟ୍ ଏବଂ ଠକାମୀ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନେକ ସୁପାରିସ କରିଛନ୍ତି। କିନ୍ତୁ ନାବାର୍ଡ ତଦନ୍ତ ରିପୋର୍ଟ ବ୍ୟାଙ୍କ ଲୁଟ୍ର ଗୁମର ଖୋଲି ଦେଇଛି। ବ୍ୟାଙ୍କର ମ୍ୟାନେଜ୍ମେଣ୍ଟ୍ ଇନ୍ଚାର୍ଜ ତଥା ତତ୍କାଳୀନ ସମବାୟ ସଚିବ ବିଷ୍ଣୁପଦ ସେଠୀ ଅତ୍ୟନ୍ତ ଚଞ୍ଚକତା କରି ଅତ୍ୟନ୍ତ ବେଆଇନ ଭାବେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। ଶ୍ରୀ ସେଠୀ ପ୍ରୋତ୍ସାହନ ରାଶି ବାବଦରେ ୨୦୧୩-୧୪ରେ ୧,୭୦,୬୯୧ ଟଙ୍କା, ୨୦୧୪-୧୫ରେ ୧,୯୧,୫୧୯ ଟଙ୍କା ଏବଂ ୨୦୧୫-୧୬ରେ ୬୫,୯୯୩ ଟଙ୍କା ନେଇଛନ୍ତି। ସମବାୟ ବ୍ୟାଙ୍କ ଷ୍ଟାଫ୍ ରୁଲ୍ ଅନୁଯାୟୀ ବ୍ୟାଙ୍କର କର୍ମଚାରୀମାନେ ପ୍ରୋତ୍ସାହନ ଅର୍ଥ ପାଇବା ପାଇଁ ହକ୍ଦାର ହୋଇଥିଲା ବେଳେ ଶ୍ରୀ ସେଠୀଙ୍କୁ କିପରି ଏହି ଅର୍ଥ ପ୍ରଦାନ କରାଗଲା ବୋଲି ନାବାର୍ଡ ପ୍ରଶ୍ନ କରିବା ସହ ଉକ୍ତ ଅର୍ଥ ଶ୍ରୀ ସେଠୀଙ୍କ ଠାରୁ ଫେରାଇ ଆଣିବା ପାଇଁ ସୁପାରିଶ୍ କରିଛନ୍ତି। ଶ୍ରୀ ସେଠୀ ମଧ୍ୟ ତାଙ୍କ ବାପା ଏବଂ ସ୍ତ୍ରୀଙ୍କ ଚିକିତ୍ସା ବାବଦ ପ୍ରାୟ ୯,୪୬,୦୭୧ ଟଙ୍କା ବ୍ୟାଙ୍କରୁ ନେଇଛନ୍ତି ଯାହାକି ବେଆଇନ ଅଟେ। ସେହିପରି ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭାବେ କାମ କରୁଥିବା ତୁଷାରକାନ୍ତି ପଣ୍ଡା ୨୦୧୩ ମସିହାରେ ଅବସର ନେଇଥିଲେ। କିନ୍ତୁ ବ୍ୟାଙ୍କ୍ ତାଙ୍କର ଚାକିରି ସମୟ ସୀମାକୁ ଆହୁରି ଦୁଇ ବର୍ଷ ପାଇଁ ବୃଦ୍ଧି କରିଥିଲେ। ଓଡ଼ିଶା ରାଜ୍ୟ ସମବାୟ ଆଇନ, ୧୯୬୨ର ଧାରା ୩୩-କ ଅନୁଯାୟୀ କୌଣସି କର୍ମଚାରୀଙ୍କର ଚାକିରି ସମୟ ସୀମା ବୃଦ୍ଧି କରିବାକୁ ହେଲେ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ଅନୁମୋଦନ ବାଧ୍ୟତାମୂଳକ। କିନ୍ତୁ ବ୍ୟାଙ୍କର ମ୍ୟାନେଜ୍ମେଣ୍ଟ୍ ଏହି ନିୟମକୁ ବେଖାତିର କରି ମ୍ୟାନେଜିଂ ଡାଇରେକ୍ଟରଙ୍କର ଚାକିରି ସମୟ ସୀମାକୁ ଆହୁରି ଦୁଇ ବର୍ଷ ଅର୍ଥାତ୍ ୨୦୧୫କୁ ବୃଦ୍ଧି କରିଥିଲେ। ସେହିପରି ୨୦୧୫ରେ ବ୍ୟାଙ୍କ ପୁଣି ମ୍ୟାନେଜିଙ୍ଗ୍ ଡାଇରେକ୍ଟର ତୁଷାରକାନ୍ତି ପଣ୍ଡାଙ୍କ ଚାକିରି ଅବଧିକୁ ଆହୁରି ୨ ବର୍ଷ ବଢ଼ାଇ ଦେଇଥିଲେ। ୨୦୧୭ ମସିହାରେ ବ୍ୟାଙ୍କରେ କୌଣସି ଦକ୍ଷ ଏବଂ ଯୋଗ୍ୟତା ସମ୍ପନ୍ନ କର୍ମଚାରୀ ନଥିବାର ଦର୍ଶାଇ ମ୍ୟାନେଜ୍ମେଣ୍ଟ ଶ୍ରୀ ପଣ୍ଡାଙ୍କର ଚାକିରି ଅବଧିକୁ ଆହୁରି ୨ ବର୍ଷ ବୃଦ୍ଧି ଅର୍ଥାତ୍ ୨୦୧୯ ପର୍ଯ୍ୟନ୍ତ ଚାକିରିରେ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ୍ କରିଥିଲେ। ଶ୍ରୀ ପଣ୍ଡା ଏହିପରି ଭାବେ ଚଞ୍ଚକତା କରି ବେଆଇନ ଭାବେ ଦୀର୍ଘଦିନ ଧରି ବ୍ୟାଙ୍କରେ ରହିଥିଲେ। ୧୯୯୮ ମସିହାରୁ ଶ୍ରୀ ପଣ୍ଡା କେଉଁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ ଥିବା ସମୟରେ କାଗଜପତ୍ର ଜାଲିଆତି କରି ଅନେକ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଋଣ ଦେଇଥିଲେ ଯଦ୍ୱାରା ବ୍ୟାଙ୍କର ବହୁତ କ୍ଷତି ହୋଇଥିଲା। ରାଜ୍ୟ ଭିଜିଲାନ୍ସ ଏହାର ତଦନ୍ତ କରି ୨୦୧୦ ମସିହାରେ ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡାଙ୍କଠାରୁ ସମସ୍ତ ଟଙ୍କା ଫେରସ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଥିଲେ। କିନ୍ତୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସମବାୟ ବ୍ୟାଙ୍କର ଅଡ଼ିଟ୍ ଜେନେରାଲ୍ ରିପୋର୍ଟ ଏବଂ ସମବାୟ ସମିତିର ରେଜିଷ୍ଟ୍ରାର ୩୧, ଜାନୁଆରୀ ୨୦୧୯ରେ କେନ୍ଦୁଝର ଜିଲ୍ଲା ସମବାୟ ବ୍ୟାଙ୍କର ମୁଖ୍ୟ ଥିବା ତୁଷାରକାନ୍ତି ପଣ୍ଡାଙ୍କ ଠାରୁ ୮୩,୫୪,୯୭୩ ଟଙ୍କା ଅନାଦେୟ ହୋଇ ପଡ଼ିରହିଛି ବୋଲି ଉଲ୍ଲେଖ କରିଛନ୍ତି। ଲକ୍ଷାଧିକ କୋଟି ଟଙ୍କା ଜାଲିଆତିରେ ସମ୍ପୃକ୍ତ ଶ୍ରୀ ପଣ୍ଡାଙ୍କ ସମସ୍ତ କଳା କାରନାମାକୁ ରାଜ୍ୟ ସରକାର ସୁରକ୍ଷା ଦେବା ଯୋଗୁ ବ୍ୟାଙ୍କର ବହୁତ କ୍ଷତି ହୋଇଛି ବୋଲି ନାବାର୍ଡ ଦର୍ଶାଇଛି। ସେହିପରି ସମବାୟ ବ୍ୟାଙ୍କରେ ଇଣ୍ଟରନେଟ୍ ବ୍ୟାକିଙ୍ଗ୍ ଏବଂ କମ୍ପ୍ୟୁଟରିକରଣ ପାଇଁ ୨୦୧୦ ମସିହାରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଜୁଲାଇ ୮, ୨୦୧୧ରେ ସିବିଏସ୍ ବା କୋର୍ ବ୍ୟାଙ୍କିଂ ସଲ୍ୟୁସନ ସଫ୍ଯୱେୟାର ଡେମୋନଷ୍ଟ୍ରେସନ୍ ପାଇଁ କମ୍ପାନୀମାନଙ୍କୁ ଆହ୍ୱାନ କରାଯାଇଥିଲା। ଟିସିଏସ ଏବଂ ପୋଲାରିସ୍ କମ୍ପାନୀ ସେମାନଙ୍କ ସଫ୍ଟଓେୟାର୍ ଭଲ ଭାବେ ପ୍ରଦର୍ଶନ କରିଥିଲେ। କିନ୍ତୁ ଭିସଫ୍ଟ କମ୍ପାନୀର ଉପସ୍ଥାପନା ନିମ୍ନ ମାନର ଥିଲା। ସେହିପରି ଚୟନ କମିଟି ନିକଟରେ ଭିସଫ୍ଟ କମ୍ପାନୀର ବୈଷୟିକ ଏବଂ ବ୍ୟାବସାୟିକ ବିଡ୍ କାଗଜପତ୍ର ଗ୍ରହଣୀୟ ହୋଇପାରିନଥିଲା। ଏସବୁ ସତ୍ତ୍ୱେ ଟେଣ୍ଡର ପ୍ରକ୍ରିୟାର ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ବ୍ୟାଙ୍କ କତ୍ତୃର୍ପକ୍ଷ ଭିସଫ୍ଟ କମ୍ପାନୀକୁ ସିବିଏସ୍ ସଫ୍ଟୱେୟାର ଦେବାକୁ କହିଥିଲେ। ଏହି କମ୍ପାନୀର ସଫ୍ଟୱେୟାର ନିମ୍ନମାନର ହୋଇଥିବାରୁ ବ୍ୟାଙ୍କ କୌଣସି ସଫଳତା ପାଇନଥିଲା। ଏହି କମ୍ପାନୀକୁ ବ୍ୟାଙ୍କ ତରଫରୁ ୧୦ କୋଟି ଟଙ୍କା ଅଗ୍ରୀମ ଦିଆଯାଇଥିଲେ ମଧ୍ୟ ଏହାର କୌଣସି ହିସାବ ବ୍ୟାଙ୍କରେ ମିଳି ନଥିଲା। ୨୦୧୨ ମସିହାରେ ରାଜ୍ୟ ସରକାର ସମସ୍ତ ପ୍ରାଥମିକ ସମବାୟ ସମିତିକୁ କମ୍ପ୍ୟୁଟର ଦେବାପାଇଁ ନିଷ୍ପତ୍ତି ନେବା ସହ ୪୮ କୋଟି ଟଙ୍କା ବ୍ୟାଙ୍କକୁ ଦେଇଥିଲେ। ମାର୍ଚ୍ଚ ୨୦୧୩ରେ ସମବାୟ ବ୍ୟାଙ୍କ ୨୭୦୦ଟି ସମବାୟ ସମିତି ପାଇଁ କମ୍ପ୍ୟୁଟର ଏବଂ ପ୍ରିଣ୍ଟର କିଣିଲେ। କିନ୍ତୁ ପ୍ରାଥମିକ ସମବାୟ ସମିତିଗୁଡ଼ିକ କମ୍ପ୍ୟୁଟର ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଆବଶ୍ୟକତା ସମ୍ପର୍କରେ କୌଣସି ଅନୁଧ୍ୟାନ କରାଗଲା ନାହିଁ। ବିଦ୍ୟୁତର ଅଭାବ, ଭଙ୍ଗା ଅଫିସ୍ ଘର, ଇଣ୍ଟରନେଟ୍ ନଥିବା ଇତ୍ୟାଦି କାରଣ ଯୋଗୁଁ ଶହ ଶହ ସମବାୟ ସମିତି କମ୍ପ୍ୟୁଟର ବସାଇଲେ ନାହିଁ। ଫଳରେ କମ୍ପ୍ୟୁଟର ଏହିଭଳି ପଡ଼ି ରହିଛି ଏବଂ ଏହି କମ୍ପ୍ୟୁଟର କିଣାରେ ବ୍ୟାପକ ଜାଲିଆତି ହୋଇଛି ଯାହାର ତଦନ୍ତ ଆବଶ୍ୟକ। ସେହିପରି ସମବାୟ ବ୍ୟାଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗ୍୍ ସେବା ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରି ୨୦ଟି ମୋବାଇଲ୍ ଭ୍ୟାନ୍ କିଣାଗଲା। ବ୍ୟାଙ୍କ ବ୍ୟବସ୍ଥା ନଥିବା ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ମୋବାଇଲ୍ ଭ୍ୟାନ୍ଗୁଡ଼ିକ ବିଭିନ୍ନ ସ୍ଥାନେରେ ବ୍ୟବହାର ନ ହୋଇ ଖତ ଖାଉଛି। ଚାଷୀମାନଙ୍କୁ କିଷାନ୍ କ୍ରେଡ଼ିଟ୍ କାର୍ଡ଼ ଦେବା "ରୁପେ' କାର୍ଡ ବ୍ୟବସ୍ଥା କରାଗଲା। ଏହି କାର୍ଡ଼କୁ ବ୍ୟବହାର କରି ଚାଷୀମାନେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। ଏହି କାର୍ଡ଼ ଛାପିବା ପାଇଁ କୌଣସି ଖୋଲା ଟେଣ୍ଡର ଆହ୍ୱାନ ନକରି ଏମ୍ଡି ତୁଷାର ପଣ୍ଡା ବୋର୍ଡ଼ ଡାଇରେକ୍ଟରମାନଙ୍କ ମତାମତକୁ ବେଖାତିର କରି ତାମିଲନାଡ଼ୁର ମାଡ୍ରାସ୍ ସିକ୍ୟୁରିଟି ପ୍ରିଣ୍ଟର୍ସକୁ ଛାପିବା ପାଇଁ ଦାୟିତ୍ୱ ଦେଲେ। ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, ଏହାର ହିସାବ ନାହିଁ। ହଜାର ହଜାର କାର୍ଡ ବଣ୍ଟା ନ ହୋଇ ସେହିପରି ପଡ଼ି ରହିଛି। ରାଜ୍ୟରେ ଚାଷୀମାନଙ୍କୁ ଋଣ ଦେବାପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସୁଧ ରିହାତି ଦେଇଥାନ୍ତି। ସମବାୟ ବ୍ୟାଙ୍କ ବ୍ୟାଙ୍କ ଗୁଡ଼ିକରୁ ଋଣ ନେଇ ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଋଣ ଦେଇଥାନ୍ତି। ଏହି ଚାଷୀମାନଙ୍କୁ ଋଣ ପ୍ରଦାନ ଅର୍ଥକୁ ବଢ଼େଇ କରି ଦେଖାଇ ଚଞ୍ଚକତା କରି ରାଜ୍ୟ ସମବାୟ ବ୍ୟାଙ୍କ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଠାରୁ ଗତ ୫ ବର୍ଷ ମଧ୍ୟରେ ସୁଧ ଭରଣା ସହାୟତା ବାବଦରେ ହାରାହାରି ଅଧିକ ୬୦୦ କୋଟି ଟଙ୍କା ଆଣିଛନ୍ତି ବୋଲି ନାବାର୍ଡ ଦର୍ଶାଇଛି ଏବଂ ଏହି ଟଙ୍କା ବ୍ୟାଙ୍କଠାରୁ ଆଦାୟ ପାଇଁ ସୁପାରିଶ୍ କରିଛି। ତେଣୁ ସମବାୟ ବ୍ୟାଙ୍କର କିଛି ଅଫିସର, ଏମ୍ଡି. ତୁଷାରକାନ୍ତି ପଣ୍ଡା ଏବଂ ମ୍ୟାନେଜମେଣ୍ଟ ଇନ୍ଚାର୍ଜ ବିଷ୍ଣୁପଦ ସେଠୀ ମିଳିତ ଉଦ୍ୟମରେ ବ୍ୟାପକ ଅନିୟମିତତା କରାଯାଇ ଶହଶହ କୋଟି ହରିଲୁଟ୍ ହୋଇଚି ବୋଲି ଓସା ତରଫରୁ ଅଭିଯୋଗ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ସୁଧୀର ମହାନ୍ତି, ରଞ୍ଜୁଲତା ମହାପାତ୍ର, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ, ରବି ଚାନ୍ଦ, ଜ୍ଞାନରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।