ବିଚରା ଡାକ୍ତର!

ବିଚରା ଡାକ୍ତର!

Share :

ଡାକ୍ତର ରବି ନାରାୟଣ ସେନାପତି ଡାକ୍ତର ଆଜି ସମାଜରେ ଏକ ବିତର୍କିତ ଜୀବ। ଡାକ୍ତର ସମାଜକୁ କେତେ ବଡ଼ ବଡ଼ ଲୋକ ଭର୍ତ୍ସନା କରୁଛନ୍ତି। କେଉଁଠି ହେଉଛି ପ୍ରାଣାନ୍ତକ ଆକ୍ରମଣ। ଡାକ୍ତରୀ ବୃତ୍ତିକୁ ସମ୍ପୂର୍ଣ୍ଣ ବ୍ୟବସାୟୀକରଣ କଲାପରେ ମଣିଷ ପୁଣି ଖୋଜୁଛି ସେହି ପୁରୁଣା ଯୁଗକୁ ଯେଉଁଠି ଡାକ୍ତର ଥିଲା ଭଗବାନଙ୍କ ପ୍ରତିନିଧି। ଡାକ୍ତର ସମାଜ ବି କେମିତି ଏକ ହୀନମନ୍ୟତାରେ ପୀଡ଼ିତ। କାହିଁକି ଧର୍ମ, ରାଜନୀତି, କ୍ରୀଡ଼ା ଓ ମନୋରଞ୍ଜନ ପରି ଏ ଡାକ୍ତରୀ ବୃତ୍ତି ଏମିତି ଆଲୋଡ଼ନ ସୃଷ୍ଟି କରୁଛି? ଗତ ଦୁଇ ସପ୍ତାହ ଧରି ଏ ଲେଖକ ତା ବୃତ୍ତିଟିକୁ ଜନସାଧାରଣଙ୍କ ପାଖରେ ସଠିକ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି। ଏ ମଧ୍ୟରେ ଅନେକ ଯୁବ ଡାକ୍ତର ମୋର ବନ୍ଧୁ ହୋଇଛନ୍ତି। ମୋ ଲେଖାକୁ ଶେୟାର କରୁଛନ୍ତି, ବହୁତ ଲୋକ ପଢୁଛନ୍ତି। ଆଜିକାଲି ଲେଖକମାନେ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଓ ଟାର୍ଗେଟେଡ ଲୋକଙ୍କ ପାଇଁ ଲେଖୁଛନ୍ତି। ମୋ ପାଇଁ, ଏହା ଲେଖକର ଆତ୍ମହତ୍ୟା ସହ ସମାନ। ଏଣୁ ଭୁଲିଯାଇନି, ମୁଁ ମୁଖ୍ୟତଃ ଜଣେ ସୃଜନଶୀଳ ଗାଳ୍ପିକ। ମୋ ବୃତ୍ତି ବାବଦରେ ସମାଜ ମୋତେ ବାରମ୍ବାର ଲେଖିବାକୁ ବାଧ୍ୟ କରିଥିବା ଏକ ଦୁଃଖଦାୟକ ଘଟଣା। କିନ୍ତୁ ଏ ଦୁଃଖ ମୋ ପାଇଁ କର୍ତ୍ତବ୍ୟ। ଆଜି ପରସ୍ପର ଟୀକ୍କା ଟିପ୍ପଣୀରେ ତର୍କମାନ ସୀମିତ, ତା ମଧ୍ୟରେ ମୌଳିକ ଯୁକ୍ତି ଲୋପ ପାଇ ଯାଉଛି। ସେସବୁକୁ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଛି। ଆମ ଶିକ୍ଷକ ଆମକୁ, ପୁଅ ଝିଅ ଅଧାଅଧି ବସିଥିବା ଭରା ଶ୍ରେଣୀରେ କହି ଆସିଛନ୍ତି, ଦେଖ, ଏ ବୃତ୍ତିରେ କେବେ ତୁମେ ରୋମାନ୍ସ ଛାଡ଼ି ରୋଗୀ ପାଖକୁ ରାତିରେ ଆସିବାକୁ ପଡିପାରେ, ପ୍ରସ୍ତୁତ ଯଦି ଭଲ, ନହେଲେ ଦୁଃଖ ପାଇବ। ଇଛାକୃତ ଭାବେ ଆମର ଭଲ ବଖାଣୁଛି। କଳା, ସାହିତ୍ୟ, ବିଜ୍ଞାନ, ଆଇନ, ଇଞ୍ଜିନିୟରିଂ, କୃଷି ବିଜ୍ଞାନ ଓ ଯାବତୀୟ ଉପାଧିମାନଙ୍କୁ ଅନୁଧ୍ୟାନ କର। ଶହେ ଇତିହାସ ଛାତ୍ରରୁ କେତେଜଣ ଐତିହାସିକ ହେଉଛନ୍ତି? ଶହେ କୃଷି ସ୍ନାତକ ମଧ୍ୟରୁ କେତେ କୃଷି ସହ ଜଡ଼ିତ ଅଛନ୍ତି? ଏକ ଶହ ବିଟେକ ମଧ୍ୟରୁ କେତେଜଣ ଇଞ୍ଜିନିୟର କାମ କରୁଛନ୍ତି। ପଚାଶ ପ୍ରତିଶତ ହେବ। କିନ୍ତୁ ଆମ ବୃତ୍ତିର ଶତକଡା ନବେଜଣ କେଉଁଠି ନା କେଉଁଠି ଡାକ୍ତରୀ କରୁଛନ୍ତି। ଦଶ ପ୍ରତିଶତ କାଟିଲି କାରଣ କିଛି ପ୍ରଶାସନିକ ସେବା ବା ସମ୍ବିତ ପାତ୍ର ଭଳି ବୃତ୍ତି ବାଛିଛନ୍ତି। ବାକି ସବୁ ରୋଗୀ ଦେଖୁଛନ୍ତି। ଏହା କମ କଥାନୁହେଁ। ଅର୍ଥାତ ଆମେ କାନ୍ଦୁଥିବା, ଯାହା ପାଉଥିବା ବାନ୍ଧୁଥିବା। ପଳାୟନପନ୍ଥୀ ନୁହନ୍ତି। ଜ୍ଞାନର ବୃଦ୍ଧି ସହ ଆମେ ଯେତେ ଜଡ଼ିତ ଆଉ କେହି ନୁହେଁ। ଆମ ପିଲାବେଳେ ଗାଁ ଗହଳିରେ କୁହାଯାଏ ଡାକ୍ତରର ମଲା ପର୍ଯ୍ୟନ୍ତ ପାଠ। ଆମେ ଖୁବଦିନ ପାଠ ବନ୍ଦ କଲେ ଭାରି ପଛୁଆ ଅନୁଭବ କରନ୍ତି। ବୁଢା କାଳରେ ବି କେଉଁଠି କଣ ଟିକେ ଶିଖିବାକୁ ମିଳିଲେ ଆମେ ସୁଯୋଗ ଛାଡନ୍ତି ନାହିଁ। ତେଣୁ ଆଜି ବି ଲୋକେ ସେକଥା କହୁଥିବେ। ଆଜି ତାରିଖରେ ପୃଥିବୀ ଏକ ଗାଁ। ଆମ ବୃତ୍ତିରେ ଉଦ୍ଭାବିତ ଯାବତୀୟ ପ୍ରଯୁକ୍ତି ବିଦ୍ୟା ଦିନ କେଇଟାରେ ଆମ ପାଖରେ ହାଜର ଓ ଆମ ଯୁବବର୍ଗ ଅନବରତ ତାଲିମ ପାଇ ଏହାକୁ ଜନସେବାରେ ଲଗାଉଛନ୍ତି। ଏମିତି କ୍ଷଣ କ୍ଷଣ। ଆମ ଟେକ୍ନୋଲୋଜି ଯେତେ ସହଳ ଦେଶକୁ ଆସୁଛି ହୁଏତ ଅନ୍ୟ ବୃତ୍ତରେ ବି ଆସୁଥାଇ ପାରେ। ଆମ ବୃତ୍ତି କେହି ଘରୋଇ ଶିକ୍ଷା ଦ୍ବାରା ପ୍ରାପ୍ତ ହୋଇ ପାରିବେ ନାହିଁ, ଗୁରୁ ଅନିର୍ବାଯ୍ୟ। ବେକାରୀ ସମସ୍ୟା ଆମ ପାଠ ପାଇଁ ଆସି ନାହିଁ। ବୋଧହୁଏ ଏହା ଏକ ମାତ୍ର ସେପରି ପାଠ। ଗୋପନୀୟତା ଆମେ ଯୁଗ ଯୁଗ ଧରି ପାଳନ କରୁଛୁ। ଜିନ୍ନାଙ୍କ ମୁମ୍ବାଇ ଚିକିତ୍ସକ ତାଙ୍କ ଶେଷ ସମୟ ଉପସ୍ଥିତ କହିଦେଇଥିଲେ ହୁଏତ ଇତିହାସ ବଦଳି ଯାଇଥାନ୍ତା। ଆଜି ତାରିଖରେ ବି ନାନାଦି ବିଘଟନ ହୋଇଥିବା ସତ୍ତ୍ୱେ ଏମିତି ପରିସ୍ଥିତିରେ ଆମେ ଜଣେ ରୋଗୀର ତଥ୍ୟ ଗୋପନୀୟ ରଖିବୁ। ଏ ଦ୍ୱିତୀୟ ଭଗବାନ ପଦରୁ ଡାକ୍ତର ଅନେକ ଦିନରୁ ହଟିବା ପାଇଁ ଚାହୁଁଛି, କିନ୍ତୁ ଲୋକେ ତାକୁ ଆବଶ୍ୟକତା ପଡ଼ିଲେ ସେଠି ଥୋଇ ପୂଜା କରୁଛନ୍ତି, କାମ ସରିଗଲେ କହୁଛନ୍ତି, ଠକ ଦୋକାନୀ। ଏହା ଆଜି ସମାଜର ଚିତ୍ର, ପ୍ରତି କ୍ଷେତ୍ରରେ ଏହା ଘଟୁଛି। ଆମେ ଯେହେତୁ ସମାଜ ସହ ଅଧିକ ଜଡ଼ିତ ଏଣୁ ଆମ ସହ ଏହା ବାରମ୍ବାର ଓ ବିରକ୍ତିକର ଭାବେ ଘଟୁଛି। ସେମିତି ରୋଗୀଟି ବି ଏ ପରିବର୍ତ୍ତିତ ସାମାଜିକ ଚିତ୍ରରେ କେଉଁଠି ଠକାମୀର ଶିକାର ହେଉଛି। ଆକ୍ରୋଶ ବଢୁଛି। ଯେହେତୁ ସମାଜ ବିଶାଳ ଓ ଡାକ୍ତର ସମାଜଟି ଛୋଟ ଓ ଅନେକ ଡାକ୍ତର ସୁରକ୍ଷିତ ବଳୟ ମଧ୍ୟରେ, ଏଣୁ ସମ୍ମୁଖରେ ଥିବା ଭଲନେରେବୁଲ ଡାକ୍ତରଟି ସର୍ବଦା ଅସୁରକ୍ଷିତ ରହୁଛି। ପ୍ରକୃତ ପକ୍ଷେ ଈଶ୍ୱରଙ୍କ ସର୍ଜନା, ଲାଳନ ପାଳନ ଓ ସଂହାର ଏ ତିନୋଟିର ସାକ୍ଷୀ ଓ ମାଧ୍ୟମ ଡାକ୍ତର ନୁହେଁ କି? ସେ ବ୍ରହ୍ମାଙ୍କ କମଣ୍ଡଳୁ, ବିଷ୍ଣୁଙ୍କ ଚକ୍ର ଓ ରୁଦ୍ରଙ୍କ ଆଇସିୟୁ। ସେ ଈଶ୍ବର ନୁହେଁ, ମଣିଷ ମାତ୍ର କିନ୍ତୁ ଏକ ଭିନ୍ନ ମଣିଷ। ସମାଜ ଯେଉଁଦିନ ବୁଝିବ ବିଷାକ୍ତ ଆମ୍ବ ଟାକୁଆ ଖାଇଥିବା ଗରୀବ ଲୋକଟିର ଜୀବନ, ଖୁବ୍ ବ୍ୟୟବହୁଳ ଚିକିତ୍ସାରେ ବଞ୍ଚି ପାରିଥିବା ବୃଦ୍ଧର ଜୀବନ ସହ ସମ ମୂଲ୍ୟବାନ, ସେଦିନ ଗାଁ ଗହଳିରେ ଡାକ୍ତର ସମତୁଲ ହୋଇଯିବେ ସହର ସହ। ଉନ୍ନତି ଏକ ସହଜାତ ପ୍ରବୃତ୍ତି, ଡାକ୍ତର କେମିତି ତହିଁରୁ ବାଦ ପଡ଼ିବ? ଆମ ବୃତ୍ତି ବହୁତ ଓ ବିବିଧ ଭାବେ ଗତିଶୀଳ ଓ ଭାରତୀୟ ଡାକ୍ତର ଆଦୌ ପଛରେ ନାହିଁ। ଆଉ ଏକ ଜଟିଳ ସମସ୍ୟା ଆମ ବୃତ୍ତିକୁ ପ୍ରଭାବିତ କରିଛି। ହସ୍ପିଟାଲ ମ୍ୟାନେଜମେଣ୍ଟର ନିର୍ଦ୍ଦୟ ପଣକୁ ଡାକ୍ତର ମୁଣ୍ଡାଉଛି। କେଉଁଠି କିଏ ଅର୍ଥ ପାଇଁ ଶବକୁ ନଛାଡ଼ିବାରେ ଡାକ୍ତରଟିର ଭୂମିକା ନଥିଲେ ବି ସେ ନିନ୍ଦିତ। ସେ ସଂସ୍ଥାରେ ସେୟାର କିଣିବା ପାଇଁ କିନ୍ତୁ ସମାଜ ବେଶ୍ ଆଗ୍ରହୀ। ଏବଂ ଯଦିଓ ମୋତେ ମାଲୁମ ନାହିଁ କିନ୍ତୁ ଦେଶର ଜିଡିପି ଓ ବିକାଶ ଏହି ଶବ ବନ୍ଧକ ସହ ସଂଯୋଜିତ। ଡାକ୍ତରୀ ବୃତ୍ତିଏକଥା ସ୍ପଷ୍ଟ କରେ କି ଏ ଲଫଡ଼ାରୁ ତାଙ୍କୁ ମୁକ୍ତ କରାଯାଉ। ସର୍ବଶେଷରେ ଆଉ କଣ କହିବାକୁ ଚାହୁଁଥିଲି ଭୁଲିଗଲି କାରଣ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କେବଳ ସରକାରୀ କାମରେ ବ୍ୟସ୍ତ ରହିଲି। ସାତଟି ସିଏସ ସହ ଆହୁରି ଅନେକ କାମ। ପୁଣି ଦୁଇ ଘଣ୍ଟାର କାମ ବାକି ଅଛି। ଆମେ ଭିନ୍ନ ମଣିଷ।

Share :