ବିଜୁଳି- ଦୁର୍ନୀତି ପରେ ଲୁଣ୍ଠନ

ବିଜୁଳି- ଦୁର୍ନୀତି ପରେ ଲୁଣ୍ଠନ

Share :

ଓଡ଼ିଶା ସରକାରଙ୍କ ଦୁର୍ନୀତି ଓ ଅପାରଗତାର ବୋଝ ବୋହିବେ ରାଜ୍ୟବାସୀ | ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଛତର ଖାଇ ଭୋଟ ଦେଉଥିବା ଲୋକଙ୍କର ହେଜିବା ଶକ୍ତି କମ୍ | ତେଣୁ ସରକାର ଏବାଟେ ଟଙ୍କା ଦେଲେ ସେବାଟେ ୫ ଟଙ୍କା ଲୁଟି ନେଲେ ବି ଜାଣି ପାରୁ ନାହାନ୍ତି | ରାଜ୍ୟର ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅନ୍ୟ ଦଳର ଜନମତ ସୃଷ୍ଟିକାରୀ ବ୍ୟକ୍ତିତ୍ବମାନେ ଆପଣାର ଫାଇଦା ପାଇଁ ରାଜ୍ୟ ସରକାରଙ୍କ ପାଖରେ ମୁଣ୍ଡଟିମାନ ବନ୍ଧା ପକାଇଥିବାରୁ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବାରମ୍ବାର ସହି ଯାଇଛନ୍ତି | ଏଥର ବି  ୟୁନିଟ ପିଛା ୭୩ ପଇସା ବୃଦ୍ଧି କରିବାକୁ ଯେଉଁ ଯୋଜନା ହୋଇଛି ତାହାକୁ ଜନ ସାଧାରଣ ବିପୁଳ ସଂଖ୍ୟାରେ ବିରୋଧ ନକଲେ ସାକାର ହେବ ଓ ରାଜ୍ୟବାସୀଙ୍କୁ ଆଗାମୀ ଦିନରେ ବିଦ୍ୟୁତ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ | ରାଜ୍ୟବାସୀଙ୍କୁ ନିୟମିତ ଓ ସୁଲଭ ବିଦ୍ୟୁତ ଯୋଗାଇବାକୁ ଆରମ୍ଭ ହୋଇଥିବା ବିଦ୍ୟୁତ ସଂସ୍କାର ଘରୋଇ ପୁଂଜିପତିଙ୍କ ଲାଭ ଓ ରାଜ୍ୟବାସୀଙ୍କ ଲୁଣ୍ଠନକୁ ତ୍ବରାନ୍ବିତ କରିଛି | ଏ ଦିଗରେ ରାଜ୍ୟ ସରକାର ଏବଂ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି | ରାଜ୍ୟ ଶାସନ ଓ ପ୍ରଶାସନର ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ବିନା ପୁଂଜିରେ ହଜାର ହଜାର କୋଟି ଟଙ୍କାର ଲାଭ ଉଠାଇବା ସହିତ ରାଜ୍ୟ ସରକାରଙ୍କ ଦେୟ ମଧ୍ୟ ଫାଙ୍କି ଦେଇ ପଳାଇଲେ | ସରକାର ସେମାନଙ୍କଠାରୁ ସେହି ପ୍ରାପ୍ୟ ଆଦାୟ କରିବାକୁ ଫଳପ୍ରଦ ପ୍ରାଶାସନିକ ଓ ବୈଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ରାଜ୍ୟବାସୀଙ୍କ ଉପରେ କମ୍ପାନୀଙ୍କ କ୍ଷତିର ବୋଝ ଲଦି ଦେବାକୁ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନୀରବ ସମର୍ଥନ ଜଣାଇଛନ୍ତି | ପ୍ରାୟ ୨୦ ବର୍ଷ ତଳେ ଓଡ଼ିଶାରେ ଯେତେବେଳେ ଭାରତରେ ପ୍ରଥମ କରି ବିଦ୍ୟୁତ ସଂସ୍କାର ହେଲା ସେତେବେଳେ ଏହାର କାରଣ ସ୍ବରୂପ କୁହାଯାଇଥିଲା ଯେ ପରିବହନ ଓ ବଣ୍ଟନ ବାବଦରେ କ୍ଷତି ହେଉଥିବା ପ୍ରାୟ ୪୭ ପ୍ରତିଶତ ବିଦ୍ୟୁତ ବଂଚିବ ଓ ସେଥିଯୋଗୁଁ ବିଦ୍ୟୁତ କ୍ଷତି ହ୍ରାସ ପାଇବ | ଏହାର ପରିଣାମ ସ୍ବରୂପ ବିଦ୍ୟୁତ ଶୁଳ୍କ ମଧ୍ୟ କମିଯିବ | କିନ୍ତୁ ୨୦ ବର୍ଷ ପରେ ଫଳ ହୋଇଛି ଓଲଟା | ପରିବହନ ଓ ବଂଟନ କ୍ଷତି ୩୮ ପ୍ରତିଶତକୁ ଖସିଛି, କିନ୍ତୁ ବିଦ୍ୟୁତ ଶୁଳ୍କ ବର୍ଷକୁ ବର୍ଷ ବଢ଼ିବଢ଼ି ଚାଲିଛି | ଏହି ସମୟ ମଧ୍ୟରେ ଅମ୍ବାନୀ ଗୋଷ୍ଠୀର ରିଲାଏନ୍ସ ଏବଂ ଏଇଏସ ପରି କମ୍ପାନୀ ପ୍ରାୟ ୩୦ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି | ସେଥିରୁ ଶାସକ ଦଳର ରାଜନେତା ଓ ପ୍ରାଶାସନିକ ପଦାଧିକାରୀମାନେ ୧୦ ପ୍ରତିଶତ ହିସାବରେ ଅତି କମରେ ୩ ହଜାର କୋଟି ଟଙ୍କା ଲାଂଚ ବା ଚାନ୍ଦା ନେଇଥିବେ | ସେଥିପାଇଁ ସେମାନେ ସାଧାରଣ ଜନତାଙ୍କ ସେବକ ନହୋଇ ଘରୋଇ କମ୍ପାନୀଙ୍କର କ୍ରୀତଦାସ ଭାବେ କାର୍ଯ୍ୟ କରୁଛନ୍ତି | ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କର ଆକଳନ ଅନୁଯାୟୀ ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ସବୁଠୁ କମ୍ | ୟୁନିଟ ପିଛା ଏହା ୫୦ରୁ ୬୦ ପଇସା ହେବ | ତାପଜ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୟୁନିଟ ପିଛା ସର୍ବାଧିକ ୩ ଟଙ୍କା ହେବ | ସୌର ଶକ୍ତିର ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିକମି ତାପଜ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ପାଖାପାଖି ଆସିଗଲାଣି | ସବୁ ପ୍ରକାର ବିଦ୍ୟୁତର ଉତ୍ପାଦନ ଖର୍ଚ୍ଚର ହାରାହାରି ହିସାବ ବାହାର କଲେ ତାହା ୟୁନିଟ ପିଛା ୨-୪ ଟଙ୍କା ମଧ୍ୟରେ ସୀମୀତ ରହିବ | ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚର ଏଯାଏଁ କୌଣସି ପ୍ରକାର ବିଧିବଦ୍ଧ ଅଡ଼ିଟ ହୋଇନାହିଁ | ଏବେ ଉତ୍ପାଦନ ଖର୍ଚ୍ଚ ବୋଲି ଯେଉଁ ହିସାବ ଗ୍ରହଣ କରାଯାଉଛି ତାହା ଘରୋଇ କମ୍ପାନୀ ଓ ସରକାରୀ ନିଗମର ହିସାବ | ସରକାରୀ ନିଗମରେ ଦୁର୍ନୀତି ଓ ଘରୋଇ କମ୍ପାନୀର ଲାଭ ଉପରେ ବୈଧାନିକ ଅଙ୍କୁଶ ନଥିବାରୁ ବାସ୍ତବ ଉତ୍ପାଦନ ଖର୍ଚ୍ଚ ଖାତାରେ ଦର୍ଶାଯାଉଥିବା ଉତ୍ପାଦନ ଖର୍ଚ୍ଚଠାରୁ ଯଥେଷ୍ଟ କମ | ଏଭଳି ସ୍ଥଳେ ଓଡ଼ିଶାରେ ଏବେ ବିଦ୍ୟୁତ ଶୁଳ୍କ ଉତ୍ପାଦନ ଖର୍ଚ୍ଚଠାରୁ ଯଥେଷ୍ଟ ଅଧିକ ହୋଇଗଲାଣି | ୨୦୧୪-୧୫ ବର୍ଷରେ ରାଜ୍ୟ ସରକାର ଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସମର୍ଥନରେ ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ସର୍ବନିମ୍ନ ୨୦ ପଇସା ବଢ଼ିଥିଲା | ଏବେ ପ୍ରଥମ ୫୦ ୟୁନିଟ ପାଇଁ ୨.୩୦ ଟଙ୍କା ଓ ତା’ ପରେ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪.୪୦ ଟଙ୍କା ଦେଉଛନ୍ତି ଖାଉଟି | କହିବା ବାହୁଲ୍ୟ ରାଜ୍ୟର ପ୍ରାୟ ସମସ୍ତ ଖାଉଟି ୫୦ ୟୁନିଟରୁ ଯଥେଷ୍ଟ ଅଧିକ ବିଦ୍ୟୁତ ଖର୍ଚ୍ଚ କରିଥାନ୍ତି | ସାଧାରଣ ଲୋକଙ୍କ ଘରୋଇ ବ୍ୟବହାର ଯାହା ସେଥିରେ ମାସକୁ ୩୦୦-୪୦୦ ୟୁନିଟର ବିଲ୍ ଆସିବା ସାଧାରଣ କଥା | ଏହି ହିସାବରେ ବିଦ୍ୟୁତ କମ୍ପାନୀଗୁଡ଼ିକ ୟୁନିଟ ପିଛା ୨-୩ ଟଙ୍କା ଖର୍ଚ୍ଚ କରି ଉତ୍ପାଦନ କରୁଥିବା ବିଦ୍ୟୁତକୁ ୧.୫ ଟଙ୍କାରୁ ୨ ଟଙ୍କା ଲାଭରେ ବିକ୍ରି କରୁଛନ୍ତି | ଏବେ ଏହି ଲାଭ ପରିମାଣ ବଢ଼ାଇବାକୁ ୟୁନିଟ ପିଛା ଦର ଆଉ ୭୦ ପଇସା ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି | ରାଜ୍ୟର ଅନେକ ଘରୋଇ କମ୍ପାନୀଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଦେୟ ଅନାଦେୟ ପଡ଼ିଛି | ଶାସକ ଦଳ ସହିତ ସଂପୃକ୍ତ ଗୋଟିଏ କମ୍ପାନୀର ପ୍ରାୟ ୭୦୦ କୋଟି ଟଙ୍କାର ବିଦ୍ୟୁତ ଦେୟ ସରକାର ଛାଡ଼ି କରିଥିଲେ | ଏବେ ବି ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କ ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୫.୫ ହଜାର କୋଟି ଟଙ୍କାର ପ୍ରାପ୍ୟ ପଡ଼ିଛି | ତାହା ଆଦାୟ ହେଉ ନାହିଁ | ଅଥଚ କ୍ଷତି ଆଳ ଦେଖାଇ ସାଧାରଣ ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଲଦି ଦିଆଯାଉଛି | ଏହା ଦିନ ଦହାଡ଼େ ଲୁଣ୍ଠନ ନୁହେଁ ତ ଆଉ କ’ଣ?

Share :