ଖଣି ଖଣ୍ଟଙ୍କୁ ପୁଣି ଅଧିକ ଫାଇଦା ଦେବେ ସରକାର!

ଖଣି ଖଣ୍ଟଙ୍କୁ ପୁଣି ଅଧିକ ଫାଇଦା ଦେବେ ସରକାର!

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶାର ଖଣି ଦୁର୍ନୀତି ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ଏତେ ହୋହାଲ୍ଲା ସତ୍ତ୍ବେ ବି ଖଣ୍ଟଙ୍କ ସହ ଚୋରା ପୀରତି ଅବ୍ୟାହତ ରଖିଛନ୍ତି ବିଜେଡି ସରକାର। ଚୋରି ମାଲ୍‌ ଉପରେ ଜରିମାନା ଦେଇ ନଥିବା ତଥା ଅନେକ ଖଣି ଆଇନ ଉଲ୍ଲଙ୍ଘନ କରିଥିବା କେତେକ କମ୍ପାନୀଙ୍କୁ ଆଉ କେଇ ହଜାର କୋଟି ଟଙ୍କା ଲୁଟିବା ପାଇଁ ରାଜ୍ୟ ସରକାର ବାତାବରଣ ସୃଷ୍ଟି କରିବାରେ ଲାଗିଲେଣି। ଇସ୍ପାତ ଶିଳ୍ପର ସ୍ବାର୍ଥ ପାଇଁ ଜୁଲାଇ ମାସ ଭିତରେ ୧୦ଟି ଖଣିର ନିଲାମ କରିବା ନିଷ୍ପତ୍ତି ସେଇ ଚୋରା ପୀରତିର ଦାୟ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନରୁ ଜଣାଯାଇଛି ଯେ ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶର ଅନ୍ୟୁନ ୩୩୦ ଖଣିର ଲିଜ୍‌ ଅବଧି ଶେଷ ହେଉଛି। ଏଥି ମଧ୍ୟରେ ଓଡ଼ିଶାର ପ୍ରାୟ ୩୬ଟି ଖଣି ରହିଛି। ଏହି ୩୬ ଖଣିରୁ ୨୪ଟି ଖଣିରୁ ଖଣିଜ ଉତ୍ତୋଳନ ଅବ୍ୟାହତ ରହିଛି। ବାକି ୧୨ଟି ଖଣିରୁ ଉତ୍ତୋଳନ ଆରମ୍ଭ ହୋଇନାହିଁ। ଯେଉଁ ୨୪ ଖଣିର ଲିଜ୍‌ ଅବଧି ମାର୍ଚ୍ଚ ୨୦୨୦ ସୁଦ୍ଧା ଶେଷ ହେବ ସେଗୁଡ଼ିକୁ ପୁଣି ଥରେ ସେଗୁଡ଼ିକର ଲିଜ୍‌ଧାରୀଙ୍କୁ ଟେକି ଦେବା ପାଇଁ ଖଣି ଲବି ତରଫରୁ ଉଦ୍ୟମ ଜାରି ରହିଛି। ମୁଖ୍ୟତଃ ଖଣି କମ୍ପାନୀଙ୍କ ଚାନ୍ଦାରେ ଚାଲିଥିବା ଶାସକ ଦଳ ଏହି ଖଣି ଖଣ୍ଟମାନଙ୍କ ଦଲାଲ ବା ମଧ୍ୟସ୍ଥ ଭାବେ କାର୍ଯ୍ୟ କରୁଥିବାରୁ ସରକାର ଆଇନକାନୁନ ଓ ରାଜ୍ୟ ସ୍ବାର୍ଥ ପ୍ରତି ଆଖିବୁଜି ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ନେବାର ଆଶଙ୍କା ରହିଛି। ସେଥିପାଇଁ ଇସ୍ପାତ ଶିଳ୍ପର ସ୍ବାର୍ଥ କଥା କୁହାଯାଉଛି। ବାସ୍ତବରେ ଏସବୁ ଖଣିର ତୁରନ୍ତ ନିଲାମ ପାଇଁ ସ୍ପଞ୍ଜଲୁହା କାରଖାନା ସଂଘ ଲବି ଚଳାଇଛି। ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ବା ଆଇସିସି ମଧ୍ୟ ଏସବୁ ଖଣିର ତୁରନ୍ତ ନିଲାମ ସପକ୍ଷରେ ଲବି କରୁଛି। ଖଣି କମ୍ପାନୀମାନଙ୍କର ସର୍ବଭାରତୀୟ ସଂଘ ଫିମି ଏସବୁ ଖଣିକୁ ନିଲାମ ନକରି ଏହାର ଲିଜ୍‌ ଅବଧି ୨୦୩୦ ଯାଏଁ ବୃଦ୍ଧି କରିବାକୁ ସରକାରଙ୍କଠାରେ ଦାବି କରିଛି। ସେହିପରି ଖଣିର ଠିକା ଖନନ ବେଆଇନ ହୋଇଥିଲେ ମଧ୍ୟ ଦେଶର ଦୁଇ ଖନନ ଠିକାଦାର ଆଦାନୀ ଓ ତ୍ରିବେଣୀ ଆର୍ଥ ମୁଭର୍ସ ତୁରନ୍ତ ଖଣି ନିଲାମ ପାଇଁ ଲବି ଚଳାଇଛନ୍ତି। କାରଣ ଓଡ଼ିଶାରେ ଏବେ ବି ଅନେକ ଖଣି ଠିକାରେ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଶର ପ୍ରାୟ ୩୦୦ ଖଣିର ଲିଜ୍‌ ଅବଧି ଶେଷ ହେବ। ଏହା ମଧ୍ୟରେ ୫୯ଟି ଖଣି ଚାଲୁ ଅବସ୍ଥାରେ ରହିଛି। ବାକି ଖଣିଗୁଡ଼ିକ ଏଯାଏଁ ଖୋଳାଯାଇ ନାହିଁ। ଏସବୁ ଖଣି ମଧ୍ୟରେ ଗୋଆର ୧୬୦ ଖଣି ରହିଥିବାବେଳେ କର୍ଣ୍ଣାଟକର ୪୫ ଓ ଓଡ଼ିଶାର ୩୬ ଖଣି ରହିଛି। ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍‌, ବକ୍ସାଇଟ, ଚୁନପଥର ଆଦି ଖଣିଜ ପଦାର୍ଥରେ ଏସବୁ ଖଣି ଭରପୂର। ରାଜ୍ୟ ଓ ଜାତୀୟ ସ୍ତରରେ ବ୍ୟାପକ ଖଣି ଦୁର୍ନୀତି କଥା ପ୍ରଘଟ ହେବା ପରେ ୨୦୧୫ ମସିହାରେ କେନ୍ଦ୍ର ସରକାର ଖଣି ଓ ଖଣି ବିକାଶ ନିୟନ୍ତ୍ରଣ ଆଇନ ବା ଏମଏମଡିଆର ଆକ୍ଟରେ ସଂଶୋଧନ ଆଣିଥିଲେ। ଏହି ସଂଶୋଧନ ଅନୁସାରେ ଲିଜ୍‌ ଅବଧି ଶେଷ ହେବା ପରେ ଆଉ ଲିଜ୍‌ ନବୀକରଣ ହେବ ନାହିଁ। ଅଧିକନ୍ତୁ ନିଲାମ ଜରିଆରେ ଖଣି ପଟ୍ଟା ଦିଆଯିବ। ସର୍ବାଧିକ ୫୦ ବର୍ଷ ପାଇଁ ସର୍ବାଧିକ ୧୦ ବର୍ଗ କିଲୋମିଟରର ଖଣି ନିଲାମରେ ବଣ୍ଟନ କରାଯାଇପାରିବ। ନିଲାମ ପ୍ରକ୍ରିୟା ଆରମ୍ଭ ହେବା ଯାଏଁ ଦେଶର ବ୍ୟାବସାୟିକ ଖଣିଗୁଡ଼ିକର ଲିଜ୍‌ ଅବଧି ୨୦୨୦ ଯାଏଁ ଓ ଉତ୍ସର୍ଗୀତ ବା କ୍ୟାପ୍ଟିଭ ଖଣିଗୁଡ଼ିକର ଲିଜ୍‌ ଅବଧି ୨୦୩୦ ମସିହା ଯାଏଁ ବୃଦ୍ଧି ପାଇଥିଲା। ତେବେ ନିୟମ ଅନୁସାରେ ଯେଉଁ ଖଣିଗୁଡ଼ିକ ଆଇନ ଉଲ୍ଲଙ୍ଘନ କରି ନଥିବେ ସେହିଗୁଡ଼ିକର ନିଲାମ ଅବଧି ବଢ଼ିବା କଥା। ମାତ୍ର ଓଡ଼ିଶାରେ ମୁଖ୍ୟତଃ ଆଇନ ଉଲ୍ଲଙ୍ଘନ କରିଥିବା ଖଣିଗୁଡ଼ିକୁ ରାଜ୍ୟ ସରକାର ଏହି ସୁବିଧା ପ୍ରଦାନ କରିଛନ୍ତି। ଓଡ଼ିଶାର ଯେଉଁସବୁ ଖଣି କମ୍ପାନୀଙ୍କର ଖଣି ଲିଜ୍‌ ଅବଧି ୨୦୨୦ ମାର୍ଚ୍ଚ ମାସରେ ଶେଷ ହେବାର ଅଛି ସେମାନଙ୍କ ମଧ୍ୟରେ ଅଛନ୍ତି ରୁଙ୍ଗଟା, ସିରାଜୁଦ୍ଦିନ, କେଜେଏସ ଆହ୍ଲୁୱାଲିଆ, କେପି ଏଣ୍ଟରପ୍ରାଇଜ୍‌, କଳିଙ୍ଗ କର୍ପୋରେସନ, ମିଡି ଇଷ୍ଟ ଇଣ୍ଟିଗ୍ରେଟେଡ଼ ଷ୍ଟିଲ, କେଏନ ରାମ, ଆରବି ଦାସ, ଟିପି ମହାନ୍ତି, କେସି ପ୍ରଧାନ ଓ ଲାଲ୍‌ ଟ୍ରେଡର୍ସ। ଏସବୁ କମ୍ପାନୀ ମଧ୍ୟରୁ ଅନେକଙ୍କ ବିରୋଧରେ ବେଆଇନ ଖଣି କାରବାରର ଅଭିଯୋଗ ରହିଛି। ଅନେକ କମ୍ପାନୀଙ୍କ ଉପରେ ରାଜ୍ୟ ସରକାର ନିଜ ଆଡ଼ୁ ଜରିମାନା ଧାର୍ଯ୍ୟ କରିଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅନେକ କମ୍ପାନୀଙ୍କ ଉପରେ ସାନି ଜରିମାନା ଧାର୍ଯ୍ୟ ହୋଇଥିଲା। କେତେକ କମ୍ପାନୀ ଜରିମାନା ଅର୍ଥ ପଇଠ କରିଛନ୍ତି। କିନ୍ତୁ ଅନେକ କମ୍ପାନୀ ଏଯାଏଁ ସବୁ ଜରିମାନା ଦାଖଲ କରି ନାହାନ୍ତି। ଜରିମାନା ଦାଖଲ କରି ନଥିବା, ଖଣି ଆଇନକୁ ନିଷ୍ଠାର ସହିତ ପାଳନ କରି ନଥିବା କମ୍ପାନୀଗୁଡ଼ିକର ଲିଜ୍‌ ସିଧାସଳଖ ବାତିଲ୍‌ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ଥିଲେ ମଧ୍ୟ ଏଯାଏଁ ତାହା କରାଯାଇ ନାହିଁ। ସେହିପରି ବେଅଇନ କାମ କରୁଥିବା କମ୍ପାନୀଙ୍କର ଖଣି ଲାଇସେନ୍ସ ରଦ୍ଦ କରିବାର କ୍ଷମତା ସରକାରଙ୍କର ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଓଲଟି ଏସବୁ ଖଣି ଖଣ୍ଟଙ୍କୁ ଆଉ ହଜାର ହଜାର କୋଟି ଟଙ୍କା ଲୁଟ୍‌ କରିବାର ସୁଯୋଗ ଦେବାକୁ ସରକାରୀ ସ୍ତରରେ ପେଞ୍ଚପାଞ୍ଚ ଆରମ୍ଭ ହୋଇଯାଇଛି। ଆଇନ ଅନୁସାରେ ନିଲାମ କରାଯିବ ବୋଲି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଘୋଷଣା କରୁଥିବାବେଳେ କିପରି ନିଲାମ ନଡାକି ଏସବୁ ଖଣିର ଲିଜ୍‌ ଅବଧି ଆଉ କିଛି ଦିନ ବଢ଼ାଇ ଦିଆଯିବ ସେ ଦିଗରେ ମଧ୍ୟ ଯୁକ୍ତି ବାହାର କରାଯାଉଛି। ଗୋଟେ ପଟେ ସ୍ପଞ୍ଜଲୁହା, ପେଲେଟ ଓ ଇସ୍ପାତ ଲବି ସହିତ ଖଣିଜ ଶିଳ୍ପ ସଂଘଗୁଡ଼ିକ ଏସବୁ ଖଣି ବନ୍ଦ ନକରିବାକୁ ଦାବି କରୁଛନ୍ତି। ସେମାନଙ୍କର ଯୁକ୍ତି ହେଉଛି ଦେଶରେ ଗତ ବର୍ଷ ୨୦୦ ନିୟୁତ ଟନ୍‌ ଲୁହା ପଥର ଉତ୍ତୋଳିତ ହୋଇଥିଲାବେଳେ କେବଳ ଓଡ଼ିଶାରୁ ଉତ୍ତୋଳିତ ହୋଇଥିଲା ୧୨୦ ନିୟୁତ ଟନ୍‌। ଏଥିମଧ୍ୟରୁ ଲିଜ୍‌ ଅବଧି ଶେଷ କରୁଥିବା ଏସବୁ ଖଣିରୁ ଉତ୍ତୋଳିତ ହୋଇଥିଲା ୬୦ ନିୟୁତ ଟନ୍‌। ତେଣୁ ଏସବୁ ଖଣି ବନ୍ଦ ହୋଇଗଲେ ସମଗ୍ର ଦେଶର ଇସ୍ପାତ ଓ ସ୍ପଞ୍ଜଲୁହା ଶିଳ୍ପ ପ୍ରଭାବତି ହେବ। ତା’ ଛଡ଼ା ଖଣି ଶ୍ରମିକମାନେ ମଧ୍ୟ ନିଯୁକ୍ତି ହରାଇବେ। ଏଭଳି ପରିସ୍ଥିତି ଏଡ଼ାଇବାକୁ ଏସବୁ ଲବି ବା ସଂଘ ଜଙ୍ଗଲ ଓ ପରିବେଶ ଆଇନ, ନିଲାମ ପ୍ରକ୍ରିୟାରେ କେତେକ ସଂଶୋଧନ କରିବା ସପକ୍ଷରେ ମଧ୍ୟ ମତ ଦେଉଛନ୍ତି। ଓଡ଼ିଶାର ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଏହି ଲବି ସହିତ ସ୍ବର ମିଳାଇ କହିଛନ୍ତି ଯେ ରାଜ୍ୟରେ ଇସ୍ପାତ ଶିଳ୍ପର ସ୍ବାର୍ଥ ଦୃଷ୍ଟିରୁ ଖଣି କାର୍ଯ୍ୟ ବନ୍ଦ ହେବ ନାହିଁ। ରାଜ୍ୟରେ ଇସ୍ପାତ ଶିଳ୍ପ କହିଲେ ସେଲ୍‌, ଜିନ୍ଦଲ ଓ ଟାଟା। ବାକି ସବୁ ସ୍ପଞ୍ଜ ଲୁହା କିମ୍ବା ପେଲେଟ କାରଖାନା। ଏସବୁ କାରଖାନା ଉତ୍କଟ ପ୍ରଦୂଷଣକାରୀ। ମୁଖ୍ୟତଃ ଏହି ବର୍ଗର ଶିଳ୍ପର ସ୍ବାର୍ଥ ପାଇଁ ସରକାର ବେଆଇନ ଖଣି କାରବାର ପ୍ରତି ଆଖିବୁଜି ଦେଇଥିଲେ। ଏଭଳି ଅନେକ କାରଖାନା କଞ୍ଚାମାଲ ନାମରେ ଲୁହା ପଥର ନେଇ ବେଆଇନ ଭାବେ ବିଦେଶକୁ ଚାଲାଣ କରି କୋଟିକୋଟି ଟଙ୍କାର ବେଆଇନ ମୁନାଫା ଅର୍ଜନ କରିଛନ୍ତି। ଅନ୍ତର୍ଜତୀୟ ବଜାରରେ ଲୁହା ପଥରର ଚାହିଦା ଥିବା ସମୟରେ ଅନେକ ଖଣି କମ୍ପାନୀ ମଧ୍ୟ ଅନୁମୋଦିତ ପରିମାଣଠାରୁ ଯଥେଷ୍ଟ ଅଧିକ ଖଣିଜ ପଦାର୍ଥ ଖୋଳି ବେଆଇନ ଭାବେ ଚାଲାଣ କରିଦେଇଛନ୍ତି। ଏଭଳି ଅନେକ କମ୍ପାନୀଙ୍କ ଖଣିର ବିଧିବଦ୍ଧ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନାହିଁ। ତେଣୁ ଲିଜ୍‌ ଅବଧି ଯାଏଁ ଏହି ମଞ୍ଜୁରୀ ଦେବାକୁ କେତେକ କମ୍ପାନୀ ଲବି ଚଳାଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି ସେଭଳି ହେବ ନାହିଁ। ବରଂ ଖଣିଜ ପଦାର୍ଥର ପ୍ରକୃତ ମାଲିକ ରାଜ୍ୟ ସରକାର ହୋଇଥିବାରୁ ରାଜ୍ୟ ଖଣି ଲିଜ୍‌ଧାରୀଙ୍କ ପାଇଁ ପରିବେଶ ମଞ୍ଜୁରୀ ହାସଲ କରୁ। ରାଜ୍ୟ ସରକାର ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସଂଶୋଧିତ ଏମଏମଡିଆର ଆଇନ ଅନୁସାରେ ଲିଜ୍‌ ଅବଧି ଶେଷ ହେବାର ୬ ମାସ ପୂର୍ବରୁ ଲିଜ୍‌ଧାରୀ ତାଙ୍କର ଯନ୍ତ୍ରପାତି ଓ ଅନ୍ୟାନ୍ୟ ଭିତ୍ତିଭୂମି ହଟାଇନେବେ। କିନ୍ତୁ ଅନେକ କମ୍ପାନୀ ଲିଜ୍‌ ଅବଧିର ଶେଷ ଦିନ ଯାଏଁ ଖଣି ଖୋଳିବା ବନ୍ଦ କରିବାକୁ ଚାହାନ୍ତି ନାହିଁ। ସେମାନଙ୍କର ଏ ଯୁକ୍ତି ଯଥାର୍ଥ। ଏହା ବୋଧ ହେବା ପରେ କେନ୍ଦ୍ର ସରକାର ମିନେରାଲ କନ୍‌ସେସନ ଆଣ୍ଡ ଡେଭଲପମେଣ୍ଟ ରୁଲ ବା ଏମସିଡିଆରରେ ଏକ ସଂଶୋଧନ ଆଣୁଛନ୍ତି। ସେହି ସଂଶୋଧନ ଅନୁସାରେ ଏଣିକି ଲିଜ୍‌ ଅବଧି ଶେଷ ହେବା ପୂର୍ବରୁ ବି ଖଣି ନିଲାମ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ ଖଣି କମ୍ପାନୀଗୁଡ଼ିକ ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ମେଣ୍ଟ ବାନ୍ଧିଛନ୍ତି। ଓଡ଼ିଶାରେ ପୂର୍ବରୁ ଶିଳ୍ପ ଓ ଖଣି କାର୍ଯ୍ୟ ଆରମ୍ଭ କରିଥିବା ବେଦାନ୍ତ ଓ ଜିନ୍ଦଲ ଗୋଷ୍ଠୀ ନିଲାମ ଜରିଆରେ ଅଧିକ ଖଣିର ପଟ୍ଟା ପାଇବାକୁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଖଣି ଠିକାଦାର ତ୍ରିବେଣୀ ଆର୍ଥ ମୁଭର୍ସ ଓ ଅଦାନୀ କମ୍ପାନୀ ମଧ୍ୟ ସିଧାସଳଖ ଖଣି ପଟ୍ଟା ନେବାକୁ ପ୍ରସ୍ତୁତିରେ ଅଛନ୍ତି। ଟାଟା, ଜିନ୍ଦଲ ଓ ବିର୍ଲା ଗୋଷ୍ଠୀ ମଧ୍ୟ ଓଡ଼ିଶାରେ ଅଧିକ ଖଣି ଅଞ୍ଚଳର ମାଲିକ ହେବାକୁ ଚାହୁଁଛନ୍ତି। ଏସବୁ କମ୍ପାନୀ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନେକ ନେତା ଓ ବାବୁଙ୍କର ନିବିଡ଼ ସଂପର୍କ ଥିବାରୁ ବେଆଇନ କାମ ଲୁଚି ଯାଉଛି ଓ ନୂଆ ନିଲାମ ଅଗ୍ରାଧିକାର ଲାଭ କରିଛି।

Share :