୨୪ କୋଟି ଚଳୁ, ଯୋଉ ନଗଡ଼ାକୁ ସେଇ ନଗଡ଼ା!

୨୪ କୋଟି ଚଳୁ, ଯୋଉ ନଗଡ଼ାକୁ ସେଇ ନଗଡ଼ା!

ପ୍ରଦୀପ ପ୍ରଧାନ ଜୁଲାଇ, ୨୦୧୬ ମସିହା। ଯାଜପୁର ଜିଲ୍ଲାର ସୁକିନ୍ଦା ଶିଳ୍ପନଗରୀଠାରୁ ୪୦ କି.ମି. ଦୂରରେ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନଗଡ଼ା ଗ୍ରାମରେ ବସବାସ କରୁଥିବା ଆଦିମ ଅଧିବାସୀ ଜୁଆଙ୍ଗ ସମ୍ପ୍ରଦାୟର ୧୯ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇଲା ପରେ ବିଭିନ୍ନ ସାମାଜିକ ଏବଂ ବିରୋଧୀ ରାଜନୈତିକ ଦଳମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହି ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ବିଭିନ୍ନ ସାମାଜିକ ସଙ୍ଗଠନମାନେ ମଧ୍ୟ ରାଜରାସ୍ତାରେ ଆନ୍ଦୋଳନ କରି ଜୁଆଙ୍ଗ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦାବି କରିଥିଲେ। ଲେଖକ ୧୬, ଜୁଲାଇ ୨୦୧୬ରେ ଏକ ତଥ୍ୟାନୁସନ୍ଧାନକାରୀ ଦଳର ନେତୃତ୍ୱନେଇ ନଗଡ଼ା ଗ୍ରାମ ପରିଦର୍ଶନ କରି ଜୁଆଙ୍ଗ ସମ୍ପ୍ରଦାୟର ଦୁର୍ଗତି, ଉତ୍କଟ ଖାଦ୍ୟାଭାବକୁ ଅନୁଧ୍ୟାନ ପରି ରାଜ୍ୟ ସରକାରଙ୍କୁ ଏହାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ ସହ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଉକ୍ତ ଅଞ୍ଚଳଟି ପ୍ରାକୃତିକ ସମ୍ପଦ ଏବଂ ଖଣିଜ ସମ୍ପଦରେ ଭରପୂର। ବହୁ ବଡ଼ବଡ଼ କମ୍ପାନୀମାନଙ୍କର ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ବ୍ୟାପକ ଖଣିଜ ସମ୍ପଦ ଉତ୍ତୋଳନ କରି ଏହି କମ୍ପାନୀମାନେ ପ୍ରଚୁର ମୁନାଫା ଅର୍ଜନ କରୁଥିଲେ ମଧ୍ୟ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିନାହାନ୍ତି। ସେମାନେ ଶୋଷଣ, ନିର୍ଯ୍ୟାତନାର ଶିକାର ହେବା ସହ ସେହିପରି ଦୁଃଖ ଏବଂ ଦାରିଦ୍ର୍ୟତା ମଧ୍ୟରେ କାଳାତିପାତ କରୁଛନ୍ତି। ଶିଳ୍ପାନୁଷ୍ଠାନ ବା କଳ କାରଖାନା ହେଲେ ସ୍ଥାନୀୟ ଲୋକଙ୍କର ବିକାଶ ହୋଇଯିବ, ଦୁଃଖ ଦାରିଦ୍ର୍ୟ ଦୂର ହୋଇଯିବ ବୋଲି ରାଜ୍ୟ ପ୍ରଶାସନର ବହୁଳ ପ୍ରଚାରିତ ସ୍ଲୋଗାନ୍ ଯେ ମିଥ୍ୟା ଏବଂ ଠକାମୀପୂର୍ଣ୍ଣ, ତାହା ଏଠାରେ ପ୍ରମାଣିତ ହୋଇଛି। ସୁକିନ୍ଦାର କଳିଙ୍ଗନଗରରେ ପ୍ରତିଷ୍ଠିତ ଟାଟା କମ୍ପାନୀର କାରଖାନାଠାରୁ ମାତ୍ର ୪୦ କି.ମି. ଦୂରରେ ଏହି ନଗଡ଼ା ଗ୍ରାମ ଅବସ୍ଥିତ। ଗୋଟିଏ ପଟେ ଶିଳ୍ପ ନଗରୀର ପ୍ରାଚୁର୍ଯ୍ୟ ଥିଲାବେଳେ ଅନ୍ୟପଟେ ସ୍ଥାନୀୟ ଆଦିବାସୀମାନେ କ୍ଷୁଧା, ଅନାହାର, ପୁଷ୍ଟିହୀନତା ମଧ୍ୟରେ ବଞ୍ଚୁଛନ୍ତି। ଏହାହିଁ ଆମ ରାଜ୍ୟର ବିକାଶର ଧାରା। ଯାହାହେଉ, ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁକୁ କେନ୍ଦ୍ରକରି ରାଜନୈତିକ ବାଦବିବାଦ ପରେ ରାଜ୍ୟ ସରକାର ଗ୍ରାମର ଉନ୍ନତି ପାଇଁ ଏବଂ ଜୁଆଙ୍ଗ ଅଧିବାସୀଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ବହୁବିଧ ବ୍ୟାପକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଇଲେ। ଜୁଆଙ୍ଗ ଶିଶୁମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଦେବା, ଉପଯୁକ୍ତ ଚିକିତ୍ସା, ଟୀକାକରଣ, ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା, ମାଗଣା ଖାଦ୍ୟ ଯୋଗାଣ, ରାସ୍ତା ନିର୍ମାଣ, ଏନ୍‌ଆର୍‌ଇଜିଏ ଯୋଜନାରେ ଜବ୍‌ କାର୍ଡ଼ ବଣ୍ଟନ, ପିଇବା ପାଣି ପାଇଁ ବ୍ୟାପକ ବନ୍ଦୋବସ୍ତ ଇତ୍ୟାଦି ଜିଲ୍ଲା ପ୍ରଶାସନ କରିବା ଆରମ୍ଭ କଲେ ଏବଂ ଏହି ସମସ୍ତ କାର୍ଯ୍ୟର ମନିଟରିଙ୍ଗ୍ ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାର ବର୍ଷକ ପରେ ଅର୍ଥାତ୍ ୨୦୧୭ ମସିହାରେ, ନଗଡ଼ା ଗ୍ରାମରେ ରାଜ୍ୟ ସରକାର କେଉଁ ସବୁ ଯୋଜନାରେ କି କି କାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ଏହାର ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ପ୍ରଶାସନକୁ ମଗାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ଉତ୍ତର ଦେଇନଥିଲେ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ତଥ୍ୟ ନ ମିଳିବାରୁ ସୂଚନା କମିଶନଙ୍କ ନିକଟରେ ଲେଖକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ସୂଚନା କମିଶନ ହାରାହାରି ଦୁଇ ବର୍ଷ ପରେ ଯାଜପୁର ଜିଲ୍ଲାର ଡିଆର୍ଡିଏ କାର୍ଯ୍ୟାଳୟକୁ ନୋଟିସ୍ କରିଥିଲେ। ଏହାପରେ ଡିଆର୍ଡିଏ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ଏପ୍ରିଲ, ୨୦୧୯ରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ସୂଚନା ଅଧିକାର ଆଇନ ଅଧୀନରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ନଗଡ଼ା ଗ୍ରାମ ସହିତ ଗୁହିଶାଳ ଏବଂ ତୁମୁନି ଗ୍ରାମରେ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତେଣୁ ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଦ୍ୱାରା ନଗଡ଼ାର ଜୁଆଙ୍ଗମାନେ କେତେଦୂର ଉପକୃତ ହୋଇଛନ୍ତି ଏବଂ ଏହି ସବୁ ଯୋଜନା ଶିଶୁ ପୁଷ୍ଟିହୀନତାକୁ ରୋକିବାରେ କେତେଦୂର ସାହାଯ୍ୟ କରିଛି, ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଲେଖକଙ୍କୁ ନେତୃତ୍ୱରେ ଏକ ପାଞ୍ଚଜଣିଆ ଅନୁଧ୍ୟାନକାରୀ ଦଳ ଗତ ୦୮.୦୬.୨୦୧୯ରିଖରେ ନଗଡ଼ା ଗ୍ରାମ ଗସ୍ତ କରିଥିଲେ। ସୂଚନା ଆଇନ ଅନୁସାରେ ମିଳିଥିବା ତଥ୍ୟକୁ ଆଧାର କରି ଗ୍ରାମରେ ହୋଇଥିବା ବିଭିନ୍ନ ପ୍ରକଳ୍ପ/କାର୍ଯ୍ୟ ଏବଂ ଏଥିପାଇଁ ହୋଇଥିବା ଅର୍ଥ ଉପଯୋଗର ଅନୁଧ୍ୟାନ କରିଥିଲେ। ନଗଡ଼ା ଗ୍ରାମରେ ପିଲାମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମୁଦାୟ ୧୨,୧୮,୯୮୧ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଥ ପୁଷ୍ଟିହୀନତା ଦୂର କରିବା, ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଖର୍ଚ୍ଚ ହୋଇଥିବାର ଉଲ୍ଲେଖ କରାଯାଇଥିଲା। କିନ୍ତୁ ମନିଟରିଙ୍ଗ୍ ଟିମ୍ ନଗଡ଼ାରେ ଅନେକ ଶିଶୁ ଏବେ ବି ପୁଷ୍ଟିହୀନତାର ଶିକାର ହୋଇଥିବାର ଦେଖିବାକୁ ପାଇଥିଲେ। ଉତ୍କଟ ଖାଦ୍ୟାଭାବ ଯୋଗୁଁ ସେମାନେ ପୁଷ୍ଟିହୀନତାର ଶିକାର ଥିବାର ଜଣାପଡ଼ିଥିଲା। ଗ୍ରାମବାସୀମାନଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ସମ୍ପର୍କରେ ପଚାରିବାରୁ ସେମାନେ ପ୍ରତିଦିନ ଭାତ, ଡାଲି ବା ଭାତ ଲୁଣ ଖାଉଛନ୍ତି ବୋଲି ଦର୍ଶାଇଥିଲେ। ୨୦୧୬ ମସିହାରେ ମଧ୍ୟ ଏହିଭଳି ସ୍ଥିତି ଥିଲା। ତେଣୁ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇ ପାରିନାହିଁ ବୋଲି ଅନୁଧ୍ୟାନକାରୀ ଦଳ ଉପଲବ୍ଧି କରିଥିଲେ। ସେହିପରି ଉକ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣ ବାବଦରେ ସରକାର ୫୩.୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାର ଦର୍ଶାଇଥିଲେ। କିନ୍ତୁ ଅନୁସନ୍ଧାନରୁ ଜଣାପଡ଼ିଲା, ପାଣି ପାଇପ୍, ପାଣି ଟାଙ୍କି ପଡ଼ି ରହିଛି। ପାଣି ଟାଙ୍କିକୁ ପାଣି ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ୱାଟର ଫିଲଟର୍ କୌଣସି ଲୋକ ବ୍ୟବହାର କରୁନାହାନ୍ତି। ମହିଳାମାନେ ୱାଟର ଫିଲଟରରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖୁଥିବାର ଜଣାପଡ଼ିଥିଲା। ପିଇବା ପାଣିର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଏବେ ବି ନାଳ ପାଣି ବ୍ୟବହାର କରୁଛନ୍ତି। ୨୦୧୬ରେ ମଧ୍ୟ ଏହି ସ୍ଥିତି ଥିଲା। ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏନ୍‌ଆର୍‌ଇଜିଏ ରେ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ୬୫ଟି ପ୍ରକଳ୍ପ କରାଯାଇ ୮୮ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। କିନ୍ତୁ ଗତ ତିନିବର୍ଷ ମଧ୍ୟରେ ମାତ୍ର ୪.୬୨ ଲକ୍ଷ ଖର୍ଚ୍ଚ କରାଯାଇ ମାତ୍ର ୨୬୫୪ ଦିନ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଗ୍ରାମରେ ସମସ୍ତଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ୍‌ର ପାଇଖାନା ନିର୍ମାଣ କରାଯାଇଛି। ଏହି ପାଇଖାନା ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ସମସ୍ତ ପାଇଖାନା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଲକ୍ଷ ଲକ୍ଷ ଟଙ୍କା ଏହିଭଳି ବରବାଦ୍ କରାଯାଇଛି। ସେହିପରି ନଗଡ଼ା ଗ୍ରାମରେ ୧,୩୮,୦୦,୦୦୦ ଟଙ୍କା ଖର୍ଚ୍ଚ କରାଯାଇ ୬୦ଟି ବିଜୁ ପକ୍କା ଘର ନିର୍ମାଣ କରାଯାଇଛି। ଏହି ସମସ୍ତ ଘର ଅତ୍ୟନ୍ତ ନିମ୍ନମାନର, ବେଶିଦିନ ତିଷ୍ଠି ପାରିବ ନାହିଁ ବୋଲି ଟିମ୍ ଅନୁଭବ କରିଥିଲେ। ଶିଶୁମାନଙ୍କର ଟୀକାକରଣ ଏବଂ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇ ଦେବାପାଇଁ ନଗଡ଼ାରେ ଦୁଇଟି ମିନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଇଛି। ୨୦୧୭-୧୮ରେ ମିନି ଅଙ୍ଗନୱାଡ଼ି କେନ୍ଦ୍ରର ଘରନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ, ଏହି ଘରନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମ୍‌ସି) ଏବଂ ଟାଟା ଷ୍ଟିଲ୍ ଦ୍ୱାରା ୨୦୧୬ ମସିହାରେ ଅସ୍ଥାୟୀ ଭାବେ ନିର୍ମିତ ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି। ଅଙ୍ଗନୱାଡ଼ି କେନ୍ଦ୍ରରେ ଠିକ୍ ଭାବେ ଖାଦ୍ୟ ଦିଆ ନଯିବା, ଟୀକାକରଣ ନିୟମିତ ନହେବା ଇତ୍ୟାଦି ସମ୍ପର୍କରେ ମହିଳାମାନେ ଅଭିଯୋଗ କରିଥିଲେ। ଯେହେତୁ ନଗଡ଼ା ଗ୍ରାମକୁ ରାସ୍ତା ନଥିଲା, ରାଜ୍ୟ ସରକାର ୧୭ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ ତଳୁ ତଳ ନଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛନ୍ତି। କିନ୍ତୁ ଏହି ରାସ୍ତା ଅତ୍ୟନ୍ତ ନିମ୍ନ ମାନର। ଚଳିତ ବର୍ଷା ଋତୁରେ ଏହା ଧୋଇଯିବା ନିଶ୍ଚିତ ବୋଲି ଅନୁଧ୍ୟାନକାରୀ ଦଳ ଅନୁଭବ କରିଥିଲେ। ନଗଡ଼ା ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ୧.୮ କୋଟି ଟଙ୍କା ଅଟକଳ ହୋଇଛି ବୋଲି କହିଥିଲେ। ଗ୍ରାମକୁ ଖୁଣ୍ଟ ପୋତାଯାଇଛି ଏବଂ ବିଦ୍ୟୁତ୍ ତାର ଟଣାଯାଇଛି। ମେନ୍ ସୁଇଚ୍, ମିଟର ବୋର୍ଡ଼ ଗ୍ରାମରେ ପଡ଼ିରହିଛି। କୌଣସି ଘରକୁ ଅଦ୍ୟାବଧି ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ଗ୍ରାମକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଆସି ନଥିବାର ଦେଖାଯାଇଥିଲା। ଏହି ଗ୍ରାମରେ ପାଞ୍ଚଟି ମହିଳା ସ୍ୱୟଂ ସହାୟକ ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳକୁ ୧୫୦୦୦ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ମହିଳାମାନେ ଏହି ଅର୍ଥର ବିନିଯୋଗ ସମ୍ପର୍କରେ କିଛି କହି ପାରିନଥିଲେ। ତେଜରାତି ଦୋକାନ ଖୋଲିବା ପାଇଁ ଦୁଇ ଜଣଙ୍କୁ ୫୦୦୦ ଟଙ୍କା ଲେଖାଏଁ ୧୦,୦୦୦ ଟଙ୍କା ଦିଆଯାଇଛି ବୋଲି ସରକାରୀ ତଥ୍ୟରେ ଉଲ୍ଲେଖ ଥିଲା। କିନ୍ତୁ ଏହି ଦୋକାନ ସମ୍ପର୍କରେ କେହି କିଛି କହି ପାରିନଥିଲେ। ତେଣୁ ନଗଡ଼ା ଗ୍ରାମରେ କ୍ଷୁଧା, ଦାରିଦ୍ର୍ୟ ଓ ପୁଷ୍ଟିହୀନତା ଏବେ ବି ଜୀବନ୍ତ। ବ୍ୟାପକ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ଭିତ୍ତିଭୂମି କରିଦେଲେ ଯେ ଲୋକଙ୍କର ବାସ୍ତବ ସମସ୍ୟା ସମାଧାନ ହୋଇଯିବ ଏବଂ ଦାରିଦ୍ର୍ୟ ଦୂର ହୋଇଯିବ ଭାବିବା ଭୁଲ୍। ଲୋକମାନଙ୍କର ସମସ୍ୟାକୁ ବୁଝି ଯୋଜନା ହେବା ଉଚିତ। ନଗଡ଼ା ଗ୍ରାମରେ ଆଦିବାସୀଙ୍କର ଚାଷ ଜମି ନାହିଁ। ସେ ବଞ୍ଚିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି ଏବଂ କିଛି ପରିମାଣରେ ପୋଡ଼ୁ ଚାଷ କରନ୍ତି। ସରକାରୀ କାମ ଧନ୍ଦା ମଧ୍ୟ ନାହିଁ। ତେଣୁ ଉତ୍କଟ ଦାରିଦ୍ର୍ୟ ଓ ବେରୋଜଗାରୀ ମଧ୍ୟରେ ସେମାନେ ବଞ୍ଚନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଯୋଜନା ହେବା ଉଚିତ। ସେମାନେ କିପରି ଚାଷବାସ କରିବେ, ଏବଂ ସେମାନଙ୍କୁ କିପରି ରୋଜଗାର ଯୋଗାଇ ଦିଆଯିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ସରକାର ଏ କ୍ଷେତ୍ରରେ ଧ୍ୟାନ ଦେବା ଉଚିତ। ଗ୍ରାମାଞ୍ଚଳ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ଏନ୍‌ଆର୍‌ଇଜିଏ ଯୋଜନା ଚାଲିଛି। କିନ୍ତୁ ଦୁଃଖର ବିଷୟ ଏହି ଯୋଜନା ଅଧୀନରେ ତିନି ବର୍ଷ ମଧ୍ୟରେ ମାତ୍ର ୨୬୫୪ ଶ୍ରମ ଦିବସ ସୃଷ୍ଟି ହୋଇଛି। ଏଥିପାଇଁ ଆସିଥିବା ଆହୁରି ୮୪ ଲକ୍ଷ ଟଙ୍କା ପଡ଼ି ରହିଛି। ତେଣୁ ଏହି ଯୋଜନାରେ ଯଦି ଲୋକଙ୍କୁ ବର୍ଷ ସାରା କାମ ଯୋଗାଇ ଦିଆଯାଆନ୍ତା, ତେବେ ସେ କାମ କରନ୍ତେ, ଅର୍ଥ ରୋଜଗାର କରନ୍ତେ ଏବଂ ଭଲରେ ଚଳିପାରନ୍ତେ। ଏହି କାର୍ଯ୍ୟ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସେମାନଙ୍କର ଖାଦ୍ୟ ସୁରକ୍ଷା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପରିବାର ପିଛା ସରକାର ୩୫ କେ.ଜି. ଚାଉଳ ଦେଉଛନ୍ତି। କିନ୍ତୁ ଖାଲି ଚାଉଳ ଲୋକମାନଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି ପାରିବ ନାହିଁ। ସେଥିପାଇଁ ସେମାନଙ୍କୁ ରିହାତି ଦରରେ ଡାଲି, ତେଲ, ଆଳୁ, ପିଆଜ ଦିଆଯିବା ଉଚିତ। ଏହା ବାଦ୍ ଖାଦ୍ୟ ପାଇଁ ଅନ୍ୟାନ୍ୟ ସାମଗ୍ରୀ ସେମାନେ ମଜୁରୀ ଅର୍ଥରେ କିଣିକରି ଖାଇପାରିବେ। ଏହା ଦ୍ୱାରା ସେମାନଙ୍କର ଖାଦ୍ୟ ସୁରକ୍ଷା ନିଶ୍ଚିତ ହେବ ଏବଂ ସେମାନେ ତାଙ୍କ ପିଲାମାନଙ୍କର ପୁଷ୍ଟିହୀନତା ମଧ୍ୟ ଦୂର କରିପାରିବେ। ତେଣୁ ରାଜ୍ୟ ସରକାର ତଥାକଥିତ କିଛି ପ୍ରକଳ୍ପ କାର୍ଯ୍ୟକାରୀ କରିବାରୁ ନିବୃତ୍ତ ରହି ବାସ୍ତବ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ନଗଡ଼ାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ପ୍ରକଳ୍ପ କିଛି ମୁଷ୍ଟିମେୟ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ଠିକାଦାରଙ୍କ ଖାଦ୍ୟ ସୁରକ୍ଷା ଏବଂ ଆମୋଦପ୍ରମୋଦ ପାଇଁ ଉଦ୍ଦିଷ୍ଟ କିନ୍ତୁ ନଗଡ଼ାବାସୀଙ୍କ ବିକାଶ ପାଇଁ ନୁହେଁ। ରାଜ୍ୟ ଆବାହକ, ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍, ଓଡ଼ିଶା ଫୋନ୍ : ୯୯୩୭୮୪୩୪୮୨

Share :