ରାଜ୍ୟ ବଜେଟକୁ ବିରୋଧୀଙ୍କ ସମାଲୋଚନା, ବିଜେଡିର ପ୍ରଶଂସା

ରାଜ୍ୟ ବଜେଟକୁ ବିରୋଧୀଙ୍କ ସମାଲୋଚନା, ବିଜେଡିର ପ୍ରଶଂସା

ରାଜନୀତିକ ପ୍ରତିନିଧି ଜୁନ ୨୮ ତାରିଖରେ ରାଜ୍ୟ ବିଧାନସଭାରେ ୨୦୧୯-୨୦ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବାବେଳେ ଅନ୍ୟ ବହୁ ଦଳର ବହୁ ରାଜନେତା ଏଥିନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି। ଚଳିତ ରାଜ୍ୟ ବଜେଟ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବୋଲି କହିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ଏକ ବିବୃତିରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଚଳିତ ବଜେଟ ସଂପୂର୍ଣ୍ଣ ନୈରାଶ୍ୟଜନକ। ବଜେଟରେ କିଛି ନୂଆ ଘୋଷଣା ନାହିଁ। ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କ’ଣ ଅଛି? ହେଲେ ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ। ବିଶେଷ ଭାବରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ନିଯୁକ୍ତି ଓ ଆତ୍ମନିଯୁକ୍ତି, ନୂଆ ଶିଳ୍ପ ଉଦ୍ୟୋଗୀ ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୁର ପ୍ରୟାସ କରାଯାଇଛି ବୋଲି ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ। ରାଜ୍ୟର ବଜେଟ ପରିମାଣ ସମୁଦାୟ ୧,୩୯,୦୦୦ କୋଟି ହୋଇଥିଲା ବେଳେ ସେଥିରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୯,୭୬୬ କୋଟି ଯାହା ହେଉଛି ବଜେଟର ୫୦ ପ୍ରତିଶତ। ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫,୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪,୨୬୬ କୋଟି କମ୍। ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ପେନସନକୁ ବି ନିଅଂଟ। ଦରମା ପେନସନ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭,୩୧୦ କୋଟି ଟଙ୍କା। ଯେଉଁ ସରକାର କର୍ମଚାରିଙ୍କ ଦରମା ଓ ପେନସନ ବାବଦ ଖର୍ଚ୍ଚବି ନିଜସ୍ୱ ଆୟରୁ ଭରଣା କରିବାରେ ଅସମର୍ଥ ସେ ସରକାର ରାଜ୍ୟରେ କିପରି ବିକାଶ କରିବ ? ରାଜ୍ୟରେ ଯାହା ବିକାଶମୂଳକ କାମ ହେବ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ। ଚଳିତ ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୩,୭୩୪ କୋଟି ଟଙ୍କା। ଚଳିତ ବଜେଟରେ ମୋଟ ବଜେଟର ୧୭ ପ୍ରତିଶତ ହେଉଛି ଋଣ କରିଥିବା ଅର୍ଥ। ଏବେ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ କୋଟି ଟଙ୍କା ଛୁଇଁଗଲା। ଓଡିଶା ଏବେ ବଡ ଆର୍ଥୀକ ଅସମ୍ଭାଳ ପରିସ୍ଥିତି ଆଡେ ମୁହାଁଉଛି। କାରଣ ଆମର ବାର୍ଷୀକ ବଜେଟ ଦେଖିଲା ବେଳକୁ ଋଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଯୋଜନା ବ୍ୟୟର ବୃଦ୍ଧି ହାର କମିଛି। ୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି। ୨୦୧୯-୨୦ରେ ଏହା ମାତ୍ର ୨,୭୬୬ କୋଟି ଟଙ୍କା ବଢି ୭୦,୬୦୦ କୋଟିରେ ପହଂଚିଛି। ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୫ଞ୍ଝ ବୃଦ୍ଧି ପାଇଛି। ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୫% ବୃଦ୍ଧି ପାଇବା କଥା। ହେଲେ ଆଶ୍ଚର୍ଯ୍ୟର ବିଷୟ ଏହା ବଢିଛି ମାତ୍ର ୪%। ରାଜ୍ୟର ଭିତ୍ତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ। ହେଲେ ଏହି ଯୋଜନା ବ୍ୟୟକୁ ବୃଦ୍ଧି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବଜେଟକୁ ବଜେଟ୍ ପ୍ରଚାରଧର୍ମୀ ବୋଲି କହିଛି ସିପିଏମ। ଦଳର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ଯେ ୨୦୧୯-୨୦ ଆଥିର୍କ ବର୍ଷ ପାଇଁ ଓଡିଶା ରାଜ୍ୟ ସରକାରଙ୍କ ବଜେଟ୍ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି। ଏହି ବଜେଟ୍ ପ୍ରକୃତରେ ସାଧାରଣ ଓଡିଶାବାସୀଙ୍କ ପାଇଁ ନୈରାଶ୍ୟଜନକ। ପ୍ରତିବର୍ଷ ପରି ଚଳିତ ବର୍ଷର ବଜେଟ୍ ମଧ୍ୟ ପ୍ରଚାରଧର୍ମୀ। ଏକ ପ୍ରେସ ବିବୃତିରେ ସେ କହିଛନ୍ତି, ଚାଷ ଓ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ଇଚ୍ଛାଶକ୍ତି ଥିଲେ ଧାନର ଅଭାବୀ ବିକ୍ରୀ ରୋକିବା ନିମନ୍ତେ ଚାଷୀ ପାଇଁ ବୋନସ୍ର ବ୍ୟବସ୍ଥା କରିବା ଏବଂ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ବଜେଟରେ ବ୍ୟବସ୍ଥା କରାଯାଇଥାନ୍ତା। ରାଜ୍ୟରେ ବେକାରୀ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ରାଜ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ଠୋସ୍ ପଦକ୍ଷେପ ପାଇଁ ଆର୍ଥିକ ବ୍ୟବସ୍ଥାର କୌଣସି ପ୍ରତିଶୃତି ମଧ୍ୟ ନାହିଁ। ମୋଟ ୧ ଲକ୍ଷ ୯୩ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟରୁ ରାଜ୍ୟର ନିଜସ୍ୱ ଆୟ ମାତ୍ର ୪୫ ହଜାର କୋଟି ଟଙ୍କା। ବଳକା ଟଙ୍କା କେନ୍ଦ୍ରୀୟ ଟିକସରୁ ପ୍ରାପ୍ତ ଭାଗ ଏବଂ ଋଣ ପରିମାଣ ବୃଦ୍ଧି କରିବାକୁ ହେବ। ରାଜ୍ୟର ଋଣଭାର ଚଳିତ ବର୍ଷ ଧାରାବାହିକ ଭାବେ ବୃଦ୍ଧି ପାଇଁ ଏବେ ୧ ଲକ୍ଷ ୩ କୋଟିରୁ ଉର୍ଦ୍ଧ୍ୱ ହେଲାଣି। ଶାହା କମିଶନ ରିପୋର୍ଟ ଭିତ୍ତିରେ ରାଜ୍ୟର ଖଣି ମାଲିକମାନଙ୍କ ପାଖରୁ ବକେୟା ଦେୟ କେତେ ଆଦାୟ ହୋଇପାରିବ ତା’ର ହିସାବ ମଧ୍ୟ ବଜେଟରେ ନାହିଁ। ଖଣି ଚୋରମାନଙ୍କୁ ରିହାତି ଦେବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଭୟେ କସରତରେ ଲିପ୍ତ। ସାମଗ୍ରିକ ଭାବେ ଏହି ବଜେଟ୍ ନୈରାଶ୍ୟଜନକ ଏବଂ ଥିରେ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳନ ହୋଇନାହିଁ ବୋଲି ସେ କହିଛନ୍ତି। ସେହିପରି ସମାଜବାଦୀ ପାର୍ଟି ମଧ୍ୟ ବଜେଟକୁ ନିନ୍ଦା କରିଛି। ଏକ ବିବୃତିରେ ଦଳର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ ଏହା କୃଷି ଓ ବେକାରୀ ସମସ୍ୟା ସମାଧାନରେ ସମର୍ଥ ନୁହେଁ। ସେ କହିଛନ୍ତି, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ୨୦୧୯-୨୦ ମସିହା ପାଇଁ ବିଧାନସଭାରେ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ୨୦ ହଜାର କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଥିଲେ ସୁଦ୍ଧା ଏହା କୃଷକମାନଙ୍କର ଦୈନନ୍ଦିନ ସମସ୍ୟା ସମାଧାନରେ ସମର୍ଥ ହେବନାହିଁ। ସେ କହିଛନ୍ତି ଯେ, ଆଜି ବି ରାଜ୍ୟର ଚାଷୀମାନେ ଚାଷକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ବିହନ ପାଇପାରୁନାହାଁନ୍ତି। ସାରର କୃତ୍ରିମ ଅଭାବ ଏବଂ ଜଳସେଚନ ସମସ୍ୟା ଚାଷୀଙ୍କ ପାଇଁ ପରିବର୍ତ୍ତିତ ପାଗ ପରିପ୍ରେକ୍ଷୀରେ ମୁଣ୍ଡବିନ୍ଧାର କାରଣ ହୋଇରହିଛି। ଓଡ଼ିଶା ତା’ର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ। ପଶ୍ଚିମବଙ୍ଗରୁ ଆଳୁ, ମହାରାଷ୍ଟ୍ର, କର୍ଣ୍ଣାଟକରୁ ପିଆଜ, ଆନ୍ଧ୍ର ପ୍ରଦେଶରୁ ମାଛ, ଅଣ୍ଡା, କଦଳୀ ପ୍ରଭୃତି ନ ଆସିଲେ ଓଡ଼ିଶାବାସୀ ଖାଇବାକୁ ପାଇବେ ନାହିଁ। ଆଧୁନିକ ଚାଷ ପ୍ରଣାଳୀ ଉପରେ ଏବଂ କୃଷିବୀମା ଉପରେ ଏହି ବଜେଟ୍ ଗୁରୁତ୍ୱ ଦେବାରେ ଅସମର୍ଥ। ଆମିହତ୍ୟା କରୁଥିବା ସମସ୍ୟା ଜର୍ଜରିତ ଚାଷୀମାନଙ୍କୁ ସାମୟିକ ଆଶ୍ୱସ୍ତି ଦେବାପାଇଁ କୃଷି ଋଣ ଛାଡ଼ କରିବା ପାଇଁ ବିଭିନ୍ନ ଶ୍ରେଣୀରୁ ଦାବି ଉଠୁଥିଲେ ସୁଦ୍ଧା ବଜେଟରେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ କିମ୍ୱା ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ, ଯାହାକି ଚାଷୀମାନଙ୍କୁ ନିରାଶ କରିଛି। ସେହିଭଳି ରାଜ୍ୟ ସରକାର ବିକାଶ ହାର ୮.୪ ଦର୍ଶାଇଥିଲେ ମଧ୍ୟ ବେକାରୀ ଜାତୀୟ ହାରଠାରୁ ବହୁ ଅଧିକ ରହିଛି। ଜାତୀୟ ସ୍ତରରେ ବେକାରୀ ୪୫ ବର୍ଷରେ ୬.୧ ସର୍ବୋଚ୍ଚ ସ୍ତରରେ ଥିଲାବେଳେ ଓଡ଼ିଶାରେ ବେକାରୀ ହାର ୭.୧। କାମଧନ୍ଦା ନପାଇ ଓଡ଼ିଶାର ବେକାର ଯୁବକ ଯୁବତୀମାନେ ସୁରଟ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, କେରଳ, ମୁମ୍ୱାଇ, ଦିଲ୍ଲୀ, ନୋଇଡ଼ା, ଗୁରୁଗାଁ ଓ ପଞ୍ଜାବ ପ୍ରଭୃତି ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ଏହି ବଜେଟ୍ ବେକାରୀ ଦୂରକରିବାରେ ମଧ୍ୟ ସମର୍ଥ ହେବନାହିଁ। ତେଣୁ ଦେଖିବାକୁ ଗଲେ ସର୍ବତୋ ଭାବରେ ୨୦୧୯-୨୦ ବଜେଟ୍ ରାଜ୍ୟର ବନ୍ୟା, ବାତ୍ୟା, ମରୁଡ଼ି ପ୍ରପୀଡିତ କୃଷି କ୍ଷେତ୍ରର ସମସ୍ୟା ସମାଧାନ କରିବାରେ ଅସମର୍ଥ ଏବଂ ବେକାରୀ ଦୂର କରିବାରେ ଏଥିରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ରାଜ୍ୟର ଭାଙ୍ଗିପଡ଼ିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପୁନରୁଦ୍ଧାର ପାଇଁ ମଧ୍ୟ ଏହି ବଜେଟରେ ଗୁରୁତ୍ୱ ଦିଆଯାଇନାହିଁ। ତେଣୁ ବଜେଟ୍ ଦିଶାହୀନ ବୋଲି ଶ୍ରୀ ବେହେରା କହିଛନ୍ତି। ତେବେ ଶାସକ ବିଜୁ ଜନତା ଦଳ ଏହି ବଜେଟକୁ ପ୍ରଶଂସା କରିଛି। ଦଳର ସାଧାରଣ ସଂପାଦକ ବିଜୟ ନାୟକ ଏକ ବିବୃତିରେ କହିଛନ୍ତି ଯେ ଏହା ଲୋକାଭିମୁଖୀ ଓ ବିକାଶମୁଖୀ। ସେ କହିଛନ୍ତି, ଚଳିତ ବର୍ଷର ରାଜ୍ୟ ବଜେଟ୍ ଲୋକାଭିମୁଖି ଏବଂ ସାମଗ୍ରିକ ଉନ୍ନତି ତ୍ୱରାନ୍ୱିତକାରୀ। ଓଡ଼ିଶା ପ୍ରଗତିର ଯେଉଁସବୁ ମୌଳିକ କ୍ଷେତ୍ର ରହିଛି ତାକୁ ଅଗ୍ରାଧିକାର ଦେବା ପାଇଁ ବଜେଟ୍‌ରେ ବିଶେଷ ବ୍ୟବସ୍ଥା କରାଯାଇଛି। କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧିକୁ ଯେଭଳି ଭାବରେ ପ୍ରାଧାନ୍ୟ ଦିଆଯାଇଛି ଏବଂ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଭଳି ବଜେଟରେ ବ୍ୟବସ୍ଥା କରାଯାଇଛି, ତାହା ନିଶ୍ଚିତ ରୂପେ ଓଡ଼ିଶାର କୃଷି କ୍ଷେତ୍ରକୁ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚାଇବ। ଏହାସହିତ ମହିଳା ସଶକ୍ତିକରଣକୁ ସରକାର ମୂଳମନ୍ତ୍ର ଭାବେ ଗ୍ରହଣ କରି ଅଗ୍ରାଧିକାର ଦେଇ ଯେଉଁସବୁ କାର୍ଯ୍ୟ କରିଛନ୍ତି ଏବଂ ଆଗକୁ ଘୋଷଣା କରିଛନ୍ତି, ତା’ର ପରିପୂରଣ ନିମନ୍ତେ ବଜେଟରେ ସଂପୂର୍ଣ୍ଣ ସମର୍ଥନ ରହିଛି। ମୋଟାମୋଟି ଭାବରେ ଚଳିତ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମିଶନ ଶକ୍ତି, ସଡ଼କ, ସେତୁ, ରେଳ, ବନୀକରଣ ଓ ପର୍ଯ୍ୟଟନ, କୃଷି କ୍ଷେତ୍ରର ଉନ୍ନତି, କର୍ମ ନିଯୁକ୍ତି ସୃଷ୍ଟି, ଜଳସେଚନ, ସାମାଜିକ କ୍ଷେତ୍ର ଓ ପ୍ରଗତିର ବିଭିନ୍ନ କ୍ଷେତ୍ରକୁ ସକାରାମିକ ପ୍ରଭାବିତ କଲା ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିର କାର୍ଯ୍ୟକାରିତା ପାଇଁ ବଜେଟ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ନାୟକ କହିଛନ୍ତି।

Share :