ବାହାଘର ବେଳେ ବାଇଗଣ ରୋଉଛି ପ୍ରଶାସନ!

ବାହାଘର ବେଳେ ବାଇଗଣ ରୋଉଛି ପ୍ରଶାସନ!

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ସହର ଆଜି ଯେଉଁ ପରିସ୍ଥିତି ଦେଇ ଗତିକରୁଛି ତାହା ସବୁଠାରୁ ଦୟନୀୟ। ଏଭଳି ଚିତ୍ର ଦୁଇ ଦଶନ୍ଧିର ଅତୀତ ଇତିହାସରେ କେବେ ଦେଖାଦେଇନି ବୋଲି ସହରରେ ଚର୍ଚ୍ଚା। ରାଜନୀତିର ବଡ଼ ବଡ଼ ରଥୀମାନେ ନିର୍ବାଚନ ସମୟରେ ଯେତିକି ସ୍ୱର ଉଠାଇ ଜନତାଙ୍କ ଦୁଃଖସୁଖ ବୁଝିବୁ ବୋଲି କହୁଥିଲେ ସେମାନଙ୍କ ସ୍ୱର ମଧ୍ୟ ଆଉ ଶୁଭୁନାହିଁ। ବର୍ତ୍ତମାନ ବାବୁଙ୍କ ରାଜୁତି ଚାଲିଛି। ଏତେ ବଡ଼ ସହରର ରାସ୍ତାଘାଟ, ଡ୍ରେନ ଓ ପରିମଳ ବ୍ୟବସ୍ଥା ଦିନକୁ ଦିନ ଭୟଙ୍କର ରୂପ ନେଇ ଲୋକମାନଙ୍କୁ ହତୋତ୍ସାହିତ କରୁଥିବା ସମୟରେ ପ୍ରତି ଛକରେ କୃତ୍ରିମ ପଶୁପକ୍ଷୀ ଥୋଇଦେଇ ମହାନଗର କେଉଁ ବିକାଶର ଚିତ୍ର ଦେଖାଉଛି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବ୍ରହ୍ମପୁର ସହରକୁ ପାଣି ଯୋଗାଇବା ପାଇଁ ନେଇଥିବା ସଂସ୍ଥାର ଦାୟିତ୍ୱହୀନ ଓ ଅପରିଣାଦର୍ଶିତାରୁ ସହର ସାରା ବିପଦ ଆସନ୍ନ। ଏମିତି କୌଣସି ଅଂଚଳବାଦ ପଡ଼ିନି ଯେଉଁଠି ଜେସିବି ଯନ୍ତ୍ରର ମାଡ଼ରେ ରାସ୍ତାଗୁଡ଼ିକ ଖଣ୍ଡିଆ ଖାବରା ହୋଇନି। ସହରସାରା ପାଣି ଦେବାର ନା’ ଗନ୍ଧ ନଥାଇ କୋଟି କୋଟି ଟଙ୍କାର ରାସ୍ତାକୁ ଖଣ୍ଡିଆ କରିଦେବା ପରେ ମହାନଗର ଅଧିକାରୀ ଚୁପ୍ ହୋଇ ବସିବା ନିଶ୍ଚୟ ଚିନ୍ତାଜନକ। ସହରବାସୀ ବଡ଼ ସହନଶୀଳ। ତେଣୁ ରାଜନୀତି କରିବା ନେତାଙ୍କ ପାଇଁ ବଡ଼ ସହଜ। ସମ୍ଭାବନା ଓ ସ୍ୱପ୍ନକୁ ବାସ୍ତବ କାହାଣୀ ମାନିନେଇ ବହୁ ଦିନ ଧରି ଧୈର୍ଯ୍ୟ ଧରି ବସିଥିବା ସହରବାସୀଙ୍କ ଜଳଯୋଗଣ ଏକ ଭେଳିକି ପରି ମନେହୁଏ। ଜାନିବିଲି ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟଶୈଳୀ ନେଇ ଗଣମାଧ୍ୟମରେ ବହୁବାର ଚର୍ଚ୍ଚା। ତଥାପି ପ୍ରଶାସନ କେବଳ ଚୁପ୍ ରହିନି ବରଂ ଜନତା ଜନାର୍ଦ୍ଦନର ମୌଳିକ ଅସୁବିଧା ସବୁକୁ ଆଖି ବୁଜିଦେଇ ଗୋଟିଏ ନିର୍ଦ୍ଦିଷ୍ଟ କଂପାନୀ ହାତରେ ସହରର ଭାଗ୍ୟ ଟେକିଦେବା କେଉଁ ନିୟମ କହୁଛି ବୋଲି ଚର୍ଚ୍ଚା। ନେତାମାନେ ଭୋଟବେଳେ ସକ୍ରିୟ। ସହରସାରା ଖଣ୍ଡିଆ ହେଲେ ମଧ୍ୟ ଏଠାକାର ନେତାଙ୍କର ସ୍ୱର ଶୁଭିଲାନି ବରଂ ପାଣି ଆସିବ, ଟିକିଏ ସମୟ ଲାଗିବ ସାମାନ୍ୟ ଅସୁବିଧା ହେବ କହି ସାନ୍ତ୍ୱନା ଦେଇ ଚାଲିଛନ୍ତି। ଆଉ ଏକ ଗଭୀର ସମସ୍ୟା ହେଉଛି ନାଳ ନର୍ଦ୍ଦମା। ମୌସୁମୀ ଆସିଲାଣି। ବର୍ଷା ବି ଆରମ୍ଭ ହୋଇଗଲାଣି। ଗତମାସରେ ଫୋନୀର ଆଘାତ ଖାଇଥିବା ସହରବାସୀ ସଂପ୍ରତି ବର୍ଷାଦିନରେ ନାଳ ନର୍ଦ୍ଦମାର ଆସୁଥିବା ଭୟଙ୍କର ପରିସ୍ଥିତିକୁ ଦେଖି ଚିନ୍ତାପ୍ରକଟ କରିଛନ୍ତି। ନାଳନର୍ଦ୍ଦମା ପରିସ୍ଥିତି ବହୁତ ଖରାପ। ନାଳଗୁଡ଼ିକର ପୁନରୁଦ୍ଧାର କରିବା ପରିବର୍ତ୍ତେ ଅନେକ ସ୍ଥାନରେ ପୋତି ଦିଆଯାଇଛି। ଯେଉଁ କଂପାନୀ ବା ସଂସ୍ଥା ଜଳଯୋଗଣ ପାଇଁ କାମ କରିଛି ସେହି ରାସ୍ତା ସଂଲଗ୍ନ ୭୦ ପ୍ରତିଶତ ଡ୍ରେନ ଖରାପ କରିବା ପଛରେ ସେହି ସଂସ୍ଥା ଦାୟୀ। ଡ୍ରେନଗୁଡ଼ିକ ମୌସୁମୀ ବର୍ଷାରେ କେଉଁଠି ସଂପୂର୍ଣ୍ଣ ଧୋଇ ହୋଇଯବ ପୁଣି କେଉଁଠି ପାଣି ଜମା ହୋଇ ରାସ୍ତାଘାଟରେ ଭାସିବ। ଏଭଳି ଚିତ୍ର ନିଶ୍ଚୟ ସହରବାସୀ ଦେଖିବେ। ବିଚିତ୍ର କଥା ଏହିକି ଯେ ପ୍ରଶାସନ ଠିକ୍ ବାହାଘରେ ବାଇଗଣ ରୋଇଲା ପରି ବର୍ଷାଦିନ ଆସିଲେ ସମୀକ୍ଷା ବୈଠକ ଏବଂ ଏହାଠାରୁ ବଡ଼ ଆଶ୍ଚର୍ଯ୍ୟ ବିଷୟ ବର୍ଷାଦିନ ଆସିବା ସମୟରେ ପୋଖରୀ ଖନନ ଏବଂ ପୋଖରୀର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରୁଛନ୍ତି। ପୋଖରୀ ଖନନରେ ବର୍ଷା ଦିନେ ମାପରେ ଘୋଟଲା କରିବା ପାଇଁ ଏକରକମ ସୁବିଧା ହୁଏ। ଏଥିରୁ କଣ୍ଟ୍ରାକ୍ଟର ଏବଂ ଜେଇର ମଧୁଚନ୍ଦ୍ରିକା ସହଜରେ ବାରି ହୋଇପଡ଼େ। ଅତି ପରିତାପର ବିଷୟ ଏହିକି ଯେ ବ୍ରହ୍ମପୁର ମହାନଗର ନିଗମ ବ୍ରହ୍ମପୁର ସହରର ଅତି ଜରୁରିକାଳୀନ ବ୍ୟବସ୍ଥାଠାରୁ ଦୂରେଇ ଯାଇ ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକରଣ ପାଇଁ ତତ୍ପରତା ଦେଖାଉଛି। ସହରର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ସହରର ଅଳିଆ ଅବର୍ଜନା, ଡ୍ରେନେଜ୍, ପାନୀୟଜଳ, ରସ୍ତାଘାଟ, ପାର୍କିଂ ଜୋନ୍, ଭେଣ୍ଡିଂ ଜୋନ୍। ଏଗୁଡ଼ିକ ପ୍ରତି ପ୍ରଶାସନ ଆଦୌ ଗୁରୁତ୍ୱ ଦେଉ ନାହିଁ। ସମସ୍ୟା ଓ ଅଭାବ ଦୂର ନକରି ସୌନ୍ଦର୍ଯ୍ୟକରଣ ନାମରେ ଟଙ୍କା ଆତ୍ମସାତ୍ ହେଉଥିବା ସହରର ବୁଦ୍ଧିଜୀବୀ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ। ଭଂଗା ସହରରେ ଅଙ୍କା ଛବି ପରି ସହରର ରାସ୍ତାଘାଟର ଅବସ୍ଥା ଶୋଚନୀୟ ଥିବାବେଳେ ମହାନଗର ନିଗମ ରାସ୍ତାପାର୍ଶ୍ୱ କାନ୍ଥଗୁଡ଼ିକରେ ଚିତ୍ର ଆଙ୍କିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କାନ୍ଥରେ ପେଣ୍ଟିଂ କରିବାରେ ଯେଉଁ ହରିଲୁଟ୍ ହେଉଛି ତାହା ତଦନ୍ତ ସାପେକ୍ଷ। ଏଭଳି ସୌନ୍ଦର୍ଯ୍ୟକରଣ ନାମରେ କୋଟି କୋଟି ଟଙ୍କା ଆତ୍ମସାତ୍ ହେଉଥିବାରୁ ଏହାର ଭିଜିଲାନ୍ସ ତଦନ୍ତ କଲେ ସବୁ କଥା ପଦାକୁ ଆସିବ। ରାସ୍ତାକଡ଼ଗୁଡ଼ିକ ଭାଙ୍ଗି ଫଟେଇ ଦିଆଗଲା, ନା’ ପାଣି ଆସୁଛି ନା ରାସ୍ତା ବିପଦମୁକ୍ତ। ବର୍ତ୍ତମାନ ପଥେ ପଥେ ଆସନ୍ନ ବିପଦ ସହ ସହରବାସୀ ଭାଗ୍ୟକୁ ଆଦରି ଅପେକ୍ଷାରତ। ସେପଟେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଛକମାନଙ୍କରେ କୃତ୍ରିମ ବାଘ, ଚିଙ୍ଗୁଡ଼ି, ମୟୁର କଇଁଚ ସହରର ଶୋଭା ବୋଲି ସଂକେତ ଦେଉଛି ବ୍ରହ୍ମପୁର ମହାନଗର ନିଗମ। ଏହା ଭଂଗା ଘରେ ଚକା ଜହ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ସହରର ଭିତର ପଥେ ପଥେ ବିପଦ ଜଗି ବସିଛି। ସେପଟରେ କୃତ୍ରିମ ପଶୁପକ୍ଷିକ ଚିତ୍ର ଭାସୁଛି। ମହାନଗରକୁ ସ୍ମାର୍ଟସିଟିର ମାନ୍ୟତା ପାଇଁ ଏହା ଏକ ରୋଚକ ବାହାନା କହିଲେ କିଛି ଭୁଲ୍ ହେବ ନାହିଁ। ପୂର୍ବରୁ କାଉନ୍‌ସିଲରମାନେ ନିଜ ୱାର୍ଡ଼ର ସୁବିଧା ଅସୁବିଧା କମିଶନରଙ୍କ ପାଖରେ ଦାବି ଉପସ୍ଥାପନ କରୁଥିଲେ। କିନ୍ତୁ ଦୀର୍ଘ ୭ ମାସ ହେଲା ବ୍ରହ୍ମପୁର ମହାନଗର ନିଗମ କୋମାରେ ରହିଛି। କାଉନ୍‌ସିଲ୍‌ ନାହିଁ। ମହାନଗର ଭାଗ୍ୟ ବିଧାତା କମିଶନର ଓ ଗଂଜାମର ଜିଲ୍ଳାପାଳ। ଦୁହେଁ ଯୁବକ କିନ୍ତୁ କାର୍ଯ୍ୟଶୈଳୀରେ ଏମାନଙ୍କ ମଧ୍ୟରେ ସମନ୍ବୟ ରହୁନି। କୌଣସି ସମସ୍ୟାକୁ ଆଦୌ ଗୁରୁତ୍ୱ ନଦେଇ ଯିଏ ଯା’ର ବାଟରେ ନୀତି ନିୟମ ଓ ବ୍ୟବସ୍ଥାକୁ ଆଖି ବୁଜିଦେବା ଭୟଙ୍କର ସମସ୍ୟାକୁ ଅଧିକ ଜଟିଳ କରିବାର ସମ୍ଭାବନା ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ସହର ଆଭ୍ୟନ୍ତରୀଣ ଚିତ୍ରକୁ ବିଗାଡ଼ିବା ପୂର୍ବରୁ ନେତା, ତନ୍ତ୍ରୀ, ମନ୍ତ୍ରୀ, ଯନ୍ତ୍ରୀ କ’ଣ ଜନତା ସମସ୍ୟାକୁ ଆଖି ବୁଜିଦେଇ ଗୋଟିଏ କଂପାନୀକୁ ହାତଟେକି ଦେଇ ରହିଗେଲ କାହିଁକି ? ପାଣି ଦେବାର ନାଁ ଗନ୍ଧ ନାହିଁ ସହରଟାକୁ ଭୂମିକମ୍ପ ପରି ଫଡ଼ା ଫଡ଼ା କରି ଖଣ୍ଡ ଖଣ୍ଡ କରି ରାସ୍ତା ଫଟାଇ ଦେବାର ଅର୍ଥ କ’ଣ? ବହୁତ ବଡ଼ ସହରର ସମସ୍ୟା ଅନେକ। ସଂଗଠନ ଅନେକ। କିନ୍ତୁ ସମାଧାନର ପନ୍ଥା ଶୂନ।

Share :