ବଜେଟର ବାସ୍ତବତା- ‘ଋଣଂ କୃତ୍ବା ମଦ୍ୟମ ପିବେତ’

ବଜେଟର ବାସ୍ତବତା- ‘ଋଣଂ କୃତ୍ବା ମଦ୍ୟମ ପିବେତ’

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯-୨୦ ରାଜ୍ୟ ବଜେଟ ଯୋଗୁଁ ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ସିନା ରୋଜଗାର ବଢ଼ିବ ନାହିଁ। ଗଲା ୨୦ ବର୍ଷ ଧରି ଏହି ଧାରା ବଜାୟ ରହିବା ଫଳରେ ରାଜ୍ୟର ଋଣ ବୋଝ ୧୮,୦୦୦ କୋଟି ଟଙ୍କାରୁ ବଢ଼ି ବଢ଼ି ୧ ଲକ୍ଷ ୬ ହଜାର କୋଟିରେ ପହଞ୍ଚିବାର ହିସାବ ହେଲାଣି। ୨୦୦୦ ମସିହାରୁ ଏ ମଧ୍ୟରେ ନବୀନ ସରକାର ରାଜ୍ୟର ଋଣ ଭାର ୬ ଗୁଣ ବଢ଼େଇଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ଜଣ ପିଛା ୨୧,୮୬୯ ଟଙ୍କାର ଋଣ ବୋଝ ପଡ଼ିଥିବ। ଏ ଋଣ ଲୋକେ କରି ନାହାନ୍ତି, କିନ୍ତୁ ପରିଶୋଧ କରିବେ ସେଇମାନେ। ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ୧୮,୮୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ଜିଏସଡିପିର ୩.୪୯ ପ୍ରତିଶତ। ଏଥିରୁ ରାଜ୍ୟ ସରକାରଙ୍କ ଅର୍ଥ ପରିଚାଳନାଗତ ତ୍ରୁଟିର ଆଭାସ ମିଳେ। ବିତ୍ତୀୟ ନିଅଣ୍ଟ ବଢ଼ୁଥିବାବେଳେ ଜିଏସଡିପିରେ ୮.୫ ପ୍ରତିଶତ ଅଭିବୃଦ୍ଧି ହିସାବ କରାଯିବା ବିଭ୍ରାନ୍ତିକର। ଋଣ ଓ ନିଅଣ୍ଟ ଜରିଆରେ ଆୟବୃଦ୍ଧିର ହିସାବ କରାଯିବା କିମ୍ବା ସଂପତ୍ତି ସୃଷ୍ଟି ହେଲା ବୋଲି ଦାବି କରିବା ଇନ୍ଦ୍ରଜାଲ ବା ଯାଦୁଖେଳ ବ୍ୟତିତ ଅନ୍ୟ କିଛି ନୁହେଁ। ସରକାର ଲୋକଙ୍କ ମୁଣ୍ଡ ଉପରେ ଋଣ ବୋଝ ବୃଦ୍ଧି କରୁଥିଲେ ବି ସେମାନଙ୍କ ପାଇଁ ରୋଜଗାର ଭିତ୍ତିକ ନିଯୁକ୍ତି ସୁଯୋଗ ବଢ଼ାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି କାରଣରୁ ଓଡ଼ିଶାର ପଶ୍ଚିମ ପ୍ରାନ୍ତରୁ ଏବେ ବି ଲକ୍ଷଲକ୍ଷ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏବେ ବି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଆବଶ୍ୟକତା ଅନୁସାରେ ମଜୁରୀ ପାଉ ନଥିଲେ ସୁଦ୍ଧା କୃଷି କ୍ଷେତ୍ରରେ ମାଟି ସହ ମାଟି ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସରକାର ନିଜେ କହୁଛନ୍ତି ରାଜ୍ୟ ଶ୍ରମବଳର ୪୫ ପ୍ରତିଶତ କୃଷି କ୍ଷେତ୍ରରେ ନିଯୁକ୍ତ ଅଛନ୍ତି। ଅଥଚ କୃଷିର ବିକାଶ ପାଇଁ ଏ ବଜେଟରେ ସେପରି କିଛି ନୂତନ ଓ ବୃହତ ପ୍ରକଳ୍ପର ବ୍ୟବସ୍ଥା ହୋଇନାହିଁ। କୃଷି ପାଇଁ ଏହି ବଜେଟରେ ୧୪.୯ ପ୍ରତିଶତ ବ୍ୟୟ ବରାଦ କରାଯାଇଥିଲେ ବି ତାହାର ସିଂହଭାଗ ୫୬୧୧ କୋଟି ଟଙ୍କା ଭୋଟ-କୈନ୍ଦ୍ରିକ କାଳିଆ ଯୋଜନାରେ ଖର୍ଚ୍ଚ ହେବ। ସବୁ ଜମିକୁ ସବୁଦିନିଆ ସେଚ ସୁବିଧା କରିବା ପାଇଁ ବଜେଟରେ କୌଣସି ନୂତନ ପ୍ରକଳ୍ପ ପ୍ରସ୍ତାବ ଦିଆଯାଇ ନାହିଁ। ଛତିଶଗଡ଼ ମହାନଦୀ ପାଣି ଲୁଟି ନେଲା ବୋଲି ୪ ବର୍ଷ ହେଲା ଚିତ୍କାର କରୁଥିବା ସରକାର ସମୁଦ୍ରକୁ ବହି ଯାଉଥିବା ୭୫% ମହାନଦୀ ଜଳ ଅଟକାଇବାକୁ କେଉଁଠି ନୂଆ ବ୍ୟାରେଜ ବା ବନ୍ଧର ଯୋଜନା କରି ନାହାନ୍ତି। ବୁଢ଼ାବଳଙ୍ଗ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ବ୍ରାହ୍ମଣୀ ଆଦି ନଦୀରେ ମଧ୍ୟ ଏଭଳି କିଛି ପ୍ରସ୍ତାବ ନାହିଁ। ଏହା ଫଳରେ ଏସବୁ ନଦୀରେ ପୂର୍ବପରି ବନ୍ୟା ଆଶଙ୍କା ଲାଗି ରହିବ, ଅଥଚ ଉଦବୃତ୍ତ ଜଳ ସେଚ ଓ ପାନୀୟ କାମରେ ଲାଗିବ ନାହିଁ। ବଜେଟରେ ବୁଦ୍ଧିର ଅଭାବ ବେଶ ସ୍ପଷ୍ଟ। ଉଠା ଜଳସେଚନ ବାବଦରେ ୧୭୭୭ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ହୋଇଛି। କେତେ ଗାଁରେ ଦିନମାନ ଲାଇନ୍‌ ରହୁଛି ଯେ ପାଣି ଉଠିବ? ଉଠା ଜଳସେଚନ ବ୍ୟବସ୍ଥାର ପରିଣାମ କଥା ବି ସରକାର ଚିନ୍ତା କରି ନାହାନ୍ତି। ପଞ୍ଜାବ ଓ ହରିଆଣା ପରି ରାଜ୍ୟରେ ବ୍ୟାପକ ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ ମୃତ୍ତିକାର ଉର୍ବରତା ନଷ୍ଟ ହେବା ଏବେ ଏକ ବଡ଼ ଧରଣର ସମସ୍ୟାରେ ପରିଣତ ହୋଇଛି। ଓଡ଼ିଶା ଏକ ସମୁଦ୍ର ଉପକୂଳିଆ ରାଜ୍ୟ ହୋଇଥିବାରୁ ଏଠାରେ ଅଧିକ ଗଭୀର କୂପ ଏବଂ ସେଚ ପ୍ରକଳ୍ପ ଯୋଗୁଁ ମାଟିର ଉପରିଭାଗ ଲବଣାକ୍ତ ହେବାର ଆଶଙ୍କା ରହିଛି। ଏଥିଯୋଗୁଁ ଭୂତଳ ଜଳସ୍ତର ମଧ୍ୟ ଆଶଙ୍କାଜନକ ଭାବେ ତଳକୁ ଖସିବ। ବଜେଟରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ନିଯୁକ୍ତି ଓ ରୋଜଗାର ବୃଦ୍ଧି ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନାହିଁ। ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହି ବର୍ଗର ଲୋକମାନଙ୍କୁ ସଦାସର୍ବଦା ସରକାରଙ୍କର ହିତାଧିକାରୀ କରି ରଖିବାକୁ ଅର୍ଥାତ ସରକାରଙ୍କ ଉପରେ ନିର୍ଭରଶୀଳ ରହିବାକୁ ବଜେଟରେ ଷଡ଼ଯନ୍ତ୍ର କରାଯାଇଛି। ଓଡ଼ିଶା ଜନସଂଖ୍ୟାରେ ୨୨ ପ୍ରତିଶତ ଆଦିବାସୀ, ୧୮ ପ୍ରତିଶତ ଦଳିତ ଓ ୫୪ ପ୍ରତିଶତ ପଛୁଆ ବର୍ଗର ଲୋକ। ଏହି ୯୪ ପ୍ରତିଶତ ଲୋକଙ୍କ ପାଇଁ ନିଜ ଅଞ୍ଚଳରେ ରୋଜଗାର ବୃଦ୍ଧି ନେଇ ସରକାର କୌଣସି ପ୍ରସ୍ତାବ ଉପସ୍ଥାପନ କରିନାହାନ୍ତି। ସେମାନଙ୍କ ପାଇଁ କେବଳ ଶସ୍ତା ଚାଉଳ ଓ ମଦର ବ୍ୟବସ୍ଥା କରାଯାଇଛି। ଏହି ଗରୀବ ବର୍ଗର ସାମାନ୍ୟ ରୋଜଗାର ଲୁଟିବା ପାଇଁ ଗାଁ ଗାଁରେ ମଦର ବନ୍ୟା ସୃଷ୍ଟି କରାଯାଇଛି। ମଦ ସେମାନଙ୍କୁ ରୁଗ୍‌ଣ ଓ ଦରିଦ୍ର କରି ରଖିଛି। ଏଇ ସରକାରଙ୍କ ଅମଳରେ ମଦ ରାଜସ୍ବ ୨୦ ଗୁଣ ବୃଦ୍ଧି ପାଇଛି। ଏହାକୁ କ’ଣ ପ୍ରଗତି ଓ ବିକାଶର ଲକ୍ଷଣ ବୋଲି କୁହାଯାଇ ପାରିବ? ଏହିବର୍ଗର ଲୋକମାନଙ୍କ ପାଇଁ ଗ୍ରାମ୍ୟ ବା କୁଟୀର ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନ ଶିଳ୍ପ, ହସ୍ତ ଶିଳ୍ପ ଆଦିର ବିକାଶ ପାଇଁ ବଜେଟରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ନାହିଁ। ବଜେଟରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟର ନିଜସ୍ବ ଟିକସ ଓ ଅଣଟିକସ ଆୟ ହେଉଛି ୪୫,୫୦୦ କୋଟି ଟଙ୍କା। ଏହା ହେଉଛି ମୋଟ ବଜେଟର ମାତ୍ର ୩୨ ପ୍ରତିଶତ। ଅଥଚ ବଜେଟରେ କେନ୍ଦ୍ରୀୟ ଟିକସ ଅଂଶ ୨୮ ପ୍ରତିଶତ ଓ କେନ୍ଦ୍ରୀୟ ଅନୁଦାନ ୨୨ ପ୍ରତିଶତ ହିସାବ କରାଯାଇଛି। ଅର୍ଥାତ ଓଡ଼ିଶା ବଜେଟର ୪୯ ପ୍ରତିଶତ କେନ୍ଦ୍ର ସରକାରଙ୍କ ସୂତ୍ରରୁ ଭରଣା କରାଯିବ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେନ୍ଦ୍ର ସରକାର ଟଙ୍କା ନଦେଲେ ଓଡ଼ିଶା ସରକାରଙ୍କ ଚଳିବା ମୁସ୍କିଲ ହୋଇଯିବ। ବଜେଟ ଆକାର ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ହୋଇଥିବାବଳେ ଏଥରୁ ୫୭,୩୧୦ କୋଟି ଟଙ୍କା କେବଳ ସରକାରଙ୍କର ପ୍ରାଶାସନିକ ବ୍ୟୟ ହେବ। ଏହା ରାଜ୍ୟ ସରକାରଙ୍କର ନିଜସ୍ବ ଆୟଠାରୁ ୧୨ ହଜାର କୋଟି ଟଙ୍କା ଅଧିକ। ଜଣାପଡ଼ୁଛି ଯେମିତି ସରକାର ଖାସ୍‌ ଏହି ପ୍ରଶାସନ ପାଇଁ କାମ କରୁଛନ୍ତି! ରାଜ୍ୟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ହେଉଛନ୍ତି ସରକାରୀ କର୍ମଚାରୀ। ଏହି ୧ ପ୍ରତିଶତ ଓ ବାକି ପ୍ରାୟ ୧ ପ୍ରତିଶତ ଅବସରପ୍ରାପ୍ତ କର୍ମଚାରୀଙ୍କ ଭରଣପୋଷଣରେ ସରକାର ବଜେଟର ୪୦ ପ୍ରତିଶତ ଉପରେ ଅର୍ଥ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ? ଆଗରୁ ରାଜ୍ୟ ସରକାର ହିଁ ଥିଲେ ରାଜ୍ୟର ସବୁଠୁ ବଡ଼ ନିଯୁକ୍ତିଦାତା। ଏ ସରକାର ୨୦୦୦ ମସିହାରେ କ୍ଷମତାକୁ ଆସିବା ସମୟରେ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଖ୍ୟା ୬ ଲକ୍ଷ ଉପରେ ଥିଲା। ଏବେ ତାହା ୪.୫ ଲକ୍ଷକୁ ଖସି ଆସିଲାଣି। ଏହି ୨୦ ବର୍ଷ ମଧ୍ୟରେ ସରକାର ଅନେକ ପଦ ଉଚ୍ଛେଦ କରିଥିବାବେଳେ ଅନେକ ପଦ ଅବସର ପରେ ପୂରଣ ହୋଇନାହିଁ। ସରକାର ଅନେକ ବିଭାଗରେ ଠିକା କର୍ମଚାରୀ ରଖୁଛନ୍ତି, ଆଉଟ୍‌ ସୋର୍ସିଂ କରି କାମ ଚଳେଇ ନେଉଛନ୍ତି। ଫଳରେ ଓଡ଼ିଶା ସରକାରରେ ଶିକ୍ଷିତ ଓଡ଼ିଆଙ୍କ ପାଇଁ ଆବଶ୍ୟକ ନିଯୁକ୍ତି ସୁଯୋଗ ସଂକୁଚିତ ହେବାରେ ଲାଗିଛି। ରାଜ୍ୟରେ ଏବେ ପ୍ରାୟ ୪୦ ଲକ୍ଷ ପଂଜୀକୃତ ବେକାର ଅଛନ୍ତି। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। ଏପରିକି କେନ୍ଦୁଝର, ସୁନ୍ଦରଗଡ଼ ପରି ଖଣି ସମୃଦ୍ଧ ଜିଲ୍ଲାରେ ମଧ୍ୟ ବେକାରୀ ଓ ଦାରିଦ୍ର୍ୟର ଉତ୍କଟ ପ୍ରଭାବ ବେଶ୍‌ ଲକ୍ଷ୍ୟଣୀୟ। ରାଜ୍ୟର ପ୍ରଚୁର ଖଣିଜ ସଂପଦ ବିନିଯୋଗ କରି ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠାର ଲକ୍ଷ୍ୟ ରହିଥିବା କୁହାଯାଉଥିଲେ ମଧ୍ୟ ଏଯାଏଁ କେବଳ ଖଣିଜ ବିଶୋଧନ କାରଖାନା ହିଁ ହୋଇଚାଲିଛି। ବାସ୍ତବ ଅର୍ଥରେ ରାଜ୍ୟରେ ଏଯାଏଁ କୌଣସି ଖାଉଟି ବ୍ୟବହାର ଉପଯୋଗୀ କାରଖାନା ହେଲା ନାହିଁ। ପେଲେଟ୍‌, ସ୍ପଞ୍ଜ ଲୁହା ଆଦି ତିଆରିରେ ଲୁହା ପଥର ବିନିଯୁକ୍ତ ହେଲେ ଚାକିରି କେଉଁଠୁ ଆସିବ? ତାହାକୁ ଇସ୍ପାତ ଓ ଇସ୍ପାତ ତିଆରି ଜିନିଷର ଉତ୍ପାଦନରେ ବିନିଯୋଗ କରାଗଲେ ଅଚିରେ ବେକାରୀ ଦୂର ହୋଇପାରନ୍ତା। ମାତ୍ର ରାଜ୍ୟ ସରକାର ଅସାଧୁ ଶିଳ୍ପପତିମାନଙ୍କ ସହିତ ମେଣ୍ଟ କରି ଓଡ଼ିଶାରେ ତାହା କରାଇ ଦେଉନାହାନ୍ତି। ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଓଡ଼ିଶାର ୮୦ ଭାଗ ଲୋକ ସ୍ବଚ୍ଛ ପାନୀୟ ଜଳ ନପାଇବା ସରକାରଙ୍କ ଚରମ ବିଫଳତା ଓ ଅବହେଳାର ପ୍ରମାଣ। ପ୍ରତି ଗାଁରେ ବର୍ଷ ତମାମ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ସରକାରଙ୍କର କୌଣସି ସ୍ବତନ୍ତ୍ର ଯୋଜନା ପ୍ରସ୍ତାବ ଏ ବଜେଟରେ ନାହିଁ। ଅଥଚ ଲୋକେ ଯେଉଁସବୁ ପାରମ୍ପାରିକ ସୂତ୍ରରୁ ନିଜର ପାନୀୟ ଜଳ ଆବଶ୍ୟକତା ପୂରଣ କରୁଥିଲେ ତାହାକୁ ସରକାରଙ୍କ ସାଜିସ୍‌ରେ ଉତ୍କଟ ଭାବେ ପ୍ରଦୂଷିତ କରିଦିଆଯାଇଛି। ଏବେ ରାଜ୍ୟର କୌଣସି ନଦୀର ଜଳ ଆଉ ସିଧାସଳଖ ପାନୀୟ ଉପଯୋଗୀ ହୋଇ ରହିନାହିଁ। ନଦୀଜଳ ପ୍ରଦୂଷଣ ଓଡ଼ିଶାର ଏକ ବୃହତ୍ତର ସମସ୍ୟା ହୋଇଥିଲେ ବି ନିର୍ମଳ ନଦୀ ଅଭିଯାନ ଦିଗରେ ଏ ବଜେଟରେ କୌଣସି ପ୍ରସ୍ତାବ ନାହିଁ। ଉପର ମୁଣ୍ଡର ଶିଳ୍ପ ଓ ସହରର ଅଳିଆ ଆବର୍ଜନା ସବୁ ନଦୀରେ ମିଶି ତଳ ମୁଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ସ୍ବାସ୍ଥ୍ୟ ଓ ଜୀବନହାନୀ ଘଟାଉଛି। ଏହା କ’ଣ ନ୍ୟାୟ ସଙ୍ଗତ ବିକାଶ? ବଜେଟରେ ଶିକ୍ଷା ବାବଦ ବ୍ୟୟଅଟକଳ ବୃଦ୍ଧି ପାଇବା ସ୍ବାଗତଯୋଗ୍ୟ। କିନ୍ତୁ ଏହି ଅର୍ଥରେ ଓଡ଼ିଆଙ୍କର ଶିକ୍ଷା ଓ ବୌଦ୍ଧିକ ବିକାଶ ସମ୍ଭବ ହେବ ନା ପିଲାଏ ନିଯୁକ୍ତି ବଜାରରେ ଅପାରଗ ସାବ୍ୟସ୍ତ ହେବେ ତାହା ବିଚାର କରିବାର କଥା। ଏଇ ସରକାରଙ୍କ ଅମଳରେ ଶିକ୍ଷାର ମାନ ଏତେ ତଳକୁ ଖସି ଯାଇଛି ଯେ ଅଷ୍ଟମ ଶ୍ରେଣୀର ପିଲାକୁ ଦ୍ବିତୀୟ ଶ୍ରେଣୀର ଗଣିତ ଆସୁନାହିଁ। ରାଜ୍ୟର ୮୨ ସ୍କୁଲର ମ୍ୟାଟ୍ରିକ ଫଳ ଶୂନ। ଖରାପ ଫଳ ପାଇଁ ୯୬୬ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେହିପରି ଯୁକ୍ତ ୨ କ୍ଷେତ୍ରରେ ମଧ୍ୟ ଫଳାଫଳ ହାର କମିବାରେ ଲାଗିଛି। ସରକାର ରାଜଧାନୀ ଭୁବନେଶ୍ବରକୁ ଉଚ୍ଚଶିକ୍ଷାର କେନ୍ଦ୍ର ସ୍ଥଳ ଭାବେ ଗଢ଼ିଛନ୍ତି ବୋଲି ଦାବି କରୁଛନ୍ତି, ହେଲେ ସେଠି କେଉଁମାନେ ପଢ଼ିବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି? ଓଡ଼ିଆ ପିଲାଙ୍କ ଶିକ୍ଷା ମୂଳଦୁଆ ଅତ୍ୟନ୍ତ ଦୁର୍ବଳ ହୋଇଚାଲିଥିବାରୁ ସେମାନଙ୍କ ପାଇଁ ଡାକ୍ତରୀ ଓ ଇଂଜିନିଅରିଂ ସିଟ୍‌ ପାଇବା କଷ୍ଟକର। ଯେଉଁମାନେ ପାଉଛନ୍ତି ସେମାନେ ବି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ। ସରକାର ଦର ବଢ଼େଇବାରୁ ଏବେ ବେସରକାରୀ କଲଜେରେ ଡାକ୍ତରୀ ପଢ଼ା ଖର୍ଚ୍ଚ ୫ ବର୍ଷରେ ୧ କୋଟି ଟଙ୍କା ଏବଂ ଇଂଜନିଅରିଂ ଫି ୧୦ ଲକ୍ଷ ଟଙ୍କା। ଓଡ଼ିଶାର କେତେ ଲୋକଙ୍କର ଏ ସାଧନ ଓ ସମ୍ବଳ ଅଛି? ଏ ବଜେଟରେ ଆଦର୍ଶ ବିଦ୍ୟାଳୟ କଥା କୁହାଯାଇଛି। ପୂର୍ବରୁ ସରକାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଇଂରାଜୀ ମାଧ୍ୟମ ସ୍କୁଲକୁ ଅନୁମତି ପ୍ରଦାନ କରିଛନ୍ତି। ସେସବୁ ସ୍କୁଲରେ ସିବିଏସଇ ଓ ଆଇସିଏସଇ ପାଠ୍ୟକ୍ରମ ଚଳୁଛି। ଆଦର୍ଶ ବିଦ୍ୟାଳୟରେ ଅନ୍ୟ ପାଠ୍ୟକ୍ରମ ଚାଲିବ। ସରକାରୀ ଓଡ଼ିଆ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପାଠ୍ୟକ୍ରମ ଭିନ୍ନ। ଖୋଦ ରାଜ୍ୟ ସରକାର ଓଡ଼ିଆ ପିଲାଙ୍କ ମଧ୍ୟରେ ଶୈକ୍ଷିକ ଓ ବୌଦ୍ଧିକ ଅସମାନତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଏଥିରୁ ସ୍ପଷ୍ଟ। ରାଜ୍ୟ ସରକାରଙ୍କ ନୀତି ଫଳରେ ଧନୀ ଘରର ପିଲାମାନେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲେଜରେ ପାଠପଢ଼ି ଉଚ୍ଚ ବୃତ୍ତି ଓ ଚାକିରିରେ ନିଯୁକ୍ତ ହେବେ। କିନ୍ତୁ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଓଡ଼ିଆ ଘରର ପିଲାମାନେ ସରକାରୀ ସ୍କୁଲ ଓ କଲେଜରେ ନିମ୍ନ ମାନର ଶିକ୍ଷା ସେବା ପାଇ ନିଯୁକ୍ତି ବଜାରରେ ଅଯୋଗ୍ୟ ସାବ୍ୟସ୍ତ ହେବେ ବା ପ୍ରତିଯୋଗୀ ସଂପନ୍ନ ହୋଇପାରିବେ ନାହିଁ। ଫଳରେ ପଛରେ ପଡ଼ିଯିବେ।

Share :