ଶ୍ବେତା ରାଉତ କାହାକୁ ଭରସା କରିବ ମଣିଷ ନିଆଁକୁ, ପାଣିକୁ ନା ମାଟିକୁ? ନିଆଁକୁ ଭରସା କରି ଅଣ୍ଟିରେ ରଖିଲେ ଜଳିଯିବାର ଭୟ। ପାଣିକୁ ଭରସା କରି ବୁଡ଼ ପକାଇଲେ ଭାସିଯିବାର ଭୟ। ମାଟିକୁ ଭରସା କରି ପାଦ ପକାଇଲେ ଦହଲରେ ଧସିଯିବାର ଭୟ। ଭୟର ବଳୟ ଭିତରେ କେଡ଼େ ବିଚରା ପାଲଟିଯାଏ ମଣିଷ! ତଥାପି ନିଆଁ, ପାଣି, ମାଟିକୁ ନେଇ ଗଢ଼ିଥାଏ ସଂସାର। ଦୁଃଖ ଦହଗଞ୍ଜ ସବୁ ଦେହସୁଆ ହୋଇଯାଏ ସମୟ ସୁଅରେ। କେବେକେବେ ଶୂନ୍ୟତାରେ ଘୂରି ବୁଲୁଥିବା ପବନକୁ ଭରସା କରି ଅଳିକ ଖୁସିରେ ବିଭୋର ହୋଇ ଦେଖଇଥାଏ ଭୟଙ୍କର ସ୍ବପ୍ନ। ସ୍ବପ୍ନ ଭାଙ୍ଗିଲା ବେଳକୁ ସମୟର ପ୍ରତାରଣାରେ ଛିଡ଼ି ପଡ଼େ ମୁଣ୍ଡ ଉପରର ଆକାଶ। ପଞ୍ଚଭୂତରେ ମଣିଷ ଖୋଜେ ଠିକଣାଟିଏ ଯେଉଁଠି ଥାପି ପାରିବ ପାଦ। ଆଖିର ଲୁହରେ ଭାସିଯାଉଥାଏ ନିରର୍ଥକ ସ୍ବପ୍ନ ସବୁ। ତଥାପି କାନଡେରି ପ୍ରତୀକ୍ଷାରେ ଥାଏ କେଉଁ ରାମଚନ୍ଦ୍ରର ପାଦଶବ୍ଦକୁ। ଅହଲ୍ୟା ପାଲଟିଯିବାର ଆଶା ନେଇ ଶୂନ୍ୟତାକୁ ଭରସା କରି। ରାଉତ କଂପ୍ଲେକ୍ସ, କଟକ ରୋଡ଼, ଭୁବନେଶ୍ବର