ଜଳଜନିତ ଜାଗତିକ ଯୁଦ୍ଧ

ଜଳଜନିତ ଜାଗତିକ ଯୁଦ୍ଧ

ମାୟାଧର ନାୟକ ‘ଜଳ ବିହୁନେ ସୃଷ୍ଟି ନାଶ’ କଥାଟି ଆମେ କୋଉ ଯୁଗରୁ ଶୁଣିଆସୁଥିଲେ ବି ସେଥିପ୍ରତି ଆମର ଭୃକ୍ଷେପ ନଥିଲା। ଏବେ କିନ୍ତୁ ସେ କାଳ ବେଳ ପାଖେଇ ଆସିଲାଣି। ପୃଥିବୀରେ ଧୀରେ ଧୀରେ ଜଳସଂକଟ ଉଗ୍ରରୂପ ଧାରଣ କଲାଣି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବା ପାଇଁ ପାଣି ନାହିଁବୋଲି ଜାତିସଂଘ ସୂତ୍ରରୁ ପ୍ରକାଶ। ପୃଥିବୀର ୪୪୦ କୋଟି ଲୋକଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ମିଳୁନାହିଁ। ୨୦୦୦ ମସିହାରୁ ୧୮୦ କୋଟି ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ପୃଥିବୀରେ ୨ କୋଟି ୫୭ ହଜାର ଶିଶୁ ୫ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ମୁଖରେ ପଡୁଛନ୍ତି। ‘ନାସା’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୯୭.୫% ଜଳ ସମୁଦ୍ରରେ, ୧.୫% ଜଳ ନଦୀନାଳ, ପୋଖରୀରେ, ବାକି ୧% ପିଇବା ପାଣିରୁ ୬୦ ଭାଗ ଶିଳ୍ପ, କଳକାରଖାନାରେ ବ୍ୟବହୃତ ହେଉଛି, ବାକି ୪୦ ଭାଗ ପିଇବା, ରୋଷେଇ କରିବା, ଧୁଆଧୁଇ କରିବାରେ ଲାଗୁଛି। ଜଳ ନାହିଁ ତ ଜୀବନ ନାହିଁ। ସବୁ ସମ୍ପଦ ସୀମିତ। ଜଳ ମଧ୍ୟ ଆଉ ନିରବଚ୍ଛିନ୍ନ ପ୍ରାକୃତିକ ଉତ୍ସ ନୁହେଁ। ଖଣିଜ ସମ୍ପଦ ମଧ୍ୟ ସୀମିତ। ସବୁ ସୀମିତ ସମ୍ପଦକୁ ଆମେ ମଣିଷମାନେ ମନଇଚ୍ଛା ବେପରୁଆ ବ୍ୟବହାର କଲେ ଜଳବିନା ଜୀବନ ଦିନେ ହା-ହୁତାଶରେ ନିଃଶେଷ ହେବା ହିଁ ସାର ହେବ। ଜଳସଂକଟ ବର୍ତମାନ ସାରାବିଶ୍ୱରେ ଭୟଙ୍କର ଓ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏବେବି ଜଳପାଇଁ ଲୋକ ତ୍ରାହିତ୍ରାହି ଡାକିଲେଣି। ଏବେ ଜଳବାୟୁରେ ବ୍ୟାପକ ପରିବର୍ତନ ଘଟୁଛି। ଏବେ ଆଉ ଏକ ସାମୁଦ୍ରିକ ବିଶୃଙ୍ଖଳା ଏଲ୍‌ ନିନୋ ମାଡ଼ିଆସୁଛି। ମୌସୁମୀରେ ଅସ୍ୱାଭାବିକତା, ଅନାବୃଷ୍ଟି, ମରୁଡି ପରିସ୍ଥିତି ସୃଷ୍ଟି ହେଉଛି। ଆଗକୁ ପୁଣି ଜଳଜନିତ ଜାଗତିକ ଯୁଦ୍ଧ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜଳାଭାବର ମୂଳକାରଣ ସ୍ଥଳଭାଗରେ ଶିଳ୍ପସଭ୍ୟତାର ଦ୍ରୃତ ପ୍ରସାର ପାଇଁ ଜଙ୍ଗଲ କ୍ଷୟ ସହିତ ବୃକ୍ଷରୋପଣ ପ୍ରତି ବିମୁଖତା। ମାନବସମାଜର ଅଦୂରଦର୍ଶିତା ଓ ପ୍ରାକୃତିକ ସମ୍ୱଳର ଦୁରୁପଯୋଗିତା ମଧ୍ୟ ଏଥିପାଇଁ ପୂର୍ଣ୍ଣମାତ୍ରାରେ ଦାୟୀ। ଆମଦେଶର ଧନୀରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ ଓ ରାଜସ୍ଥାନରେ ପାନୀୟଜଳ ସଂକଟ ଉଦ୍‌ବେଗଜନକ। ମହାରାଷ୍ଟ୍ରରେ ପିଇବାପାଣି ପାଇଁ ହାହାକାର ପଡ଼ିଗଲାଣି। ତାମିଲନାଡୁର ଚେନ୍ନାଇରେ ଅଧିକାଂଶ ହୋଟେଲ ବନ୍ଦ ରହୁଛି। ରାଜସ୍ଥାନର ମଧ୍ୟ ସମାନ ଅବସ୍ଥା। ଜଳଯନ୍ତ୍ରଣାର ମୁକ୍ତିପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ଜଣାଯାଇଛି। ଆଉ କିଛିମାସ ପରେ ଭାରତ ଭୀଷଣ ଜଳସଂକଟର ସମ୍ମୁଖୀନ ହେବ। ୨୪ଟି ରାଜ୍ୟର ଭୂତଳଜଳ ସ୍ଥିତି, ପ୍ରାକୃତିକ ଜଳଉତ୍ସ ଓ ଜଳ ପରିଚାଳନାକୁ ଆଧାରକରି ନୀତି ଆୟୋଗ ରିପୋର୍ଟରେ ଦେଶର ୬୦ କୋଟି ଲୋକ ଜଳଯନ୍ତ୍ରଣାରେ ଛଟପଟ ହେବେ। ୨୦୨୦ ସୁଦ୍ଧା ୨୧ଟି ବଡ଼ବଡ଼ ସହର ଜଳଶୂନ୍ୟ ହୋଇଯିବ - ଯାହା ଫଳରେ ଗୁରୁତର ଖାଦ୍ୟସଂକଟ ସୃଷ୍ଟି ହେବ। ଏବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୫୦ ତଳେ ରହିବା ବଦଳରେ ୪୧୫ ଅତିକ୍ରମ କରିସାରିଛି। ବିଶ୍ୱର ଉତ୍ତାପ ୧ ଡିଗ୍ରୀ ବଢିସାରିଛି। ମେରୁ ଅଂଚଳର ସ୍ଥାୟୀ ବରଫ ତରଳିବା, ସମୁଦ୍ର ଜଳସ୍ତର ଉପରକୁ ଉଠିବା, ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଆଦିର ପ୍ରଖରତା ବଢିଚାଲିଛି। ଅଧିକାଂଶ ବୈଜ୍ଞାନିକଙ୍କ ମତରେ - ଆସନ୍ତା ୧୦ ବର୍ଷ ଭିତରେ ଜଳବାୟୁର ପରିବର୍ତ୍ତନ ସମଗ୍ର ଜୀବସମାଜ ଓ ମନୁଷ୍ୟ ସଭ୍ୟତାକୁ ବିଲୁପ୍ତିର ଦ୍ୱାରଦେଶକୁ ନେଇଯିବ। ବିକାଶ ନାଁରେ ଆମେ ଗଛ କାଟି କଂକ୍ରିଟ୍ ସଡ଼କ ତିଆରି କଲୁ। ଶିଳ୍ପାୟନ ଓ ଖଣିଖନନ ପାଇଁ ଜଙ୍ଗଲକୁ ଧ୍ୱଂସ କଲୁ। ସହରୀକରଣ ପାଇଁ ସବୁଜ କ୍ଷେତକୁ ଧ୍ୱଂସ କଲୁ। ନଦୀନାଳକୁ ମଇଳା ଆବର୍ଜନାରେ ଦୂଷିତ କଲୁ। ଅତ୍ୟାଧୁନିକ ଜୀବନଶୈଳୀ ଓ ଜଳ ପରିଚାଳନାରେ ଦୂରଦୃଷ୍ଟିର ଅଭାବ ଓ ଉଦାସୀନତା, ବିଶେଷକରି ଯାନବାହନର ବ୍ୟାପକ ବ୍ୟବହାରରେ ମାନବକୃତ ଜଳବାୟୁ ପରିବର୍ତ୍ତନ ଦେଖାଦେଇଛି, ଯାହା ଫଳରେ ଗତ ୧୦ ବର୍ଷ ଭିତରେ ଭୂତଳ ଜଳସ୍ତର ୨୧% ହ୍ରାସ ପାଇଛି। ୫୪% ଭୂତଳଜଳ ଦ୍ରୁତଗତିରେ ହ୍ରାସ ପାଇବାକୁ ଯାଉଛି। ଅନ୍ୟପକ୍ଷରେ ଆମର ଜଳଚାହିଦା ପ୍ରତିବର୍ଷ ୨ ଗୁଣ ହାରରେ ବୃଦ୍ଧି ପାଉଛି। ଏହାଫଳରେ ଦେଶର ଅର୍ଦ୍ଧାଧିକ କ୍ଷୁତ୍ର ନଦୀ, ଝରଣା ଓ ଜଳାଶୟ ସଂପୂର୍ଣ୍ଣ ଶୁଖିଯାଉଥିବାବେଳେ କୂଅ ଓ ନଳକୂଅର ଜଳସ୍ତର ଭୟଙ୍କର ଭାବରେ ହ୍ରାସ ପାଇବାରେ ଲାଗିଛି। ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଆମେ ଜଳସେଚନର ପରିଚାଳନା ଅତ୍ୟଧିକ କରୁଛୁ। ଜଳ ସମସ୍ୟା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆୟୋଗ ସୃଷ୍ଟି କରୁଥିଲେ ମଧ୍ୟ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି। ଦେଶର ବିକାଶ ସହିତ ପ୍ରାକୃତିକ ସମ୍ପଦର ଭାରସାମ୍ୟ ରକ୍ଷାକରିବା ପାଇଁ କେବଳ ସରକାର ନୁହେଁ ଆମେ ସମସ୍ତେ କିଭଳି ସଚେତନ ହେବା ସେ ଦିଗରେ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। ବନୀକରଣ ଯୋଜନା, ବୃକ୍ଷରୋପଣ ପାଇଁ ସରକାର କୋଟିକୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଥିଲେ ହେଁ ତାହା ବାସ୍ତବକ୍ଷେତ୍ରରେ ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନାହିଁ। ଆମେ ପ୍ରକୃତିକି ଠକୁଛେ, ସେ ଆମ ଉପରେ ଦାଉ ସାଜୁଛି। ଧୀରେଧୀରେ ବୃକ୍ଷସବୁ ଲୋପ୍ ପାଇଯାଉଛି। ଯାହାଫଳରେ ସାମୁଦ୍ରିକ ଝଡ଼ତୋଫାନ ବିଭିନ୍ନ ସ୍ଥାନରେ ଦେଖାଦେଉଛି। ବହୁଦେଶରେ ବନ୍ୟା, ବାତ୍ୟା, ମରୁଡି, ମହାମାରୀ, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ରୁତବେଗରେ ଘଟିଚାଲୁଛି। ଭାରତ ଇସ୍ରାଏଲଠାରୁ ଚାଷ ଏବଂ ଜଳ ପରିଚାଳନା ସଂପର୍କରେ ଜ୍ଞାନକୌଶଳକୁ ପ୍ରୟୋଗ କରିବା କ୍ଷେତ୍ରରେ ବିଫଳ ହୋଇଛି। ଭାରତର ଶାସକଗୋଷ୍ଠୀ ଜନଗଣଙ୍କ ମୂଳସମସ୍ୟା ଜଳ ସଂପର୍କରେ ଧ୍ୟାନ ଦେଉନାହାଁନ୍ତି। ସଂପ୍ରତି ନଦୀଜଳ ବଂଟନକୁ ନେଇ ଏ ଦେଶରେ ଏକ ମହାସମସ୍ୟା ପାଲଟିସାରିଛି ପ୍ରଦେଶ-ପ୍ରଦେଶ ମଧ୍ୟରେ ଉପୁଜିଥିବା ତୁମୁଳ ବିବାଦ। ବର୍ତ୍ତମାନର ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀର ଜଳଜନିତ ରାଜନୈତିକ ତର୍କବିତର୍କ କେନ୍ଦ୍ରରେ ମଧ୍ୟ କମ୍ପନ ସୃଷ୍ଟି କରିଛି। ସମ୍ମାନନୀୟ ଭାରତ ରାଷ୍ଟ୍ରପତିଙ୍କର ପ୍ରଦୂଷଣମୁକ୍ତ ମହାନଦୀର ଆନ୍ତରିକ ଆବେଦନ ରାଜନୀତିକ ନେତୃତ୍ୱକୁ ପ୍ରଭାବିତ କରିପାରିବାର ମନେହେଉ ନାହିଁ। ବରଂ ଓଡ଼ିଶା ତରଫରୁ ଶାସକଗୋ ୀର କେନ୍ଦ୍ର ନିକଟରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀନାମା ଅଦୂର ଭବିଷ୍ୟତରେ ଅନ୍ୟାନ୍ୟ ରାଜ୍ୟକୁ ପ୍ରଲୁବ୍ଧ କରାଇ ପରିଶେଷରେ ଅଖଣ୍ଡ ଭାରତ ବଦଳରେ ଏକ ବିଖଣ୍ଡ-ଭାରତର ମୂଳଦୁଆ ପକାଇପାରେବୋଇି ଆଶଙ୍କା ଉପୁଜିଲାଣି। ଏକଦା ଚାଇନାର ଦୁଃଖ ଥିଲା ହୋୟାଙ୍ଗ୍-ହୋ ନଦୀ। ଏହି ନଦୀରେ ବନ୍ୟା ଆସିଲେ ଭୟାବହ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ। ବନ୍ୟା ପରେପରେ ଉତ୍କଟ ମରୁଡ଼ି ମାଡ଼ିଆସେ। ୧୯୪୯ରେ ଚୀନ୍ ବିପ୍ଲବ ପରେ କର୍ତ୍ତୃପକ୍ଷ ଅନେକ ଡ୍ୟାମ୍, କେନାଲ ଖୋଳି ନଦୀରେ ବହିଯାଉଥିବା ଜଳକୁ ସଂରକ୍ଷଣ କରି ମରୁଡ଼ି ଅଂଚଳକୁ ଯୋଗାଉଥିଲେ। ଚାଇନାର ବନ୍ୟା ଓ ମରୁଡ଼ି ସମସ୍ୟାର ସମାଧାନ ହୋଇଗଲା। ଆମ ଭାରତବର୍ଷରେ ପୋତିହୋଇଯାଇଥିବା ନଦୀନାଳକୁ ଖୋଳାଯାଇ କ’ଣ ଜଳ ସଂରକ୍ଷଣ କରାଯାଇପାରିବ ନାହିଁ? ଆମର ପୂର୍ବପୁରୁଷମାନେ କହିଯାଇଛନ୍ତି, ଭବିଷ୍ୟତରେ ଭୀଷଣ ମରୁଡ଼ି ପଡ଼ିବ। ପ୍ରତି ଗାଁରେ ପୋଖରୀ ଖୋଳାଇବାର ବନ୍ଦୋବସ୍ତ କରିଥିଲେ ମରୁଡ଼ି ମାରକର ମୁକାବିଲା କରିହେବ। ପୂର୍ବେ ଆମ ପୂର୍ବପୁରୁଷରୁ ଆରମ୍ଭକରି ପୂର୍ବତନ ପିଢ଼ି ପର୍ଯ୍ୟନ୍ତ ଦାରୁଣ ଗ୍ରୀଷ୍ମକାଳରେ ଦୂରାଗତ ଯାତ୍ରୀ ଓ ପଥିକବର୍ଗ ଯେପରି ପଥପ୍ରାନ୍ତରେ ପରିଶ୍ରାନ୍ତ ନହେବେ, ସେଥିନିମନ୍ତେ ଜଳଛତ୍ରର ବ୍ୟବସ୍ଥା ଏକ ମାନବସେବୀ ପରମ୍ପରା ପାଲଟିଥିଲା। ମାତ୍ର ବର୍ତ୍ତମାନ ସମୟରେ ଏ ପ୍ରକାର ବଦାନ୍ୟତା ଏକ ବିରଳ ବ୍ୟତିକ୍ରମ ଭାବରେ କାଁ ଭାଁ ଦୃଷ୍ଟିଗୋଚର ହେଉଛି। ବରଂ ଦୋକାନବଜାରରେ ବିକ୍ରୀ ହେଉଛି ପାଣିବୋତଲ-୧୦ ଟଙ୍କା ୧୫ ଟଙ୍କା ଦେଲେ ତୃଷିତକୁ ମିଳୁଛି ପାନୀୟଜଳ, ତାହା ପୁଣି କେତେଦିନର ବାସିପାଣି କିଛି କହିହେବନି। ସଜଜଳର ନଦୀ, ନିର୍ଝର ନିର୍ଜୀବ ପ୍ରାୟ- ଶୁଦ୍ଧସ୍ୱଚ୍ଛ ପାନୀୟଜଳର ଘୋର ଅଭାବ ସବୁଠି। ଫ୍ରିଜ୍‌ର ଶିତଳୀକୃତ ଜଳଠାରୁ ଆରମ୍ଭକରି ବିଭିନ୍ନ କମ୍ପାନୀ ଦ୍ୱାରା ବିତରିତ ନାନା ରାସାୟନିକ ଶୀତଳ ପାନୀୟ ଆମକୁ ଦେଉଛି ବ୍ୟାଧିବିକୃତି। ଆମ ପୂର୍ବପୁରୁଷମାନେ କ’ଣ ଦୁଃସ୍ୱପ୍ନରେ ବି କେବେ ଏ ଦୃଶ୍ୟ ଦେଖିଥିଲେ ଯେ ଆମେ ଟଙ୍କା ଦେଇ ପାଣି କିଣିବା? ଜଳପ୍ରତି ଏ ଯେଉଁ ବ୍ୟବସାୟୀକ ଦୃଷ୍ଟିଭଙ୍ଗି ଦ୍ରୁତ ପ୍ରସାର ଲାଭ କରୁଛି, ତାହା ଆମ ସାମାଜିକ ମୂଲ୍ୟବୋଧର କ୍ରମ ଅବକ୍ଷୟର କରାଳ ସୂଚନା - ଆଗକୁ ସାଧାରଣ ଜନଜୀବନ ଯେ ଏକପ୍ରକାର ନିର୍ଜନ ଜୀବନର ନିର୍ମମ ନାଗଫାଶରେ ଆଜୀବନ କଏଦୀ ହେବାର ଦୁର୍ଭାଗ୍ୟ ଭୋଗିବାକୁ ଯାଉଛି, ଏଥିରେ ଆଉ କ’ଣ ତିଳାର୍ଦ୍ଧ ସନ୍ଦେହ ଅଛି? ବହୁ ବୁଦ୍ଧିଜୀବୀ କହିବାକୁ ଆରମ୍ଭ କଲେଣି ତୃତୀୟ ମହାଯୁଦ୍ଧ ଘଟିପାରେ ଜଳକୁ ନେଇ। ଅତଏବ୍ ଆସନ୍ନ ଯୁଗ ହେଉଛି ଜଳଜନିତ ଜାଗତିକ ଯୁଦ୍ଧର ଯୁଗ! ନିର୍ବାଚନବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତଟେକି ସଜୋରେ ଶୁଣାଇଥିଲେ ୨୦୨୪ ମସିହା ମଧ୍ୟରେ ସମସ୍ତ ପରିବାରକୁ ପାନୀୟଜଳ ଯୋଗାଇଦେବେ। ଏବେଠୁଁ ପିଇବାପାଣି ମିଳୁନି। ଆଉ ୫ ବର୍ଷ ପିଇବାପାଣି ପାଇଁ ମହିଳାମାନେ ଅପେକ୍ଷା କରିବେ କି? ସରକାରଙ୍କ ଯୋଜନା ଓ ଘୋଷଣାରେ ଜଳ ମିଳିବ କି? ଅଧିକାଂଶ କ୍ଷେତ୍ରରେ କେବଳ ରାଜକୋଷର ଟଙ୍କା ଜଳରେ ପଡୁଛି, କିନ୍ତୁ ଜଳ ମିଳୁନାହିଁ। ଜଳ ଯୋଗାଇବା ସରକାରଙ୍କର ମୂଳକର୍ତ୍ତବ୍ୟ। ଜଳବାୟୁ ସଂକଟଜନିତ ସମସ୍ତ ପ୍ରଭାବର ମାତ୍ରାଧିକ ମୂଲ୍ୟ ଭାରତର ଗରିବଲୋକଙ୍କୁ ହିଁ ଦବାକୁ ପଡୁଛି। ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ଗରିବ ଦେଶମାନଙ୍କୁ ସାହାଯ୍ୟ କରିବାପାଇଁ ଉଭୟ ପାଣ୍ଠି ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବାପାଇଁ ନିଷ୍ପତି ହୋଇଥିଲା। ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସଂପ୍ରତି ବିଭିନ୍ନ ଦେଶରେ ପରିବେଶ ସୁରକ୍ଷା ଆନ୍ଦୋଳନ ଗଢିଉଠୁଛି। ତଥାପି ଏପାରି ସେପାରି ବେପାରୀ, ଶାସକ ଓ ପ୍ରଶାସକମାନେ ତାଙ୍କ ମୁନାଫା ପାଇଁ ଆନ୍ଦୋଳନକୁ ଭୃକ୍ଷେପ କରୁନାହାଁନ୍ତି। ସବୁଦେଶରେ ଜଳବାୟୁ ସୁରକ୍ଷା ଆନ୍ଦୋଳନ ଗଣଆନ୍ଦୋଳନରେ ପରିଣତ ହୋଇ ଶାସକମାନଙ୍କୁ ଆଶୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବାଧ୍ୟ ନ’କରାଇପାରିଲେ ଜୀବଜଗତ ଓ ମାନବସଭ୍ୟତାର ବିଲୟ ହେବାକୁ ଖୁବ୍ ବେଶି ବିଳମ୍ୱିତ ହେବ ନାହିଁ। ଯାଜପୁର ରୋଡ଼, ଯାଜପୁର ମୋ : ୯୮୬୧୦୩୪୧୬୩

Share :