ଜାତୀୟ ପତାକାକୁ ବିଜେଡିର ବାରମ୍ବାର ଅସମ୍ମାନ

ଜାତୀୟ ପତାକାକୁ ବିଜେଡିର ବାରମ୍ବାର ଅସମ୍ମାନ

Share :

ରାଜନୀତିକ ପ୍ରତିନିଧି ପୁଣି ଥରେ ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ। ଶହୀଦ ଅଜିତ କୁମାର ସାହୁଙ୍କୁ ସମ୍ମାନ ପ୍ରଦର୍ଶନ ଆଳରେ ତାଙ୍କ ମର ଶରୀରରେ ଦଳୀୟ କର୍ମୀମାନେ ଶଙ୍ଖ ଚିହ୍ନ ଥିବା ବିଜେଡି ପତାକା ଗୁଡ଼େଇ ଦେଇଛନ୍ତି। ଏହା ଧରାପଡ଼ିବା ପରେ ଏବେ କଥା ବାଆଁରଉଛନ୍ତି ଦଳୀୟ ମୁଖପାତ୍ର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ବଡ଼ସୁଆଳ ଗାଁର ଅଜିତ କୁମାର ସାହୁ ଜାମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ବିସ୍ଫୋରଣର ଶିକାର ହୋଇଥିଲେ। ତାଙ୍କ ମର ଶରୀର ତାଙ୍କ ଗାଁକୁ ଆସିବାବେଳକୁ ସେଥିରେ ସେନା ବାହିନୀର ଉଚ୍ଚ ପରମ୍ପରା ଅନୁସାରେ ଜାତୀୟ ପତାକା ଘୋଡ଼ା ହୋଇଥିଲା। କିନ୍ତୁ ତାଙ୍କ ବୀରଗତିରୁ ରାଜନୀତିକ ଫାଇଦା ନେବା ଉଦ୍ଦେଶ୍ୟରେ କେତେକ ବିଜେଡି କର୍ମୀ ଅଜିତଙ୍କ ମର ଶରୀର ଉପରେ ବିଜେଡି ପତାକା ଗୁଡ଼େଇ ଦେଇଥିଲେ। ଏହା ଫଳରେ ଜାତୀୟ ପତାକା ମଧ୍ୟ ଲୁଚି ଯାଇଥିଲା। ଏହି ଫଟୋ ଫେସବୁକ୍‌ ପରି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯାଇଛି। ଏଥିପାଇଁ ବିଜେଡି ନେତୃବୃନ୍ଦ ସର୍ବସାଧାରଣରେ କ୍ଷମା ମାଗିବାକୁ ଦଳ ତରଫରୁ ଦାବି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସୈନିକ ମଞ୍ଚର ସଭାପତି କର୍ଣ୍ଣେଲ ବୀରେନ୍ଦ୍ର ବସ୍ତିଆ ବିଜେଡିର ଏପରି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ତେବେ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଦଳ କେବେ ବି ଶହୀଦ ଓ ରାଷ୍ଟ୍ରୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରେ ନାହିଁ ବୋଲି କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଯିଏ ଏଭଳି କାର୍ଯ୍ୟ ପାଇଁ ଦାୟୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିବା ପରଦିନ ଦଳର ତିନି ଜଣ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ମାତ୍ର, ସେମାନଙ୍କ ବିରୋଧରେ ଦଳ ତରଫରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଜାତୀୟ ପତାକା କିମ୍ବା ଶହୀଦଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ବିଜେଡି ନେତାଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବରୁ ତତ୍କାଳନୀ ବାରବାଟୀ-କଟକ ବିଧାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଖାସ୍‌ ବନ୍ଧୁ ଭାବେ ପରିଚିତ ଦେବାଶିଷ ସାମନ୍ତରାୟ ଜଣେ ଶହୀଦଙ୍କ ସଂପର୍କୀୟଙ୍କ ଧକ୍କା ମାରି ଚର୍ଚ୍ଚାକୁ ଆସିଥିଲେ। ସେ କିନ୍ତୁ ତାହା ସ୍ବୀକାର କରିନଥିଲେ। ବହୁ ପୂର୍ବରୁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ତାଙ୍କର ସହଯୋଗୀମାନେ ଦଳୀୟ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲେ। ଦଳର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସରେ ୨୦୧୦ ଡିସେମ୍ବର ୨୭ ତାରିଖରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସଭାରେ ଦଳର ଜଣେ କର୍ମୀ ନବୀନଙ୍କୁ ଏକ ଜାତୀୟ ପତାକା ଉପହାର ଦେଇଥିଲେ। ସେହି ପତାକାଟି କାଳେ ନବୀନଙ୍କ ବାପା ବିଜୁବାବୁଙ୍କ ମର ଶରୀର ଉପରେ ଗୁଡ଼ା ହୋଇଥିଲା ବୋଲି ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସେହି ସଭାରେ ଦାବି କରିଥିଲେ। ପତାକାଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ମେଲେଇ ଧରି ଫଟୋ ଉଠାଇଥିଲେ। ସେତେବେଳେ ଦେଖାଯାଇଥିଲା ଯେ ଜାତୀୟ ପତାକାରେ ଜାତୀୟ ପ୍ରତୀକ ଅଶୋକ ଚକ୍ର ପରିବର୍ତ୍ତେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ଚିତ୍ର କରାଯାଇଛି। ଏହା ଉପରେ ବିଜୁ ଜନତା ଦଳ ବୋଲି ମଧ୍ୟ ଲେଖା ଯାଇଛି। ଏହାକୁ ସେତେବଳେ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ରାଜ୍ୟ ବିଜେପି ସଭାପତି ଜୁଆଲ ଓରାମ ତୀବ୍ର ସମାଲୋଚନା କରିଥିଲେ। ଏନେଇ ଦଣ୍ଡବିଧଇ ସଂହିତାର ୧୭୪ ଦଫା ଅନୁସାରେ କ୍ୟାପିଟାଲ ଥାନାରେ ଏକ ମାମଲା ଦାଏର ହୋଇଥିଲା। ମାତ୍ର, ସେହି ମାମଲାରେ ପୁଲିସ ତଦନ୍ତରେ କାହାକୁ ଦୋଷୀ ସାବ୍ୟସ୍ତ କରାଗଲା ନାହିଁ। ରାଜନୀତିକ ସ୍ତରରେ ଦୋଷ ଢାଳି ଦିଆଗଲା ଉତ୍ତର ଭୁବନେଶ୍ବର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଗାଡ଼କଣ ମୌଜାର ଜନାକର ସାହୁଙ୍କ ଉପରେ। ସେହି ସଭାରେ ତାଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା। ମାତ୍ର ପରେ ଜାତୀୟ ପତାକା ଅସମ୍ମାନର ସବୁ ଦୋଷ ତାଙ୍କର ବୋଲି ସଫେଇ ଦିଆଗଲା।

Share :