ପ୍ରଦୀପ କୁମାର ପଣ୍ଡା ପ୍ରେମ ଏମିତି ଛୁଇଁବ ଯେମିତି ବୁଢାଲୋକର ଚମଡ଼ାକୁ ଛୁଏଁ ତୁମର ଆଙ୍ଗୁଠି, ପୁରୁଣା ଫଟା ରେକର୍ଡକୁ ଛୁଏଁ ଗ୍ରାମୋଫୋନର ପିନ୍। ନିଷ୍କ୍ରିୟ ପ୍ରତୀକ୍ଷାରେ ବାଜୁଥିବ ଭଂଗା ଭଂଗା ସିମ୍ଫୋନି ଓ ଖଣ୍ଡିଶ୍ବାସ। ପ୍ରେମ ଏମିତି ଛୁଇଁବ ଯେମିତି ଆଂଜୁଳାରେ ତୁମର ଅର୍ପି ଦେଉଥିବ ପୁରୋହିତ ଅପାର୍ଥିବ ଭସ୍ମ ତମ ଆତ୍ମାର ଅନ୍ତ୍ୟେଷ୍ଟି କ୍ରିୟାରେ, ଯେମିତି ଶବ୍ଦକୁ ଛୁଉଁଥିବ ମୌନତା ଦିଗମ୍ବର ସମୟରେ। ପ୍ରେମ ଏମିତି ଛୁଇଁବ ଯେମତି ମଲାଛୁଆ ଜନ୍ମ କରିଥିବା ମା'ର ରାହା ପାହାନ୍ତି ପହରକୁ, ଯେମିତି ଶିଖ ଆକାଶକୁ ପହଞ୍ଚି ପାରୁ ନଥିବା ଚଞ୍ଚୁ ଟିକି ଚଢ଼େଇର ଅମରତ୍ବର ପାହାନ୍ତିରେ। ପ୍ରେମ ଏମିତି ଛୁଇଁବ ଘଞ୍ଚ ସ୍ବପ୍ନରେ ଧସି ପଡୁଥିବା ପାହାଡ଼ର ପଥର ଯେମିତି ମାଟିକୁ, ପ୍ରାଚୀନ ଦିବ୍ୟ ଗ୍ରନ୍ଥର ମଝି ପୃଷ୍ଠାରେ ମରି ପଡ଼ିଥିବା କୀଟ ଯେମିତି ଶବ୍ଦକୁ, ଥରଥର ପବିତ୍ରତାର ମନ୍ତ୍ରୋଚ୍ଚାରଣ। ପ୍ରେମ ଏମିତି ଛୁଇଁବ ଦୂରାଗତ ପଥିକର ଫୁଙ୍ଗୁଳା ପାଦ ଯେମିତି ଶୁଖିଲା ନଈର ତତଲା ବାଲିକୁ, ଯେମିତି ସିନ୍ଦୂର ଅରଣ୍ୟର ଅପନ୍ତରା ପାଦଚଲା ରାସ୍ତାକଡର ଢିମା ପଥର ଖଣ୍ଡକୁ, ସହଜ ଓ ଅଦୃଶ୍ୟ ରିକ୍ତହସ୍ତ। ଆକାଶର ନୀଳିମା ଓ ସମୁଦ୍ରର ଅଥଳତା ପିନ୍ଧି କେଉଁ ପୁରାତନ ପାଶୋରା ଗୀତର ମଧୁର ରକ୍ତର ଆଭା ମାଖି ଆସୁଛି ଯଦି ପ୍ରେମ ତୁମେ ତାକୁ ଛୁଅଁ ଯେମିତି ଛୁଉଁଚ ନୂଆଁ ନୂଆଁ ଚାଲି ଶିଖୁଥିବା ଛୋଟ ପିଲାଟିର ଆଂଗୁଠି ଅଥବା ମୃତ ବୁଢାଲୋକର କପାଳ।