୨୦ ବର୍ଷରେ ୩୦ ହଜାର କୋଟି ଟଙ୍କା ଲୁଟ୍!

୨୦ ବର୍ଷରେ ୩୦ ହଜାର କୋଟି ଟଙ୍କା ଲୁଟ୍!

Share :

ଓଇଆରସି ପକ୍ଷରୁ ବିଜୁଳି ଶୁଳ୍କର ବୃଦ୍ଧି ପାଇଁ ଅନୁଷ୍ଠିତ ଜନ ଶୁଣାଣିକୁ ବିରୋଧ କରି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଓଇଆରସି. ଅଫିସ୍ ସାମ୍ନାରେ ଏକ ସର୍ବଦଳୀୟ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଯାଇଛି | ଫେବୃଆରୀ ୫ ଓ ୬ ତାରିଖ ମଧ୍ୟ ଏହି ପ୍ରତିବାଦ ଧାରଣା ନିରବଚ୍ଛିନ୍ନ ଭାବରେ ଚାଲୁ ରହିବ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞେପ୍ତିରେ ଘୋଷଣା କରାଯିବା ସଂଗେ ସଂଗେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ, ଗଣ ଅନୁଷ୍ଠାନ ଓ ସାଧାରଣ ଖାଉଟି ଏହି ପ୍ରତିବାଦ ଧାରଣାରେ ଯୋଗଦେବା ପାଇଁ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି | ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ମହାସଂଘର ଆବାହକ ତଥା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଥିଲେ କି ବିଶ୍ବ ବ୍ୟାଙ୍କରୁ ଋଣ ଆଣି ବିଜୁଳି ଶକ୍ତିର ସଂସ୍କାର ଓ ଘରୋଇକରଣ କାର୍ଯ୍ୟ ଆରମ୍ଭ କରିବାରେ ସମଗ୍ର ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ | ୧୯୯୦ ଦଶକରେ ଏହି ସଂସ୍କାର ଯେତେବେଳେ ଆରମ୍ଭ ହେଲା ସେତେବେଳେ ସରକାରଙ୍କ ପକ୍ଷରୁ ଓଡ଼ିଶାର ଜନ ସାଧାରଣଙ୍କୁ ପ୍ରତିଶ୍ରୁତି ଦିଆଗଲା ଯେ କ୍ଷତିରେ ଚାଲୁଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରାଯିବ | ବିଜୁଳି କମ୍ପାନୀମାନଙ୍କର ଭିତ୍ତିଭୂମିର ବିକାଶ କରାଯିବା ସହିତ ପରିଚାଳନାଗତ ଦକ୍ଷତା ବୃଦ୍ଧି କରାଯାଇ ଜନ ସାଧାରଣଙ୍କ ପାଖରେ ଉତ୍ତରଦାୟୀ କରାଯିବ ଓ ସ୍ବଚ୍ଛତା ଅବଲମ୍ବନ କରାଯିବ | ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ୨୪ ଘଣ୍ଟିଆ ଗୁଣାମତ୍କ ବିଜୁଳି ସେବା ଯୋଗାଇ ଦିଆଯିବ | ଶକ୍ତି ସଂସ୍କାରର ୨୦ ବର୍ଷ ବିତିଗଲାଣି | ବିଶ୍ବ ବ୍ଯାଙ୍କରୁ ଆଣିଥିବା ୪୫୯ କୋଟି ଟଙ୍କାର ଋଣ ସୁଧ ମୂଳ ସହିତ ମିଶି ୧୫୦୬ କୋଟି ଟଙ୍କାରେ ପହଞ୍ଚିଲାଣି | ଭିତ୍ତିଭୂମିର ବିକାଶ ନାଁରେ ଆବଣ୍ଟନ କମ୍ପାନୀମାନେ ନେଇଥିବା ଋଣ ନ ଶୁଝି ରାଜ୍ୟ ଛାଡି ଚାଲିଗଲେଣି | ଆଜି ସେହି ଋଣକୁ ଗରିବ ଓଡ଼ିଆ ତଣ୍ଡ ରୂପେ ଗଣିବାକୁ ଯାଉଛନ୍ତି | ଏହାକୁ ବିରୋଧ କରିବା ପାଇଁ ମହାସଂଘ ଆଗାମୀ ଦିନରେ ଗଣ ଆନ୍ଦୋଳନକୁ ବ୍ୟାପକ କରିବା ସହିତ ଆଗାମୀ  ଆର୍ଥିକ ବର୍ଷ ପାଇଁ ବିଜୁଳି ୟୁନିଟ୍ ପିଛା ୭୩ ପଇସା ପ୍ରସ୍ତାବିତ ଦରବୃଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରେ | ବିଜୁଳି କମ୍ପାନୀମାନଙ୍କର ଦୁର୍ନୀତି , ବଡ଼ପଣ୍ଡାମାନଙ୍କର ଦକ୍ଷତାର ଅଭାବ ଓ ପରିଚାଳନାଗତ ତ୍ରୁଟି ପାଇଁ ଓଡ଼ିଶାବାସୀ ଏହି ଋଣ ବୋଝ କାହିଁକି ଶୁଝିବେ ବୋଲି ସେ ପ୍ରଶ୍ନ କରିଥିଲେ | ଓଇଆରସିକୁ ଢାଲ କରି ରାଜ୍ୟବାସୀଙ୍କ ଉପରେ ସରକାର ଲଦି ଦେବାକୁ ଯାଉଥିବା ଶୁଳ୍କ ବୃଦ୍ଧି ଆର୍ଥିକ ଲୁଣ୍ଠନ ବୋଲି ସେ ମତବ୍ୟକ୍ତ କରିଥିଲେ |  ଏହି ସଭାରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିବା ସହିତ ଆଗାମୀ ବିଧାନସଭା ସମୟରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାକୁ ନିବେଦନ କରିଥିଲେ | ମହାସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ମତ ରଖି କହିଥିଲେ ଯେ, ବିଜୁଳି ସଂସ୍କାର ଓଡ଼ିଶାରେ ଏକ ଧୁଆଁ ବାଣରେ ପରିଣତ ହୋଇଛି | ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭୁଆଁ  ବୁଲାଇ ପ୍ରକୃତରେ ଘରୋଇ କମ୍ପାନୀଙ୍କ ସ୍ବାର୍ଥରେ କାମ କରୁଛନ୍ତି | ଓଡ଼ିଶାକୁ ସେମାନଙ୍କର ଏକ ଚରାଭୂଇଁରେ ପରିଣତ କରିବା ପାଇଁ ବେଲଗାମ ଛାଡିଦେଇଛନ୍ତି | ଯାହାଫଳରେ ଘରୋଇ କମ୍ପାନୀମାନେ ବିଗତ ୨୦ ବର୍ଷର ସଂସ୍କାର ଭିତରେ ପାଖାପାଖି ୩୦ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି | ଖାଉଟିମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଓଇଆରସି ଆଜି ଧଳା ହାତୀରେ ପରିଣତ ହୋଇଛି | ସଂସ୍କାର ଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମସ୍ତ ବିଜୁଳି କମ୍ପାନୀମାନଙ୍କର ସିଏଜି ଅଡିଟ୍ ପାଇଁ ଶ୍ରୀ ଦାସ ଦାବି କରିଥିଲେ | ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ଚାଷୀଙ୍କୁ ମାଗଣା ବିଜୁଳି ଦେବା କ୍ଷେତ୍ରରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି ବୋଲି ମତବ୍ୟକ୍ତ କରି ଏହା ଚାଷୀମାନଙ୍କ ପାଇଁ ସରକାରଙ୍କର ଆଉ ଏକ ଚରମ ବିଶ୍ବାସଘାତକତା ବୋଲି ମନ୍ତବ୍ୟ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ସିପିଏମ୍ ନେତା ସୁରେଶ ପାଣିଗ୍ରାହୀ, ତୃଣମୂଳ କଂଗ୍ରେସ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କଗ୍ରେସର ମୁଖପାତ୍ର ସୁଲୋଚନା ଦାସ, ସିପିଆଇ (ଏମ୍.ଏଲ୍)ର ମହେନ୍ଦ୍ର ପରିଡ଼ା, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବ ନେତା ବିଜୟ ପରିଡା, ପ୍ରଦୀପ୍ତ ନାୟକ ସମ୍ବଲପୁରରୁ ଗୋବିନ୍ଦ ଅଗ୍ରବାଲା, ଯାଜପୁରରୁ ମନୋରଂଜନ ଜେନା, କେନ୍ଦ୍ରାପଡାରୁ ଭୀମସେନ୍ ପରିଡ଼ା, ତପନ ମିଶ୍ର ଓ ରବି ବେହେରା, ଖୋର୍ଦ୍ଧାରୁ ଧୋବେଇ ସାହୁ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ତଥା ଓଇଆରସିର ଜନ ବିରୋଧି ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଘୋର ବିରୋଧ କରିଥିଲେ | ଫେବୃଆରୀ ୫ ଓ ୬ ଦୁଇଦିନଧରି ଏହି ପ୍ରତିବାଦ ଆନ୍ଦୋଳନ ଚାଲୁ ରହିବ ବୋଲି ସଭା ଶେଷରେ ଅଧ୍ୟକ୍ଷ ଶ୍ରୀ କାନୁନଗୋ ଘୋଷଣଶ କରିବା ସହିତ ଏଥିରେ ଦଳମତ ନିବିର୍ଶେଷରେ ଯୋଗଦେବା ପାଇଁ ରାଜ୍ୟର ସାଧାରଣ ଖାଉଟିମାନଙ୍କୁ ଆହ୍ବାନ ଦେଇଥିଲେ |

Share :