ଚଳେଇହେବ ଫେରୋକ୍ରୋମ କାରଖାନା

ଚଳେଇହେବ ଫେରୋକ୍ରୋମ କାରଖାନା

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେତେବେଳେ ଓଡିଶାରେ ଶିଳ୍ପର ପ୍ରସାର କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସେତେବେଳେ ଯାଜପୁର ରୋଡ଼ ଠାରେ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଇଡକଲ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଫେରୋକ୍ରୋମ କାରଖାନା ଥିଲା ତାଙ୍କର ମାନସ ସନ୍ତାନ। ୧୯୬୮ ମସିହାରେ ଏହା ଉତ୍ପାଦନ ଆରମ୍ଭ କରିଥିଲା। ସେ ସମୟରେ କୋରେଇର ବିଧାୟକ ହିସାବରେ କାରଖାନା ପ୍ରତିଷ୍ଠା ଦିଗରେ ମୁଁ ମଧ୍ୟ ଅନେକ ସହଯୋଗ କରିଥିଲି। ମାତ୍ର ଆଜି ନିଜସ୍ୱ ଖଣି ବନ୍ଦ ହେବା କାରଣରୁ ହେଉ କିମ୍ୱା ପରିଚାଳନା ଗତ ତୃଟି କିମ୍ୱା ଅଧିକାରୀମାନଙ୍କର ଦୁର୍ନୀତି କିମ୍ୱା ବିକ୍ରିମୂଲ୍ୟ ତୁଳନାରେ ଫେରୋକ୍ରୋମ ଉତ୍ପାଦନ ଖର୍ଚ୍ଚ ଅଧିକ ଯେ କୌଣସି କାରଣରୁ ହେଉ କାରଖାନା କ୍ଷତିରେ ଚାଲିଛି। ତେଣୁ କ୍ଷତିର ଆଳ ଦେଖାଇ ଏହାକୁ ବନ୍ଦ କରିଦେବା ପାଇଁ ଏହାର ମୁଖ୍ୟାଳୟରୁ ଇଡି(ଅର୍ଥ) ଗତ ତା.୧୭.୫.୨୦୧୯ରିଖ ଦିନ କାରଖାନା ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଜଣାଇବା ଖୁବ ଦୁଃଖ ଦାୟକ ଏବଂ ଶ୍ରମିକ କର୍ମଚାରୀ ବିରୋଧି। ଶିଳ୍ପ ଉନ୍ନୟନ ନିଗମ(ଇଡକଲ) ଅଧୀନରେ ଥିବା ତଳଙ୍ଗୀ କ୍ରୋମାଇଟ ଖଣି ଦୀର୍ଘ ୨୫ ବର୍ଷ ହେବ ଫେରୋକ୍ରୋମ କାରଖାନାକୁ କଂଚା ମାଲ ଯୋଗାଇ ଦେଉଥିବା ବେଳେ ତଳଙ୍ଗୀ ଏ-ବ୍ଲକର ୧ ନମ୍ୱର କ୍ୱାରୀରେ କ୍ରୋମ ପଥର ଗଛିତ ନଥିବାରୁ ଇଡକଲ କର୍ତ୍ତୃପକ୍ଷ ୧୧.୧୧.୨୦୧୮ ତାରିଖ ଠାରୁ ଏହି ଖଣିର ଖନନ କାର୍ଯ୍ୟ ବନ୍ଦ ରଖିଛନ୍ତି ଏବଂ ଠିକାଦାରକୁ କାର୍ଯ୍ୟରୁ ଅନ୍ତର କରିଛନ୍ତି। ଏହା ପରଠାରୁ ଇଡକଲ କର୍ତ୍ତୃପକ୍ଷ ଓଡିଶା ଖଣି ନିଗମ ଠାରୁ କ୍ରୋମ ପଥର କିଣି ଫେରେକ୍ରୋମ କାରଖାନାକୁ ଚଲାଉଥିବା ବେଳେ ଏବେ ଅନ୍ତର୍ଜାଜାତୀୟ ବଜାରରେ ଫେରୋକ୍ରୋମର ଦର କମ ଥିବାର ଆଳ ଦେଖାଇ କାରଖାନାକୁ ବନ୍ଦ କରିବାର ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏହି କାରଖାନା ଅର୍ଦ୍ଧ ଶତାଦ୍ଦୀ ପୂରଣ କରିଥିଲେ ମଧ୍ୟ ଅନେକ ଘାତ ପ୍ରତିଘାତ ମଧ୍ୟରେ ଏହା ଚାଲି ଆସିଛି। ଅନେକ ସମୟରେ କାରଖାନା ବନ୍ଦ ହେବା କିମ୍ୱା ବିକ୍ରି ହେବାର ଶୁଣା ଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ନିଜର ଶୀର ଉନ୍ନତ କରି ଚାଲିଆସିଛି। ଏକଦା ଏହାକୁ ଯୌ ଉଦ୍ୟୋଗରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏବଂ ଶିଳ୍ପ ବିଭାଗ ଟେଣ୍ଡର କରିଥିଲେ, ଯେଉଁଥିରେ ସେଲ୍‌, ନାଲ୍‌କୋ କିଓସିଏଲ ପ୍ରଭୃତି ଜାତୀୟ ସ୍ତରର ସରକାରୀ ଉଦ୍ୟୋଗ ଆଗ୍ରହ ପ୍ରକାଶ କରି ଲେଟର ଅଫ୍‌ ଇଣ୍ଟେଣ୍ଟ ଦେଇଥିଲେ। ତା’ ଉପରେ ଶିଳ୍ପ ବିଭାଗ ଏବଂ ରାଜ୍ୟ ସରକାର ଅନେକ ଥର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମଧ୍ୟ କରିଛନ୍ତି । ଯୌଥ ଉଦ୍ୟୋଗ ହେଲେ ସେମାନେ ମଧ୍ୟ ଏହି କାରଖାନାରେ ନିଜସ୍ୱ ଅର୍ଥ ବିନିଯୋଗ କରି ଏହାକୁ ଲାଭବାନ କରାଇ ପାରନ୍ତେ। ଯୌଥ ଉଦ୍ୟୋଗ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଏବେ ମଧ୍ୟ ସମୟ ଅଛି। ଏଥିପାଇଁ ଇଡକଲ କର୍ତ୍ତୃପକ୍ଷ ସରକାରଙ୍କ ସହ ଆଲୋଚନା କରି ପଦେକ୍ଷପ ନେଇ ପାରିବେ। ଅପର ପକ୍ଷରେ ଫେରେକ୍ରୋମ କାରଖାନାର ୧୦ କିଲୋ ମିଟର ଦୂରରେ ଥିବା କଳିଙ୍ଗନଗର ଶିଳ୍ପାଂଚଳର ରୋହିତ ଫେରୋଟେକ୍, ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ପ୍ରଭୃତି କାରଖାନାର ନିଜସ୍ୱ ଖଣି ନଥିବା ବେଳେ ସେମାନେ ବାହାରୁ କଂଚାମାଲ କିଣି ନିଜର ଫେରୋକ୍ରେମ କାରଖାନାଗୁଡିକ ଚଳାଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି କାରଖାନା ନ ଚାଲି ପାରିବା ଏବଂ କ୍ଷତି ହେବା ବାସ୍ତବିକ ଆଶ୍ଚର୍ଯ୍ୟପ୍ରଦ। ଅନ୍ୟ ଏକ ବିକଳ୍ପ ଭାବରେ ଶିଳ୍ପ ବିଭାଗ ରାଜ୍ୟ ସରକାରଙ୍କ ଅନ୍ୟ ଏକ ଲାଭଦାୟକ ଉଦ୍ୟୋଗ ଓଡିଶା ଖଣି ନିଗମ, ଯାହା ପାଖରେ ଅନେକ କ୍ରୋମାଇଟ ଖଣି ଉପଲବ୍ଧ, ତାଙ୍କ ସହ ଯୌଥ ଉଦ୍ୟୋଗ କରି ଶସ୍ତାରେ କଂଚାମାଲ କିଣି ନିଜର ସ୍ଥିତି ସୁଧାରି ପାରିବେ। ଇଡକଲର ମଧ୍ୟ ତଳଙ୍ଗୀ ବି ବ୍ଲକର ୩ନଂ କ୍ୱାରୀରେ ଅନେକ କ୍ରୋମାଇଟ ଗଛିତ ଅଛି। ଏହାକୁ ଖୋଲିବା ପାଇଁ ଇଡକଲ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବା ବଦଳରେ କାରଖାନାକୁ ବନ୍ଦ କରିବା ନିଷ୍ପତି ଶ୍ରମିକ ଏବଂ କର୍ମଚାରୀଙ୍କ ପେଟରେ ଲାତ୍ ମାରିବା ସଦୃଶ। ଏହା ଫଳରେ ନିରୀହ ଶ୍ରମିକ ଏବଂ କର୍ମଚାରୀ କର୍ମଚ୍ୟୁତ ହେବେ। ଅବଶ୍ୟ ଏହି ଖଣି ଖୋଲିବାରେ ଏକ ବାଧକ ହେଉଛି ପୁରୁଣା ଖଣିରେ ହୋଇଥିବା ବେଆଇନ ଖନନ ଏବଂ ଅଧିକ ଖନନ ପାଇଁ ସରକାରଙ୍କୁ ଜୋରିମାନା ଦେବା। ତେବେ ଯେଉଁ ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ଏହି ଅନୈତିକ କାର୍ଯ୍ୟ ହୋଇଛି ଏବଂ ଇଡକଲକୁ ଜୋରିମାନା ଦେବାପାଇଁ ପଡୁଛି ସେମାନଙ୍କ ବିରୁଦ୍ଧରେ ଇଡକଲ କର୍ତ୍ତୃପକ୍ଷ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଇ ନିରୀହ କର୍ମଚାରୀଙ୍କର ଜୀବନ ଜୀବିକା ସହ ଖେଳ ଖେଳିବାର କାରଣ କ’ଣ? ଅନ୍ୟ ଏକ ଘଟଣା କ୍ରମେ ତଳଙ୍ଗୀ କ୍ରୋମାଇଟ ଖଣିରେ ଦୀର୍ଘ ୨୫ ବର୍ଷ ହେଲା ଗୋଟିଏ ଠିକାଦାର ପାଖରେ କାମ କରିବା ପରେ ଗତ ନଭେମ୍ୱର ମାସ ୧୧ ତାରିଖ ଦିନ ପାଖାପାଖି ୫୦୦ ଶ୍ରମିକ କର୍ମଚାରୀ ଛଟେଇ ହୋଇଥିଲେ ମଧ୍ୟ ଠିକାଦାର ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଯଥା- ବାକିଆ ଦରମା, ଛୁଟି ପଇସା, ବୋନସ, ଗ୍ରାଚ୍ୟୁଇଟି ଇତ୍ୟାଦି ନଦେବା ବାସ୍ତବିକ ଦୁର୍ଭାଗ୍ୟଜନକ ଏବଂ ଶ୍ରମିକ ଶୋଷଣର ଏକ ନମୁନା। ଏଥିପାଇଁ ଠିକାଦାର ଏବଂ ଇଡକଲ୍ କର୍ତ୍ତୃପକ୍ଷଙ୍କୁ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ପକ୍ଷରୁ ବାରମ୍ୱାର ଜଣାଇଲେ ମଧ୍ୟ ଫଳ କିଛି ହେଉ ନାହିଁ। ଯାହା ଫଳରେ କର୍ମଚ୍ୟୁତ ଶ୍ରମିକ ଏବଂ କର୍ମଚାରୀ ନିଜ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି କିମ୍ୱା ନିଜ ପିଲାଙ୍କର ପାଠ ପଢା, ବିବାହ ଖର୍ଚ୍ଚ ଇତ୍ୟାଦି ତୁଲାଇ ନପାରି ହତାଶ ଭାବରେ ବୁଲୁଛନ୍ତି। ଏଥିପାଇଁ ଇଡକଲ୍ କର୍ତ୍ତୃପକ୍ଷ କାଳ ବିଳମ୍ୱ ନକରି ଠିକାଦାର ଠାରୁ ଶ୍ରମିକ ମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦିଆ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର। ଏ ପରିପ୍ରେକ୍ଷୀରେ ଫେରୋକ୍ରୋମ କାରଖାନା ବନ୍ଦ ହେଲେ ଆହୁରି ପାଂଚ ଶହରୁ ଅଧିକ ଲୋକ ନିଜର ଚାକିରୀ ହରାଇ ଦାଣ୍ଡର ଭିକାରୀ ସାଜିବେ। ତେଣୁ ଇଡକଲ୍ କର୍ତ୍ତୃପକ୍ଷଙ୍କ ପାଖରେ ଫେରୋକ୍ରୋମ କାରଖାନା ଚଳାଇବା ପାଇଁ ଅନେକ ବିକଳ୍ପ ଥିବା ବେଳେ ଶୀର ବିନ୍ଧା ପାଇଁ ଶୀର ଚ୍ଛେଦନ ଭଳି ପଦକ୍ଷେପ ନ ନେଇ ଶ୍ରମିକ କର୍ମଚାରୀ ଏବଂ ସର୍ବୋପରି ଇଡକଲର ଲାଭ ପାଇଁ ପ୍ରଶାସନିକ ସ୍ତରରେ ସଂସ୍କାର ଆଣି ଏବଂ ବିକଳ୍ପ ପଦକ୍ଷେପ ଗ୍ରହଣ କରି ଏହାକୁ ଚଲାଇବା ସହିତ ଏକ ଲାଭଦାୟକ ଉଦ୍ୟୋଗରେ ପରିଣତ କରିବା ପାଇଁ ଉଦ୍ୟମ ହେବା ଦରକାର।

Share :