ସମାଜ କ୍ଷେତ୍ର ପ୍ରତିନିଧି ୨୦୧୬ ମସିହାରେ ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମରେ ୨୩ ଜଣ ଜୁଆଙ୍ଗ ଆଦିବାସୀ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିବା ଘଟଣା ରାଜ୍ୟ ପ୍ରଶାସନକୁ ଦୋହଲେଇ ଦେଇଥିଲା। ସମସ୍ତ ସ୍ତରରେ ସମାଲୋଚନାର ଶିକାର ହେଲା ପରେ ରାଜ୍ୟ ସରକାର ଉକ୍ତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ସହିତ ଜୁଆଙ୍ଗ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏଥିପାଇଁ ହୋଇଥିବା ଖର୍ଚ୍ଚର ପରିମାଣ ସମ୍ପର୍କରେ ସୂଚନା ଆଇନ୍ ଅଧୀନରେ ମଗାଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରଦାନ କରିନଥିଲେ। ଏହା ପରେ ସୂଚନା କମିଶନଙ୍କ ନିର୍ଦ୍ଦେଶ ପରେ ତଥ୍ୟ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଦ୍ୱାରା ନଗଡ଼ାବାସୀ କେତେଦୂର ଉପକୃତ ହୋଇଛନ୍ତି ଏବଂ ଏହିସବୁ ଯୋଜନା ଶିଶୁ ପୁଷ୍ଟିହୀନତାକୁ ରୋକିବାରେ କେତେଦୂର ସାହାଯ୍ୟ କରିଛି, ଏହାର ସ୍ଥିତି ଅନୁଧ୍ୟାନ ପାଇଁ ‘ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ’ର ଏକ ପାଞ୍ଚଜଣିଆ ମନିଟରିଙ୍ଗ ଟିମ୍ ୮.୬.୧୯ ତାରିଖରେ ନଗଡ଼ା ଗ୍ରାମ ଗସ୍ତ କରିଥିଲେ। ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟକୁ ଆଧାର କରି ନଗଡ଼ା ଗ୍ରାମରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟ କାର୍ଯ୍ୟର ଅନୁଧ୍ୟାନ କରାଯାଇଥିଲା। ନିମ୍ନଲିଖିତ ସମସ୍ୟା ମନିଟରିଙ୍ଗ ଟିମ୍ ନଜରକୁ ଆସିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏଥିପାଇଁ ହୋଇଥିବା ଖର୍ଚ୍ଚ ସମ୍ପର୍କିତ ତଥ୍ୟ ୨୦୧୭ ମସିହାରେ ଯାଜପୁର ଜିଲ୍ଲା ପ୍ରଶାସନ ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ତଥ୍ୟ ପ୍ରଦାନ କରିନଥିଲେ। ଏହା ପରେ ସୂଚନା କମିଶନଙ୍କ ନିର୍ଦ୍ଦେଶ ପରେ ଗତ ଏପ୍ରିଲ, ୨୦୧୯ରେ ଯାଜପୁର ଡିଆରଡ଼ିଏ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସୂଚନା ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ନଗଡ଼ା ଗ୍ରାମ ସହିତ ଗୁହିଶାଳ ଏବଂ ତୁମୁନିରେ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୧. ନଗଡ଼ାର ଲୋକମାନେ ଏବେ ବି ଭାତ ଓ ଲୁଣ ହିଁ ସେମାନଙ୍କର ଖାଦ୍ୟ ବୋଲି କହିଥିଲେ। ଅର୍ଥାତ୍ ୨୦୧୬ରେ ଏହି ସ୍ଥିତି ଥିଲା ଯାହାକି ଏବେ ବି ବଳବତ୍ତର ରହିଛି। ୨. ମନିଟରିଙ୍ଗ ଟିମ୍ ୮ଟି ପିଲା ପୁଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ପାଇଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଉପଯୁକ୍ତ ପରିମାଣର ଖାଦ୍ୟ ନ ମିଳିବା, ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ନିୟମିତ ହେଉନଥିବାର ସେମାନେ ଅଭିଯୋଗ କରିଥିଲେ। ୨୦୧୭-୧୮ରେ ୪ଟି ମିନି ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାର ଟିମ୍ ଦେଖିବାକୁ ପାଇଥିଲେ। ଉପର ନଗଡ଼ାରେ ଦ୍ୱାରା ୬,୭୦,୦୦୦.୦୦ ଖର୍ଚ୍ଚ ହୋଇ ଅସ୍ଥାୟୀ ଭାବେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହୋଶଇଥିଲା ବେଳେ ଟାଟା ଷ୍ଟିଲ୍ ଦ୍ୱାରା ନିର୍ମିତ ଅସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ର ଦଳ ନଗଡ଼ାରେ ଚାଲୁଛି। ୩. ନଗଡ଼ା ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ୫୩.୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସୂଚନା ଆରଇନରେ ତଥ୍ୟ ଦେଇଛନ୍ତି। କିନ୍ତୁ କ୍ଷେତ୍ର ଅନୁସନ୍ଧାନରୁ ଜଣା ପଡ଼ିଲା ପାଣି ପାଇପ୍ ୱାଟର ଟ୍ୟାଙ୍କ ସେମିତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୱାଟର ଫିଲ୍ଟରରେ ମହିଳାମାନେ ଚାଉଳ ଏବଂ ଅନ୍ୟାନ୍ୟ ଘରୋଇ ଜିନିଷ ରଖୁଛନ୍ତି। ସମସ୍ତେ ଏବେ ବି ନାଳ ପାଣି ବ୍ୟବହାର କରୁଛନ୍ତି। କୌଣସି ଘରକୁ ପିଇବା ପାଣି ସଂଯୋଗ ନାହିଁ। ୪. ନଗଡ଼ା ଗ୍ରାମରେ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ପ୍ରତ୍ୟେକ ଗ୍ରୁପ୍କୁ ୧୫ ହଜାର ଟଙ୍କା ଦିଆଯାଇଛି। କିନ୍ତୁ ଏହି ଅର୍ଥ କ’ଣ ଖର୍ଚ୍ଚ ହୋଇଛି, କେଉଁଠି ଅଛି, ସେମାନେ ଜାଣିନାହାଁନ୍ତି ବୋଲି କହିଥିଲେ। ସେମାନଙ୍କର ବ୍ୟାଙ୍କ ପାସବୁକ୍, ମିଟିଙ୍ଗ ରେଜିଷ୍ଟର ଜଣେ ‘ସାର୍’ ରଖିଛନ୍ତି ବୋଲି କହିଥିଲେ। ତଳ ନଗଡ଼ାରେ ଦୁଇଟି ତେଜରାତି ଦୋକାନ ପାଇଁ ୧୦,୦୦୦ ଟଙ୍କା ଦିଆଯାଇଥିବାର ସତ୍ୟାସତ୍ୟ ନାହିଁ ବୋଲି ଜଣିବାକୁ ପାଇଥିଲେ। ୫. ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ସରକାରଙ୍କ ତରଫରୁ ୬୫ଟି ପ୍ରୋଜେକ୍ଟ ପାଇଁ ସମୁଦାୟ ୮୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଏହି ତିନିବର୍ଷ ମଧ୍ୟରେ ମାତ୍ର ୪.୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୨୬୫୯ ଦିନ ଶ୍ରମ ଦିବସ ସୃଷ୍ଟି ହୋଇଛି। ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୬. ଗ୍ରାମରେ ସମସ୍ତଙ୍କ ଘର ପାଇଁ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ କରାଯାଇଛି। ପ୍ରତ୍ୟେକ ପାଇଖାନା ପାଇଁ ୨୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରାୟ ୬୦ଟି ପାଇଖାନା ପାଇଁ ପାଇଁ ୧୩.୨୦ ଲକ୍ଷ ଖର୍ଚ୍ଚ ହୋଇଛି। କିନ୍ତୁ ସମସ୍ତ ପାଇଖାନା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କୌଣସି ଜଣେ ବ୍ୟକ୍ତି ପାଇଖାନା ବ୍ୟବହାର କରୁଥିବାର ଦେଖାଗଲା ନାହିଁ। ୭. ଅଶୋକଝର ଠାରୁ ନଗଡ଼ା ପର୍ଯ୍ୟନ୍ତ ପାହାଡ଼ ଅଞ୍ଚଳରେ ସରକାରଙ୍କ ତରଫରୁ ୧୭ କୋଟି ଟଙ୍କା ବିନିଯୋଗରେ ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ବର୍ଷାଦିନେ ରାସ୍ତା ଭୁଷୁଡ଼ି ପଡ଼ିବା ନିଶ୍ଚିତ। ୮. ସୁକିନ୍ଦା ବ୍ଲକ ତରଫରୁ କେବଳ ନଗଡ଼ା ଗ୍ରାମରେ ତିନୋଟି ପଡ଼ାରେ ରାସ୍ତା ନିର୍ମାଣ କାମରେ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବାର ଜଣାପଡ଼ିଛି। ଏହାର ତଦନ୍ତ ହେବା ନିହାତି ଜରୁରୀ ବୋଲି ଅନୁସନ୍ଧାନକାରୀ ଦଳ କହିଛନ୍ତି। ୯. ନଗଡ଼ା ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଦ୍ୟୁତ୍ ଖୁଣ୍ଟି ପୋତାଯାଇଛି, ତାର ଟଣାଯାଇଛି। କିନ୍ତୁ କୌଣସି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। ମେନ୍ ସୁଇଜ୍, ମିଟର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାର ଟିମ୍ ଦେଖିବାକୁ ପାଇଥିଲା। ୧୦. ନଗଡ଼ା ଗ୍ରାମରେ ୬୦ଟି ବିଜୁ ପକ୍କା ଘର ନିର୍ମାଣ କରାଯାଇଛି। ଘରଗୁଡ଼ିକର ସ୍ଥିତି ଅତ୍ୟନ୍ତ ଦୟନୀୟ ଏବଂ ଗୁଣାତ୍ମକ ମାନ ଅତ୍ୟନ୍ତ ଖରାପ ଅଟେ। ଏହି ଗୃହ ନିର୍ମାଣରେ ୧.୩୮ କୋଟି ଖର୍ଚ୍ଚ ହୋଇଛି। ଘର ନିର୍ମାଣରେ ଗୁଣାତ୍ମକ ମାନ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ୧୧. ଜିଲ୍ଲା ପଶୁ ପାଳନ ବିଭାଗ ତରଫରୁ କୁକୁଡ଼ା ଚାଷ ବାବଦରେ ୨୦୧୬-୧୭ରେ ୯୦,୦୦୦ ଟଙ୍କା ଖର୍ଚ୍ଚ କରାଯାଇ ୩ଟି ଡବ୍ଲୁକେଏସ କଲର ବାର୍ଡ଼ ଏବଂ ୨୦୧୭-୧୮ରେ ୪୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ୪ଟି ଡବ୍ଲୁକେଏସ ଓଲ୍ଡ କଲର ବାର୍ଡ଼ସ ନଗଡ଼ାବାସୀଙ୍କୁ ଦିଆଯାଇଛି ବୋଲି ସରକାରୀ ଭାବେ ଦର୍ଶାଯାଇଛି। କିନ୍ତୁ ମନିଟରିଙ୍ଗ ଟିମ୍ ଏପରି କୌଣସି କଲର ବାର୍ଡ଼ ପ୍ରଦାନ କରାଯାଇଥିବାର ଜାଣିବାକୁ ପାଇନଥିଲେ। ଗ୍ରାମବାସୀମାନେ ସେମାନଙ୍କର ଅଜ୍ଞତା ପ୍ରକାଶ କରିଥିଲେ। ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ ତରଫରୁ ନଗଡ଼ା ଗ୍ରାମରେ ଶିଶୁ ପୁଷ୍ଟିହୀନତା ରୋକିବା ସହିତ ଜୁଆଙ୍ଗ ଆଦିବାସୀମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଯଥା ପିଡ଼ିଏସ୍ ହିତାଧିକାରୀଙ୍କୁ ଡାଲି, ପିଆଜ, ଆଳୁ, ତେଲ ଏବଂ ଅଣ୍ଡା ରିହାତି ଦରରେ ନିହାତି ଏକ ବର୍ଷ ପାଇଁ ପ୍ରଦାନ, ଏନ୍ଆରଇଜିଏରେ ବର୍ଷସାରା ଲୋକମାନଙ୍କୁ କାମ ଯୋଗାଇଦେବା, ସମସ୍ତ ପ୍ରକଳ୍ପର କାର୍ଯ୍ୟକାରୀ ଏକ ସ୍ୱାଧୀନ ମନିଟରିଂ ସଂସ୍ଥା ଦ୍ୱାରା ପ୍ରତି ୧୫ ଦିନରେ କରାଇବା, ନଗଡ଼ାକୁ ବିଜୁ ଗାଡ଼ି ମାଗଣାରେ ଚଳାଇବା, ଅଙ୍ଗନବାଡ଼ି ଖାଦ୍ୟ ଠିକ୍ ଭାବେ ପିଲାମାନଙ୍କୁ ଦେବା ଇତ୍ୟାଦି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ ଦୀର୍ଘ ତିନିବର୍ଷ ମଧ୍ୟରେ ନଗଡ଼ା ଶିଶୁଙ୍କ ପୁଷ୍ଟିହୀନତା ରୋକିବାରେ ପ୍ରଶାସନ ବସ୍ତୁତଃ ବିଫଳ ହୋଇଛି। ନଗଡ଼ାବାସୀଙ୍କ ଖାଦ୍ୟ ସୁରକ୍ଷା ଏବେ ବି ବିପନ୍ନ। ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ସଞ୍ଜୟ ସାହୁ, ଜିତେନ୍ଦ୍ର ସାହୁ, ଶ୍ରୀକାନ୍ତ ପାକଳ ପ୍ରମୁଖ ଉପସ୍ଥିତ ଥିଲେ।