ଗୁଟ୍‌ଖା କବଳରେ ଗଂଜାମ

ଗୁଟ୍‌ଖା କବଳରେ ଗଂଜାମ

Share :

ହେମାଙ୍ଗ ପ୍ରସାଦ ରାଉଳ ଦିନକୁ ଦିନ ବ୍ରହ୍ମପୁର ସହରରେ ଗୁଟଖା କାରବାର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଧୀରେ ଧୀରେ ଏହା ସମଗ୍ର ଗଂଜାମ ଜିଲ୍ଳା ତଥା ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରକୁ ବ୍ୟବସାୟୀମାନେ ପଠାଇବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ବ୍ରହ୍ମପୁର ସହରରେ ପ୍ରତ୍ୟେକ ଛୋଟବଡ଼ ପାନଦୋକାନଠାରୁ ଆରମ୍ଭ କରି ତେଜରାତି ଦୋକାନରେ ମଧ୍ୟ ଗୁଟ୍‌ଖା ମାଳ ମାଳ ଝୁଲା ହୋଇଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ କଲେଜ, ମେଡ଼ିକାଲ ସମ୍ମୁଖରେ ମଧ୍ୟ ଗୁଟ୍‌ଖା ବ୍ୟବସାୟ ଖୁଲମଖୁଲା ଚାଲିଥିବା ଦେଖାଯାଉଛି। ଏଠାରେ ସୂଚନାଥାଉକି ତତ୍କାଳୀନ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ମେଡ଼ିକାଲ୍, କଲେଜ ଏବଂ ସ୍କୁଲ ନିକଟରେ ଗୁଟ୍‌ଖା, ସିଗେରାଟ ବିକ୍ରିକୁ ନେଇ କଟକଣା ଜାରି କରିଥିଲେ। କିନ୍ତୁ ସେସବୁ ପାଣିରେ ଗାର ପରି ଅଳ୍ପ ଦିନ ପରେ ଉଭୟେ ଯାଇଥିଲା। କିଛି ଦୋକାନ ଉପରେ ପ୍ରଶାସନ ତରଫରୁ ଚଢ଼ାଉ କରି ଗୁଟ୍‌ଖା ଏବଂ ସିଗାରେଟ୍‌ ଜବତ କରିବା ସହ ଜୋରିମାନା ମଧ୍ୟ ଆଦାୟ ହୋଇଥିଲା। ତଳ ଦିନେ ବଡ଼ବଜାର ଥାନା ଅଂଚଳରେ ଏବଂ ସଦର ଥାନା ଅଂଚଳରେ ଅନେକଗୁଡ଼ିଏ ଗୁଟ୍‌ଖା କାରଖାନା ଉପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ମିଳିତ ସହଯୋଗରେ ଚଢ଼ାଉ ହୋଇ ମେସିନ୍ ଏବଂ ଗୁଟ୍‌ଖା ତିଅରି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଥିଲା। କିଛି ବ୍ୟବସାୟୀଙ୍କୁ ଜେଲ୍ ପଠାଯାଇଥିବା ମଧ୍ୟ ଦୃଷ୍ଟାନ୍ତ ରହିଛି। ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ତଳ ଦିନେ ତତ୍କାଳୀନ ବଡ଼ବଜାର ଥାନାଧିକାରୀ ସୁରେଶ ତ୍ରିପାଠୀ ନୂତନ ଭାବେ ବଡ଼ବଜାର ଥାନାଧିକାରୀ ଭାବେ କାର୍ଯ୍ୟ ସମ୍ଭାଳିଥିବାବେଳେ ଏକରକମ ଅଂଚଳରେ କୋକୁଆ ଭୟ ଖେଳିଯାଇଥିଲା। ବଡ଼ବଜାର ଅଂଚଳରେ ବିଭିନ୍ନ ବ୍ୟବସାୟୀଙ୍କ ଘର ଏବଂ ଗୋଦାମରେ ଚଢ଼ାଉ କରିଥିଲେ। ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ସେ କେବଳ ଗଂଜାମ ଜିଲ୍ଲାରେ ନୁହେଁ, ସମଗ୍ର ଓଡ଼ିଶାରେ ଜଣେ ଦୃଷ୍ଟାନ୍ତମୂଳକ ଅଧିକାରୀଭାବେ ପରିଗଣିତ ହୋଇଥିଲେ। ଜଣେ ଗୁଟଖା ବ୍ୟବସାୟୀ ଲାଞ୍ଚ ଦେବା ପାଇଁ ବଡ଼ବଜାର ଥାନାକୁ ଆସିଥିଲେ। ଯାହାକୁ କି ଥାନାଧିକାରୀ ଅତି ଚତୁରତାର ସହିତ ସେ ବ୍ୟକ୍ତିକୁ ଭିଜିଲାନସ ବିଭାଗକୁ ହସ୍ତାନ୍ତରିତ କରିଥିଲେ। ସମଗ୍ର ଜିଲ୍ଲାରେ ପୋଲିସର ଏହି କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀ ତଥା ସାଧାରଣରେ ଭୂରିଭୂରି ପ୍ରଶଂସା ହୋଇଥିଲା। କିନ୍ତୁ ଠିକ୍ କିଛି ଦିନ ପରେ ବ୍ରହ୍ମପୁର ତଥା ସମଗ୍ର ଜିଲ୍ଲାରେ ଗୁଟ୍‌ଖା ବ୍ୟବସାୟୀମାନେ ଖୁଲମଖୁଲା ବ୍ୟବସାୟ କରିବା ଦେଖିବାକୁ ମିଳୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶା ସରକାର ୨୦୧୩ ମସିହାରୁ ଗୁଟ୍‌ଖା ନିଷେଧ ଆଇନ ଆଣିଥିଲେ। ଗୁଟ୍‌ଖା ତିଆରି, ବିକ୍ରି ଏବଂ ଖାଇବା ଲୋକଙ୍କ ପ୍ରତି ଦଣ୍ଡବିଧାନ ଲାଗୁ ହୋଇଥିଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳିଥିବା ଦେଖିବାକୁ ମିଳିନାହିଁ। ବଡ଼ବଜାର ବ୍ୟବସାୟୀମାନେ କିଭଳି ଆପୋଷ ବୁଝାମଣା କରି ପ୍ରଶାସନର ଦୃଷ୍ଟି ଆଢ଼ୁଅଳରେ ବେଆଇନ ଗୁଟ୍‌ଖା କାରଖାନାମାନ ଚଳାଇଛନ୍ତି ତାହା ତଦନ୍ତ ସାପେକ୍ଷ। ଏଠାରେ ଦେଖିବାକୁ ମିଳିଛି ଯେ କିଛି ବ୍ରହ୍ମପୁରର ବ୍ୟବସାୟୀ ଜିଲ୍ଲା ବାହାର ତଥା କୋରାପୁଟ ଜିଲ୍ଲା ସିମିଳିଗୁଡ଼ା, ଜୟପୁର ଏବଂ ବୋରିଗୁମ୍ମା ଅଂଚଳରେ ବେଆଇନ ଗୁଟ୍ଖା କାରଖାନା କରି କୋଟିପତି ହୋଇଥିବା ଦେଖିବାକୁ ମିଳିଛି। ତଳ ଦିନେ ଜୟପୁର ଟାଉନ୍ ଥାନାଧିକାରୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମଧ୍ୟ କୋରାପୁଟ ଅଂଚଳରେ ଚଢ଼ାଉ କରିଥିଲେ ଏବଂ କିଛି ବ୍ୟବସାୟୀକୁ ଗିରଫ କରିଥିଲେ। ଯେଉଁମାନେ କି ଏହି ବ୍ରହ୍ମପୁର ସହରର ବୋଲି ଜଣାପଡ଼ିଥିଲା। ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଖୋଦ୍ ବଡ଼ବଜାର ଏବଂ ସଦରଥାନା ଅଂଚଳରେ ଅନେକଗୁଡ଼ିଏ ଗୁଟ୍‌ଖା କାରଖାନା ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ପୁଣିଥରେ ସେହି କାରଖାନା ଏବଂ ସେହି ବ୍ୟବସାୟୀମାନେ ବେଆଇନ ଗୁଟ୍‌ଖା କାରବାରରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ବିଭିନ୍ନ ବସ୍‌ ଯୋଗେ ନୂଆ ବସ୍‌ ଷ୍ଟାଣ୍ଡରୁ ଜିଲ୍ଲା ବାହାର ତଥା ରାଜ୍ୟ ବାହାରକୁ ମଧ୍ୟ ଖୁଲମ୍ଖୁଲା ବସ୍ତାବସ୍ତା ଗୁଟ୍‌ଖା ରପ୍ତାନୀ ହେଉଛି। ପ୍ରଶାସନର ଜାଣତରେ ବେଲଗାମ ଭାବେ ଏହି ବ୍ୟବସାୟ ଚାଲିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହି ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ମାଉଥ୍ ରିଫ୍ରେସନ୍ ପ୍ରସ୍ତୁତି ପାଇଁ ଲାଇସେନ୍‌ସ ଆଣି ବେଆଇନ ଗୁଟ୍‌ଖା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ବଡ଼ବଜାର ଅଂଚଳରେ ଘରେ ଘରେ ଏହିପରି ବେଆଇନ ଗୁଟ୍‌ଖା କାରଖାନା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜିଲ୍ଳା ପ୍ରଶାସନ, ପୋଲିସ୍ ଏବଂ ଅବକାରୀ ଓ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁରୁତର ଭାବେ ଗ୍ରହଣ କରି ପୁଣିଥରେ ଗୁଟ୍‌ଖା କାରଖାନା ଏବଂ ଦୋକାନମାନଙ୍କରେ ଚଢ଼ାଉ କରିବାକୁ ସହରର ବୁଦ୍ଧିଜୀବୀ ତଥା ସାଧାରଣରେ ଦାବି ହେଉଛି।

Share :