ଏହାର ଅନ୍ତ କେବେ?

ଏହାର ଅନ୍ତ କେବେ?

ଡ଼ଃ ରିନା ରାଉତରାୟ ମୁଁ ଛୋଟବେଳୁ ଦେଖି ଆସିଛି ବୋଉ ମୋର ସବୁଦିନ କାମସାରି ଖରାବେଳେ ଗଡ଼ପଡ଼ ହେଲାବେଳେ ଖବରକାଗଜ ନିଶ୍ଚୟ ପଢିବ। କଲେଜରେ ପଢୁଥିଲା ବେଳେ ଖରାଛୁଟିରେ ଘରେ ଥାଏ। ସବୁଦିନ ପରି ବୋଉ ଖଟ ଉପରେ ଶୋଇ ଖବରକାଗଜ ପଢୁଥାଏ ଆଉ ମୁଁ ଝରକା ପାଖ ଚେୟାରରେ ବସି କ’ଣ ଗୋଟେ ଗପ ବହି ପଢୁଥାଏ। ମଝିରେ ହଠାତ ବୋଉ ଆଡ଼େ ଅନେଇଲା ବେଳକୁ ଦେଖେ ବୋଉ ମୁହଁ ଉପରେ ଖବରକାଗଜ ଢାଙ୍କି ଦେଇଛି। ଭାବିଲି ବୋଉ ବୋଧେ ଶୋଇପଡିଛି। ପାଖକୁ ଯାଇ ପେପରଟା ତା ମୁହଁ ଉପରୁ କାଢ଼ିଲା ବେଳକୁ ଦେଖିଲି କଇଁକଇଁ ହୋଇ କାନ୍ଦୁଛି ବୋଉ। ବ୍ୟସ୍ତ ହୋଇ ପଡି ପଚାରିଲି, କ’ଣ ହେଲା ବୋଉ କାହିଁକି କାନ୍ଦୁଛୁ? ସେ କହିଲା, ନା ଏଇ ଖବରକାଗଜରେ ବାହାରିଛି ପୁଅଟିଏ ପେନସନ ପଇସା ନେବାକୁ ବୁଢୀମାଆକୁ ବାଡ଼େଇ ବାଡ଼େଇ ଗୋଡ଼ ଭାଙ୍ଗି ଦେଇଛି। ଭାରି କଷ୍ଟ ଲାଗିଲା। ବାପା ଚାଲିଗଲା ପରେ ମୋତେ ପେନସନ ପଇସା ପାଇଁ ସେମିତି କରିବେନି ତ ? ହତବାକ ହେଇଗଲି ମୁଁ ତା’ କଥା ଶୁଣି। ମନ ଭିତରେ ବହୁତ କଷ୍ଟ ହେଲେ ମଧ୍ୟ ଚାପି ରଖି ହସି ହସି ତା କୋଳ ପାଖରେ ବସି ତାକୁ କୋଳେଇ ନେଇ କହିଲି, ତୁ ଏଇ କଥା ଭାବି କାନ୍ଦୁଛୁ! ସେମିତି କାହିଁକି ହେବ? କାହାର ଏତେ ସାହସ ଅଛି ମ ତୋତେ ଏମିତି କରିବ! ଆମେ ସବୁ କୁଆଡ଼େ ଯିବୁ କି? ଧୀରେ ଧୀରେ ସମୟ ଗଡ଼ି ଚାଲେ। ଏ ଭିତରେ ମୁଁ ମଧ୍ୟ ସଂସାର କରି ପୁଅର ମାଆ ହୋଇ ସାରିଲିଣି। ବୋଉ ମଧ୍ୟ ଧୀରେ ଧୀରେ ବୟସର ଅପରାହ୍ନରେ ପହଞ୍ଚି ସାରିଥିଲା। ତେବେ ବୋଉ ମଝିରେ ମଝିରେ କୁହେ, ମୁଁ ସବୁବେଳେ ଠାକୁରଙ୍କୁ ଡାକୁଛି ବାପାଙ୍କ ଆଗରୁ ମୋତେ ନେଇ ଯିବାକୁ। ମୁଁ ବୁଝିପାରେ ସିଏ ଯେ ଅହ୍ୟ ସୁଲକ୍ଷଣି ହୋଇ ମରିବ ସେ କଥା ନୁହେଁ ଖବର କାଗଜରେ ପଢିଥିବା ଘଟଣା ଭୟରେ ସେ ଏ କଥା କହୁଛି। ସତକୁ ସତ ବାପା ଥାଉ ଥାଉ ବୋଉର ଦେହାନ୍ତ ହେଲା। ଆଉ ବାପା ଯେପରି ଜଗିକି ବସିଥିଲେ ବୋଉକୁ ସ୍ଵର୍ଗଦ୍ୱାର ପଠେଇ ତାଙ୍କ କର୍ତ୍ତବ୍ୟ ସାରିକି ଯିବେ ସେମିତି ବୋଉ ଯିବାର ଠିକ ଦେଢ଼ ବର୍ଷପରେ ବାପା ମଧ୍ୟ ଚାଲିଗଲେ। ଆଉ ଗତ ୩୦ ବର୍ଷ ତଳେ ଖବରକାଗଜରେ ବାହାରିଥିବା ପୁଅର ମାଆ ପ୍ରତି ନିର୍ମମ ଅତ୍ୟାଚାର ପ୍ରତିଦିନର ଘଟଣାରେ ଆଜି ମଧ୍ୟ ଖବରକାଗଜରେ ବାହାରିଚାଲିଛି। ଏମିତି କେତେ ମାଆ କଇଁ କଇଁ ହୋଇ କାନ୍ଦୁଛନ୍ତି ଆଉ କେତେ ମାଆ ଅସହାୟ ଆଖିରେ କାହାର ସାହାରା ଖୋଜୁଛନ୍ତି। ଏହାର କ’ଣ ଅନ୍ତ ନାହିଁ ? ମୋ-୯୪୩୮୨୭୨୧୫୨

Share :