ନୁଖୁରା ରାଜ୍ୟର ତେଲ କାରବାର

ନୁଖୁରା ରାଜ୍ୟର ତେଲ କାରବାର

Share :

ପଞ୍ଚାନନ କାନୁନଗୋ ଆମ ସାଂସ୍କୃତିକ ପରମ୍ପରା ପ୍ରମାଣ କରେ ଯେ ତେଲ-ହଳଦୀର ରାଜ୍ଯ ଭାବେ ଓଡ଼ିଶା ପ୍ରସିଦ୍ଧ ଥିଲା | ତେଲ ଖାଦ୍ୟ ପ୍ରସ୍ତୁତିରେ ଯେପରି ଲାଗିଥାଏ, ଶରୀର ଚର୍ଯ୍ଯାରେ ସେହିପରି ଲାଗିଥାଏ | ଅଧିକନ୍ତୁ ବିଭିନ୍ନ ଔଷଧ ପ୍ରସ୍ତୁତି ଓ ଜାଳେଣୀ ଭାବେ ବ୍ଯବହୃତ ହୁଏ | ସୋରିଷ, ଚିନାବାଦାମ, ନଡ଼ିଆ, ଅଳସୀ, ସୋୟାବିନ୍ ଆଦି ଖାଇବା ତେଲ ଭାବେ ଲାଗିଥିବାବେଳେ ସୋରିଷ, ନଡ଼ିଆ, ରାଶିତେଲ ଆଦି ଦେହ ଲଗାଇବା ତେଲ ଭାବେ, କରଞ୍ଜ, ନିମ, ଶାଳମଞ୍ଜି ତେଲ, ଭୃଙ୍ଗରାଜ ତେଲ ପ୍ରଭୃତି ଔଷଧୀୟ ତେଲ, ଆୟୁର୍ବେଦୀୟ ତୈଳ ପ୍ରସ୍ତୁତିରେ ଲାଗେ ଓ ପୋଲାଙ୍ଗ, ଗବତେଲ ଆଦି ଜାଳେଣି ତେଲ ଭାବେ ବ୍ଯବହୃତ ହୋଇଥାଏ | ଏ ସମସ୍ତ ପ୍ରକାର ତେଲରୁ ଅନେକ ଚାଷ କରାଯାଇଥାଏ ଓ କେତେକ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ| ସମସ୍ତ ରାନ୍ଧଣା ଏବଂ ଶରୀର ମାର୍ଜନା ପାଇଁ ସୋରିଷ ତେଲର ବ୍ଯବହାର ଖୁବ୍ ପୁରାତନ କାଳରୁ ଓଡ଼ିଶାରେ ବ୍ଯବହାର ହୋଇ ଆସିଛି | ସୋରିଷ ତେଲର ବ୍ଯବହାର ଯେହେତୁ ଅଧିକ, ରାଜ୍ଯରେ ସୋରିଷ ଚାଷ ଉପରେ ଗୁରୁତ୍ବ ଦିଆଯାଇ ଆସିଥାଏ |ସୋରିଷ ପରେ ଅନ୍ଯ ଏକ ବ୍ଯବହାର୍ଯ୍ୟ ତୈଳ ହେଉଛି ନଡ଼ିଆ|  ଅବଶ୍ଯ କେରଳ ପରି ରୋଷେଇ କାର୍ଯ୍ୟରେ ନଡ଼ିଆ ତେଲ ଓଡ଼ିଶାରେ ବ୍ଯବହାର ହୋଇ ନଥାଏ | ଅଳସୀ ତେଲ ମଧ୍ୟ ରୋଷେଇରେ ବ୍ଯବହାର ହୋଇଥାଏ| ରାଶି ତେଲ, ଜଡ଼ା ତେଲ ବା ପୋଲାଙ୍ଗ ତେଲ ଆଲୋକ ବା ବତୀର ଜାଳେଣୀ ତେଲ ଭାବେ ଦୀପ, ଡିବିରିରେ ବ୍ଯବହାର ହୋଇଥାଏ | ରାଜ୍ଯରେ ମାଟିତେଲ ବା କିରୋସିନି ତେଲ ବ୍ଯବହାର ପୂର୍ବରୁ ଆଲୋକର ଜାଳେଣୀ ଭାବେ ପୋଲାଙ୍ଗ ତେଲ, ରାଶି ତେଲ ଓ ଜଡ଼ାତେଲ ବ୍ଯବହାର ହେଉଥିଲା | ଏବେ ଆଲୁଅ ତେଲର ଆବଶ୍ଯକତା ଆଦୌ ନାହିଁ କହିଲେ ଚଳେ| କିନ୍ତୁ ଖାଇବା ତେଲର ବ୍ଯବହାର ବୃଦ୍ଧି ପାଇବାରେ ଲାଗିଛି|  ଏଥିରେ ଅନେକ କିସମର ତେଲ ଯଥା ବାଦାମ ତେଲ, ରିଫାଇନ୍ ତେଲର ବ୍ଯବହାର ଅଧିକ ବଢ଼ିଥିବାବେଳେ ସୋରିଷ ତେଲର ବ୍ଯବହାର କମିଛି | ଭେଜିଟେବଲ ଅଏଲ ଏବଂ ଡାଲଡ଼ା ପ୍ରଭୃତି ଘିଅର ପ୍ରଚଳନ ମଧ୍ୟ ବହୁଳ ଭାବରେ ହେବାରେ ଦେଖାଯାଉଛି| ସରକାରୀ ଭାବେ କରାଯାଇଥିବା ଆକଳନ ଅନୁଯାୟୀ ପ୍ରତ୍ଯେକ ବୟସ୍କଙ୍କ ପାଇଁ ଦିନକୁ ଯେଉଁ ପରିମାଣର ଖାଇବା ତେଲ ଆବଶ୍ଯକ ହୋଇଥାଏ | ସେଥିପାଇଁ ତୈଳବୀଜ ୪୫ ଗ୍ରାମ ଦରକାର ହୋଇଥାଏ | ଏହି ହିସାବରେ ୨୦୦୧-୦୨ ମସିହାରେ ୧୮.୪୮ ଲକ୍ଷ ମେଟ୍ରିକ ଟନ୍ ତୈଳବୀଜ ଆବଶ୍ଯକତା ଥିବାବେଳେ ୨୦୧୨-୧୩ ବର୍ଷକୁ ଏହି ଆବଶ୍ଯକତା ୨୧.୩୫ ଲକ୍ଷ ଟନକୁ ବୃଦ୍ଧି ପାଇଥିଲା | ଏହି ସମୟରେ ଯଥାକ୍ରମେ ଉତ୍ପାଦନ ୫.୪ ଲକ୍ଷ ମେଟ୍ରିକ୍ ଟନ୍ ଓ ୬.୬୪ ଲକ୍ଷ ମେଟ୍ରିକ ଟନ୍ ହୋଇଥିଲା | ମୁଖ୍ଯତଃ ସୋରିଷ ଫସଲ ପାଇଁ ଓଡ଼ିଶାର ଜଳବାୟୁ ଓ ମୃତ୍ତିକା ଅନୁକୁଳ ହେତୁ ରବି ଋତୁରେ ସର୍ବତ୍ର ସୋରିଷ କିଆରୀର ଶୋଭା ଦେଖାଯାଇଥାଏ | କିନ୍ତୁ ଗଜପତି, ବ୍ରହ୍ମପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ଗୁଣୁପୁର, ବାଲେଶ୍ବର, ଉଦ୍ରକ ଆଦି ଜିଲାର ସୋରିଷ କିଆରୀରେ ଅଧିକ ଭାବେ ହଳଦୀଫୁଲର ଲହର ବେଶ ଚମତ୍କାର ଦୃଶ୍ଯ ସୃଷ୍ଟି କରିଥାଏ | ଅନ୍ଯ ଏକ ଫସଲ, ଯଥା- କୋଳଥ ସହିତ ବିରି ହୋଇଥାଏ | କୃଷି ବିଭାଗ ପ୍ରଦତ୍ତ ଏକ ହିସାବରୁ ଜଣାଯାଏ ହେକ୍ଟର ପିଛା ୪୨୨ କି.ଗ୍ରା. ଉତ୍ପାଦନ ହୋଇଥିବା ବେଳେ ମୋଟ ଉତ୍ପାଦନ ୨୦୧୨-୧୩ ବର୍ଷ ୪୯.୧୧ ହଜାର ମେଟ୍ରିକ୍ ଟନ୍ ହୋଇଥିଲା | ସେହିବର୍ଷ ହେକ୍ଟର ପିଛା ଉତ୍ପାଦନ ବାଲେଶ୍ବରରେ ୫୧୨ କି.ଗ୍ରା, ଭଦ୍ରକରେ ୬୪୦ କି.ଗ୍ରା, ବଲାଙ୍ଗୀରରେ ୫୪୨ କି.ଗ୍ରା., କଳାହାଣ୍ଡିରେ ୫୩୦ କି.ଗ୍ରା, ନବରଙ୍ଗପୁରରେ ୫୨୩ କି.ଗ୍ରା. ଓ ଗଂଜାମରେ ୪୮୦ କି.ଗ୍ରା. ହୋଇଥିଲା | ଏହିସବୁ ଜିଲ୍ଲାର ଉତ୍ପାଦିକା ହାରଠାରୁ ଅନେକ ରାଜ୍ଯର ହାରାହାରି ଉତ୍ପାଦିକା ହାର ଖୁବ୍ ଅଧିକ | ବିହାରରେ ପାଖାପାଖି ୧୦୦୦ କି.ଗ୍ରା. ଗୁଜୁରାଟରେ ୧୫୦୦୦ କି.ଗ୍ରା., ହରିୟାନାରେ ୧୨୦୦ କି.ଗ୍ରା., ମଧ୍ୟ ପ୍ରଦେଶରେ ୧୦୦୦ କି.ଗ୍ରା, ପଂଜାବରେ ୧୨୦୦ କି.ଗ୍ରା. ଓ ପଶ୍ଚିମବଙ୍ଗରେ ୮୦୦ କି.ଗ୍ରା. ହେକ୍ଟର ପିଛା ଉତ୍ପାଦନ ହୋଇଥାଏ | ସୋରିଷ ଉତ୍ପାଦନ ନିମନ୍ତେ ଅନୁକୁଳ ପରିସ୍ଥିତି, ଜଳବାୟୁ ଥିବା ସତ୍ତ୍ବେ ଏହାର ଉତ୍ପାଦନ, ଉତ୍ପାଦିକା ହାର ଓ ଚାପ କାହିଁକି କମିଲା ତାହା ହିଁ ବିଚାରର ବିଷୟ | ୧୯୮୦-୮୧ରେ ୧୬୨ ହଜାର ହେକ୍ଟର ଜମିରେ ଚାଷ ହେଉଥିବାବେଳେ ୨୦୦୭-୦୮ ବର୍ଷକୁ ଏହା କମି ଆସି ମାତ୍ର ୧୫.୯ ହଜାର ହେକ୍ଟରରେ ଚାଷ ହେଲା ଏବଂ ଅବଶ୍ଯ ପରବର୍ତ୍ତୀ ଅବସ୍ଥାରେ ୨୦୧୨-୧୩ ବର୍ଷକୁ ଏହି ଚାଷ ୧୧୬.୩୭ ହଜାର ହେକ୍ଟରକୁ ବୃଦ୍ଧି ପାଇଥିଲା | ଚାଷୀମାନଙ୍କୁ ପ୍ରୋତ୍ସାହନ କେବଳ ନୁହେଁ, ଉତ୍ପାଦିକା ହାର ବୃଦ୍ଧି ଓ ଉପଯୁକ୍ତ ମୂଲ୍ଯଦେଇ ସମବାୟ ସଂସ୍ଥା ଦ୍ବାରା ଫସଲ ସଂଗ୍ରହ କରିବାର ବ୍ଯବସ୍ଥା କରାଯାଇଥିଲେ ଫସଲର ବିପର୍ଯ୍ଯୟ ଦେଖାଯାଇ ନଥାନ୍ତା | ଓଡ଼ିଶାରେ ସୋରିଷ ଚାଷ ସାଙ୍ଗକୁ ଚିନାବାଦମ ଚାଷ ରବି ଋତୁରେ ଓ ଅଳ୍ପକରି ଚାଷ ଖରିଫ୍ ଋତୁରେ ହୋଇଥାଏ| ଚିନାବାଦାମ ଚାଷରେ ଅଗ୍ରଣୀ ରାଜ୍ଯଭାବେ ବିବେଚିତ ଛତିଶଗଡ଼ର ହେକ୍ଟର ପିଛା ଗତ ୧୦ ବର୍ଷର ହିସାବ ନେଲେ ୧୨୦୦ରୁ ୧୩୦୦ କି.ଗ୍ରା. ଫଳିଥିବାର ଦେଖା ଯାଇଥାଏ | ଗୁଜୁରାଟରେ ସେହି ସମୟରେ ହାରାହାରି ୧୫୦୦ କି.ଗ୍ରା. ହୋଇଛି | ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରେ ୧୦୦୦ କି.ଗ୍ରା. ହୋଇଛି | ତାମିଲନାଡ଼ୁରେ ହାରାହାରି ୧୮୦୦ କି.ଗ୍ରା. ଓ ପଶ୍ଚିମ ବଙ୍ଗରେ ୧୮୦୦ କି.ଗ୍ରା. ହୋଇଥିବାବେଳେ ଓଡ଼ିଶାରେ ହେକ୍ଟର ପିଛା ଗତ ୧୦ ବର୍ଷରେ ୧୨୦୦ କି.ଗ୍ରା. ହୋଇଛି | ଓଡ଼ିଶାରେ ଗୋଟିଏ ଗୋଟିଏ ବର୍ଷ ଏହି ଉତ୍ପାଦନ ହେକ୍ଟର ପିଛା ୧୪୦୦ କି.ଗ୍ରା.ରୁ ଅଧିକ ହୋଇଥିବା ଦେଖା ଯାଇଛି | ୧୯୮୫-୮୬ ବର୍ଷରେ ଏହି ହାର ୧୪୧୭ କି.ଗ୍ରା., ୧୯୮୬-୮୭ରେ ୧୪୨୪ କି.ଗ୍ରା., ୧୯୮୭-୮୮ରେ ୧୪୦୧ କିଲୋଗ୍ରାମ ଥିବାବେଳେ ୨୦୦୩-୦୪ ବର୍ଷଠାରୁ ଏହା କମିଆସି 1200 କି.ଗ୍ରା. ପାଖାପାଖି ରହିଲା | ଗତ ୨୦୧୨-୧୩ ବର୍ଷରେ ଏହି ହାର ପୁନଶ୍ଚ ବୃଦ୍ଧିପାଇ ୧୭୭୪ କି.ଗ୍ରା. ହୋଇଛି | ରବି ଋତୁରେ ଚିନାବାଦାମ ଚାଷ ଭଲ ହୋଇଥାଏ ଓ ଉତ୍ପାଦନ ମଧ୍ୟ ଅଧିକ ଥାଏ | ୨୦୧୨-୧୩ ବର୍ଷ ହେକ୍ଟର ପିଛା ଉତ୍ପାଦନ ୧୯୨୪ କି.ଗ୍ରା. ଥିବା ସରକାରୀ ଭାବେ କୁହାଯାଇଛି ଓ ଖରିଫ ଋତୁରେ ହେକ୍ଟର ପିଛା ଉପତ୍ାଦନ ହାର ୧୪୬୦ କି.ଗ୍ରା. ରହିଛି| ଏଥିପାଇଁ ଜଳସେଚନର ବ୍ଯବସ୍ଥା ବେଶୀ ଦରକାର ନାହିଁ| କେବଳ  ସିଞ୍ଚନ ପାଣିର ଆବଶ୍ଯକତା ଅଛି | ଏହା ପ୍ରମାଣ କରୁଛି ଚିନାବାଦାମ ଉତ୍ପାଦନ ପାଇଁ ଓଡ଼ିଶା ମାଟି ଓ ଜଳବାୟୁ ଅତ୍ଯନ୍ତ ଅନୁକୁଳ | ଗୋଟିଏ ଗୋଟିଏ ଜିଲ୍ଲାରେ ରବି ଋତୁରେ ହେକ୍ଟର ପିଛା ପାଖାପାଖି ୧୨୦୦ କି.ଗ୍ରା. ଉତ୍ପାଦନ ହୋଇଥାଏ | ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ବର, ଭଦ୍ରକ, ସୁବର୍ଣ୍ଣପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ, କଳାହାଣ୍ଡି, ପୁରି ଆଦି ଜିଲ୍ଲା ରହିଛି | ଏତେ ଭଲ ଉତ୍ପାଦିକା ଶକ୍ତି ଥାଇ ଓଡ଼ିଶାରେ ଚିନାବାଦାମ ଚାଷ ଓ ଉତ୍ପାଦନ ସେପରି ଅଗ୍ରଗତି ଘଟି ନଥାଏ | ଅଶୀ ଦଶକରେ ପାଖାପାଖି ୩୦୦ ହଜାର ହେକ୍ଟର ଜମି ଚାଷ ହୋଇଥିବାବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ଚାଷ ପରିମାଣ ୧୦୦ ହଜାର ହେକ୍ଟର ତଳକୁ ଖସିଗଲା | ଏହା କିପରି ଓ କାହିଁକି ହେଲା ? ଅନ୍ଯ ରାଜ୍ଯ ମାନଙ୍କରେ ଉତ୍ପାଦନ ବୃଦ୍ଧି ଘଟୁଥିବାବେଳେ ଓଡ଼ିଶାରେ ଭଲ ଉତ୍ପାଦିକା ଶକ୍ତି ଥାଇ ମଧ୍ୟ ଉତ୍ପାଦନ ୫୦୦ ହଜାର ଟନରୁ ୧୦୦ ହଜାର ଟନକୁ ଖସି ଆସିଲା | ଚାଷୀର ଏ ଦିଗରେ ଆଗ୍ରହ କମିଲା କାହିଁକି ? ସେ ସଂପର୍କରେ କେହି କେବେ ଭାବିଛନ୍ତି କି ? ଚିନାବାଦାମ ଏବଂ ତେଲର ବଜାର କେବେ ହେଲେ କମିନାହିଁ, ବରଂ ବଢ଼ିବାରେ ଲାଗିଛି | ଦର ମଧ୍ୟ କମୁନାହିଁ | ଏସବୁକୁ ଲକ୍ଷ୍ୟକରି ଚିନାବାଦାମ ଚାଷକୁ କରାଯାଇଥିବା ଅବହେଳା ସବୁର କାରଣ ନିର୍ଣ୍ଣୟ ହେବା ଦରକାର | ରାଜ୍ଯର ଖାଇବା ତେଲଭାବେ ସୂର୍ଯ୍ଯମୁଖୀ ତେଲର ଆବଶ୍ଯକତା ବୃଦ୍ଧି ପାଇଛି | ସୂର୍ଯ୍ଯମୁଖୀରୁ ପ୍ରସ୍ତୁତ ତେଲ ମୁଖ୍ୟ ଖାଇବା ତେଲରେ ପରିଣତ ହୋଇଛି | ଏହାର ଆବଶ୍ଯକତା ବୃଦ୍ଧି ପାଇବାରେ ଲାଗିଛି | ସୂର୍ଯ୍ଯମୁଖି ଫୁଲ ଚାଷ ଉଭୟ ଖରିଫ ଓ ରବି ଋତୁରେ ହୋଇଥିଲେ ମଧ୍ୟ ଶୀତଦିନେ ଓ ଖରାଦିନେ ଚାଷର ବହୁଳତା ଦେଖିବାକୁ ମିଳିଥାଏ | ଖରିଫ୍ ଋତୁର ଅନୁଗୁଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମୟୂରଭଂଜ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ଚାଷ ହୋଇଥିବା ଦେଖାଯାଏ | ହେଲେ ଏହା କାଁ ଭାଁ ହୋଇଥାଏ | ୨୦୧୨-୧୩ ରବିଋତୁରେ ୨୬ ହଜାର ହେକ୍ଟର ଜମିରେ ଚାଷ ହୋଇଥିଲା | ଉତ୍ପାଦନ ସେହିବର୍ଷ ହେକ୍ଟର ପିଛା ୧୧୯୮ କି.ଗ୍ରା. ଥିଲା | ଉତ୍ପାଦିକା ହାର ଅଧିକ ଥିବା ଜିଲାମାନଙ୍କ ମଧ୍ୟରେ କଳାହାଣ୍ଡି, ଭଦ୍ରକ, ବଲାଙ୍ଗୀର, ଗଜପତି, କଳାହାଣ୍ଡି, କେଉଁଝର, ରାୟଗଡ଼ା ଆଦି ଆଗୁଆ | ଏହି ତୈଳବୀଜର ଉତ୍ପାଦନ ୨୦୦୦ ମସିହାର କର୍ଣ୍ଣାଟକ, ଆନ୍ଧ୍ରରେ ଯଥାକ୍ରମେ ୨୩୧ ହଜାର ମେଟ୍ରିକ୍ ଟନ୍ ଓ ୧୬୮ ହଜାର ମେଟ୍ରିକ ଟନକୁ ବୃଦ୍ଧିପାଇ ୨୦୦୭-୦୮ ବର୍ଷରେ ୫୮୬ ହଜାର ମେଟ୍ରିକ୍ ଟନ୍ ଓ ୪୩୭ ହଜାର ମେଟ୍ରିକ୍ ଟନରେ ପହଂଚିଥିବା ବେଳେ ଓଡ଼ିଶାରେ ମାତ୍ର ୧୯ ହଜାର ଟନରେ ସିମୀତ ଥିଲା | ୨୦୧୨-୧୩ ବେଳକୁ ଉତ୍ପାଦନ ବୃଦ୍ଧିପାଇ ୩୧ ହଜାର ମେଟ୍ରିକ ଟନ୍ ଥିଲା | ସେହି ସମୟ ବେଳକୁ ଉଭୟ କର୍ଣ୍ଣାଟକ ଓ ଆନ୍ଧ୍ରରେ ଏହାର କ୍ଷିପ୍ରବୃଦ୍ଧି ଘଟି 800 ହଜାର ମେଟ୍ରିକ୍ ଟନରେ ପହଂଚିଥିଲା | ଆନ୍ଧ୍ରରେ ହେକ୍ଟର ପିଛା ଉତ୍ପାଦିକା ହାର ଏବେବି ହେକ୍ଟର ପିଛା ୧୦୦୦ କି.ଗ୍ରା.ରୁ କମ୍ ଅଛି| ସେହିପରି କର୍ଣ୍ଣାଟକରେ ଉତ୍ପାଦନ ହାର ହେକ୍ଟର ପିଛା ୬୦୦ କି.ଗ୍ରା. ତଳେ ଅଛି, ଅଥଚ ଓଡ଼ିଶାର ଉତ୍ପାଦିକା ହାର ୧୨୦୦ କି.ଗ୍ରା.ରୁ ଅଧିକ | ତେବେ କାହିଁକି ଏ ଚାଷ ଅଧିକରୁ ଅଧିକ ହେଲାନାହିଁ ? ଏହାର କାରଣ କ’ଣ ସରକାର ବା କୃଷି ବୈଜ୍ଞାନିକମାନେ କେବେ ଅନୁଧ୍ୟାନ କରିଛନ୍ତି କି ? ଖାଇବା ତେଲ ଭାବେ ରାଶୀ ତେଲ ମଧ୍ୟ ବ୍ଯବହୃତ ହୋଇଥାଏ | ଏହାର ଉତ୍ପାଦନ ରାଜ୍ଯରେ ସେପରି ଉତ୍ସାହପ୍ରଦ ନୁହେଁ | ଅନ୍ଯାନ୍ଯ ବ୍ଯବହାରକାରୀ ତେଲ ମଧ୍ୟରେ ନଡ଼ିଆ ତେଲ ରହିଛି | ଏହାର ଉତ୍ପାଦନ ଓ ଉତ୍ପାଦିକା ହାର ଦୃଷ୍ଟିରୁ ଓଡ଼ିଶା  ଗୋଟିଏ ବଡ଼ ରପ୍ତାନକାରୀ ରାଜ୍ଯଭାବେ ଉଭା ହେବା କଥା | ହେଲେ ଦୁଃଖର ବିଷୟ, ନଡ଼ିଆ ଉତ୍ପାଦନ ପାଇଁ ରାଜ୍ୟରେ ଯଥେଷ୍ଟ ଅନୁକୁଳ ବାତାବରଣ ଥିଲେ ମଧ୍ୟ ଏହାର ଉତ୍ପାଦନ କମିବାରେ ଲାଗିଛି | ୧୯୯୭-୯୮ ବର୍ଷରେ ୪୧୩ ନିୟୁତ ନଡ଼ିଆ ମିଳିଥିବାବେଳେ ୧୯୯୮-୯୯ ବର୍ଷରେ ୭୯୫ ନିୟୁତ ମିଳିଥିଲା| ଅବଶ୍ଯ ଯୁକ୍ତି କରାଯାଇଥାଏ ୧୯୯୮-୯୯ ମହାବାତ୍ଯାର ବର୍ଷ ହୋଇଥିବାରୁ ଏପରି ଅଧିକ ନଡ଼ିଆ ଅକାଳରେ ଝଡ଼ି ପଡ଼ିଥିଲା | ତେବେ ୨୦୦୧-୦୨ ବର୍ଷ ୨୦୮.୨ ନିୟୁତ ଗୋଟା ଆଦାୟ ହୋଇଥିବାବେଳେ ଏହା ୨୦୦୮-୦୯ ବର୍ଷ କମି ଆସି ୧୮୯.୮ ନିୟୁତ ସଂଖ୍ଯା ହେଲା କାହିଁକି ? ବାତ୍ଯା ପୂର୍ବବର୍ଷ ୧୯୯୭-୯୮ରେ ହୋଇଥିବା ଆମଦାନୀକୁ ୨୦୧୫ ବର୍ଷର ନଡ଼ିଆ ଉତ୍ପାଦନ ଛୁଇଁଲା ନାହିଁ କାହିଁକି ? ଏ ସଂପର୍କରେ କି ଉତ୍ତର ରହିବ ? ବାତ୍ଯା ହେବାର ୧୬  ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି | ବାତ୍ଯାରେ ଉଜୁଡ଼ିଥିବା  ଫସଲ କ’ଣ ସଜଡ଼ା ଯାଇ ପାରିଲା ନାହିଁ | ନଡ଼ିଆ ଚାଷରେ ଆଠ ଦଶ ବର୍ଷରେ ଭଲ ଫସଲ ଆସିଥାନ୍ତା | ନଡ଼ିଆର ଆବଶ୍ଯକତା ଯେତିକି ତା’ ଠାରୁ ଅଧିକ ଆବଶ୍ଯକ ପଇଡ଼ | କୃଷି ଗବେଷକ ଗଣନାକାରୀମାନେ ନଡ଼ିଆ ସହିତ ପଇଡ଼ ମିଶାଇ ଗଣନା କରି ନଥିଲେ ଏହି ବିସମ୍ବାଦଟିର ଉତ୍ତର ଖୋଜି ପାଇବା କଷ୍ଟକର | ସୋୟାବିନ୍ ଚାଷରେ ଓଡ଼ିଶା ଖୁବ୍ ପଛୁଆ | ଏହି ତେଲର ବ୍ଯବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏହାର ଉତ୍ପାଦନ ବୃଦ୍ଧିପାଇ ଭାରତରେ ୨୦୦୦-୦୧ ବର୍ଷରେ ୫୨୭୩.୮ ହଜାର ଟନରୁ ୨୦୦୮-୦୯ ବର୍ଷରେ ୯୯୦୫ ହଜାର ଟନ୍ରେ ପହଂଚିଥିବାବେଳେ ଓଡ଼ିଶାରେ ଏହି ଉତ୍ପାଦନ ଆଦୌ ହିସାବଯୋଗ୍ଯ ନୁହେଁ | ଜାଳେଣୀଭାବେ ବ୍ଯବହୃତ ହେଉଥିବା ପୋଲାଙ୍ଗ ତେଲ, ଗବ ତେଲର ଆବଶ୍ଯକତା ଖୁବ୍ କମିଛି | ଏଣୁ ଏହାର ଆବଶ୍ଯକତା ଉପଲବ୍ଧି କରାଯାଏ ନାହିଁ | ହେଲେ ରାଶି, ପେସି ତେଲର ଉତ୍ପାଦନ କମିବାର କୌଣସି କାରଣ ହିଁ ନାହିଁ | ଖାଦ୍ୟରେ ବ୍ଯବହାର ହେଉଥିବା ତେଲ ହେଉ ଅବା ଦେହରେ ଲଗାଯାଉଥିବା ତେଲ ହେଉ, ଏହାର ବ୍ଯବହାର ବୃଦ୍ଧି ସାଙ୍ଗକୁ ବଜାରକୁ ଆସୁଥିବା ବିଭିନ୍ନ କିସମର ତେଲ ବୃଦ୍ଧି ପାଇବାରେ ଲାଗିଛି | ଗୋଟିଏ ରାଜ୍ଯର ସମସ୍ତ ଅନୁକୁଳ ପ୍ରାକୃତିକ ସ୍ଥିତି ଥିବା ସତ୍ତ୍ବେ ସରକାର ଏହି ଚାଷର ଉତ୍ପାଦନ ବୃଦ୍ଧି ପ୍ରତି ହେୟଜ୍ଞାନ କରିବା ଆଦୌ ସ୍ପୃହଣୀୟ ନୁହେଁ | ରାଜ୍ଯରେ ସମସ୍ତ ପ୍ରକାର ତୈଳବୀଜ ଉତ୍ପାଦନ ୭୦୦ ହଜାର ମେଟ୍ରିକ ଟନନ୍ ହେଉଥିବା କଥା କୁହା ଯାଉଥିଲେ ମଧ୍ୟ ତେଲ ଉତ୍ପାଦନ ସେହି ଅନୁପାତରେ ହୋଇ ନଥାଏ | ତା’ର କାରଣ ହେଉଛି ଅନେକ ତୈଳବୀଜ ଆମ ଖାଦ୍ୟ ପ୍ରସ୍ତୁତିରେ ଲାଗି ନଥାଏ ବା ଦେହରେ ଲଗାଇବାରେ ଲାଗି ନଥାଏ | ଏଠାରେ ତେଲ ଉତ୍ପାଦନ ପ୍ରକ୍ରିୟା ମଧ୍ୟ ନଥିବାରୁ ନଡ଼ିଆ ପରି ଦୁର୍ଲଭ ଫସଲ କେବଳ ଠାକୁର ଠାକୁରାଣୀ ପୂଜା ବା ପର୍ବପର୍ବାଣୀ ବ୍ଯବହାର ହୋଇଥାଏ ଅବା ପାନୀୟଭାବେ ବ୍ଯବହାର ହୋଇଥାଏ | କେଉଁଝର ଜିଲ୍ଲାରେ ଥିବା ମା’ ତାରେଣୀଙ୍କ ପୀଠରେ ଲାଗି ହେଉଥିବା କୋଟି କୋଟି ସଂଖ୍ଯାର ନଡ଼ିଆକୁ ନେଇ ଉତ୍ପାଦନରେ ଲଗାଯାଇ ପାରୁ ନାହିଁ|  ଚିନାବାଦାମ, ସୂର୍ଯ୍ଯମୂଖୀ ବାହାର ରାଜ୍ଯକୁ ଯାଇ ତେଲ ହୋଇ ଓଡ଼ିଶାର ଖାଉଟୀମାନଙ୍କ ପାଖକୁ ଫେରି ଆସେ ଓ ଚଢ଼ା ଦରରେ ବିକ୍ରୀ ହୋଇଥାଏ | ଟାଟା ଏତେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ଯର ପ୍ରୋତ୍ସାହନ ପାଇଚାଲିଛି ଅଥଚ ଗୋଟିଏ ନଡ଼ିଆ ତେଲ କାରଖାନା ଓଡ଼ିଶାରେ ବସାଇବାରେ ଆଗ୍ରହ ପ୍ରକାଶ ନକରିବା ବଡ଼ ଆଶ୍ଚର୍ଯ୍ଯର କଥା | ରାଜ୍ଯରେ ତେଲ ଉତ୍ପାଦନ ନିମନ୍ତେ ଆଧୁନିକ ବ୍ଯବସ୍ଥା ଆଧାରରେ କାରଖାନା ପ୍ରତିଷ୍ଠା କଲେ ଚାଷୀମାନେ ଆୟବୃଦ୍ଧି ସହିତ ଅନେକଙ୍କୁ କର୍ମ ନିଯୁକ୍ତି ମିଳିବ |

Share :