ସନ୍ଥ ନା ସୈନିକ ?

ସନ୍ଥ ନା ସୈନିକ ?

Share :

ଡ଼ଃ ରିନା ରାଉତରାୟ ଫୁଲକୁଣ୍ଡ ନେବ ଫୁଲକୁଣ୍ଡ .. ପ୍ରାୟ ସପ୍ତାହକୁ ଦୁଇ ଥର ଆମ ଘର ପଟେ ଡାକି ଡାକି ଯାଏ ଲୋକଟି। ଫୁଲ ଗଛରେ ବହୁତ ସଉକ ମୋର। ଛାତ ଉପରେ ଓ ତଳେ ମଧ୍ୟ ଛୋଟିଆ ବଗିଚାଟିଏ କରିଛି। ତେଣୁ ମଝିରେ ମଝିରେ ମଉସା ଠୁ ଫୁଲକୁଣ୍ଡ ରଖେ। ମଉସାର ଫୁଲ କୁଣ୍ଡ ଦୋକାନଠୁ ଟିକିଏ ଅଧିକା ଦର କରେ ବୋଲି ସେଇ ମଉସାଠୁ କୁଣ୍ଡ ରଖିଲା ବେଳେ ମୋ ସ୍ୱାମୀ ସବୁବେଳେ କୁହନ୍ତି, ଯେତେବେଳେ ବାହାରକୁ ଯାଉଛ ଦୋକାନରୁ ଶସ୍ତାରେ ନ ଆଣି ୟା ପାଖରୁ କାହିଁକି ଅଧିକା ଦରରେ ସବୁବେଳେ କିଣୁଛ? ମୁଁ କହେ, ଆରେ ଲୋକଟା ଏତେ କଷ୍ଟରେ ଟ୍ରଲିରେ ଧରି କି ଖରାରେ ବୁଲି ବୁଲି ଘର ପାଖରେ ଆଣି ଦେଉଛି ଆଉ ଟିକେ ଅଧିକା ଦର କରନ୍ତାନି କି ? ଏମିତି କଥା କଟାକାଟି ଭିତରେ ମୁଁ ସେଇ ମଉସାଠୁ ହିଁ ମଝିରେ ମଝିରେ ଫୁଲକୁଣ୍ଡ କିଣେ। ଏଏଇ କିଛି ଦିନ ତଳେ ଫନି ବାତ୍ୟାରେ ମୋର ବହୁତ ଗୁଡିଏ କୁଣ୍ଡ ଭାଙ୍ଗି ଯାଇଥିଲା। ବାତ୍ୟାର ତାଣ୍ଡଵପରେ ନିତିଦିନିଆ ଜୀବନ ଚର୍ଯ୍ୟା ଯେପରି ବିପର୍ଯ୍ୟସ୍ତ ହୋଇ ଯାଇଥିଲା ଫୁଲ ଗଛ କଥା ପଚାରେ କିଏ? ଟିକିଏ ସହଜ ହେଲାପରେ ମନେ ମନେ ଖୋଜୁଥିଲି ସେ ମଉସାକୁ ଫୁଲକୁଣ୍ଡ ପାଇଁ। ହଠାତ କାଲି ସକାଳୁ ଡାକି ଡାକି ଆସିଲା, ଫୁଲକୁଣ୍ଡ ନେବ ଫୁଲକୁଣ୍ଡ। ବଡ଼ ଆଗ୍ରହରେ ଦୌଡ଼ି ଯାଇ ଡାକ ପକାଇଲି ମଉସାଙ୍କୁ, ରୁହ ରୁହ। କୁଣ୍ଡ ରଖିବି ମୁଁ। ପଚାରିଲି, ମଉସା ଏତେ ଦିନ ହେଲା ଆସୁ ନ ଥିଲ ଯେ ? ଉତ୍ତରକୁ ଅପେକ୍ଷା ନ କରି ପୁଣି ସବୁବେଳ ପରି ପଚାରିଲି, ମଉସା ଏଇ କୁଣ୍ଡ କେତେ ଟଙ୍କା ? ସେ କହିଲେ, ୬୦ ଟଙ୍କା। ମୁଁ ଚମକି ପଡ଼ି ବାଲକୋନୀ ଆଡ଼େ ଅନେଇଲି। ଇଏ ଶୁଣି ନାହାନ୍ତି ତ ? ଏଇ କୁଣ୍ଡଗୁଡ଼ା ୪୦ ଟଙ୍କା ଲେଖାଏଁ ନିଏ ବୋଲି ବେଶୀ ନେଇ ଯାଉଛି ବୋଲି କୁହନ୍ତି। ପୁଣି ଆଜି ୬୦ ଟଙ୍କା ଶୁଣିଲେ ତା’ଠୁ ଆଉ ଜମା କିଣେଇ ଦେବେନି। ନା ସିଏ ନାହାନ୍ତି। ଶୁଣି ନାହାନ୍ତି ବୋଲି ଟିକେ ଆଶ୍ୱସ୍ତ ହେଲି କିନ୍ତୁ ମୋତେ ବି ଟିକେ ବିରକ୍ତ ଲାଗୁଥିଲା ଏତେ କ’ଣ ବଢ଼େଇ ଦେଇଛି ବୋଲି। ତଥାପି ବୁଢା ଲୋକଟା ବୋଲି ଭାବି ବିରକ୍ତ ଭାବକୁ ଲୁଚେଇ ପଚାରିଲି, ଏତେ କ’ଣ ବଢ଼େଇ ଦେଇଛ ମଉସା? ମୁହଁ ଶୁଖେଇ କହିଲେ, ମାଆ ସବୁ ଦରଦାମ ବଢ଼ିଲାଣି। ତା ଛଡ଼ା ଏ ଫନି ତ ଆମ ମେରୁଦଣ୍ଡ ଭାଙ୍ଗି ଦେଲା। ମୋର ହଠାତ ମନେ ପଡ଼ିଗଲା ଫନି କଥା। ପଚାରିଲି ମଉସା ତୁମ ଘର କେଉଁଠି କି? ସେ କହିଲେ, ଚିଲିକା ପାଖରେ। - ଓଃ। ଫନିରେ ତାହେଲେ ତ ବହୁତ କ୍ଷତି ହେଇ ଯାଇଥିବ? - ହଁ ମାଆ, ଘର ଦ୍ୱାର ସବୁ ଭାଙ୍ଗି ଯାଇଛି। ଆମେ ତ ବୁଢାବୁଢ଼ୀ ଦୁଇ ଜଣ। ଗୋଟିଏ ପୁଅ ଥିଲା ଯେ କାମ କରିବାକୁ ବାହାରକୁ ଯାଇଥିଲା। କି ଅଜଣା ରୋଗ ହେଲା କେଜାଣି ଦୁଇ ବରଷ ତଳେ ମରିଗଲା। ଚାଷବାସ ବି ନାହିଁ। ମୁଁ ସବୁଦିନେ ନଈ ପାରି ହେଇ ଆସେ। ଏଇଠି ଗୋଟେ କୁମ୍ଭାର ସାହିରୁ କୁଣ୍ଡ କିଣି ଦୁଇ ପଇସା ଲାଭ ରଖି ବିକ୍ରି କରି ଯାହା ପଇସା ପାଏ ସେଥିରେ ବୁଢାବୁଢ଼ୀ ଚଳି ଯାଉ। ଭତ୍ତା ଟଙ୍କା କିଛି ମିଳେ। ଏମିତି ଦୁଇ ମୁଠା ଖାଇ ଭଲରେ ମନ୍ଦରେ ଚଳି ଯାଉଥିଲୁ। ହେଲେ ଏ ବାତ୍ୟା ତ ଆମକୁ ସାରି ଦେଲା। ଘର ପୂରା ଭାଙ୍ଗି ଯାଇଛି। ବୁଢ଼ୀର ଦେହ କ’ଣ ହେଇଛି ଯେ ଆଉ ଉଠି ପାରୁନି। ବଡ଼ କଷ୍ଟରେ ମାଆ ଆସିଥିଲି କିଛି କୁଣ୍ଡ ବିକି ପଇସା ନେଇ ବୁଢ଼ୀକୁ ଟିକେ ଡାକ୍ତର ଦେଖେଇବି। ଆଉ ଘର ଖଣ୍ଡିକ ମରାମତି କରିବି। ପଚାରିଲି, ମଉସା ସରକାରଙ୍କ ତରଫରୁ ଏତେ ସାହାଯ୍ୟ କରାଯାଉଛି ତୁମକୁ କ’ଣ କିଛି ମିଳିନି? ମୁଣ୍ଡରୁ ଝାଳ ପୋଛୁ ପୋଛୁ ସେ କହିଲେ, ମାଆ ସେଇଆକୁ ତ ଭରସା କରି ଏତେ ଦିନ ଗାଁରେ ବସିଥିଲି। ମୁଁ କହିଲି, ନା ନା ମଉସା ସେମିତି କିଛି ନୁହେଁ। ଏଥର ବାତ୍ୟାରେ ସବୁ ଲୋକଙ୍କୁ ସାହାଯ୍ୟ କରାଯାଉଛି। ଘର ମରାମତି ଠୁ ଆରମ୍ଭ କରି ନୂଆ ଘର ମଧ୍ୟ ଦିଆ ହେଉଛି। ମୋତେ ତୁମ ନାଁ, ଗାଁ ଆଉ ଠିକଣା ଦିଅ। ମୁଁ ତୁମର ବିଡିଓଙ୍କ ସହିତ କଥା ହେଇ କିଛି ଗୋଟେ ବ୍ୟବସ୍ଥା କରିବି। ଶୁଖିଲା ମୁହଁରେ ସେ ମୋ ମୁହଁକୁ ଅନେଇଲେ। ଦେଖିଲି ନିର୍ଲିପ୍ତ ଚାହାଣୀ। କହିଲେ, ନୂଆ ଘର ଆଉ କ’ଣ ହେବ ମାଆ? ବୁଢ଼ୀର ତ ଦେହ ଖରାପ ହେଲାଣି ଆଉ କେତେଟା ବା ଦିନ? ଯେମିତି ସେମିତି ମୁଣ୍ଡ ଗୁଂଜି ଦିନ କେତେଟା ତ ରହିବାର କଥା। ଆମର ଆଗକୁ ପଛକୁ ଆଉ କିଏ ଅଛି ଯେ କାହାପାଇଁ ଯାଇ ୟା ତା ପାଖରେ ନେହୁରା ହେବି? ଟିକେ ହସିଦେଇ ସେ ପୁଣି କହିଲେ, ହଉ ମାଆ ଭଗବାନ ତୁମର ମଙ୍ଗଳ କରନ୍ତୁ। ତୁମେ କେତେଟା କୁଣ୍ଡ ନେବ? ଆଉ ଯାହା ପଇସା ଦେଉଛ ଦିଅ। ମୁଁ ଆଉ କୌଣସି ମୂଲଚାଲ ନ କରି ୨୦ଟି କୁଣ୍ଡ ରଖି ତାକୁ ପଇସା ଦେଇ ଆସିଲି ସିନା ମଉସାର ସେଇ କେତେ ପଦ କଥା ଭିତରେ ଥିବା ଅସହ୍ୟ କଷ୍ଟ ମୋତେ ବହୁତ ଅନ୍ୟମନସ୍କ କରିଦେଉଥିଲା। ଭାବୁଥିଲି ଏତେ ଅଭାବ ଭିତରେ ଥାଇ ବି କିଛି ଆଶା ନାହିଁ, ଏତେ ଦୁଃଖ ଭିତରେ ଥାଇ ବି ଦୁଃଖୀ ନୁହଁ! ସିଏ କ’ଣ ତା ହେଲେ ଏକ ସନ୍ଥ ନା ଜୀବନ ସଂଗ୍ରାମରେ ଥକି ଯାଇଥିବା ଏକ ସୈନିକ? ଦୂରରେ ଧୀରେ ଧୀରେ କ୍ଷୀଣ ହୋଇ ଶୁଣାଯାଉଥିଲା, ଫୁଲକୁଣ୍ଡ ନେବ ଫୁଲକୁଣ୍ଡ ....। ମୋ-୯୪୩୮୨୭୨୧୫୨

Share :