ନବୀନ ଲଢ଼ିଲେ ଜିତିବାକୁ, ସେମାନେ ଲଢ଼ିଲେ ହାରିବାକୁ!

ନବୀନ ଲଢ଼ିଲେ ଜିତିବାକୁ, ସେମାନେ ଲଢ଼ିଲେ ହାରିବାକୁ!

Share :

ପ୍ରଦୀପ ପ୍ରଧାନ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଏବଂ ଏକଜିଟ୍ ପୋଲ୍‌ର ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗତ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ପଂଚମ ଥର ପାଇଁ ରାଜ୍ୟ ଶାସନ କ୍ଷମତା ଦଖଲ କରିଛନ୍ତି। ୧୪୭ଟି ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜୁ ଜନତା ଦଳ ୧୧୨ଟି ଆସନ ଅକ୍ତିଆର କରିଥିଲା ବେଳେ ବିରୋଧୀ ଦଳ ଆସନରେ ରହି ଆସୁଥିବା କଂଗ୍ରେସ ମାତ୍ର ୯ଟି ଆସନ ଦଖଲ କରିଛି ଏବଂ ଭାରତୀୟ ଜନତା ପାର୍ଟି ୨୩ ବିଧାୟକ ଜିତାଇ ପ୍ରଥମଥର ପାଇଁ ବିଧାନ ସଭାରେ ବିରୋଧୀ ଦଳ ଆସନ ଅକ୍ତିଆର କରିବାକୁ ଯାଉଛି। ଏହି ନିର୍ବାଚନରେ ଫଳାଫଳକୁ ସଂଖ୍ୟା ଖେଳର ହିସାବ ନ କରି ରାଜ୍ୟ ରାଜନୀତିରେ ପ୍ରଭାବ ପକାଇଥିବା ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଚାର କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଏବଂ ଏହାର ସର୍ବମୟ କର୍ତ୍ତା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ହୋଇଥିଲା ଏବଂ ପ୍ରବଳ ଜନ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଥିଲା। ଏହି ସରକାର ବିରୁଦ୍ଧରେ ରାଜ୍ୟବ୍ୟାପୀ ଅନେକ ଛୋଟ ଏବଂ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା। ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଏବଂ ଭୟଙ୍କର ଦୁର୍ନୀତି ଖଣି ଦୁର୍ନୀତି, ଜମି ଦୁର୍ନୀତି, ଚିଟ୍‌ ଫଣ୍ଡ ଦୁର୍ନୀତି, ଚାରା ଦୁର୍ନୀତି, ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ନବୀନ ପଟ୍ଟନାୟକ ଶାସନରେ ହୋଇଥିଲା ଏବଂ ଏହି ଦୁର୍ନୀତି ଅଭିଯୋଗ ନବୀନ ବାବୁଙ୍କ ନିର୍ମଳ ଭାବମୂର୍ତ୍ତିକୁ ବେଶ୍ ଫିକା କରିଦେଇଥିଲା। ଏହା ସହିତ ଭୁବନେଶ୍ୱର ଏବଂ କଟକରେ ସରକାରୀ ମୂଲ୍ୟବାନ ଜମି ଆବଣ୍ଟନରେ ବ୍ୟାପକ ଜାଲିଆତି, କିଟ୍ ଜମି ଜାଲିଆତିରେ ଶାସକ ଦଳର ନେତା ଏବଂ ଅମଲାମାନଙ୍କ ସମ୍ପୃକ୍ତି ଏହିସବୁ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ସମ୍ପର୍କରେ ଗଣମାଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲାା। ସେହିପରି ବିଜେଡ଼ି ସରକାରର ଚାଷୀ ମାରଣ ନୀତି, ଚାଷୀ ଆତ୍ମହତ୍ୟା, ଚାଷଜାତ ଦ୍ରବ୍ୟର ସହାୟକ ମୂଲ୍ୟ ନ ମିଳିବା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ଚାଷୀ ସଂଗଠନମାନଙ୍କ ତରଫରୁ ଲଗାତର ଆନ୍ଦୋଳନ ରାଜ୍ୟବ୍ୟାପୀ ହୋଇଛି। ଚାଷୀମାନେ ନିଜର ହକ୍ ଅଧିକାର ‘ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନ୍‌ସନ’ ଦାବୀରେ ବାରମ୍ୱାର ଆନ୍ଦୋଳନ କରିବା, ସରକାରଙ୍କ ଦ୍ୱାରା ପୋଲିସ୍ ଲଗାଇ ଚାଷୀମାନଙ୍କୁ ରାଜଧାନୀରେ ସଭା କରେଇ ନଦେବା, ପୋଲିସ ଲଗାଇ ଚାଷୀ ଆନ୍ଦୋଳନକୁ ଦମନ କରିବା ଇତ୍ୟାଦି ଯୋଗୁ ରାଜ୍ୟ ବ୍ୟାପୀ ମୁଖ୍ୟତଃ ପୂର୍ବ ଓଡ଼ିଶାରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏହା ସହିତ ମଦ ବିରୋଧୀ ଆନ୍ଦୋଳନ, ଭାଷା ଆନ୍ଦୋଳନ ମଧ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରିଥିଲା। ଧର୍ଷିତା ବେବିନା ନ୍ୟାୟ ନ ପାଇବା, ବଳାତ୍କାରର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା, ପୁରୀ ଜିଲ୍ଲାର ମାଧବୀଲତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନବମ ଶ୍ରେଣୀ ଛାତ୍ରୀ କସ୍ତୁରୀର ରହସ୍ୟ ଜନକ ମୃତ୍ୟୁର ତଦନ୍ତକୁ ଚାପିଦେବା ଇତ୍ୟାଦି ଘଟଣା ଏବଂ ଏହାକୁ ନେଇ ଲଗାତର ଆନ୍ଦୋଳନ ସରକାରଙ୍କ ସ୍ଥାୟିତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିଥିଲା। ଏତେସବୁ ଘଟଣା, ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଏବଂ ଜନ ଅସନ୍ତୋଷ ଥାଇ ମଧ୍ୟ ବିଜେଡ଼ି ପୁଣି କିପରି ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କ୍ଷମତାକୁ ଫେରିଲା ତାହା ଏକ ବଡ଼ ପ୍ରଶ୍ନ। ପ୍ରଥମତଃ ରାଜ୍ୟରେ ସରକାରଙ୍କ ବିରୁଦ୍ଧରେ ଯେତେଗୁଡ଼ିଏ ପ୍ରସଙ୍ଗକୁ ନେଇ ଲଗାତର ଆନ୍ଦୋଳନ ହୋଇଥିଲା ସେହିସବୁ ଅନ୍ଦୋଳନକାରୀ ସଂଗଠନ ଗୁଡ଼ିକ ଅଣ ରାଜନୈତିକ ସଂଗଠନ ଅଟନ୍ତି। ଯେଉଁମାନେ ସରକାରୀ କୁଶାସନ, ଦୁର୍ନୀତି, ଭ୍ରଷ୍ଟାଚାର, ଜନ ବିରୋଧୀ ନୀତି, ଚାଷୀ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏବଂ ସୁଶାସନ ପ୍ରତିଷ୍ଠା ପାଇଁ। ବିଭିନ୍ନ ସାମାଜିକ ସଂଗଠନ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ ଏବଂ ସଂଗଠିତ କରାଇ ନିଜର ହକ୍ ଅଧିକାର ହାସଲ ପାଇଁ ସରକାରଙ୍କ ବିରୁଦ୍ଧରେ ଲଢେଇ କରୁଥିଲେ। ସେମାନେ ରାଜ୍ୟରେ ସରକାରୀ ବିରୋଧୀ ହାୱା ସୃଷ୍ଟି କରିବାରେ ସକ୍ଷମ ମଧ୍ୟ ହୋଇଥିଲେ। ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ, ନବ ନିର୍ମାଣ କୃଷକ ସଂଗଠନର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନ, ଚିଟ୍‌ ଫଣ୍ଡ ଜମାକାରୀ ସଂଗଠନର ସରକାରୀ ଦଳର ନେତା ଏବଂ ଚିଟ୍‌ ଫଣ୍ଡ ମାଲିକମାନଙ୍କ ମିଳିତ ଉଦ୍ୟମରେ ଗରିବ ଲୋକଙ୍କ ଲୁଟ୍ ଚିଟ୍‌ ଫଣ୍ଡ ଟଙ୍କା ଫେରି ପାଇବା ପାଇଁ ଆନ୍ଦୋଳନ, ମିଳିତ ଓଡ଼ିଶା ନିଶା ନିବାରଣ ସଂଗଠନର ମଦ ବିରୋଧୀ ଆନ୍ଦୋଳନ, ଓଡ଼ିଶା ଭାଷା ଆନ୍ଦୋଳନ, ଜଗନ୍ନାଥଙ୍କ ନବ କଳେବର ଅର୍ଥ କେଳେଙ୍କାରୀ, ବ୍ରହ୍ମ ବିଭ୍ରାଟ, ଦାରୁ ଫିକ୍ସିଂ ବିରୁଦ୍ଧରେ ଆନ୍ଦୋଳନ ଇତ୍ୟାଦି ହୋଇଛି। ଏହିସବୁ ଆନ୍ଦୋଳନର ନେତା ବା କର୍ମକର୍ତ୍ତାମାନଙ୍କର ରାଜନୈତିକ ଦଳ ନଥିଲା ବା ନିର୍ବାଚନରେ ଠିଆ ହୋଇ ଭୋଟ ଭିକ୍ଷା କରିବାର ନଥିଲା। ଏହି ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ଆନ୍ଦୋଳନ କେବଳ ସରକାରଙ୍କ ବିରୋଧରେ କିଛି ପରିମାଣର ଜନମତ ସୃଷ୍ଟି କରିଥିଲା ଏବଂ ସରକାରୀ କଳକୁ ଅସ୍ତବ୍ୟସ୍ତ କରିପାରିଥିଲା। ସରକାରୀ ବିରୋଧୀ ଜନମତକୁ ପୁଞ୍ଜି କରି ସରକାରଙ୍କ ବିରୋଧରେ ଲଢି କ୍ଷମତାଚ୍ୟୁତ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାର୍ଯ୍ୟ ଅଟେ। ବିରୋଧୀ ଦଳ ସରକାରଙ୍କ ଭୁଲ୍ ତ୍ରୁଟି ଏବଂ ଜନସ୍ୱାର୍ଥ ବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନ କରି ଜନସାଧାରଣଙ୍କର ସମର୍ଥନ ହାସଲ କରିବା କଥା। କିନ୍ତୁ ଆମ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଯଥା କଂଗ୍ରେସ, ବିଜେପି ଏବଂ କମ୍ୟୁନିଷ୍ଟ ପାର୍ଟି ଗୁଡ଼ିକର ଅବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ, ସ୍ଥାଣୁ ଏବଂ ଅଥର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହିସବୁ ବିରୋଧୀ ଦଳଗୁଡ଼ିକର ଶାସକ ଦଳ ବିରୁଦ୍ଧରେ ସେପରି ବ୍ୟାପକ ଜନ ଆନ୍ଦୋଳନ କରିବାର ଦେଖାାଗଲା ନାହିଁ। ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଦଳର ରାଜ୍ୟ ସଭାପତି ଥିଲାବେଳେ ଅନେକ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ ଜାରି ରଖିଥିଲେ। ନବ କଳେବର ଏବଂ ମହାନଦୀ ପ୍ରସଙ୍ଗରେ ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦୁଇଥର ଓଡ଼ିଶା ବନ୍ଦ ଡାକରା ଦେଇ ସଫଳ ହୋଇଥିଲା ଏବଂ ଯଥେଷ୍ଟ ସରକାରୀ ବିରୋଧୀ ଜନମତ ମଧ୍ୟ ସୃଷ୍ଟି ହୋଇଥିଲା। କନ୍ଧମାଳ ଜିଲ୍ଲାର ଗୁମୁଡ଼ୁମୁହା ହତ୍ୟାକାଣ୍ଡ, କୋରାପୁଟର କୁନ୍ଦୁଲି ଗ୍ରାମର ସସ୍ମିତାକୁ ବଳାତ୍କାର ଘଟଣାରେ ଶ୍ରୀ ହରିଚନ୍ଦନ ବ୍ୟାପକ ଆନ୍ଦୋଳନ, ପଦଯାତ୍ରା କରାଇଥିଲେ। କିନ୍ତୁ ଦଳୀୟ ନେତାଙ୍କ ଚକ୍ରାନ୍ତ ଯୋଗୁ ତାଙ୍କୁ ସଭାପତି ପଦରୁ ହଟାଇ ଦିଆଗଲା। ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ କଂଗ୍ରେସ କୌଣସି ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ନାହିଁ। କଂଗ୍ରେସର ମଧ୍ୟ କୌଣସି ବ୍ୟାପକ ରାଜନୈତିକ କାର୍ଯ୍ୟକ୍ରମ ରହିଲା ନାହିଁ। କଂଗ୍ରେସ ଦଳ ବିଜେଡ଼ି ସହିତ ସଲାସୁତୁରା କରିଛି ବା ଭିତିରି ବୁଝାମଣା ରହିଛି ବୋଲି ବ୍ୟାପକ ପ୍ରଚାର ହେଲା। କଂଗ୍ରେସ ଟିକେଟ ବଣ୍ଟନରେ ବିଭ୍ରାଟ, ଦଳୀୟ ନେତାମାନେ ଟିକେଟ ପାଇ ଫେରାଇଦେବା, ବିଭିନ୍ନ ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦେବା, ଅନେକ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଭୋଟ ବିଜେଡ଼ିକୁ ଯିବା, ବିଧାୟକମାନେ ଦଳ ଛାଡ଼ିବା ଇଦ୍ୟାଦି ଘଟଣାର ବହୁ ଖରାପ ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା। କଂଗ୍ରେସର ଅସ୍ତିତ୍ୱ ଆଉ ନାହିଁ ବୋଲି ସର୍ବସାଧାରଣରେ ପ୍ରତୀୟମାନ ହେଲା। ଫଳରେ କଂଗ୍ରେସ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୯ଟି ବିଧାୟକ ପ୍ରାର୍ଥୀ ଜିତିବାରେ ସୀମିତ ରହିଲା। ବହୁ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଅମାନତ ରହିଲା ନାହିଁ। ବର୍ତ୍ତମାନ ବହୁ କଂଗ୍ରେସ ପ୍ରାର୍ଥୀ କଂଗ୍ରେସ ସଭାପତି ଷଡ଼ଯନ୍ତ୍ର କରି ସେମାନଙ୍କୁ ହରାଇଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରୁଛନ୍ତି। ଗତ ପାଞ୍ଚବର୍ଷରେ ବିଜେପି ବିଭିନ୍ନ ପ୍ରସଙ୍ଗରେ ଅନେକ ଛୋଟ ଏବଂ ବଡ଼ ଧରଣର ଆନ୍ଦୋଳନ କରିଥିଲେ ମଧ୍ୟ ନବୀନ ପଟ୍ଟନାୟକ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ସହିତ ଭିତିରି ବୁଝାମଣା ସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇ ରହିଲା। ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଏପରି ଆଲୋଚନାକୁ ଖୋରାକ ଯୋଗାଇଲା। କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣକୁ ପ୍ରଥମେ ସମର୍ଥନ, ରାଷ୍ଟ୍ରପତି ନିର୍ବାଚନ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ବିଜେପି ଦଳକୁ ସମର୍ଥନ, କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ବିଜେଡ଼ି ଦଳର ସାଂସଦମାନଙ୍କ ସମୂହ କକ୍ଷତ୍ୟାଗ, ଲୋକସଭାରେ ବିଜେଡ଼ି ଦଳର କେନ୍ଦ୍ର ସରକାରଙ୍କୁ ମିଛି ମିଛିକିଆ ବିରୋଧ, ଚିଟ୍‌ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତରେ ଶିଥୀଳତା, ଖଣି ଦୁର୍ନୀତିର ସିବିଆଇ ତଦନ୍ତକୁ କେନ୍ଦ୍ର ସରକାର ଚାପି ଦେବା ଇତ୍ୟାଦି ଘଟଣା ବିଜେଡ଼ି-ବିଜେପିର ଭିତିରି ବୁଝାମଣା ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କଲା। ତେଣୁ ରାଜ୍ୟରେ ବିଜେପି ଦଳର ସରକାରୀ ବିରୋଧୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସାଧାରଣ ଲୋକେ ବିଶ୍ୱାସକୁ ନେଲେ ନାହିଁ। ରାଜ୍ୟରେ ବିଜେପି ମଧ୍ୟ ତା’ର ସଂଗଠନକୁ ତୃଣମୂଳ ସ୍ତରରେ ସଂଗଠିତ କରିପାରିଲା ନାହିଁ। ସଂଗଠନର ଦୁର୍ବଳ ସ୍ଥିତି ଯୋଗୁ ବହୁ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଦେଇପାରିନଥିଲା। ବିଜେପିର ଆନ୍ଦୋଳନ ରାଜ୍ୟସ୍ତରରେ ସୀମିତ ରହିଲା। ତୃଣମୂଳ ସ୍ତରରେ ଲୋକଙ୍କୁ ବୁଝାଇବା, ସଚେତନ କରାଇବା ଏବଂ ସଂଗଠିତ କରାଇବାର କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ଥିଲା। ରାଜ୍ୟରେ ନବୀନ ସରକାରରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ପ୍ରସଙ୍ଗରେ ବିଜେପିର ବିରୋଧୀ ଦଳ ହିସାବରେ ଜୋରଦାର ଆନ୍ଦୋଳନ କରିନଥିଲା। ବିଜେପିର ବିଜେଡ଼ି ବିରୋଧୀ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ନଥିଲା। କିନ୍ତୁ ବିଜେଡ଼ି ଦଳ ପୁରା ଦମରେ ତାର ସମସ୍ତ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲା। ସରକାରୀ ବିରୋଧୀ ପ୍ରସଙ୍ଗଗୁଡ଼ିକୁ ଲୋକଙ୍କ ଦୃଷ୍ଟିରୁ ହଟେଇ ନେବା ପାଇଁ ବିଭିନ୍ନ ସ୍ତରରେ ଆବଶ୍ୟକୀୟ କାର୍ଯ୍ୟକ୍ରମ ନିଷ୍ଠାର ସହ କରିଥିଲା। ରାଜ୍ୟବ୍ୟାପୀ ଗ୍ରାମସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସଂଗଠନ ମଜଭୁତ କରିବା, ଯୁବଗୋଷ୍ଠୀୀମାନଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ସରକାରୀ ଅର୍ଥରେ ବିଜୁ ଯୁବ ବାହିନୀ ଗଠନ ଏବଂ ସେମାନଙ୍କୁ ନେଇ ତଥାକଥିତ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ, ମହିଳାମାନଙ୍କ ପାଇଁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା, ମୋବାଇଲ ପ୍ରଦାନ, ଏକ ଟଙ୍କା ସୁଧରେ ଋଣ ପ୍ରଦାନ, ଚାଷୀମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କାଳିଆ ଯୋଜନାରେ ଅର୍ଥ ପ୍ରଦାନ, ୫ ଟଙ୍କିଆ ଭାତ ଡାଲମା ପାଇଁ ରାଜ୍ୟ ସାରା ଆହାର କେନ୍ଦ୍ର ଖୋଲିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ଆସୁଥିବା ଚାଉଳକୁ ସାମାନ୍ୟ ରିହାତି ଦେଇ ମୁଖ୍ୟମନ୍ତ୍ରୀ ୧ ଟଙ୍କାରେ ଚାଉଳ ଦେଉଛନ୍ତି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ପ୍ରଚାର କରାଇବା, ନିର୍ବାଚନରେ ଉପଯୁକ୍ତ ପରିଚାଳନା ଯୋଗୁ ବିଜେଡ଼ି ଏଥର ନିର୍ବାଚନରେ ବ୍ୟାପକ ସଫଳତା ପାଇଲା। ସରକାରୀ ଦଳକୁ ବ୍ୟାପକ ଭାବେ ଅପବ୍ୟବହାର କରି ଦଳୀୟ କାର୍ଯ୍ୟକ୍ରମରେ ବିଜେଡ଼ି ନିୟୋଜିତ କରିବାରେ ସକ୍ଷମ ହୋଇଥିଲା। ବିଗତ ୫ ବର୍ଷରେ କମ୍ୟୁନିଷ୍ଟ ଦଳଗୁଡ଼ିକର ବ୍ୟାପକ ରାଜନୈତିକ କାର୍ଯ୍ୟକ୍ରମ କିଛି ନଥିଲା। ସେମାନଙ୍କ ଦ୍ୱାରା ସରକାରଙ୍କ ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଜନସ୍ୱାର୍ଥ ବିରୋଧୀ ନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦେଖିବାକୁ ମିଳିନଥିଲା। ବିଭିନ୍ନ ସମଭାବାସମ୍ପନ୍ନ ରାଜନୈତିକ ଦଳ ସହିତ କମ୍ୟୁନିଷ୍ଟ ଦଳମାନେ କୌଣସି ଆନ୍ଦୋଳନାମିକ କାର୍ଯ୍ୟକ୍ରମ ହାତକୁ ନେଇ ନଥିଲେ। ଫଳରେ ସେମାନେ ସେମାନଙ୍କର ପାର୍ଥୀମାନେ ବହୁତ କମ୍ ଭୋଟ ପାଇଥିବା ବେଳେ କଂଗ୍ରେସ ସହିତ ସେମାନଙ୍କର ନିର୍ବାଚନୀ ଗଠବନ୍ଧନ ବିଶେଷ ସାହାଯ୍ୟ କଲା ନାହିଁ। ବିଜେଡ଼ିର ରଣନୀତି ଆଗରେ ବିରୋଧୀ ଦଳମାନଙ୍କର ରଣନୀତି ନିଷ୍ପତ୍ତି ହୋଇଗଲା। ନବୀନ ସରକାର ବିରୁଦ୍ଧରେ ଅନେକ ଅଭିଯୋଗ ଏବଂ ଜନ ଅସନ୍ତୋଷ ସତ୍ତ୍ୱେ ଏହା ବିରୋଧୀ ଦଳର ଭୋଟରେ ପରିଣତ ହୋଇପାରିଲା ନାହିଁ। ଯାହାହେଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଲଗାତର କାର୍ଯ୍ୟକ୍ରମ, ମୁଷ୍ଟିମେୟ ନେତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ବିଧାନସଭାରେ ବିଜେପି ବିରୋଧୀ ଦଳ ଆସନରେ ବସିବା ସହ ୮ଟି ଲୋକସଭା ପଦବୀ ଦଖଲ କରିବାରେ ସମର୍ଥ ହୋଇଛି। ଆଗାମୀ ପାଞ୍ଚବର୍ଷରେ ରାଜ୍ୟ କେଉଁ ଦିଗରେ ଗତି କରୁଛି, ତାହା ପୁଣି ଅନୁଧ୍ୟାନ ସାପେକ୍ଷ!

Share :