ଯାଯାବରର ଯାତ୍ରା

ଯାଯାବରର ଯାତ୍ରା

ଅରୁଣ କୁମାର ସାହୁ ପୁଣି ଖଣ୍ଡିଏ ନୂଆ ଜାଗା। ନୂଆ ମଣିଷ। ସଂସ୍କୃତି। ପରମ୍ପରା ଓ ଚଳଣୀ। ନୂଆ ଇତିହାସର ତର୍ଜମା। ନୂଆ ଭୂଗୋଳ। କିଛି ପ୍ରୟୋଗ ଓ କଛି ସମ୍ଭାବନା। ନୂଆ ଦାୟିତ୍ୱ, ନୂଆ ଲକ୍ଷ୍ୟ। ମୋ ସହ ଜୀବନ ଯାତ୍ରାର ଏ ଖେଳ ପିଲା ଦିନରୁ। ଜନ୍ମସ୍ଥାନ ଅଖ୍ୟାତ ପଲ୍ଲୀ “ପାଲୁଣୀପଡ଼ା”। ଦେବଗଡ଼ ଜିଲ୍ଲାର ତିଳେଇବଣି ତହସିଲ। ଜାତୀୟ ରାଜପଥ ଛଅରୁ ପାହାଡ଼ ଭିତରକୁ ଗାଁ ରାସ୍ତା ପ୍ରାୟ ଷୋହଳ କିଲୋମିଟର। ତିନି ସାହି ମିଶି ଏଗାର ଶହ ପାଖାପଖି ଲୋକ। ଦୁଇଶହ ସତୁରୀ ଯାକେ ଘର। ୧୯୯୧ ମସିହାରେ ପ୍ରଥମ ଥର ପାଇଁ ବିଜୁଳି ଆଲୁଅର ଲୁଚକାଳି ଖେଳ। ଦିନେ ଦେଖା ତ ମାସେ ଗାଏବ। ତା ପୂର୍ବରୁ ଜହ୍ନ ଆଲୁଅ, ଡିବି ଓ ଲଣ୍ଠନ। ପାଲୁଣୀପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ। ଆଉ ପଞ୍ଚମ ଯାଏଁ ପାଠ। ଧନେଶ୍ୱର ଓ ରାମେଶ୍ୱର ଗୌନ୍ତିଆଙ୍କ ପରିବାରର ଶାଖାପ୍ରଶାଖା ଏଠି ମୁଖ୍ୟ। ସାହି ମଝିରେ କୋଉ ଯୁଗର ଆମ୍ବଗଛ ଓ ତା ପାଖେ ଚଉପାଢୀ। ସେଠି ପୁରାଣ, ଭାଗବତ, ଓଷା ଓ ବ୍ରତ କଥା। ଗିଲି ଡଣ୍ଡା, ବଣ ବୁଲା, ଗଛ ଚଢ଼ା। ବରକୋଳି, କଣ୍ଟେଇକୋଳି ଓ କନ୍ଦମୂଳ କନ୍ଦା।| ସିଝା ଚିନା ବାଦାମର ସ୍ୱାଦ ଓ ବର୍ଷା ହେଲେ ବି ବିନା ଜୋତାରେ ଫୁଟବଲ ଖେଳ। ଦଶବର୍ଷ ବେଳକୁ ବଦଳିଲା ଗାଁ। କଂସର ଗ୍ରାମ ପଞ୍ଚାୟତ। ପାଳୁଣୀପଡ଼ାରୁ ତିନି କିଲୋମିଟର ଦୂର | ପୂର୍ବକୁ। ସମ୍ବଲପୁର, ଦେବଗଡ଼ ଓ ରିଆମାଳକୁ ଘରୋଇ ବସ ଚଳାଚଳର ସମ୍ପର୍କ କଂସର ଗାଁକୁ। ସତୀ ନଈ, ଶିବାଳୟ ଓ ତା ପାଖକୁ ଆଦିମ ମଣିଷର ଦେବତା “ପର୍ଵତୀୟା”। କୋଉ କାଳର ବରଗଛ। ତାର ଶାଖା ଓ ପ୍ରଶାଖା। ମୁଖ୍ୟ ଗଣ୍ଡିରେ ଟାଙ୍ଗିଆ ଚୋଟରେ ଅଙ୍କା ପର୍ଵତୀୟା। ପାଦତଳେ ଦି ଟା ଚିକ୍କଣ ପଥର। ତା ମଥାରେ ସିନ୍ଦୁର। ତଳେ ଫୁଲ, ନଡ଼ିଆ, ବୋଇତାଳୁ। କୁକୁଡ଼ାର ରକ୍ତ। ବଣ ଭିତରୁ ବାଉଁଶ ଭରା ଟ୍ରକ ଆଣୁଥିବା ଡ୍ରାଇଭରର ସେଇ ଏକା ଭରସା। ଭାଗ୍ୟ, ସାହା ଓ ଭରସା। ଶନିବାର ସାପ୍ତାହିକ ହାଟ। ରାମ ମହାନ୍ତିଙ୍କ ବରା, ପିଆଜି, ପକୁଡି ଓ ଗୁଲୁଗୁଲା। ପାଞ୍ଚ ପଇସିଆ ଆଇସକ୍ରିମ। କଂସର ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ। ତେର ବର୍ଷ ବେଳକୁ ସମ୍ବଲପୁର। ଗାଆଁରୁ ପଶ୍ଚିମକୁ ଅଶୀ କିଲୋମିଟର। ଜିଲ୍ଲାସ୍କୁଲ ଛାତ୍ରାବାସ। ପାଠ କମ, ଅନ୍ୟ ଆଡ଼କୁ ନିଘା ବେଶୀ। ଗୀତ, ସିନେମା, ସ୍କେଟିଂ। ମାଲିନୀ କାଫେ, ଅପସରା ହୋଟେଲ। ଗଙ୍ଗାଧର ମେହେର କଲେଜରେ ବଡ଼ଭାଇ ଓ ତାଙ୍କ ସାଙ୍ଗମାନେ। ବିଶେଷ କରି ରୁଦ୍ର ଆଚାର୍ଯ୍ୟ। କଲେଜକୁ ଲାଗି ରେଳ ଲାଇନ - ଫାଟକ। ପାଖରେ କେବେ କେମିତି ସକାଳୁଆ ପୁରୀ ଓ ଆଳୁଦମ। ସ୍କୁଲ ସାମ୍ନାରେ ପୁସ୍ତକାଳୟ। ଛୁଟି ହେଲେ ସେଠି ପୃଷ୍ଠା ଓଲଟା। ଛାତ୍ରାବାସରୁ ଅନାଇଲେ ପାହାଡ଼ ଟାପୁରେ ଦିଶେ ସର୍କିଟ ହାଉସ ଆଉ ତା ଆଡ଼କୁ ଲମ୍ବି ଯାଉଥବା ରାସ୍ତା। ଧଳା ଆମ୍ବାସାଡର ଗାଡ଼ିରେ ସେ ଆଡ଼ିକି କିଏ ସବୁ ଯାଆନ୍ତି! ସମ୍ବଲପୁରରେ ପରିଚୟ ସବ୍ୟଦା’ ଙ୍କ ପରିଵାର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସହପାଠୀ ଓମପ୍ରକାଶ ଏବଂ ରାଜୁ ଦା’ ଙ୍କ ବଡ଼ଭାଇ। ବର୍ଷେ ପରେ କଟକ। ବଡ଼ ସହର। କାଠଯୋଡ଼ି। ବାରବାଟୀ ଦୁର୍ଗ। ବିଦ୍ୟା ନଗରୀ। ସୁବାଷ ବୋଷଙ୍କ ସ୍କୁଲ। ଛାତ୍ରାବାସ। ଅନୁଶାସନ। ବଛାବଛା ମୁଣ୍ଡ। ଛାତ୍ରାବାସରେ ପୁସ୍ତକାଳୟ। ନୂଆ ପୁରୁଣା ବହି। ଗ୍ରନ୍ଥ, ସାହିତ୍ୟ, ବିଜ୍ଞାନ, ପତ୍ର ପତ୍ରିକା। ସ୍କୁଲ ପାଖେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ବଜାର। ଗ୍ରନ୍ଥ ପ୍ରକାଶକ। ସ୍ୱପ୍ନ। ବଡ଼। ଲବ୍ଧ ପ୍ରତିଷ୍ଠ ପୁରାତନ ଛାତ୍ରମାନେ କୁହନ୍ତି, “ରେଭେନ୍ସା କଲିଜିଏଟ ସ୍ଵପ୍ନ ଦେଖାଇ ଜାଣେ; କିନ୍ତୁ ସ୍ୱପ୍ନକୁ ସାର୍ଥକ କରିବାର ବାଟ ଦେଖାଇ ଜାଣେନି”। ଏଠି ସହପାଠୀ ସୁଶୀଲ ପଣ୍ଡା (ଏବେ ଆମେରିକାର ନାଗରିକ) ସହିତ ଘନିଷ୍ଟ ବନ୍ଧୁତା ଏବଂ ତା ବଡ଼ ଭଉଣୀ ଜୁଲିନାନୀଙ୍କ (ସବିତା ପଣ୍ଡା) ଅଶେଷ ମମତା। ପରେ ରେଭେନ୍ସା ମହାବିଦ୍ୟାଳୟ। ବିଜ୍ଞାନ ପଢୁପଢୁ କଳା, ସାହିତ୍ୟ ଓ ରାଜନୀତି ପ୍ରତି ଆକର୍ଷଣ; କିନ୍ତୁ ଭବିଷ୍ୟତର ଅନିଶ୍ଚିତତାକୁ ଭୟ। ଭୟ ଓ ସନ୍ଦେହର ଜୁଆରରେ ଭାସି ଯାଉଯାଉ ମହାନଗରୀ ଦିଲ୍ଲୀ। ଦିଲ୍ଲୀରେ ପହଞ୍ଚିଲା ବେଳକୁ ଖଣ୍ଡିଆ ହିନ୍ଦୀ, ଆବୁଡ଼ା ଖାବୁଡ଼ା ଇଂରାଜୀ। ଶବ୍ଦ ଠିକ, ବାକ୍ୟ ଠିକ, ବ୍ୟାକରଣ ଠିକ; କିନ୍ତୁ ଉଚ୍ଚାରଣ ମାନ୍ଦା। ଚୁଡ଼ାଖିଆ ଇଂରାଜୀରୁ ମୁକ୍ତି ପାଉଆଉ “ଧୋଲପୁର ହାଉସ”ର ସାକ୍ଷାତକାର କଠୋରୀରେ। ସେଇଠୁ ମସୁରୀ ଓ ବିଦେଶ ମନ୍ତ୍ରାଳୟ ହୋଇ ହଂ କଂ ବାଟଦେଇ ଚୀନ। ଚୀନରେ ପତିପତ୍ନୀ ଯେମିତି ମୂକ। ହଜିଗଲେ ବାଟ ପଚାରିବ କେମିତି? କୋଉ ଭାଷାରେ? ଚୀନୀ ଭାଷା ବିନା ସବୁ ଯୋଗାଯୋଗ ମାଧ୍ୟମ ଅଚଳ। ରେସ୍ତୋରାଁରେ ଖାଇବା ବରାଦ କରିବା ବି କଷ୍ଟ। କେବଳ ଠାର ଓ ଇଙ୍ଗିତ। ତିନିଦିନ ଏମିତି କାଟିଲା ପରେ ସ୍ତ୍ରୀ କହିଲେ, “ଇଏ କି ଜୀବନ! ଚାଲ ଚୀନର ବିଶାଳ ପ୍ରାଚୀର ବୁଲି ଆସିବା। ହଜିଗଲେ ଦେଖାଯିବ।” କାନ୍ଧରେ ବ୍ୟାଗ ପକାଇ ଆରମ୍ଭ କଲୁ ଯେ ସେ ଯାତ୍ରା, ଏ ଯାଏଁ ସରିନି। ଚୀନରୁ ଭାରତ, ଭାରତରୁ ଇଂଲଣ୍ଡ, ଇରାନ ଓ ପୁଣି ଚୀନ ଦେଇ ଭାରତ। ପୁଣି ଭାରତରୁ କାନାଡ଼ା ଏବଂ ଏବେ ପୁଣି ତ୍ରିନିଦାଦ ଓ ଟବାଗୋ। ରାଜଧାନୀ ପୋର୍ଟ ଅଫ ସ୍ପେନ। ପ୍ରତି ଅଢେଇ କି ତିନି ବର୍ଷରେ ଥରେ ଘର ଭାଙ୍ଗେ; ପୁଣି ଗଢ଼ିହୁଏ। ଯେମିତି ସମୁଦ୍ର ବାଲିରେ ଖେଳ ଘର। ପ୍ରଥମେ ପ୍ରଥମେ ଘର ତମାମ ଜିନିଷ ସାଉଁଟି ଚଉରାଳିଶ ଫୁଟ ସାମୁଦ୍ରିକ ବାକ୍ସ ଭିତରେ ଭର୍ତ୍ତ କରିବାକୁ ଦେଲା ବେଳକୁ କଷ୍ଟ ହେଉଥିଲା। ପ୍ରାୟ ଦି ତିନି ମାସ ପୂର୍ବରୁ ସ୍ତ୍ରୀଙ୍କୁ ପ୍ରସ୍ତୁତ ହେବାକୁ ପଡୁଥିଲା। ସେଥିରେ ପୁଣି ମନ ଭିତରେ କେତେ ସନ୍ଦେହ – “ଜିନିଷ ସବୁ ଠିକରେ ପହଁଞ୍ଚିବ ତ? ଝିଅର ଖେଳନା, ପୁଅର ସାଇକେଲ ହଜିଯିବନି ତ? ମୂଲ୍ୟବାନ ଘରସଜା କ୍ରିଷ୍ଟାଲ କି ଚିନାମାଟି ଭାଙ୍ଗି ଯିବନି ତ? ପେଣ୍ଟିଙ୍ଗ ସବୁ ଖରାପ ହୋଇ ଯିବନି ତ?” ଛୋଟ ପିଲାଙ୍କୁ ଧରି ଏ ସବୁ କେମିତି ହେଉଥିଲା ସେ କେବଳ ଉପର ବାଲାଙ୍କୁ ଜଣା! ଧୀରେ ଧୀରେ ସବୁ ଦେହସୁହା। ଏବେ ନା ବସ୍ତୁ ପ୍ରତି ଆକର୍ଷଣ ନା ବିଷୟ ପ୍ରତି! କେବଳ ଯାତ୍ରା, କର୍ମ, ଦାୟିତ୍ୱ ଓ ଲକ୍ଷ୍ୟ। ଏ ଯାଯାବରର ଯାତ୍ରା ମୋତେ ସ୍ଥିତପ୍ରଜ୍ଞତା ଶିଖାଇଛି। ବିଷୟ, ମଣିଷ ଓ ସମ୍ପର୍କର ଅଳୀକତା ବୁଝାଇଛି। ବିଭିନ୍ନ ଦେଶରେ, ବିଭିନ୍ନ ସଂସ୍କୃତିରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିଛି। ନୂଆକଥା ଶିଖିଛି। ଦେଖିଛି। ନିଜ ଭିତରେ ଥିବା ଖାଦକୁ କାଢ଼ିବାକୁ ଚେଷ୍ଟା କରିଛି। ବିବିଧତାକୁ ସମ୍ମାନ ଦେବା ଶିଖିଛି। ଆଉ ମଧ୍ୟ ବୁଝିଛି ଯେ ମଣିଷ ଜୀବନରେ ମୂଲ୍ୟବାନ ଦୁଇଟି ଦ୍ରବ୍ୟ - ସମୟ ଓ ଯାତ୍ରା। ପଛକୁ ଚାହିଁଲେ ଦିଶେ ସମୟ, ଆଗକୁ ଯାତ୍ରା। ବିମାନ ବନ୍ଦରରେ ଦେଶଟିଏକୁ ଛାଡ଼ି ଆସିଲା ବେଳକୁ କିଏ ଯେମିତି ପଛରୁ ପଚାରେ – “ପୁଣି କୁଆଡ଼େ?” ଉତ୍ତର ପାଏନି। ଅଜାଣତରେ ମନଟା ଉଦାସ ହୋଇଯାଏ। ଓଡ଼ିଶାର କୋଉ ଅଖ୍ୟାତ ଗାଆଁରୁ ଆରମ୍ଭ ହୋଇଛି ଯେ ଏ ଯାତ୍ରା, କୋଉଠି ତା’ର ଅନ୍ତ, ତାହା କାହାକୁ ବା ଜଣା? ରାଷ୍ଟ୍ରଦୂତ (ମନୋନୀତ) ତ୍ରିନିଦାଦ ଓ ଟୋବାଗୋ

Share :