ଜନଯନ୍ତ୍ରଣାରେ ଜର୍ଜରିତ ଜଗନ୍ନାଥଧାମ

ଜନଯନ୍ତ୍ରଣାରେ ଜର୍ଜରିତ ଜଗନ୍ନାଥଧାମ

ମାୟାଧର ନାୟକ ଶହଶହ ବର୍ଷ ଧରି ଧର୍ମପ୍ରାଣ ଓଡିଆମାନଙ୍କର ଗୋଟିଏ ବଦ୍ଧମୂଳ ବିଶ୍ୱାସ ଯେ ସାରା ସଂସାର ଭାସିଗଲେ ସୁଦ୍ଧା ପୁରୀରେ କିଛି ହବନି। ଏଠି ଜଗତର ନାଥ ଶ୍ରୀଜଗନ୍ନାଥ ଅଛନ୍ତି, ସେ ସବୁ ବିପଦରୁ ରକ୍ଷା କରିବେ। ପୁରୀକୁ ଦେଶବିଦେଶରୁ ଭକ୍ତ ପର୍ଯ୍ୟଟକମାନେ ବର୍ଷସାରା ଆତଜାତ କରନ୍ତି। ବଡଦେଉଳ, ବଡଦାଣ୍ଡରୁ ପୁରୀର ବିସ୍ତୀର୍ଣ୍ଣ ବେଳାଭୂମି- ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଏବେ କିନ୍ତୁ ସବୁ ଓଲଟପାଲଟ। ବଙ୍ଗୋପସାଗର ବକ୍ଷରୁ ମହାକାଳ ସମୁଦ୍ର ରାକ୍ଷସ ‘ଫଣୀ’ର ଭୟଙ୍କର ଆକ୍ରମଣରେ ଶଙ୍ଖକ୍ଷେତ୍ର ପୁରୀ ଛିନ୍ନଛତ୍ର, ଛାରଖାର। ପୁରୀରୁ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ସାରାଜଗତକୁ ବ୍ୟାପି ଯିବକି? ମାଳିକା ବଚନ ‘ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ’ରହିବେ କେହି, ଝାଡ଼ବାଡ଼ ଘେନି ଯେତେକ ରହିବେ କୁଳକୁ ବିହନ ସେହି’ କ’ଣ ସତ ହେବ? ଜଗନ୍ନାଥ କ’ଣ ଏବେ କଳ୍‌କୀ ଅବତାରର ପ୍ରସ୍ତୁତି ପର୍ବରେ? ଏଇଭଳି ଅନେକ ପ୍ରଶ୍ନ ଲୋକମାନସରେ ବସା ବାନ୍ଧିଲାଣି। ମାସେରୁ ବେଶି ହେଲାଣି ‘ଫଣୀ’ର ପଂଝାରୁ ଏଯାବତ୍ ମୁକୁଳି ପାରିନି ପୁରୀ। ଏବେବି ଅନ୍ଧାର, ଏବେବି ଖଣ୍ଡିଆ କାନ୍ଥଗୁଡାକ ଉପରେ ଖତେଇ ହେଉଛି ମଶାଣିଚଣ୍ଡିଆ ମଲାଜହ୍ନ! କ୍ଷେତ, ବଗିଚା, ଗଛସବୁ ଛାରଖାର, ଗାଁଗଣ୍ଡାରେ ଜୀବନ ନାରଖାର, ପୁରୀବାସୀ ଛଟପଟ, ପଙ୍କକାଦୁଅରେ ଲଟପଟ, ଉଜୁଡା ଜୀବନର ଖଇଫୁଟା ତାତିରେ ହନ୍ତସନ୍ତ, ଅନ୍ନର ଏ ଅନବଦ୍ୟ ହଂସପୁରୀ ନିରନ୍ନ ନିପୀଡିତର ନିଶ୍ୱାସରେ ନୟାନ୍ତ ! ଭୋକିଲା-ଶୋଷିଲାଙ୍କ ପଟୁଆର, ପରିତ୍ୟକ୍ତ ପଲିଥିନର ପୂତିଗନ୍ଧମୟ ପ୍ରଦ୍ୟୁଷିତ ପରିବେଶରେ ପରିଶ୍ରାନ୍ତ, ପଡିର ପୁଡିଆ : କୋଠାରୁ କୁଡିଆ, ଏସବୁ ଭିତରେ ସାମୁଦ୍ରିକ ପକ୍ଷୀପ୍ରଜାତିକୁ ଆକାଶ ହକାରୁଛି; ଏ ପଚସଢା ମାଟିପାଣି ପବନର ପରିସରରୁ ମୁକୁଳି ଉଡ଼ିଆ’ ଉଡ଼ିଆ’! ପର୍ଯ୍ୟଟକଙ୍କ ପ୍ରିୟ ପୁରୀ ଆଜି ପାଲଟିଯାଇଛି ପାଂଶୁଳ ପାଟଣା! ପୁରୀ ଜିଲ୍ଲାର ୧୧ଟି ବ୍ଲକ୍ରେ ବିପନ୍ନଙ୍କ ବିବରଣୀ ବର୍ଣ୍ଣିବାକୁ ଭାଷାନାହିଁ। ଏବେ ପୁରୀ, ଭୁବନେଶ୍ୱରକୁ ଭୟଙ୍କର ବିପତ୍ତି ମାଡ଼ିଆସୁଛି। ପାଖାପାଖି ପଚିଶ ଲକ୍ଷ ଗଛ ଉପୁଡ଼ିଛି। ବହୁ ବୃକ୍ଷର ମୂଳଅଛି, ଡାଳନାହିଁ। ଘରଭାଙ୍ଗିଛି। ରାସ୍ତାତତଲା। ଛାଇନାହିଁ। ମଣିଷ ଡହଳବିକଳ - ପଶୁପକ୍ଷୀଙ୍କ ଦୟନୀୟ ଅବସ୍ଥାକୁ ପଚାରେ କିଏ? ପାଖାପାଖି ୫ ଲକ୍ଷ ଲୋକ ଅମ୍ଳଜାନର ଅଭାବରେ ଅତିଷ୍ଠ। ଏଣେ ଗୁଳୁଗୁଳି ଗରମରେ ଦୁଃସହ ଦୁର୍ଦ୍ଦଶା। ବର୍ଷା ପଡ଼ିଲେ ଅବସ୍ଥା ହେବ ଆହୁରି ଅସମ୍ଭାଳ। ବିପନ୍ନଙ୍କ ଆଖିରେ ଲୁହର ବନ୍ୟା। ଏଣେ ଛାଇ ଅଭାବରୁ ଅଂଶୁଘାତରେ ଆକ୍ରାନ୍ତ। ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଲଟିଛି ଜହର। ଜିଲ୍ଲା ସଦର ମହକୁମା ପୁରୀ ହସପିଟାଲରେ ଝାଡ଼ାବାନ୍ତି, ଜ୍ୱର ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ସ୍ୱପ୍ନ-ସମ୍ଭାବନା ସବୁ ଚୂରମାର। ସରକାର କିଂକର୍ତବ୍ୟବିମୂଢ। ପ୍ରଥମେ ରେସନ୍‌କାର୍ଡ ଧାରୀଙ୍କୁ ୭୦ କୋଟି ଟଙ୍କା, ପରେ ବିନା ରେସନକାର୍ଡବାଲାଙ୍କୁ ୩୦ କୋଟି ଟଙ୍କା ବାଂଟିଛନ୍ତି। ଏବେବି ବିନା କାର୍ଡଧାରୀଙ୍କୁ ଚାଉଳ ଗଣ୍ଡାଏ ମିଳିଲା ନାହିଁ। ଏଣେ ସପ୍ଲାଏ ଗୋଦାମରେ ଚାଉଳ ପୋକଖାଇ ଖତ ଖାଉଛି। ଜିଲ୍ଲାର ୩ ଲକ୍ଷ ବିଜୁଳି ଗ୍ରାହକଙ୍କ ଘରକୁ ପ୍ରାୟ ୮୦ ଭାଗ ବିଜୁଳି ଅପହଂଚ। ବହୁ ବିଦ୍ୟାଳୟ ଭାଙ୍ଗିଯାଇଛି। ଯାହାବି ଅଛି ସେଠାରେ ବିପନ୍ନମାନେ ଆଶ୍ରୟ ନେଇଛନ୍ତି। ସ୍କୁଲ ସବୁ ଜୁନ୍ ୧୯ ତାରିଖରେ ଖୋଲିବ। ପିଲା ପଢିବେ କେଉଁଠି? ଜୁଲାଇ ୪ରେ ରଥଯାତ୍ରା। କୋଟିକୋଟି ଟଙ୍କାରେ ନବକଳେବରବେଳେ ନିର୍ମିତ ମାଳତୀପାଟପୁର ବସଷ୍ଟାଣ୍ଡ, ପୁରୀ ରେଳ ଷ୍ଟାଣ୍ଡ ଧ୍ୱସ୍ତବିଧ୍ୱସ୍ତ, ଏଣେ ହୋଟେଲ ଶିଳ୍ପ ବିପର୍ଯ୍ୟସ୍ତ। ରଥଯାତ୍ରାବେଳକୁ ୧୨-୧୪ ଲକ୍ଷ ଲୋକ ଆଶ୍ରୟ ନେବେ କେଉଁଠି? ବର୍ତ୍ତମାନ କେହି କାହାକଥା ଶୁଣିବାକୁ ନାହିଁ। ସମସ୍ତେ ହାତଟେକି ଦେଉଛନ୍ତି। ଅଥଚ ଆସନ୍ନ ରଥଯାତ୍ରା ଅବକାଶରେ ପୁରୀରେ ଥାଟପଟାଳିଭଙ୍ଗା ଭକ୍ତଭିଡର ଭଉଁରୀ ସିନା ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ଚାରିପଟେ ଜମିଉଠିବ, ମାତ୍ର ଅନାଥ ମଣିଷ ଆଡ଼କୁ ଅନାଉଥିବ କି ଟିକିଏ? ୠକ୍ଷଲକ୍ଷ ଭକ୍ତଙ୍କ ତରଫରୁ ଜଗନ୍ନାଥଙ୍କ ପ୍ରତି କାଳକାଳ ଧରି ଜାରି ରହିଆସିଥିବା ଅଟଳ ନିଷ୍ଠାରୁ ଶତକଡା ୧ ଭାଗ ନିଷ୍ଠା ଯଦି ପୁରୀର ଏ ଦୁର୍ଗତ ଦୁଃଖୀ ମଣିଷ ପ୍ରତି ନିବେଦିତ ହୋଇପାରନ୍ତା, ତା’ହେଲେ ଏ ବର୍ଷର ରଥଯାତ୍ରା କ’ଣ ବହୁଗୁଣିତ ଭାବରେ ପୁଣ୍ୟାର୍ଜନର ପଥନିଦ୍ଦେର୍ଶଟିଏ ପାଲଟିଯାଆନ୍ତା ନାହିଁ? ଲକ୍ଷଲକ୍ଷ ଭକ୍ତ ଏବେ ଶପଥ କରି ଯଦି ପ୍ରତ୍ୟେକେ ରଥଯାତ୍ରାବେଳେ ପ୍ରକୃତରେ ୫୦୦ ଟଙ୍କା ଏବଂ ବାହୁଡାବେଳେ ୫୦୦ ଟଙ୍କା ଏଇଭଳି ମାତ୍ର ୧୦୦୦ ଟଙ୍କା, ପୁରୀ ବିପର୍ଯ୍ୟୟ ପାଣ୍ଠିକୁ ଅକାତରରେ ଦାନ କରିପାରନ୍ତେ, ତାହା କ’ଣ ମହାଧର୍ମର ମାନ ଅର୍ଜନ କରିପାରନ୍ତା ନାହିଁ? କେଇମୁଠା ଭିକ ମାଗିବ ପୁରୀର ଧର୍ମକ୍ଷେତ୍ର, ପୁରୀ ଆଜି ମର୍ମକ୍ଷେତ୍ର, ଏଇଠି ଏବେ ପରଖ ହେଉ ଏ ପାରଙ୍ଗମ ପଣ। ସରକାରକୁ କାହିଁକି କେଇମୁଠା ଭିକ ମାଗିବ ପୁରୀ? ଏବେବି ମଣିଷ ବଂଚିଛି ପୁରୀରେ, ବିନା ସରକାରୀ ସହାୟତାରେ। ବଂଚିଥିଲା, ବଂଚିଛି, ବଂଚିଥିବ। ମାତ୍ର ବଂଚିବାର ଏ ଅଧିକାର ଆଜି ପ୍ରଶାସନିକ ପ୍ରବଂଚନାର ଯୁପକାଷ୍ଟରେ ବଳିର ବକରି ନହେଉ, ଏହା ଆମମାନଙ୍କର ଏକମାତ୍ର ଆଜିର ଆକାଙ୍‌କ୍ଷା। ଯୁଦ୍ଧକାଳୀନ ଭିତ୍ତିରେ ଅସଜଡ଼ା ପୁରୀକୁ ସଜାଡ଼ିବାକୁ ହେବ। ବର୍ଷା ପୂର୍ବରୁ ମୁଣ୍ଡ ଉପରେ ଛାତ ନିହାତି ଦରକାର। ସରକାରୀ ମାଲଖାନାରେ ପଡ଼ିରହିଥିବା ରିଲିଫ୍ ସାମଗ୍ରୀକୁ ଦରକାରବେଳେ ଦିଆହେଉ ନାହିଁ। ତୁରନ୍ତ ବିପନ୍ନଙ୍କୁ ଥଇଥାନ କରେଇବାର ବନ୍ଦୋବସ୍ତ କରାଯାଉ। ଅତ୍ୟନ୍ତ ଆବଶ୍ୟକ ବିଜୁଳି ପାଣି ଯୋଗାଯାଉ। ସ୍ଥାନୀୟ ପ୍ରଶାସନ େସ୍ୱଚ୍ଛାସେବୀମାନଙ୍କୁ ବିଶ୍ୱାସକୁ ନେଇ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ। ପୁରୀ ଗଜପତି ଏ ଦାରୁଣ ବିପତିବେଳେ ଲୋକଙ୍କ ସହିତ ରହି ସରକାରଙ୍କୁ ତାଗିଦ୍ କରିବାପାଇଁ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ପକ୍ଷରୁ ଗତ ୨୭ ତାରିଖ ‘ମଣିମା ଶୁଣିମା ହେଉ’ ନିବେଦନ ପତ୍ର ଦିଆଯାଇଥିଲା। ଏଥିପ୍ରତି ଗଜପତି ମହୋଦୟ ତୁରନ୍ତ ଦୃଷ୍ଟି ଦିଅନ୍ତୁ। ପୁଣି ଜୁନ୍ ୫ ତାରିଖ କାଳବୈଶାଖୀରେ ପୁରୀ ଛିନ୍ନଛତ୍ର ହୋଇଗଲା। ସାମାନ୍ୟ ସଜଡ଼ା ଘରକୁ, ଦୋକାନବଜାରକୁ ଅସଜଡ଼ା କରିଦେଲା। ସାମାନ୍ୟ ପବନ ବୋହିଲେ ବିପନ୍ନମାନେ ଭୟରେ ଥରହର। ଏମିତି ଡହଳବିକଳ କେବେ ପୁରୀବାସୀ ତାଙ୍କ ଜୀବନକାଳ ମଧ୍ୟରେ ହୋଇନଥିଲେ। ଖାଲି ଆମେ ଖବରକାଗଜରେ କୋଟିକୋଟି ଟଙ୍କା କୁବେର କମ୍ପାନୀମାନେ ଦେଉଛନ୍ତି, କେନ୍ଦ୍ର ଆହୁରି କୋଟିକୋଟି ପୂରେଇଦେବ। କିନ୍ତୁ ପୁରୀର ଖସିପଡ଼ିଥିବା ଦଧିନଉତି ପାଇଁ ଏ ଶାସନ ଓ ପ୍ରଶାସନର ହାତ ଲମ୍ୱିଆସିବା ଦୂରେଥାଉ, ଚାଲିଛି କେବଳ ନୂଆ ମନ୍ତ୍ରୀମଣ୍ଡଳର ଚର୍ଚ୍ଚା ପରିଚର୍ଚ୍ଚା। ଆଜି ଓଡିଶାର ପୁରୀ ପାଇଁ ମଣିଷ ବଡ଼ ନା ମଣିମା ବଡ଼, ନା ମନ୍ତ୍ରୀ ବଡ଼, କିଏ ବଡ଼? ଏ ପ୍ରଶ୍ନ ଚାବୁକ୍ ମାରିଲା ପରି ଚେତନା ଉପରେ ଛାପ ଛାଡ଼ିଯାଉଛି। ଆଉ କେତେ ପାପ କଲେ ଏ ସମାଜପତିମାନଙ୍କର ପ୍ରାୟଶ୍ଚିତର କଥା ମନେପଡିବ? ଅଭୁକ୍ତ ମୁହଁକୁ ଅଖାଦ୍ୟ, ଆର୍ତ୍ତଶୋଷିତ ମୁହଁକୁ ଅନୁପଯୁକ୍ତ ପାନୀୟଜଳ, ଏବେ ପୁରୀରେ ବହୁ ଦୁରାରୋଗ୍ୟ ବ୍ୟାଧି ଉପଜାଇବାର ଆଂଶଙ୍କା ସୃଷ୍ଟିକଲାଣି। ଆଗପରି ସମୁଦ୍ରକୂଳରେ ଆଉ ସେ ସୁଖକର ସାନ୍ଧ୍ୟଭ୍ରମଣ ନାହିଁ କି ଜହ୍ନରାତିକୁ ଉପଭୋଗ କରିବାର ଆଗ୍ରହ ନାହିଁ। ସଚିବାଳୟର ଶୀତତାପ ନିୟନ୍ତ୍ରିତ କୋଠରିଗୁଡିକରେ ଆଉ ଘଂଟାଘଂଟା ନବସି କିଛିଦିନ ପାଇଁ ମନ୍ତ୍ରୀ ଅଫିସରମାନେ ପୁରୀର ଧ୍ୱସ୍ତବିଧ୍ୱସ୍ତ ଧୂସର ପୁରପଲ୍ଲୀରେ ଅନ୍ତତଃ କିଛିଦିନ ପାଇଁ ପାଦରେ ଚାଲିଚାଲି ଗସ୍ତ କରନ୍ତୁ ଏବଂ ଅସ୍ତବ୍ୟସ୍ତ ଜନଜୀବନର ତାପମାତ୍ରା ଆନ୍ତରିକତାର ସହିତ ପରିମାପ କରନ୍ତୁ। ପୁରୀର ପାରଦ ବଢୁଛି କି ଖସୁଛି - ଏ ଅନୁଭୂତି ସେମାନେ ନିଜପାଇଁ ନିଜେ ଅଙ୍ଗଲିଭା କରିପାରିଲେ ହିଁ ଖବରକାଗଜର ହରଫ୍ରେ କି ହେଲିକେପ୍ଟରର ଖୋଲାଖିଡିକିରେ ଆଉ କ୍ଷୟକ୍ଷତିର ମାନଚିତ୍ରକୁ ଠଉରାଇବାର ଆବଶ୍ୟକତା ପଡିବନାହିଁ। ସରକାର ମଣିଷମାନଙ୍କର ମୂଲ୍ୟ ବୁଝନ୍ତୁ। ମାଟିର ସତ୍ୟ ହୃଦୟଙ୍ଗମ କରନ୍ତୁ। ଆଜିର ଏ ଦାରୁଣ ଦୁର୍ଗତିବେଳେ ବୁଝିବିଚାରି ଯଥାଶୀଘ୍ର ବିହିତ ପଦକ୍ଷେପ ନିଅନ୍ତୁ। ନହେଲେ ନେଡିଗୁଡ କହୁଣୀକୁ ବୋହିଗଲାବେଳକୁ କୋଟିକୋଟି ଟଙ୍କାର ଦାନଅନୁଦାନ ଆସି ରାଜକୋଷରେ ଯେତେ ଠୁଳ ହେଲେବି ଦୁର୍ଗତ ମଣିଷର କୋଉ କାମରେ ବି ଲାଗିବନି। ମଣିଷକୁ ଏ ଯେଉଁ ହାତ ମିଳିଛି ଏ ହାତ ଦାନୀଅନୁଦାନୀମାନଙ୍କ ଆଗରେ ପାପୁଲି ପତେଇବାକୁ ମୋଟେ ମିଳିନାହିଁ। ବରଂ ଏ ହାତ ନିଜର ହକ୍ ଅସୁଲ କରିବାପାଇଁ, ବଦ୍ଧମୁଷ୍ଟି ସହିତ ଆକାଶ ଆଡ଼କୁ ଉତ୍ତରିତ ହେବା ଲକ୍ଷରେ ହିଁ ସଂକଳ୍ପବଦ୍ଧ ହେବା ଏକାନ୍ତ ବାଂଛନୀୟ। ଆଜି ଆଉ ମୁଣ୍ଡରେ ହାତଦେଇ ବସିବାର ବେଳ ଇଏ ନୁହେଁ, ଇଏ ଆପଣାର ଅଧିକାର ଛିଣ୍ଡେଇ ଆଣିବାର ଅସଲ ବେଳ। ଆଦି ଶଙ୍କରାଚାର୍ଯ୍ୟ ଅତୀତରେ ସମଗ୍ର ଭାରତବର୍ଷର ସାଂସ୍କୃତିକ ଅଭୁତ୍‌ଥାନ ସଂକଳ୍ପରେ ଯେଉଁ ଚାରିଗୋଟି ଆଧ୍ୟାତ୍ମିକ ରାଜଧାନୀ ପ୍ରତିଷ୍ଠାକରି ମହାଚେତନାର ଚତୁର୍ଧାମ ସୃଷ୍ଟି କରିଥିଲେ ତନ୍ମଧ୍ୟରୁ ଜଗନ୍ନାଥଧାମ ପୁରୀ ହେଉଛି ଅନନ୍ୟ ତୀର୍ଥଭୂମି। ଆଜି ଏଇ ଜଗନ୍ନାଥଧାମ କିନ୍ତୁ ଜନଯନ୍ତ୍ରଣାର ଜଘନ୍ୟତାରେ ଜର୍ଜରିତ। ଶଙ୍ଖକ୍ଷେତ୍ର ନାମରେ ସୁବିଦିତ ଏ ଶ୍ରୀକ୍ଷେତ୍ର ଜୈନ-ବୌଦ୍ଧ-ହିନ୍ଦୁ-ଶିଖ-ମୁସଲିମ-ଖିରସ୍ତାନୀ-ବହୁ ସାଧୁସନ୍ଥଙ୍କ ଚେତନାର ଚୁମ୍ୱକୀୟ କ୍ଷେତ୍ରଟିଏ। ଏ କ୍ଷେତ୍ରରେ ଯୀଶୁଙ୍କର କିୟତ୍‌କାଳ ରହସ୍ୟାବୃତ୍ତ ରହଣୀ ବାବଦରେ ମଧ୍ୟ ଗବେଷକୀୟ ସୂଚନା ଆମେ ପ୍ରାପ୍ତ ହୋଇଛୁ। କବୀର-ନାନକ-ଶ୍ରୀଚୈତନ୍ୟଙ୍କ ଠାରୁ ଆରମ୍ଭକରି ସାଲବେଗଙ୍କ ଯାଏଁ କେତେକିଏ ମୁଖର ନହୋଇଛନ୍ତି ଏହି ଶଙ୍ଖକ୍ଷେତ୍ରର ସ୍ତୁତିବର୍ଣ୍ଣନାରେ? ଏ ଭୂମିର ଭୂମାଚେତନା ତ ବେଦନାକୁ କରିଛି ବେଦମନ୍ତ୍ର, ଏ ମାଟିର ମହିମହିମା ତ ମର୍ମମନ୍ଥନକୁ ବି କରିଛି ମହାକାବ୍ୟ। ଇତିହାସର ଅପହରଣ - ଅବଲୁଣ୍ଠନ - ଅପରାଧ କ’ଣ ଧର୍ମସଂସ୍କୃତିର ସୁଦର୍ଶନଚକ୍ରୀ ଶ୍ରୀଜଗନ୍ନାଥଙ୍କୁ କସ୍ମିନକାଳେ ବିସ୍ଥାପିତ କରିପାରିଛି ଶ୍ରୀମନ୍ଦିରରୁ? ବିଶ୍ୱାବସୁ ଓ ବିଶର ମହାନ୍ତିମାନଙ୍କ ଠାରୁ ଦାସିଆ ବାଉରି ଓ ଦଇତାପତିମାନଙ୍କ ପର୍ଯ୍ୟନ୍ତ ପ୍ରସାରିତ ଏ ପୁରୀ, କିନ୍ତୁ ମାତ୍ର କେଇ ଘଡ଼ିର ଫଣୀ-ଫୁତ୍‌କାରରେ କାହିଁକି ହଜାଇବସିଛି ତା’ ପତିତପାବନ ପରମ୍ପରାର ପତିଆରା? ଶଙ୍ଖକ୍ଷେତ୍ର ପୁରୀରେ କ’ଣ କେହି କେବେ ଆନ୍ତରିକତାର ସହିତ ଜବାବସୁଆଲ କରିବେନି ଶାମୁକାଏ ସ୍ୱପ୍ନ ପାଇଁ ରାତି କାହିଁ ? ପୁରୀକୁ କେବେ ପୁଣି ଶୁଭିବ ସେଇ ସତ୍ୟବଚନ ସନ୍ଥବଚନ - ଧନ୍ୟଧନ୍ୟ? ପୁରୀରେ କେବେ ବାଜିବ ଜୀବନଯୁଦ୍ଧର ପାଂଚଜନ୍ୟ! ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :