ଦେବେନ୍ଦ୍ର ପୃଷ୍ଟି ପୁଞ୍ଜିପତିଙ୍କ ସଂପତ୍ତି ଉପରେ ଗବେଷଣା କରୁଥିବା ଉଏଲ୍ଥ ଏକ୍ସ ନାମକ ଏକ ସଂସ୍ଥାର ଅଦ୍ୟାବଧି ଶେଷ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଜଗତୀକରଣ ଯୁଗରେ ଭାରତର ଆର୍ଥନୀତିକ ଉଦାରବାଦର ପରିଣାମ କିପରି ଅସମାନ ବିକାଶ ଓ ସମୃଦ୍ଧିରେ ଶେଷ ହୋଇଛି ସେ ସଂପର୍କରେ ଅନେକ ଆଭାସ ପ୍ରଦାନ କରେ | ଏହି ସଂସ୍ଥାର ଗବେଷଣା ଲବ୍ଧ ତଥ୍ୟ ଅନୁସାରେ ଭାରତର ମାତ୍ର ୫ ଜଣ ଅର୍ବୁଦ୍ଦପତି ୫ ଲକ୍ଷ ୨୩ ହଜାର ୮୯୭ କୋଟି ଟଙ୍କା ମୂଲ୍ୟର ସଂପତ୍ତିର ଅଧିକାରୀ | ସେମାନଙ୍କର ଏହି ସଂପତ୍ତି ଦେଶର ସମସ୍ତ ଅର୍ବୁଦ୍ଦପତିଙ୍କ ସଂପତ୍ତିର ଅଧା ସହିତ ସମାନ | ଏହା ଅସମାନ ବିକାଶର ଅନ୍ୟ ଏକ ଉଦାହରଣ ଓ କ୍ରୋନି କକ୍ୟାପିଟାଲିଜ୍ମର ବାସ୍ତବ ପରିଣତି | ନିଉ ଉଏଲ୍ଥ ନାମକ ଅନ୍ୟ ଏକ ସଂସ୍ଥା ଅନୁସାରେ ଏହି ଅର୍ବୁଦ୍ଦପତିମାନଙ୍କ ସଂପତ୍ତିର ମୁଖ୍ୟସୂତ୍ର ହେଲା ଦେଶର ସାଧାରଣ ସମ୍ବଳ ଓ ସରକାରୀ ଚୁକ୍ତି ବା ଲାଇସେନ୍ସ | ଅର୍ଥାତ ସରକାରୀ ସହାୟତା ଓ ପ୍ରୋତ୍ସାହନରେ ଏହି ଲୋକମାନେ ଦେଶର ପ୍ରାକୃତିକ ସମ୍ବଳକୁ କବ୍ଜା କରି ତାହାକୁ ଆପଣାର ସ୍ବାର୍ଥରେ ବିନିଯୋଗ କରି ଏପରି ବିପୁଳ ସଂପତ୍ତିର ଅଧିକାରୀ ହୋଇଛନ୍ତି | ଅଥଚ ଏସବୁ ସମ୍ବଳ ଉପରେ ହଜାର ହଜାର ବର୍ଷ ଧରି ନିର୍ଭର କରି ଚଳି ଆସୁଥିବା ଦେଶର ସାଧାରଣ ଲୋକମାନେ ସେମାନଙ୍କ ସମ୍ବଳ ବ୍ୟବହାର କରିବା ପାଇଁ ଏଇ ପୁଞ୍ଜିପତିମାନଙ୍କୁ ଟଙ୍କା ଦେଇ ଚାଲିଛନ୍ତି | ଆଧୁନିକ ବିକାଶ ଧାରାରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍, ସ୍ପେକ୍ଟ୍ରମ, ଲୁହା ପଥର, ମାଙ୍ଗାନିଜ୍, କ୍ରୋମ୍, ବକ୍ସାଇଟ୍, କୋଇଲା ଆଦି ଖଣିଜ ପଦାର୍ଥର ଚାହିଦା ଅନେକ | ଏସବୁ ବିନା ଆଧୁନିକ ବିକାଶ ଓ ସମୃଦ୍ଧି ସମ୍ଭବ ନୁହେଁ | ସେହିପରି ସୂଚନା ପ୍ରଯୁକ୍ତିକୁ ଛାଡ଼ି ମଧ୍ୟ ଆଧୁନିକ ବିକାଶର ପରିକଳ୍ପନା ଅସମ୍ଭବ | ସୂଚନା ପ୍ରଯୁକ୍ତି ଏକ ଉଦ୍ଭାବିତ ଜ୍ଞାନ କୌଶଳ ହୋଇଥିଲେ ମଧ୍ୟ ତାହାର ପ୍ରସାରଣ ନିର୍ଭର କରେ ବ୍ୟୋମ ବା ଆକାଶ ପରି ପ୍ରାକୃତିକ ସମ୍ବଳ ଉପରେ | ରେଡିଓ ଉଏଭ ସାଉଣ୍ଡ ଉଏ, ମମ୍ୟାଗ୍ନେଟିକ୍ ଉଏଭ ଆଦି ଯେଉଁ ମାଧ୍ୟମରେ ଗତି କରେ ତାହାକୁ ମଣିଷ ତିଆରି କରି ନାହିଁ | ତାହା ପ୍ରକୃତି ଦତ୍ତ | ସେହିପରି ପେଟ୍ରୋଲିୟମ, ସ୍ପେକ୍ଟ୍ରମ, ପ୍ରାକୃତିକ ଗ୍ୟାସ୍, ଜଳ, ଜମି, ଜଙ୍ଗଲ ଓ ଖଣିଜ ପଦାର୍ଥ ଆଦିକୁ ମଧ୍ୟ ମଣିଷ ବା କୌଣସି ଶିଳ୍ପ ବା ବ୍ୟାବସାୟିକ ସଂସ୍ଥା ସେମାନଙ୍କ କାରଖାନାରେ ତିଆରି କରି ନାହାନ୍ତି | ଏହାକୁ ପ୍ରକୃତି ସୃଷ୍ଟି କରିଛି | ତେଣୁ ଏହା କାହାର ନିଜର ନୁହେଁ ଏହା ଉପରେ ସବୁ ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କର ସମାନ ଅଧିକାର ରହିଛି | ପ୍ରକୃତି ସୃଷ୍ଟି କରିଥିବା ଅମ୍ଳଯାନ ଜୀବଜଗତ ପାଇଁ ମାଗଣା | କିନ୍ତୁ କାଲି ଯଦି କୌଣସି ଦେଶର ସରକାର ଜାତୀୟକରଣ ବାଟ ଦେଇ ଏହାର ଘରୋଇକରଣ କରିଦେବେ ତେବେ ପରିସ୍ଥିତି କ’ଣ ହେବ ? ଧନୀ ଲୋକମାନେ ଔଷଧ ଦୋକାନରୁ ଅମ୍ଳଯାନ ଥଳି କିଣି ହୁଏତ ବଂଚିଯିବେ, କିନ୍ତୁ ଗରୀବ ଲୋକମାନେ ? ସେମାନେ କ’ଣ କରିବେ? ପଶୁପକ୍ଷୀମାନେ ଅମ୍ଳଯାନ ବ୍ୟବହାର ପାଇଁ କେଉଁଠି ଲାଇନ୍ ଦେବେ? ଅମ୍ଳଯାନର ମୁଖ୍ୟ ଖଣି ବାୟୁ ମଣ୍ଡଳକୁ ଶିଳ୍ପପତି ଓ ବ୍ୟବସାୟୀମାନେ ପ୍ରଦୂଷିତ କରିସାରିଲେଣି | ସେଥିପାଇଁ ଏବେ ବି ଅନେକ ଲୋକ ମୁଖା ପିନ୍ଧୁଛନ୍ତି | ରୋଗୀର ଦରକାର ହେଉଥିବା ଅମ୍ଳଯାନକୁ ମେଡିକାଲରେ ଟଙ୍କା ଦେଇ କିଣା ଯାଉଛି | ଆଗକୁ ଏହା ସାର୍ବଜନୀନ ହେବା ଆଦୌ ବିଚିତ୍ର ନୁହେଁ | ନେତା ଓ ଅମଲାମାନେ ଆପଣାର ସ୍ବାର୍ଥ ପାଇଁ କେଉଁ କମ୍ପାନୀ ହାତରେ ଅମ୍ଳଯାନ ନିୟନ୍ତ୍ରଣ ଓ ବିତରଣ ପ୍ରକ୍ରିୟାର ଲାଇସେନ୍ସ ଟେକି ଦେଇପାରନ୍ତି | ସେହିପରି ଅନ୍ୟ ସବୁ ପ୍ରାକୃତିକ ସମ୍ବଳ | ଯାହା ଦିନେ ମାଗଣା ଥିଲା, ସମସ୍ତଙ୍କ ପାଇଁ ମୁକ୍ତ ଥିଲା ତାହାକୁ ଶିଳ୍ପପତି ଓ ବ୍ୟବସାୟୀମାନେ ନିଜ ଆର୍ଥିକ ସାମ୍ରାଜ୍ୟର ଅଂଶବିଶେଷ ଭାବେ ଗ୍ରହଣ କରିନେଲେଣି | ଉଏଲ୍ଥ ଏକ୍ସ ନାମକ ସଂସ୍ଥା ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ଥିବା ତଥ୍ୟ ଅନୁସାରେ ଅମ୍ବାନୀ ଗୋଷ୍ଠୀର ମୁକେଶ ଅମ୍ବାନୀ, ଇସ୍ପାତ ସମ୍ରାଟ ଲକ୍ଷ୍ମୀ ମିତ୍ତଲ, ଔଷଧ ନିର୍ମାତା ସନ୍ ଫାର୍ମାର ଦିଲ୍ଲିପ ସାଙ୍ଘଭି, ସୂଚନା ପ୍ରଯୁକ୍ତି କମ୍ପାନୀ ଉଇପ୍ରୋର ଅଜିମ ପ୍ରେମଜୀ ଏବଂ ଟାଟା ସନ୍ସର ପାଲୋନଜୀ ସାପୁରଜୀ ମିସ୍ତ୍ରୀ ପ୍ରମୁଖ ମାତ୍ର ୪ ଜଣ ଅର୍ବୁଦ୍ଦପତିଙ୍କ ମୋଟ ସଂପତ୍ତିର ମୂଲ୍ୟ ହେଉଛି ୫ ଲକ୍ଷ ୨୩ ହଜାର ୮୯୭ କୋଟି ଟଙ୍କା | ଏମାନଙ୍କ ମଧ୍ୟରୁ କେବଳ ମୁକେଶ ଅମ୍ବାନୀଙ୍କ ସଂପତ୍ତିର ମୂଲ୍ୟ ହେଉଛି ୧ ଲକ୍ଷ ୪୯ ହଜାର ୪୭୪ କୋଟି ଟଙ୍କା | ଏହି ବିପୁଳ ପରିମାଣର ସଂପତ୍ତି ସେ କ’ଣ ପରିଶ୍ରମ କରି ଉପାର୍ଜନ କରିଛନ୍ତି ? ନା ତାଙ୍କ କମ୍ପାନୀକୁ ବିଭିନ୍ନ ସରକାର ପ୍ରଦାନ କରିଥିବା ଲାଇସେନ୍ସ ଓ ଚୁକ୍ତି ବଳରେ ଏ ସଂପତ୍ତି ତାଙ୍କୁ କହିବାକୁ ଗଲେ ପ୍ରାୟ ମାଗଣାରେ ମିଳିଯାଇଛି ? ରିଲାଏନ୍ସ କମ୍ପାନୀକୁ ଯଦି ସରକାର ପେଟ୍ରୋଲିୟମ ଓ ଗ୍ୟାସ୍ କ୍ଷେତ୍ର ଓ ସ୍ପେକ୍ଟ୍ରମ ଆଦି ପ୍ରାକୃତିକ ସମ୍ବଳର ସିଂହଭାଗ ପ୍ରଦାନ କରିନଥାନ୍ତେ ଏହି କମ୍ପାନୀର ମାଲିକ ଏତେ ସଂପତ୍ତିର ମାଲିକ ହୋଇପାରିଥାନ୍ତେ କି ? ସେହିପରି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଏବଂ ଶିଳ୍ପ ଓ ବ୍ୟବସାୟର ଲାଭ-ଲୋଭର ପରିଣତି ସ୍ବରୂପ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁଁ ଉତ୍ପନ୍ନ ହେଉଥିବା ରୋଗବ୍ୟାଧିର ମୁକାବିଲା କରିବା ଆଳରେ ସରକାର ଯଦି ଆୟୁର୍ବେଦିକ, ହୋମିଓପ୍ୟାଥିକ, ୟୁନାନୀ, ସିଦ୍ଧି ଓ ଯୋଗ ଆଦି ପାରମ୍ପାରିକ ଚିକିତ୍ସା ଓ ନିଦାନ ପଦ୍ଧତି ଉପରେ ଗୁରୁତ୍ବ ଦେଇଥାନ୍ତେ ତେବେ ସନ୍ ଫାର୍ମା ଭଳି ଏଲୋପ୍ଯାଥିକ୍ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀର ମାଲିକ କ’ଣ ୧୫୬୩ କୋଟି ଡଲାର ବା ୯୩୭୮୦ କୋଟି ଟଙ୍କାର ମାଲିକ ହୋଇଥାନ୍ତେ? ଅନ୍ୟମାନଙ୍କ କଥା ମଧ୍ୟ ସେହିପରି | କ୍ରୋନି କ୍ୟାପିଟାଲିଜମ ଜରିଆରେ ସରକାର ଦେଶରେ ଏକ ନିଦ୍ଦିର୍ଷ୍ଟ ମୁଷ୍ଟିମେୟ କୋଟିପତି ଓ ଅର୍ବୁଦପତି ଗୋଷ୍ଠୀ ସୃଷ୍ଟି କରୁଛନ୍ତି, ଯେଉଁମାନେ ଦେଶର ସମସ୍ତ ସାଧାରଣ ସମ୍ବଳ ଓ ବ୍ୟାବସାୟିକ ପରିସରକୁ କବ୍ଜା କରି ସାଧାରଣ ଲୋକମାନଙ୍କୁ ଆର୍ଥିକ ରୂପେ ଶୋଷଣ କରି ନିଜର ସଂପତ୍ତି ଓ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି | ପ୍ରକୃତି ମାଗଣା ଦେଇଥିବା ପେଟ୍ରୋଲକୁ ଏହିପରି ଶିଳ୍ପପତିମାନେ ଲିଟର ପିଛା 5-10 ଟଙ୍କା ଖର୍ଚ୍ଚ କରି ଉତ୍ତୋଳନ ଓ ବିଶୋଧନ କଲା ପରେ ୬୦ ଟଙ୍କାରେ ବିକ୍ରି କରୁଛନ୍ତି | ଟନ୍ ପ୍ରତି ୨୦୦ ଟଙ୍କା ଖର୍ଚ୍ଚରେ ଉତ୍ତୋଳିତ ହେଉଥିବା ଲୁହା ପଥରର ମୂଲ୍ୟ ଖୋଲା ବଜାରରେ ୫ ହଜାରରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି | ଏକରକମ ମାଗଣରେ ମିଳୁଥିବା ସ୍ପେକ୍ଟ୍ରମ ବ୍ୟବହାର ନିମନ୍ତେ ଟେଲିକମ୍ କମ୍ପାନୀଗୁଡ଼ିକ ଲୋକଙ୍କଠାରୁ ମିନିଟ୍ ପାଇଁ ଟଙ୍କାଏ ଉପରେ ନେଉଛନ୍ତି | ଯେଯାଏଁ ଲୋକମାନେ ଏଭଳି ବିକାଶ ପଦ୍ଧତିର ପ୍ରଚାର ଚଳାଇଥିବା ରାଜନୀତିକ ଦଳଗୁଡ଼ିକୁ ଭୋଟ୍ ଦେଇଚାଲିଥିବେ ସେଯାଏଁ ଏହିଭଳି ଭାବରେ ଦେଶର ସଂପତ୍ତି ଖୁବ୍ ଅଳ୍ପ କିଛି ଲୋକଙ୍କ ସିନ୍ଧୁକରେ ବନ୍ଦ ହୋଇଚାଲିଥିବ | ଅନ୍ତରଙ୍ଗ ପୁଞ୍ଜିବାଦରେ ଲାଭ କାହାର? କେବଳ ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜରିବାଲ୍ ନୁହନ୍ତି, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ୍ ଉଠାଇଛନ୍ତି କ୍ରୋନି କ୍ୟାପିଟାଲିଜ୍ମ ବା ଅନ୍ତରଙ୍ଗ ପୁଞ୍ଜିବାଦ ପ୍ରସଙ୍ଗ | ଭାରତରେ ଚାଲିଥିବା ଅନ୍ତରଙ୍ଗ ପୁଞ୍ଜିବାଦ ଦେଶର ବିକାଶରେ ସହାୟକ ନ ହୋଇ ଅଭିବୃଦ୍ଧିରେ ବାଧକ ସାଜିଛି ବୋଲି ମନ୍ତବ୍ୟ ଦେଇଛନ୍ତି ଦେଶର ଜଣେ ସଫଳ ଅର୍ଥନୀତିଜ୍ଞ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ରାଜନ୍ | ତାଙ୍କ ମତରେ ଅନ୍ତରଙ୍ଗ ପୁଞ୍ଜିବାଦ ଦେଶରେ ଅଲିଗାର୍କି ବା କୁଳୀନତନ୍ତ୍ରକୁ ସୁଦୃଢ଼ କରୁଛି | ଅର୍ଥାତ ଅନ୍ତରଙ୍ଗ ପୁଞ୍ଜିବାଦ ଯୋଗୁଁ ଗଣତନ୍ତ୍ର ଦୁର୍ବଳ ହେଉଛି | ଭାରତର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଖଣିମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ ପ୍ରମୁଖ ରାଜନଙ୍କର ଏପରି ମନ୍ତବ୍ୟ ଉପରେ ଗଭୀର ଭାବେ ଚିନ୍ତା କରିବା ଉଚିତ | ସେମାନଙ୍କ ସହିତ ବଡ଼ ବଡ଼ ଶିଳ୍ପର ପ୍ରମୁଖ କର୍ମଚାରୀ ଓ ମାଲିକମାନେ ମଧ୍ୟ ବ୍ୟକ୍ତିଗତ ସ୍ବାର୍ଥର ଊର୍ଦ୍ଧ୍ବକୁ ଉଠି ଏ ବିଷୟରେ ନିରପେକ୍ଷ ଭାବେ ବିଚାର କରିବା ଜରୁରୀ | ସେମାନେ ଦେଶର ବିକାଶ ଓ ଅଭିବୃଦ୍ଧି ଆଳରେ ଯେଉଁ ପୁଞ୍ଜିବାଦ ଚଳାଇଛନ୍ତି ତାହା ଫଳରେ ଦେଶବାସୀଙ୍କର ସମୃଦ୍ଧି ସାଧିତ ହେଉଛି ନା ଶୋଷଣ ଜରିଆରେ ସେମାନଙ୍କୁ ଦେବାଳିଆ ଅବସ୍ଥାକୁ ଠେଲି ଦିଆଯାଉଛି ତାହା ସମସ୍ତେ ବିଶ୍ଲେଷଣ କରିବା ଦରକାର | ସେମାନଙ୍କ ମନରେ ଯଦି ସାମାନ୍ୟ ଦେଶପ୍ରେମ ଥାଏ, ଦେଶବାସୀଙ୍କ ପାଇଁ କାମ କରିବାର ସଦିଚ୍ଛା ଥାଏ ତେବେ ସେମାନେ ଏ ଦିଗରେ ନିଶ୍ଚୟ ଚିନ୍ତା କରିବେ | କିନ୍ତୁ ସେମାନେ ଯଦି କେବଳ ବ୍ୟକ୍ତିଗତ ଆର୍ଥିକ ସାମ୍ରାଜ୍ୟର ସୀମା ସଂପ୍ରସାରିତ କରିବାକୁ ଚାହୁଁଥାନ୍ତି ହଜାର ହଜାର ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ସଂପତ୍ତିର ମାଲିକ ହେବାକୁ ଚାହୁଁଥାନ୍ତି ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଆଦୌ ପଢ଼ି ନପାରନ୍ତି କିମ୍ବା ପଢ଼ିଲେ ବି ତା’ ଉପରେ ଆଦୌ ଗୁରୁତ୍ବ ନଦେଇ ପାରନ୍ତି | କ୍ରୋନି କ୍ୟାପିଟାଲିଜ୍ମ ବା ଅନ୍ତରଙ୍ଗ ପୁଞ୍ଜିବାଦ ହେଉଛି ନିଜନିଜ ସଂପର୍କୀୟ ବା ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ପୁଞ୍ଜି ଆହରଣର ତତ୍ତ୍| ଏହି ପୁଞ୍ଜିବାଦ ଜରିଆରେ ଦେଶର ଏକ ମୁଷ୍ଟିମେୟ ଗୋଷ୍ଠୀର ବ୍ୟବସାୟୀ ଓ ଶିଳ୍ପପତିଙ୍କର ଆୟ ଓ ସଂପତ୍ତି ଦ୍ରୁତଗତିରେ ବହୁଗୁଣିତ ହୋଇଥାଏ | ଏହି ପ୍ରକ୍ରିୟାରେ ଟାଟା, ବିର୍ଲା, ଅମ୍ବାନୀ ଓ ଆଦାନୀ ପରି ଗୋଷ୍ଠୀର ବ୍ୟବସାୟିକ ଓ ଆର୍ଥିକ ସାମ୍ରାଜ୍ୟ ସୁଦୃଢ଼ ଓ ଶକ୍ତିଶାଳୀ ହେଉଥିବାବେଳେ ଦେଶ ଓ ଦେଶବାସୀଙ୍କ ଅର୍ଥନୀତି ଦୁର୍ବଳ ହୋଇଯାଉଛି | କାରଣ ଦେଶର ପ୍ରାୟ ସମସ୍ତ ସାଧାରଣ ପୁଞ୍ଜି ଓ ସମ୍ବଳକୁ ଏହି କ୍ରୋନି କ୍ୟାପିଟାଲିଷ୍ଟ ବା ଅନ୍ତରଙ୍ଗ ପୁଞ୍ଜିବାଦୀମାନେ ଅକ୍ତିଆର୍ କରି ନେଇଛନ୍ତି ଓ ତାହା ଦେଶ ଓ ଦେଶବାସୀଙ୍କ ପରିବର୍ତ୍ତେ ସେମାନଙ୍କର ଉନ୍ନତି, ପ୍ରଗତି, ସମୃଦ୍ଧି ଓ ବିକାଶ ଆଦିର ମାଧ୍ୟମ ହୋଇଯାଇଛି | ବ୍ୟବସାୟ ଜରିଆରେ ଦେଶର ସମୃଦ୍ଧି ଓ ବିକାଶ ଘଟାଇବାର ସ୍ଲୋଗାନ ଦେଇ ନିଦ୍ଦିର୍ଷ୍ଟ ଏକ ସଂପ୍ରଦାୟର ସ୍ବାର୍ଥପର ରାଜନେତାଙ୍କ ସହଯୋଗରେ ଏହିପରି ପୁଞ୍ଜିବାଦୀମାନେ ଦେଶର ଜମି, ଜଳ, ଜଙ୍ଗଲ, ଖଣି, ସ୍ପେକ୍ଟ୍ରମ ଓ ବ୍ୟାବସାୟିକ ପରିସର କବ୍ଜା କରିବା ସହିତ ସରକାରୀ ସୁବିଧା ଓ ଟିକସ ରିହାତି ଆଦିକୁ ମଧ୍ୟ ହଡ଼ପ କରି ନେଉଛନ୍ତି | ରଘୁରାମ ରାଜନଙ୍କ ପରି ବିଶିଷ୍ଟ ଅର୍ଥନୀତିଜ୍ଞ ଏକଥା ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଯେ ଗତ କେଇ ଦଶନ୍ଧି ଭିତରେ ଭାରତରେ ଅର୍ବୁଦ୍ଦପତି ବା ବିଲିଓନେୟାରଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି | କେଇ ବର୍ଷ ତଳର ହିସାବ ଅନୁସାରେ ପ୍ରତି ଏକ ଲକ୍ଷ କୋଟି ଡଲାରର ମୋଟ୍ ଘରୋଇ ଉତ୍ପାଦନରେ ଅର୍ବୁଦ୍ଦପତିଙ୍କ ସଂଖ୍ୟା ହାର ରୁଷ ତୁଳନାରେ ଭାରତରେ ଅଧିକ | ଏବେ ପ୍ରକାଶ ପାଇଥିବା ନୂଆ ପରିସଂଖ୍ୟାନ ଅନୁସାରେ ଅର୍ବୁଦ୍ଦପତିଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବରେ ଅଷ୍ଟମ | ଅଷ୍ଟ୍ରେଲିଆ, ରୁଷିଆ ଓ ଫ୍ରାନ୍ସ ଅପେକ୍ଷା ଭାରତରେ ଅଧିକ ଅର୍ବୁଦ୍ଦପତି ଅଛନ୍ତି ବୋଲି ନିଉ ଉଆର୍ଲଡ଼ ଉଏଲ୍ଥ ନାମକ ଏକ ସଂସ୍ଥା ରିପୋର୍ଟ କରିଛି| ସିଙ୍ଗାପୁର ଓ କାନାଡ଼ାଠାରୁ ମଧ୍ୟ ଭାରତରେ ଅଧିକ ଅର୍ବୁଦ୍ଦପତି ଅଛନ୍ତି | କିନ୍ତୁ ଭାରତର ଏହି ଅର୍ବୁଦ୍ଦପତିମାନଙ୍କର ସଫଳତାର ରହସ୍ୟ କ’ଣ ? କଠିନ ପରିଶ୍ରମ ? ଅଧିକ ଜ୍ଞାନ ? ଅଧିକ ବିଦ୍ୟା ? ନିଷ୍ଠା ଓ ସାଧୁତା ? ଧର୍ମ ଓ ନୈତିକତା ? କେଉଁ ଗୁଣ ଓ ଚରିତ୍ର ଭିତ୍ତିରେ ସେମାନେ ଅର୍ଜନ କରିଛନ୍ତି ଏତେ ଧନ ଓ ସଂପତ୍ତି ? ରାଜନଙ୍କ ସୂଚନା ଅନୁସାରେ ଏହା ପଛରେ ରହିଛି ଜାତୀୟ ସମ୍ବଳର ଲୁଣ୍ଠନ ଓ ଦୁର୍ନୀତି | ଜମି, ପ୍ରାକୃତିକ ସମ୍ବଳ ଓ ସରକାରୀ ଚୁକ୍ତି ଓ ଲାଇସେନ୍ସ ପାଇଥିବା ଲୋକମାନଙ୍କ ପୁଞ୍ଜି ଓ ସଂପତ୍ତି ବର୍ଷକୁ ବର୍ଷ ବହୁଗୁଣିତ ହୋଇଛି | ଆଉ ଠିକ୍ ଏହି ସମୟରେ ଦେଶର ସାଧାରଣ ଲୋକମାନଙ୍କର ଆୟ ଓ ସଂପତ୍ତି ସେହି ଅନୁପାତରେ ହ୍ରାସ ପାଇଛି, ସେମାନଙ୍କର କ୍ରୟଶକ୍ତି କ୍ଷୟ ପାଇଛି | ବଂଚିବା ପାଇଁ ସେମାନେ ସରକାର ଓ ଏପରି ପୁଞ୍ଜିପତିଙ୍କ ଦାନ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି | ସ୍ବାଭାବିକ ଭାବେ ଧର୍ମଭୀରୁ ଭାରତୀୟମାନେ ଯା’ଠାରୁ ଭିକ୍ଷା ଓ ଦାନ ଗ୍ରହଣ କଲେ ତା’ର ପ୍ରଶସ୍ତିଗାନ କରୁଛନ୍ତି | ଏବଂ ଏହା ହିଁ ହୋଇଛି ଭାରତୀୟ ଗଣତନ୍ତ୍ର ପ୍ରତି ସବୁଠୁଁ ବଡ଼ ଅଭିଶାପ | ଏହିପରି ଭୋଟରମାନଙ୍କ ପାଇଁ ଭଲ ଲୋକମାନେ ନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ ହେଉଥିବାବେଳେ ଯେଉଁମାନେ ପ୍ରଚାର ସମୟରେ ଭୋଜିଭାତ, ଉପହାର, ଉପଢୌକନ ଆଦି ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି ସେମାନେ ଜିତୁଛନ୍ତି ଓ ସରକାରୀ କ୍ଷମତା ଅକ୍ତିଆର କରୁଛନ୍ତି, ନହେଲେ ବିରୋଧୀ ଦଳରେ ରହି ସରକାରଙ୍କୁ ପ୍ରଭାବିତ କରୁଛନ୍ତି | ଏଭଳି ନେତାମାନଙ୍କୁ ଜିତାଇବା ପାଇଁ ଅନ୍ତରଙ୍ଗ ପୁଞ୍ଜିବାଦୀମାନେ କୋଟିକୋଟି ଟଙ୍କା ଚାନ୍ଦା ଦେଉଛନ୍ତି | ଟାଟା, ବିର୍ଲା, ବେଦାନ୍ତ, ଅମ୍ବାନୀ, ଆଦାନୀ ପରି ଶିଳ୍ପ ଗୋଷ୍ଠୀ ରାଜନେତା ଓ ରାଜନୀତିକ ଦଳଗୁଡ଼ିକୁ ବିନା ସ୍ବାର୍ଥରେ କୋଟିକୋଟି ଟଙ୍କାର ଚାନ୍ଦା ଦେଇ ନଥାନ୍ତି | ଏହା ପ୍ରତିବଦଳରେ ସେମାନେ ଦେଶର ଜମି, ଜଳ, ଜଙ୍ଗଲ, ଖଣି, ସ୍ପେକ୍ଟ୍ରମ ଆଦି ନିଜନିଜ ଭିତରେ ବାଣ୍ଟିନେବା ପାଇଁ ଫାସ ବସାଇଥାନ୍ତି | ଏହାର ପରିଣାମ ହେଉଛି ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି, କୋଇଲା ଦୁର୍ନୀତି, ଖଣି ଦୁର୍ନୀତି, ଜମି ଦୁର୍ନୀତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି, ପେଟ୍ରାଲ ଦର ଦୁର୍ନୀତି ଓ ଆଦର୍ଶ ଆପାର୍ଟମେଣ୍ଟ ସ୍କାମ୍ ପରି ଅନେକ ଦୁର୍ନୀତି | ସାଧାରଣ ଲୋକେ ଏହା ବୁଝନ୍ତି ନାହିଁ, ବୁଝି ପାରନ୍ତି ନାହିଁ? ଯେଉଁମାନେ ବୁଝନ୍ତି ସେମାନେ ହେଉଛନ୍ତି ପୁଞ୍ଜିପତି ନହେଲେ ସେମାନଙ୍କ କ୍ରୀତଦାସ |