ଘରୋଇ କଲେଜ କବ୍ଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା

ଘରୋଇ କଲେଜ କବ୍ଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା

Share :

ହେମାଙ୍ଗ ପ୍ରସାଦ ରାଉଳ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ୨ କଲେଜଗୁଡ଼ିକରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ ଯୁକ୍ତ ୨ କଲେଜ ଅପେକ୍ଷା ଘରୋଇ ଯୁକ୍ତ ୨ କଲେଜଗୁଡ଼ିକ ଅଧିକ ତତ୍ପରତା ପ୍ରକାଶ କରୁଛନ୍ତି। ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ମଧ୍ୟ ବେସରକାରୀ କଲେଜଗୁଡ଼ିକ ବିନା ବାଧାରେ ଚାଲିଥିବା ପିଲା ଗ୍ରହଣ କରୁଛନ୍ତି। ଭିତ୍ତିଭୂମି ନଥିବା କଲେଜ ଗୁଡ଼ିକ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ଅଙ୍କୁଶ ନଲାଗିବା ଫଳରେ ସେମାନେ ଅଧିକ ପିଲାଙ୍କୁ ଆକୃଷ୍ଟ କରି ବେଶ୍‌ ହାତ ଚିକ୍କଣ କରୁଛନ୍ତି। ଏହି କଲେଜଗୁଡ଼ିକ ପ୍ରତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋହଳ ମନୋଭାବ ପ୍ରଦର୍ଶନ କରୁଛନ୍ତି। ବ୍ରହ୍ମପୁର ସହର ଓ ଏହାର ନିକଟବର୍ତ୍ତୀ ଅଂଚଳରେ ବହୁ ବେସରକାରୀ ଯୁକ୍ତ ୨ ଆବାସିକ କଲେଜ ରହିଥିବାବେଳେ ଏହିଗୁଡ଼ିକ ମଧ୍ୟରୁ ଅଧିକାଂଶରେ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ସମରକୋର୍ସ ନାମରେ ଅଭିଭାବକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପିଲାମାନଙ୍କୁ ଶିକ୍ଷାନାମରେ ବିମୋହିତ କରି ମାସେ କାଳ ଅତି ଯତ୍ନ ସହକାରେ ରଖି ପରବର୍ତ୍ତୀ ସମୟରେ ଶୋଷଣ କରୁଥିବା ବର୍ଷବର୍ଷ ଧରି ଅଭିଯୋଗ ହୋଇଆସୁଛି। ଅଭିଭାବକମାନେ ପିଲାର ଉଜ୍ୱଳ ଭବିଷ୍ୟତକୁ ଆଖି ଆଗରେ ରଖି ଫସି ଯାଉଛନ୍ତି। ଅଧିକ ଫି ନେଉଥିଲେ ମଧ୍ୟ ମଧ୍ୟ ଉପଯୁକ୍ତ ଶିକ୍ଷକଙ୍କ ଅଭାବ ଯୋଗୁଁ ଘରୋଇ କଲେଜଗୁଡ଼ିକ କପି କରି ପାସ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପ୍ରଶ୍ନପତ୍ର ପ୍ରଘଟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ବ୍ରହ୍ମପୁର ସହରର ବିଭିନ୍ନ ବେସରକାରୀ କଲେଜଗୁଡ଼ିକର ନିଜସ୍ୱ କୋଠା ମଧ୍ୟ ନାହି। ଶିକ୍ଷାକୁ ବ୍ୟବସାୟର ଏକ ସରଳ ମାଧ୍ୟମ କରିଛନ୍ତି କଲେଜ ମାଲିକମାନେ। ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ପାଇଁ ଏନ୍ବଓସି ଆଣିବା ଦରକାର ଥିବାବେଳେ ବିନା ଏନ୍‌ଓସିରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଗୁଡ଼ିକୁ ସବୁଜ ସଂକେତ ପ୍ରଦାନ କରୁଛନ୍ତି। ଏନ୍‌ଓସି ପାଇଁ କେତେକ ଘରୋଇ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ କାଗଜପତ୍ର ଦାଖଲ କରିନଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କଲେଜ୍ମ ଗୁଡ଼ିକର ବର୍ତ୍ତମାନର ସ୍ଥିତି, ପାଠ୍ୟକ୍ରମ, ପାଠାଗାର, କମନ୍ ରୁମ୍ଲ, ପାଇଖାନା ଏବଂ ନାମଲେଖା ଫିସ୍ଗ ଆଦି ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ସେହିଭଳି କଲେଜ୍ମ କୋଠା ନିଜସ୍ୱ ଜମିରେ ହୋଇଛି କି ନାହିଁ, କେତେଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀ କିମ୍ୱା ଅସ୍ଥାୟୀ ଏବଂ କଲେଜ୍ଏକୁ କେବେଠାରୁ ସ୍ୱୀକୃତି ମିଳିଛି ପ୍ରଭୃତି ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ଅନେକ କଲେଜ ଏସବୁ ତଥ୍ୟ ଦାଖଲ କରି ନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଭାବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Share :