ବାଚସ୍ପତି କାହାର ଚାକର ନୁହନ୍ତି!

ବାଚସ୍ପତି କାହାର ଚାକର ନୁହନ୍ତି!

Share :

ଦେବେନ୍ଦ୍ର ପୃଷ୍ଟି ‘ମୁଖ୍ୟମନ୍ତ୍ରୀ କେବେଠାରୁ ବାଚସ୍ପତିଙ୍କ ନିଯୁକ୍ତ କଲେଣି?’ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର କେତେକ ଟୁଇଟ୍‌ ସଂପର୍କରେ ଏପରି ପ୍ରଶ୍ନ ଉଠିଛି ସାମାଜିକ ଗଣମାଧ୍ୟମରେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର କେତେକ ଟୁଇଟ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ମାଲିକ ବା ନିଯୁକ୍ତିଦାତା ଭାବେ ଉପସ୍ଥାପିତ କରିଛି। ସେହିଭଳି ସେ ତାଙ୍କୁ ସାର୍‌ ଭାବେ ସମ୍ବୋଧନ କରିବା ମଧ୍ୟ ବାଚସ୍ପତିଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି। କାରଣ ଭାରତୀୟ ସମ୍ବିଧାନ ଅନୁସାରେର ମୁଖ୍ୟମନ୍ତ୍ରୀଙ୍କ ଉପରେ ହେଉଛନ୍ତି ବାଚସ୍ପତି। ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ସାର୍‌ ବୋଲି ସମ୍ବୋଧନ କରିବା କଥା ନୁହେଁ। ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କୁ ସାର୍‌ ବୋଲି ସମ୍ବୋଧନ କରିବା ଯଥୋଚିତ। ଗୋଟିଏ ଟୁଇଟ୍‌ରେ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଲ୍ଲେଖ କରିଛନ୍ତି, ‘ମୋତେ ବିଧାନସଭାର ବାଚସ୍ପତି ଭାବରେ ନିଯୁକ୍ତ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି ଏବଂ ଓଡ଼ିବାସୀଙ୍କୁ ଆଶ୍ବାସନା ଦେବାକୁ ଚାହୁଁଛି ଯେ ମୁଁ ଗୃହ କାର୍ଯ୍ୟକୁ ନିଷ୍ଠାପର ଭାବେ ଏବଂ ସୁଚାରୁରୂପେ ସଂପାଦନ କରିବି।’ ଏ ଟୁଇଟ୍‌କୁ ସେ ନବୀନ ପଟ୍ଟନାୟକଙ୍କ ସହ ଟ୍ୟାଗ୍‌ କରିଛନ୍ତି। ଉଦ୍ଦେଶ୍ୟ ସେ ବା ତାଙ୍କର ଟୁଇଟ୍‌ର ହ୍ୟାଣ୍ଡଲ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଏହା ଦେଖନ୍ତୁ ଓ ତାଙ୍କ ଅନୁଗତ୍ୟର ଗଭୀରତା ମାପ କରିନିଅନ୍ତୁ। ଭାରତୀୟ ସମ୍ବିଧାନର ୧୭୮ ଧାରା ଅନୁସାରେ ବାଚସ୍ପତି ଓ ଉପବାଚସ୍ପତିଙ୍କୁ ବିଧାନସଭାର ସଦସ୍ୟମାନେ ନିର୍ବାଚିତ କରିଥାନ୍ତି। ସାମ୍ବିଧାନିକ ଦୃଷ୍ଟିକୋଣରୁ ସେଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି ଭୂମିକା ନଥାଏ। ଥରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚିତ ହେଲା ପରେ ସଂପୃକ୍ତ ବିଧାୟକମାନେ ନିର୍ଦ୍ଦଳୀୟ ସଦସ୍ୟ ଭାବେ ବିବେଚିତ ହୋଇଥାନ୍ତି। ଭାରତୀୟ ଗଣତନ୍ତ୍ର ବାଚସ୍ପତି ଓ ଉପବାଚସ୍ପତିମାନଙ୍କଠାରୁ ବିଧାନସଭା ଓ ଲୋକସଭାରେ ନିରପେକ୍ଷ ଆଚରଣ ଆଶା କରୁଥିବାରୁ ସେମାନଙ୍କୁ ଏହି ମର୍ଯ୍ୟାଦା ପ୍ରଦାନ କରାଯାଇଛି। ସେହିପରି ପ୍ରୋଟୋକଲ ଅନୁସାରେ ରାଜ୍ୟରେ ରାଜ୍ୟପାଳ ଓ ବାଚସ୍ପତିଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ। ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କୁ ସାର୍‌ ବୋଲି ସମ୍ବୋଧନ କରନ୍ତି। କିନ୍ତୁ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ସାର୍‌ ବୋଲି ସମ୍ବୋଧନ କରନ୍ତି ନାହିଁ। କରିବା ଉଚିତ ନୁହେଁ ମଧ୍ୟ। କାରଣ ବିଧାନସଭା ଗୃହର ସଭାପତି ହେଉଛନ୍ତି ବାଚସ୍ପତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା। ମୁଖ୍ୟମନ୍ତ୍ରୀ କୌଣସି ଦଳର ନେତା ହୋଇପାରନ୍ତି, ସୁପ୍ରିମୋ ହୋଇପାରନ୍ତି, ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ସେ ତାଙ୍କ ଦଳର କୌଣସି ସଦସ୍ୟଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିପାରନ୍ତି, ମାତ୍ର ମର୍ଯ୍ୟାଦା ଓ ଆସନ ଦୃଷ୍ଟିରୁ ବାଚସ୍ପତିଙ୍କ ସ୍ଥାନ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପରେ। ବାଚସ୍ପତି ହେଉଛନ୍ତି ଗଣତନ୍ତ୍ରର ମନ୍ଦିର ବିଧାନସଭାର ବଡ଼ପଣ୍ଡା ବା ମୁଖ୍ୟ ପୁରୋଧା। ମର୍ଯ୍ୟାଦାରେ ସେ ସମସ୍ତଙ୍କଠାରୁ ଉର୍ଦ୍ଧ୍ବରେ। କିନ୍ତୁ ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତିଙ୍କର ଏହି ପଦମର୍ଯ୍ୟାଦାକୁ ତଳେ ପକାଇ ଦେଇଛନ୍ତି। କେଇ ବର୍ଷ ତଳେ ଏକ ସଭାରେ ଭାଷଣ ଦେବା ଅବସରରେ ସେ ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଚାକର ଭାବେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ସେହିପରି ଆଚରଣ ପ୍ରଦର୍ଶନ କରିବା ପରେ ଏବେ ବାଚସ୍ପତି ଭାବେ ମଧ୍ୟ ସେହିପରି ଆଚରଣ ପ୍ରଦର୍ଶନ କରିଛନ୍ତି। ଲକ୍ଷ୍ୟ କରିବାର କଥା ଯେ ଏହି ଟୁଇଟ୍‌ରେ ସୂର୍ଯ୍ୟ ନାରାୟଣ ପାତ୍ର ‘ଗୃହକାର୍ଯ୍ୟକୁ ନିଷ୍ଠାପର ଭାବେ ଏବଂ ସୁଚାରୁରୂପେ ସଂପାଦନ କରିବି’ ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ସେ ଏହି ଦାୟିତ୍ବ ନିରପେକ୍ଷତାର ସହିତ କରିବେ ବୋଲି ଘୋଷଣା କରିନାହାନ୍ତି। ଏଣିକି ବିଧାନସଭାରେ ସେ ନିରପେକ୍ଷ ହେବେ କି ତାଙ୍କ ନିଯୁକ୍ତିଦାତାଙ୍କ ବୋଲହାକ ମାନି ଗୃହ କାର୍ଯ୍ୟ ପରିଚାଳନା କରିବେ ତାହାର ସମୀକ୍ଷା କରିବା ସମ୍ବିଧାନ ବିଶେଷଜ୍ଞ ଓ ବିରୋଧୀ ଦଳ ସଦସ୍ୟମାନଙ୍କର କାର୍ଯ୍ୟ। ପ୍ରସଙ୍ଗ କ୍ରମେ ଉଲ୍ଲେଖ କରାଯାଇ ପାରେ ଯେ ସୂର୍ଯ୍ୟ ନାରାୟଣ ପାତ୍ର କେବଳ ଓଡ଼ିଆରେ ଏହି ମର୍ମରେ ଗୋଟିଏ ଟୁଇଟ୍‌ କରିନାହାନ୍ତି। ଇଂରାଜୀରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ସାର୍‌ ବୋଲି ସମ୍ବୋଧନ କରିଛନ୍ତି ଓ ତାଙ୍କୁ ବାଚସ୍ପତି ପଦ ପ୍ରଦାନ କରିଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭଳି ବରିଷ୍ଠ ରାଜନେତା ଭାରତୀୟ ସମ୍ବିଧାନ ବିଷୟରେ ସଚେତନ ନରହିବା ନବୀନବାବୁଙ୍କ ଅମଲାତନ୍ତ୍ରରେ ଗୋଟିଏ ବିରଳ ଉଦାହରଣ ନୁହେଁ। ଭାରତୀୟ ଗଣତନ୍ତ୍ର ଓ ଏହାର ବିଧି ବ୍ୟବସ୍ଥା ସଂପର୍କରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଅବହିତ ନଥିବା ଧରା ପଡ଼ିଯାଇଛି। ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମଧ୍ୟ ନବୀନ ପଟ୍ଟନାୟକ ଭାରତୀୟ ସମ୍ବିଧାନର ବିଭିନ୍ନ ଧାରା ବିଷୟରେ ଅବଗତ ନାହାନ୍ତି। ଏପରି ସେ ମନ୍ତ୍ରିମଣ୍ଡଳ ଗଠନ ସଂପର୍କୀତ ବ୍ୟବସ୍ଥା ସଂପର୍କରେ ମଧ୍ୟ ଅବଗତ ନଥିବା ତାଙ୍କର ପଞ୍ଚମ ଦଫାର ପ୍ରଥମ ମନ୍ତ୍ରୀ ତାଲିକାରୁ ଜଣାପଡ଼ିଯାଇଛି। ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ ଓ ୨୦୧୨ ମଧ୍ୟ ରାତ୍ର ବିଦ୍ରୋହର ବର୍ଷପୂର୍ତ୍ତି ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କର ଅନ୍ୟ ମନ୍ତ୍ରୀ ସହଯୋଗୀମାନେ ଶପଥପାଠ କରିଥିଲେ। ତା’ ପରେ ପରେ ବିଭିନ୍ନ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଥିଲା। ସହି ତାଲିକାରେ ଖଣି ଓ ପୂର୍ତ୍ତ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା। ଏହି ଅସଙ୍ଗତି ସଂପର୍କରେ ଏଇ ସାମ୍ବାଦିକ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ତା’ ଉପରେ ଚର୍ଚ୍ଚା ହେବା ପରେ ବିଳମ୍ବିତ ସନ୍ଧ୍ୟାରେ ତାଲିକାରେ ପରିବର୍ତ୍ତନ ହେଲା ଓ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ପ୍ରଫୁଲ୍ଲଙ୍କଠାରୁ କାଢ଼ି ନିଆଯାଇ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଦାନ କରାଗଲା। କିନ୍ତୁ ମନ୍ତ୍ରିମଣ୍ହଳରେ ଅନ୍ୟ ଏକ ଅସଙ୍ଗତି ରହିଛି ଯାହା ସଂପର୍କରେ ଟିଭି ଓ ସୋସିଆଲ ମିଡିଆରେ ଏ ସାମ୍ବାଦିକ ଚର୍ଚ୍ଚା କରିବା ଓ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ ମଧ୍ୟ ତାହା ଦୂର ହୋଇନାହିଁ। ଏଭଳି ଅବହେଳା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ତାଙ୍କର ସାମ୍ବିଧାନିକ ବ୍ୟବସ୍ଥା ସଂପର୍କରେ ଅଜ୍ଞତାର ପ୍ରମାଣ ଦେଇ ନାହାନ୍ତି ରାଜ୍ୟର ଆଦିବାସୀଙ୍କ ପ୍ରତି ମଧ୍ୟ ଅମର୍ଯ୍ୟାଦା ପ୍ରଦର୍ଶନ କରିଛନ୍ତି। ସମ୍ବିଧାନର ୧୬୪ ଧାରା ୧ ଉପଧାରା ଅନୁସାରେ ଓଡ଼ିଶା, ବିହାର ଓ ମଧ୍ୟ ପ୍ରଦେଶରେ ଜଣେ ତଫସିଲଭୁକ୍ତ ଉପଜାତି ବା ଆଦିବାସୀ ବ୍ୟାପାର ମନ୍ତ୍ରୀ ରହିବେ। ଏହି ମନ୍ତ୍ରୀଙ୍କୁ ତଫସିଲଭୁକ୍ତ ଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ଦାୟିତ୍ବ ଦିଆଯାଇପାରେ। ସମ୍ବିଧାନରେ ମନ୍ତ୍ରୀ ଶବ୍ଦର ଅର୍ଥ ହେଉଛି କ୍ୟାବିନେଟ ମନ୍ତ୍ରୀ। ଏହି ହିସାବରେ ଓଡ଼ିଶାରେ ଆଦିବାସୀ ବ୍ୟାପାରର ମନ୍ତ୍ରୀ କ୍ୟାବିନେଟ ପାହ୍ୟା ପାଇବା କଥା। ମାତ୍ର ନବୀନଙ୍କ ମନ୍ତ୍ରିମଣ୍ଡଳରେ ଜଗନ୍ନାଥ ସରକାଙ୍କୁ ଏହି ବିଭାଗର ରାଷ୍ଟ୍ରପାହ୍ୟା ପ୍ରଦାନ କରାଯାଇଛି। ତାଙ୍କ ଉପରେ ମଧ୍ୟ କୌଣସି କ୍ୟାବିନେଟ ମନ୍ତ୍ରୀ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧିକ ମନ୍ତ୍ରୀ କରିବାକୁ ଇଚ୍ଛା ନଥିଲେ କ୍ୟାବିନେଟରେ ଥିବା ସୁଦାମ ମାରାଣ୍ଡିଙ୍କୁ ଏହି ବିଭାଗର କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ପ୍ରଦାନ କରିପାରିଥାନ୍ତେ। ମାତ୍ର ସେ ତାହା କରି ନାହାନ୍ତି। ଏହା ସାମ୍ବିଧାନିକ ଅଜ୍ଞତା ଓ ଆଦିବାସୀଙ୍କ ପ୍ରତି ଅମର୍ଯ୍ୟଦା ନୁହେଁ କି?

Share :