ଆମେ ଓଡ଼ିଆ କେତେ ବଢିଆ!

ଆମେ ଓଡ଼ିଆ କେତେ ବଢିଆ!

ସୁବାସ କୁମାର ତାରଣିଆଁ ମୋ ଓଡ଼ିଶା, ମୋ ଓଡ଼ିଶା, କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ସୁନ୍ଦର ମୋ ଭାଷା, ମୋ ଓଡ଼ିଶା...। ସତରେ କେଡ଼େ ମଧୁର ଆମ ଭାଷା ଓଡ଼ିଆ! କେତେ ସୁନ୍ଦର ଆମ ରାଜ୍ୟ ଓଡ଼ିଶା! ଆଉ ମୋ ଭାଷା ଓଡ଼ିଆ ବୋଲି ମୁଁ ନିଜକୁ ଗର୍ବ ଅନୁଭବ କରେ। ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣ ତଥା ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆଜି ସାରା ବିଶ୍ୱରେ ଆମ ରାଜ୍ୟ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଉ ଏଥିପାଇଁ ସାରା ବିଶ୍ୱ ଆଜି ଆମ ଜଗନ୍ନାଥ ରାଜ୍ୟ ଓଡ଼ିଶା ଓ ଓଡ଼ିଆ ଭାଷାକୁ ପ୍ରଶଂସା କରିଚାଲିଛନ୍ତି। ଭାରତ ତଥା ଭାରତ ବାହାରୁ ଯେଉଁ ପର୍ଯ୍ୟଟକମାନେ ଥରେ ଆମ ଓଡ଼ିଶାକୁ ଆସି ଓଡ଼ିଶାର ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓ ଓଡ଼ିଶାର ଭାଷା, ସଂସ୍କୃତି, ଓଡ଼ିଆମାନଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀ ସେମାନଙ୍କୁ ଏତେ ପ୍ରଭାବିତ କରିଛି ଯେ, ସେମାନେ ଓଡ଼ିଶାକୁ ତଥା ଓଡ଼ିଆ ଭାଷାକୁ ଭୂୟସୀ ପ୍ରଶଂସା କରିବା ସହିତ ବାରମ୍ୱାର ଓଡ଼ିଶା ଗସ୍ତରେ ଆସିଥାନ୍ତି। ଇଂରାଜୀ ଭାଷା ଆନ୍ତର୍ଜାତୀୟ ଯୋଗାଯୋଗର ଭାଷା ହୋଇପାରେ, କିନ୍ତୁ ଇଂରାଜୀ ଭାଷାର ପ୍ରଚାର ଓ ପ୍ରସାର ଫଳରେ ଆମର ସଂସ୍କୃତି ଓ ଜନଜୀବନ ଉପରେ ଯେଉଁ ଖରାପ ପ୍ରଭାବ ପକାଉଛି, ତାହା ହିଁ ଓଡ଼ିଆ ଭାଷା ପାଇଁ ବର୍ତ୍ତମାନ ଘୋର୍ ଚିନ୍ତାର ବିଷୟ ପାଲଟିଛି। ପ୍ରତ୍ୟେକ ଭାଷା ତା’ର ନିଜସ୍ୱ ସଂସ୍କୃତିର ମାଧୁର୍ଯ୍ୟକୁ ବ୍ୟକ୍ତ କରିଥାଏ। ସବୁ ଭାଷା ପରି ଓଡ଼ିଆ ଭାଷାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି, ଯାହା ଅନ୍ୟ ଭାଷାର ପ୍ରଭାବରେ ଆଜି ନଷ୍ଟ ହେବାକୁ ଯାଉଛି। କବି ଗଙ୍ଗାଧର ମେହେରଙ୍କ ଉକ୍ତି, ମାତୃଭାଷା ପ୍ରତି ଯାହାର ମମତା ନାହିଁ ତାକୁ ଜ୍ଞାନୀ ଗୁଣିରେ ଗଣିବା ଉଚିତ ହେବ ନାହିଁ। ମାତୃକୋଳରେ ଥିବା ସମୟରେ ମାଆଙ୍କ ମୁହଁରୁ ଶିଶୁମାନେ ଯେଉଁ ଭାଷା ଶୁଣିଥାନ୍ତି ତାହା ହେଉଛି ତା’ର ମାତୃଭାଷା। ମାତୃଭାଷା ଜନ୍ମ ହୁଏ ଶିଶୁର ସାମାଜିକ ଓ ମାନସିକ ପରିବେଶରୁ। ଯେଉଁ ଭାଷାକୁ ଶିଶୁ ତା’ର ପରିବେଶରୁ ସହଜରେ ଶିଖିନେଇଥାଏ, ତାହା ହିଁ ତା’ର ମାତୃଭାଷା। ଶିଶୁଟିଏ ଜନ୍ମହେଲା ପରେ ମା’ତାକୁ ଶିଖାଇଥାଏ ଓଡ଼ିଆ ଭାଷାରେ ବିଭିନ୍ନ ଶବ୍ଦ ମାମା, ବାବା, ଦାଦା, ଜେଜେ, ଆଈ ଇତ୍ୟାଦି। ଆଉ ସେହି ଶବ୍ଦକୁ ଅନୁକରଣ କରି ଶିଶୁଟି ବଡ଼ ହୋଇ ଧୀରେ ଧୀରେ ଓଡ଼ିଆ ଭାଷାକୁ ଶିଖିନେଇ ଅତି ପ୍ରାଞ୍ଜଳ ଭାବରେ ଓଡ଼ିଆରେ ବାକ୍ୟ ବିନିମୟ କରିଥାଏ। ଆଉ ପ୍ରତ୍ୟେକ ପିତାମାତାମାନେ ମଧ୍ୟ ସେମାନଙ୍କ ପିଲାଙ୍କ ନାମ ଓଡ଼ିଆ ଭାଷାରେ ରଖିଥାନ୍ତି ଯାହା ହେଉଛି ଗଣେଶ, କାର୍ତ୍ତିକ, ସୁରେନ୍ଦ୍ର, ଗୀତା, ସୀତା ଇତ୍ୟାଦି। କିନ୍ତୁ ଏବେକାର ଶିଶୁମାନଙ୍କୁ ଜନ୍ମଦେବା ପରେ ପିତାମାତାମାନେ ବିଭିନ୍ନ ପ୍ରକାରର ଇଂରାଜୀ ଓ ହିନ୍ଦି ଭାଷାର ଶବ୍ଦ ପିଲାମାନଙ୍କୁ ଶିଖାଇଥାନ୍ତି ଓ ସେମାନଙ୍କ ନାମ ମଧ୍ୟ ଇଂରାଜୀ ଅଧ୍ୟରେ ଦେଇଥାନ୍ତି ଓ ସାଙ୍ଗିଆ ମଧ୍ୟ ରଖୁନାହାଁନ୍ତ ଯେମିତିକି ଗୋଟିଏ ନାଁ ହେଲା ଆୟୁଷ ଅନମୋଲ। ଏହା ଫଳରେ ଶିଶୁଟି ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ନହୋଇ ଇଂରାଜୀ ଓ ହିନ୍ଦି ଭାଷା ପ୍ରତି ଆକର୍ଷିତ ହୋଇଥାଏ। ଆଜିର ଯୁବକ ଯୁବତୀମାନେ ବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର, ବିଭିନ୍ନ ଖଟି ଜାଗାରେ ପରସ୍ପରଙ୍କ ମଧ୍ୟରେ ଯେଉଁଭଳି ଇଂରାଜୀ ଓ ହିନ୍ଦିଭାଷାରେ କଥାବାର୍ତ୍ତା ହେଉଛନ୍ତି, ଲାଗୁଛି ସତେ ଯେପରି ଏମାନେ ଓଡ଼ିଆ ଘରର ପିଲା ନୁହଁନ୍ତି, ଏମାନେ ଇଂଲଣ୍ଡ, ଆମେରିକା, ଜାପାନ ଭଳି ଦେଶର ପିଲାମାନଙ୍କ ଭ୍ରମ ସୃଷ୍ଟି କରୁଛନ୍ତି। ଏହି ଯୁବପିଢୀମାନେ ସେମାନଙ୍କ ଜନ୍ମଦାତ୍ରୀଙ୍କୁ ବାପା ମାଆ ବା ବୋଉ ନଡାକି ମମି, ଡାଡି ଡାକିବାକୁ ପସନ୍ଦ କରୁଛନ୍ତି ଏବଂ ନିଜ ବୟସଠାରୁ ୫/୬ ବର୍ଷର ବଡ଼ ଲୋକମାନଙ୍କୁ ଭାଇ ବା ଭଉଣୀ ନ ଡାକି ଅଙ୍କଲ ଏବଂ ଆଣ୍ଟି ଡାକିଲେଣି। ଛାତ୍ରଛାତ୍ରୀମାନେ ଗୁରୁଜୀ, ଗୁରୁମା ନ ଡାକି ସାର୍, ମାମ୍ ଡାକି ଓଡ଼ିଆ ଭାଷାକୁ ଉପହାସ କଲେଣି। ଗୁରୁଜୀ, ଗୁରୁମାଆଙ୍କୁ ପ୍ରଣାମ କରିବା ବଦଳରେ ହାଲୋ, ହାଏ, ଗୁଡ଼ ମର୍ଣ୍ଣିଂ କହିଲେଣି। ମୋବାଇଲ୍ ଓ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ବଦଳରେ ଏମାନେ ହିନ୍ଦି ଓ ଇଂରାଜୀ ଭାଷାରେ ସନ୍ଦେଶ ପଠାଇବାକୁ ପସନ୍ଦ କରୁଛନ୍ତି। ଆଉ ଦୈନନ୍ଦିନ ଜୀବନରେ ମଧ୍ୟ ଆମେ ପ୍ରତ୍ୟେକ କଥାରେ ଇଂରାଜୀ ଶବ୍ଦ ବ୍ୟବହାର କରିଥାଉ। ଉଦାହରଣସ୍ୱରୂପ ଟିଭି, ଫ୍ରିଜ୍, ମାର୍କେଟ, ସପିଙ୍ଗ ଇତ୍ୟାଦି। ଘରଣୀମାନେ ବଜାର ବା ହାଟ ନକହି ପତିଦେବଙ୍କୁ କହିଲେଣି, ହେଇଟି ଶୁଣୁଛ, ଆଜି ସନ୍‌ ଡେ, ଟିକେ ମାର୍କେଟ ଗଲ, ମଟନ ଆଣିବ ଲଞ୍ଚ କରିବା ଆଉ ଡିନରରେ ଚିଲ୍ଲି ଚିକେନ। ଫଳରେ ଓଡ଼ିଆ ଭାଷା ପ୍ରତି ଥିବା ଆନ୍ତରିକତା ଧୀରେ ଧୀରେ କମିବାକୁ ଲାଗିଲାଣି। ଆଉ ଏଥିପାଇଁ ମୁଖ୍ୟ କାରଣ ହେଉଛି ମୋବାଇଲ୍, ଫେସ୍‌ବୁକ୍‌ ଓ ହ୍ୱାଟସ୍‌ଆପର ବହୁଳ ବ୍ୟବହାର। ସେହିପରି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଯେଉଁମାନେ ଉଦ୍ୟମରତ, ଆଜି ସେଇମାନଙ୍କର ପୁଅ ଝିଅ, ନାତି ନାତୁଣୀମାନଙ୍କୁ ଓଡ଼ିଆ ସ୍କୁଲ୍ ବଦଳରେ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢାଇବାକୁ ପସନ୍ଦ କଲେଣି। ସମୟ ଏପରି ଅବସ୍ଥାରେ ଆସି ପହଞ୍ଚିଛି, ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢାଇବାକୁ ପସନ୍ଦ କରୁଛନ୍ତି। ଦିନ ଥିଲା ଛୋଟ ପିଲାମାନେ ଚାଟଶାଳୀ ହେଉ ବା ଗାଁ ବିଦ୍ୟାଳୟ ହେଉ ସେମାନେ ପ୍ରଥମେ ପାଠ ପଢୁଥିଲେ ‘ଅ, ଆ, ଇ, ଈ, ୧,୨ ଇତ୍ୟାଦି। ଆଜି ସେ ସମୟ ଆଉ ନାହିଁ। ଏବେକାର ଶିଶୁମାନେ ‘ଅ, ଆ, ଇ, ଈ, ୧,୨ ବଦଳରେ ଏ, ବି, ସି, ଡ଼ି, ୱାନ୍, ଟୁ ପଢିଲେଣି। ଫଳରେ ଓଡ଼ିଆ ମାଧ୍ୟମ ସ୍କୁଲ୍ ଧୀରେ ଧୀରେ କମିବାକୁ ବସିଥିବା ବେଳେ ଇଂରାଜୀ ମାଧ୍ୟମ ସ୍କୁଲ୍ ଛତୁ ଫୁଟିଲା ପରି ବଢି ବଢି ଚାଲିଛି। ଯାହା ଫଳରେ ଆଜିକାର ପିଲାମାନେ ଓଡ଼ିଆ ଅପେକ୍ଷା ବହୁ ସମୟରେ ଇଂରାଜୀ ଓ ହିନ୍ଦି ଭାଷାରେ କଥାବାର୍ତ୍ତା ହେବାକୁ ପସନ୍ଦ କରୁଛନ୍ତି। ଓଡ଼ିଆ ଭାଷା ପ୍ରତି ସେମାନଙ୍କର ଆନ୍ତରିକତା କମି କମି ଯାଉଛି। ଲାଗୁଛି ଆଉ ଅଳ୍ପ କିଛିବର୍ଷ ପରେ ଓଡ଼ିଆ ମାଧ୍ୟମ ସ୍କୁଲ୍ ଆଉ ନଥିବ। ଏଥିପାଇଁ ପ୍ରତ୍ୟେକ ପିତାମାତାମାନେ ହିଁ ଦାୟୀ। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ତଥା ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସମେତ ଆମ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏହା ଫଳବତୀ ହୋଇପାରୁ ନାହିଁ କେବଳ ଆମ ଓଡ଼ିଆଙ୍କ କୋଢିଆ ପଣ ଯୋଗୁଁ। ସବୁଠାରୁ ଦଃଖ ଓ ପରିତାପର ବିଷୟ ଯେ ଆମ ଓଡ଼ିଆଙ୍କ ମଧ୍ୟରୁ ଯେଉଁମାନେ ତାତ୍ସଲ୍ୟ କରି କୁହନ୍ତି ଯେ, ଆମ ରାଜ୍ୟର ମୁଖିଆ ଓଡ଼ିଆ କହିପାରନ୍ତିନି କି ଲେଖିପାରନ୍ତିନି, ସେଇମାନଙ୍କର ପୁଅ, ଝିଅ, ନାତି, ନାତୁଣୀମାନେ ହିଁ କଥା କଥାରେ ଓଡ଼ିଆ ବଦଳରେ ଇଂରାଜୀ ଓ ହିନ୍ଦି ଭାଷା ବ୍ୟବହାର କରୁଛନ୍ତି ଓ ଇଂରାଜୀ ମାଧ୍ୟମରେ ପାଠ ପଢୁଛନ୍ତି। ସତେ ଯେପରି ଏମାନେ ଓଡ଼ିଆ ଘରର ଛୁଆ ନୁହଁନ୍ତି। ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉକ୍ତିକୁ ଏମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ତିନିବର୍ଷ ତଳର ଘଟଣା ଅର୍ଥାତ୍ ୨୦୧୬ ମସିହା ଅଗଷ୍ଟ ୧୪ ତାରିଖ, ସମୟ ପାଖାପାଖି ସନ୍ଧ୍ୟା ୬ ଘଟିକା। ମୁଁ କାର୍ଯ୍ୟରତ ଥିବା ସଂସ୍ଥାକୁ ଦୁଇଜଣ ଛାତ୍ରୀ ଆସିଥାନ୍ତି କୌଣସି ଏକ କାମରେ। ସେହି ସମୟରେ ସ୍ୱାଧୀନତା ଦିବସ ଅବସରରେ ମୁଁ ସାଇତି ରଖିଥିବା ଜାତୀୟ ପତାକାଟି ବାହାର କରୁଥାଏ ପରଦିନ ସକାଳେ ପତାକା ଉତ୍ତୋଳନ କରିବା ପାଇଁ। ଏହି ସମୟରେ ସେହି ଦୁଇଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ରୀ ମୋର ପତାକା ବାହାର କରୁଥିବା ଦେଖି ତା’ର ସହପାଠୀକୁ ପଚାରିଲେ ଏଇଟା କ’ଣ? ତା’ର ସହପାଠୀ ଜଣକ କହିଥିଲେ ଏଇଟା ଜାତୀୟ ପତାକା। ପ୍ରଶ୍ନ ପଚାରିଥିବା ଛାତ୍ରୀଟି ବୁଝିନପାରି ପୁଣି ପଚାରିଥିଲେ ଜାତୀୟ ପତାକା ମାନେ କ’ଣ? ସହପାଠୀ ଜଣକ ଉତ୍ତର ଦେଇଥିଲେ ଜାତୀୟ ପତାକା ମାନେ ‘ନାସନାଲ ଫ୍ଲାଗ’। ଏଥର ଛାତ୍ରୀଜଣକ ବୁଝିପାରିଥିଲେ ନାସନାଲ ଫ୍ଲାଗ୍ କ’ଣ ଅଥଚ ଜାତୀୟ ପତାକା କ’ଣ ବୁଝି ନପାରିବା ମୋତେ ସବୁଠାରୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। କ’ଣ ଏମାନେ ଓଡ଼ିଆ ଭାଷାର ମହତ୍ୱ ବୁଝିବେ, କ’ଣ ଏମାନେ ଆଜିର ଦିନରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବେ? ସେହିପରି ଦୋକାନ, ବଜାର, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ବିଭିନ୍ନ ଅନୁଧ୍ୟାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଫାଟକମାନଙ୍କରେ ବଡ଼ ବଡ଼ ଅକ୍ଷରରେ ଇଂରାଜୀ ଭାଷାର ଫଳକମାନ ଦେଖାଯାଉଥିବା ବେଳେ କ୍ବଚିତ୍ ଜାଗାରେ ଓଡ଼ିଆ ଭାଷାର ଫଳକମାନ ଦେଖିବାକୁ ମିଳିଥାଏ। ସେହିପରି ଯେକୌଣସି ହୋଟେଲକୁ ଖାଇବାକୁ ଗଲେ ପ୍ରଥମେ ମେନୁ ଉପରେ ଆଖି ପଡ଼ିଥାଏ ଯେଉଁଥିରେ କି କ୍ରମାନ୍ୱୟରେ ଇଂରାଜୀ ଭାଷାରେ ଲେଖା ହୋଇଥାଏ, (ଭେଜ୍, ନନ୍‌ଭେଜ୍‌) ମଟନ, ଚିକେନ୍, ଫିସ୍, ଏଗ୍, ପ୍ରନ୍, କ୍ରାବ, ମିକ୍ସ ଭେଜ୍ ଇତ୍ୟାଦି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଭାରତର ଅନ୍ୟ ରଜ୍ୟର କୌଣସି ନାଗରିକ ଆମ ଓଡ଼ିଶାକୁ ବୁଲିବାକୁ ଆସନ୍ତି ଓ ସେମାନେ ଆମକୁ ରାଜ୍ୟର କୌଣସି ପ୍ରସିଦ୍ଧ ସ୍ଥାନ ବା ଅନ୍ୟ କୌଣସି ସମସ୍ୟା ବିଷୟରେ ବୁଝିବାକୁ ତାଙ୍କ ମାତୃଭାଷାରେ ପ୍ରଶ୍ନ କରିଥାନ୍ତି, ସେତେବେଳେ ଆମେ କିନ୍ତୁ ଆମ ଓଡ଼ିଆ ଭାଷାରେ ଉତ୍ତର ନଦେଇ ସେମାନେ ପଚାରିଥିବା ତାଙ୍କରି ଭାଷାରେ ହିଁ ଉତ୍ତର ଦେଇଥାଉ ଯେଉଁଟାକି ଆମ ଓଡ଼ିଆ ଭାଷା ପ୍ରତି ଶକ୍ତ ଧକ୍କା ଲାଗିଥାଏ। ସେହିପରି ବାହାର ରାଜ୍ୟର ରାଜନୈତିକ ଦଳର ନେତା ହୁଅନ୍ତୁ ବା ଚଳଚ୍ଚିତ୍ର ଜଗତର ଅଭିନେତା ଅଭିନେତ୍ରୀ ହୁଅନ୍ତି ଅବା ଖେଳାଳୀମାନେ ହୁଅନ୍ତୁ, ସେମାନେ ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି, ସେମାନେ ଚିରାଚରିତ ଭାବରେ ତାଙ୍କରି ଭାଷାରେ ଭାଷଣ ଦେଇ ପ୍ରଶଂସକଙ୍କ ମନ ଜିଣିଥାନ୍ତି ଓ ଆମେ ଓଡ଼ିଆଏ ମଧ୍ୟ ତାଙ୍କରି ଭାଷାରେ ତାଙ୍କୁ ପ୍ରଶଂସା କରି ତାଙ୍କ ସହିତ ଟିକେ ଫଟୋ ବା ସେଲ୍‌ଫି ନେବା ପାଇଁ ବ୍ୟାକୁଳ ହୋଇପଡ଼ୁ। ଆମେ ଓଡ଼ିଆମାନେ ଯେତେବେଳେ ଯେଉଁ ରାଜ୍ୟକୁ ଯାଉଛୁ, ଆମେ ତ ପୁଣି ସେମାନଙ୍କ ଭାଷାରେ କଥାବାର୍ତ୍ତା କରୁ। ସେମାନେ ଆମ ଓଡ଼ିଶାକୁ ଆସିଲେ ସେମାନେ କାହିଁକି ଓଡ଼ିଆରେ କଥାବାର୍ତ୍ତା ନ କରିବେ? ଆମର ସେଠି କର୍ତ୍ତବ୍ୟ ହେଉଛି ଯେ, ଆପଣ ଓଡ଼ିଶାକୁ ଆସିଛନ୍ତି ମାନେ ଓଡ଼ିଆ ଭାଷାରେ ପ୍ରଶ୍ନ ପଚାରନ୍ତୁ, କିନ୍ତୁ କୌଣସି ଓଡ଼ିଆ ଏହା ନକରି ତାଙ୍କରି ଦେଶର ଖଣ୍ଡି ଇଂରାଜୀ ଭାଷାରେ ଉତ୍ତର ଦେଇଥାଉ। ଲାଗୁଛି ଆଉ କିଛିବର୍ଷ ପରେ ଯୁବସମାଜ ଓ ଛାତ୍ରଛାତ୍ରୀମାନେ କେବଳ ଇଂରାଜୀ ଭାଷା ହିଁ ବ୍ୟବହାର କରିବେ ଓ ଓଡ଼ିଆଭାଷାକୁ ସମ୍ପୂର୍ଣ୍ଣ ଭୁଲିଯିବେ। ତେଣୁ ଓଡ଼ିଆଭାଷାକୁ ବଞ୍ଚାଇ ରଖିବାକୁ ହେଲେ ସମସ୍ତ ଓଡ଼ିଆ ସଚେତନ ହୋଇ ମିଳିତ ଭାବରେ ପଦକ୍ଷେପ ନେବା ଉଚିତ୍। ତାହହେଲେ ଆମେ କହିବା ‘ଆମେ ଓଡ଼ିଆ କେତେ ବଢିଆ’। ନଚେତ୍ ‘ଆମେ ଓଡ଼ିଆ କୋଢିଆ’ରେ ହିଁ ରହିଯିବା। କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର ମୋ : .୯୭୭୬୫୧୦୭୯୪

Share :