ଗାଁ’କୁ ଫେରିଚାଲ!

ଗାଁ’କୁ ଫେରିଚାଲ!

ପ୍ରକାଶ ରଥ ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ମାଟିର ସେହି ସରଗ ମୋର, ସେଇଟି ଅଛି ମୋ ଷଠି ଘର। ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି। ଯଶସ୍ୱୀ କବି ସଚ୍ଚି ରାଉତରାୟଙ୍କର ଏହି ଚିରସବୁଜ କବିତାଟି ପୁଣିଥରେ ହୃଦୟ ଭିତରକୁ ପଶି ଆସିଲା ଫୋନି ମହାବାତ୍ୟାର କରାଳ ରୂପ ଦେଖିବା ଓ ଭୋଗିବା ପରେ। ଓଡ଼ିଶାର ଗାଁ ଗହଳିରେ ମଣିଷ ରୁହନ୍ତି ଓ ମଣିଷପଣିଆ ଏବେ ବି ବଞ୍ଚିଛି ବୋଲି ବଦଳି ଯାଇଥିବା ଧାରଣାଟି ପୁଣିଥରେ ଦୃଢିଭୂତ ହେଲା ଫୋନି ବାତ୍ୟାର ସାମ୍ନା କରିଥିବା ସହରିଆମାନଙ୍କ ମନରେ। ପ୍ରକୃତିର ପରଶରେ ଗାଁଗୁଡ଼ିକ ଏବେବି ପ୍ରାକୃତିକ ପରିବେଶରେ ବଞ୍ଚି ରହିଛନ୍ତି, ଯଦିଓ ଗାଁଗୁଡ଼ିକୁ ଅର୍ଦ୍ଧସହରୀକରଣ କରିବାକୁ ଯୋଜନା ଚାଲିଛି। ତଥାପି ଗାଁଗୁଡ଼ିକ ନିଜ ପରିଚୟ ବଞ୍ଚାଇବା ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି। ସେ ପୋଖରୀ, କୂଅ, ଢେଙ୍କିକୁଟା କଳ ହେଉ ବା ଟ୍ୟୁବ୍ େୱଲ୍ ଅଥବା ସରକାରୀଆ ନଳପାଣି, ସେ ଢିଙ୍କି ହେଉ ବା ଚାଉଳକଳ ମେସିନ୍, ସେ ଚାଳଘର ହେଉ ବା ଖପରୁଲି ଅଥବା ଆଜବେଷ୍ଟସ, ଡ଼ିବିରୀ, ଦୀପ, ଲଣ୍ଠନ ହେଉ ବା ଇଲେ୍କ୍ଟ୍ରି ଲାଇଟ୍, ସେ ଗାଈଗୋଠ ହେଉ ଅଥବା ଡ଼ାଏରୀ ଫାର୍ମ, ଗ୍ରାମଦେବତୀ, ମଦନ ମୋହନ, ମହାଦେବ, ବୃନ୍ଦାବତୀମାନଙ୍କର ଚାଳ ମନ୍ଦିର ହେଉ ଅଥବା ସିମେଣ୍ଟ ଘର, ତାସଖେଳ, ଲୁଡ଼ୁପାଲି, ପଶା, କବାଡ଼ି, ବୋହୂଚୋରୀ, ମାଙ୍କଡ଼ ଡ଼ିଆଁ ଖେଳ ହେଉ ଅଥବା କ୍ରିକେଟ, ଗାଁ ନିଷାପ ଜାଗା ହେଉ ଅଥବା ପୋଲିସ୍ ଫାଣ୍ଡି ବା ଥାନା, ଭୁଆଷୁଣୀ ବୋହୂଙ୍କର ଗାଧୁଆ ତୁଠ ହେଉ ବା ସରକାରୀ ପଇସାରେ ଗାଧୁଆଘର, କୃଷକର ହଳ ଲଙ୍ଗଳ ଧରି ବିଲକୁ ଯିବା ହେଉ ବା ଟ୍ରାକ୍ଟର ସହ ଧାନକଟା ମେସିନ୍ ହେଉ, ଚାଷୀର ରାମ ଲଇକ୍ଷଣ ଗୀତ ହେଉ ବା ଟୋକାମାନଙ୍କ ଡ଼ିଜେ ଗୀତ, ତଥାପି ସବୁ ସହି ସହି ଏବେ ବି ଗାଁ ବଞ୍ଚି ରହିଛି ନିଜର ଅସ୍ଥିତ୍ୱକୁ ନ ହଜାଇ। ଫନି ବାତ୍ୟାର ପ୍ରକୋପରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସହରର ସହରିଆମାନେ ଭାବିଥିଲେ ଗତ ଦୈବି ଦୁର୍ବିପାକ ପରି ଏ ବାତ୍ୟାକୁ ମଧ୍ୟ ସେମାନେ ବାଁରେ ବାଁରେ ଉଡ଼ାଇଦେବେ। ମାତ୍ର ଏହାର ଆଘାତରେ ସହରିଆସବୁ ଘାଇଲା ହୋଇ ପଡ଼ିଥିଲେ ପଶୁପକ୍ଷୀଙ୍କ ପରି। ଭୁବନେଶ୍ୱରିଆ ଗଣତନ୍ତ୍ରର ମହାପର୍ବ ଭୋଟ ଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିବାରୁ ତଥା ପୁରୀ ସେବାୟତ ଗୋଷ୍ଠୀ ପ୍ରଭୁ କାଳିଆ ଠାକୁରଙ୍କୁ ଉପାସରେ ରଖି ତାଙ୍କୁ ଅବମାନନା କରିଥିବାରୁ ଏହି ଫନିର ଅତ୍ୟାଚାର ସହିଲେ ବୋଲି ସୋସିଆଲ ମିଡ଼ିଆରେ ପ୍ରଚାରିତ ହେଉଛି। ପୁରୀର ବାଲୁଖଣ୍ଡର ଚିତ୍ରାହରିଣ, ସହରରେ ବୁଲୁଥିବା କାଉ, କୋଇଲି, ବଣି ପ୍ରଭୃତି ଚଢେଇଙ୍କର ଏହି ବାତ୍ୟାରେ ଅକାଳ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ସହରିଆ ମଣିଷ ସବୁ ମେ ମାସର ଖରାରେ ସିଝି ଯାଉଥିଲେ ବ୍ରଏଲର କୁକୁଡ଼ା ପରି। ଥଣ୍ଡା ପାଣି, ଶୀତଳ ପବନ, ୨୪ ଘଣ୍ଟିଆ ବିଦ୍ୟୁତ୍, ଗୋଟିଏ ମିନିଟ୍ରେ ଫଟାଫଟ ଟଙ୍କା ବାହାରୁଥିବା ଏଟିଏମ୍, କ୍ଷଣକରେ ଦେଶ ବିଦେଶର ଖବର ସହ ମନୋରଞ୍ଜନ ଯୋଗାଉଥିବା ଟିଭି, ଅଳସ ଭାଙ୍ଗୁଥିବା ଖବର କାଗଜ, ସ୍ୱର୍ଗୀୟ ଆନନ୍ଦ ଦେଉଥିବା ଫାଷ୍ଟଫୁଡ୍ ଓ ଫୁଟ୍ପାଥ ଜଳଖିଆ, ରୋମାଞ୍ଚିତ କରାଉଥିବା ଫିଲ୍ମ୍ହଲ୍, ବଡ଼ଲୋକିଆ ଦର୍ଶାଉଥିବା ବିଗ୍ବଜାର, ରିଲାଏନ୍ସ ଫ୍ରେସ୍ ଓ ସପିଂ ମଲ୍ ପ୍ରଭୃତିର ଦାସ ବନି ଯାଇଥିବା ଏହି ସହରିଆମାନେ ଆଉଟୁ ପାଉଟୁ ହୋଇଯାଇଥିଲେ ଫନିର ମହାପ୍ରକୋପରେ ୧୦ ଦିନ ଧରି। ବାତ୍ୟା ପରଦିନ ସକାଳୁ ତରଭୂଜ ଖାଇ ଭୋକ ମେଣ୍ଟାଇ, ମହମବତୀ ଗୋଟା ୫୦ ଟଙ୍କାରୁ ୧୦୦ ଟଙ୍କାରେ କିଣି ଘରକୁ ଟିକିଏ ଆଲୋକିତ କରି, ୮୦ ଟଙ୍କାରେ ତାଳପତ୍ର ବିଞ୍ଚଣା କିଣି ଦେହରୁ ବୋହି ଯାଉଥିବା ଝାଳକୁ ଟିକିଏ ସାନ୍ତ୍ୱନା ଦେଉଥିବା ଭୁବନେଶ୍ୱରିଆମାନେ ନିଜ ଘରକୁ ପାଣି ଟିକେ ନେବା ପାଇଁ ଜେନେରେଟର ଘଣ୍ଟାପିଛା ୧୦୦୦ରୁ ୧୫୦୦ ଦେଇ ପାଣି ପିଇ, ସହର ଭିତରେ ଓ ବାହାରେ ଥିବା ନଦୀ, ନାଳ ଓ ନର୍ଦ୍ଦମା ସଦୃଶ ପୋଖରୀରେ ଗାଧେଇ, ଖାଇବାକୁ ବିକଳ ହୋଇ ଶୁଖିଲା ବିସ୍କୁଟ ଓ ଚାଟିକେ ପିଇ ଭୋକ ମେଣ୍ଟାଉଥିବା ବେଳେ ପାଗଳ ହୋଇଯାଉଥିଲେ। ବୋଝ ଉପରେ ଲଳିତା ବିଡ଼ା ପରି ଏଟିଏମ୍ ଆଗରେ ଲାଇନ୍ କରି ଛିଡ଼ା ହୋଇ ହତାଶ ହେଉଥିଲା ନିଜ ସଞ୍ଚିତ ଅର୍ଥ ପାଇଁ। ଜେନେରେଟର ଦୋକାନରେ ଭିଡ଼ ଜମାଇ ପଇସାବାଲା ସହରିଆମାନେ ତାର ଦାମ ଦୁଇଗୁଣାରୁ ତିନିଗୁଣା କରି ବୋହି ନେଉଥିଲେ ନିଜ ଘରକୁ ଟିକିଏ ପବନ ଓ ଆଲୋକ ପାଇଁ। କିଏ କିଏ ଥଣ୍ଡା ଯନ୍ତ୍ର (ଏୟାର କଣ୍ଡିସନର) ଚଲାଇବା ପାଇଁ, ଟ୍ରକରେ ଡ଼ିଜେ ଆଣି ଥୋଇଥିଲା ନିଜ ଅଗଣାରେ। ସବୁ ସହରିଆ ପ୍ରକୃତିର ତାଣ୍ଡବରେ ହାର ମାନି ସାରିଥିଲେ। ବାତ୍ୟାର ଦୁଇ/ତିନିଦିନ ପରେ ଆଉ ସମ୍ଭାଳି ନପାରି ଅସହାୟ ହୋଇପଡ଼ି ଦୌଡ଼ି ଯାଇଥିଲେ ନିଜ ନିଜ ଗାଁକୁ। ଯେଉଁଠି ଛାଡ଼ି ଆସିଥିଲେ ନିଜ ପରିତ୍ୟକ୍ତ ବାପା ମାଆ, କକା ଖୁଡ଼ି, ଜେଜେବାପା ଓ ଜେଜେମାଆମାନଙ୍କୁ। ନିଜ ସୃଷ୍ଟି ଦ୍ୱାରା ପ୍ରତାରିତ ଓ ପ୍ରତାଡ଼ିତ ହୋଇଥିବା ଏହି ଗାଉଁଲି ଲୋକଗୁଡ଼ାକ, ଯେଉଁମାନେ ସବୁବେଳେ ନିଜ ପୁଅ ନାତିନାତୁଣୀଙ୍କୁ କେବଳ ଆଶୀର୍ବାଦ, ସ୍ନେହଶ୍ରଦ୍ଧା ଅଜାଡ଼ି ଦେଇଥାନ୍ତି, ସେମାନେ ଏହି ପରିସ୍ଥିତିରେ ଶବ୍ଦୋଳି ନେଇଥିଲେ ଏହି ସହରିଆ ପୁଅବୋହୂ, ନାତି ନାତୁଣୀଙ୍କୁ। କୁଣ୍ଢେମୋଟ ହୋଇଯାଉଥିଲା ଛାତି ସେମାନଙ୍କର। ତରଭୁଜ, ବିସ୍କୁଟ ଖାଇ, ବିଞ୍ଚଣା ବିଞ୍ଚି, ପଇସା ଖର୍ଚ୍ଚ କରି ପାଣି ପିଇ, ଟଙ୍କା ପାଇଁ ଧୁ ଧୁ ଖରାରେ ଏଟିଏମ୍ ଆଗରେ ଲାଇନ୍ ଲଗାଇଥିବା ଏହି ସହରିଆ ବାବୁମାନେ ଆଶ୍ୱସ୍ତ ହୋଇଥିଲେ ଗାଁରେ ପହଞ୍ଚି। ଅଧାଶୁଖା ନଦୀ, ଅଧାଶୁଖା କୁଅ, ସଙ୍କୁଚିତ ପୋଖରୀରେ ମନଇଚ୍ଛା ବୁଡ଼ି ନିଜ ଗରମ ଶରୀରକୁ ଶାନ୍ତ କରିବା ସହ ଗାଁ ଦାଣ୍ଡରେ ଅଟା ଗୁଲୁଗୁଲା, ବେସନରେ ତିଆରି ପକୁଡ଼ି ସହିତ ବିପିଏଲ୍ ଚାଉଳର ଭାତ ଓ ଡ଼ାଲ୍ମା ଖାଇ ଭୋକ ମେଣ୍ଟାଇ ଗାଁରେ ଆସୁଥିବା ଘଣ୍ଟିକିଆ ବିଜୁଳି ଦ୍ୱାରା ପବନରେ ଶୋଇ ଶାନ୍ତିରେ ନିଶ୍ୱାସ ମାରିଥିଲେ ଏହି ସହରିଆ ଲୋକଗୁଡ଼ାକ ଓ ମନକୁ ମନ କହୁଥିଲା ଯାହା ହେଉ ବଞ୍ଚିଗଲା। ଏହି ସହରିଆମାନେ ବାଧ୍ୟ ହୋଇ ଗାଁରେ ଆଶ୍ରୟ ନେଇ, ନିଜ ନିଜ ପରିବାର ସହ ଖୁସ୍ ଥିଲାବେଳେ ବୁଢାବୁଢୀମାନେ ମଧ୍ୟ ଦୈବି ଦୁର୍ବିପାକ ଦୟାରୁ ନିଜ ସନ୍ତାନ ସନ୍ତତିଙ୍କୁ ପାଖରେ ପାଇ ବେଶ୍ ଆନନ୍ଦିତ ଥିଲେ। ରାତିରେ ଶୋଇବା ସମୟରେ ସହରିଆ ବାବୁଙ୍କ ଅଧା ପଢୁଆ ସ୍ତ୍ରୀ ଓ ଛୁଆମାନେ କହୁଥିଲେ ଏଇଠି ରହିଗଲେ ଚଳନ୍ତା ନାହିଁ? ବୁଢୀମାଆଟି ଅତି ଡ଼ରି ଡ଼ରି କହୁଥିଲା, ପୁଅରେ ତୁ ପଛେ ସହରରେ ରହୁଛୁ ରହ, ହେଲେ ବୋହୂ ଓ ନାତିନାତୁଣୀଙ୍କୁ ଏଇଠି ଛାଡ଼ି ଯାଆ। କିନ୍ତୁ ସହର ଟିକିଏ ବାଗେଇବା ପରେ ବାବୁମାନେ ଫେରି ଆସୁଥିଲେ ଅଧା ଭଙ୍ଗା ସହରକୁ ପୁଣିଥରେ ନିଜ କର୍ମସ୍ଥଳୀକୁ। ହେଲେ ରାତିରେ ସରକାରୀ ବିଦ୍ୟୁତ୍ ସହାୟତାରେ ଶୋଉଥିବା ବେଳେ ସ୍ୱପ୍ନରେ ବିଳି ବିଳେଇ ହୋଇ ସହରୀ ମଣିଷଟା କହି ଉଠୁଥିଲା, ଏଠି ରହି ହେବନି, ଚାଲ ଗାଁକୁ ଫେରିଚାଲ। ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ ଫୋନ-୯୪୩୭୨୮୫୦୯୨

Share :