ଦୁର୍ଯ୍ୟୋଧନର ଡାଏରୀ-୨

ଦୁର୍ଯ୍ୟୋଧନର ଡାଏରୀ-୨

ସୂର୍ଯ୍ୟମଣି ମିଶ୍ର ଅତୀତର ମହାଭାରତ ହେଉ ଅବା ଆଜିର ମହାଭାରତ, ଲୋକ ଜାଗ୍ରତ ନହେବେ ତ ଲୋକଙ୍କର ବିନାଶ ହେବା ସମ୍ଭବ! ମହାଭାରତ ଯୁଦ୍ଧ ଆରମ୍ଭରେ ସହରରୁ ଗାଁ ଯାଏ ଯୁଦ୍ଧକୁ ନେଇ ଚର୍ଚ୍ଚା। ଯେଉଁଠି ଦୁଇଜଣ ଏକାଠି ହେଉଛନ୍ତି ସେଠାରେ କେବଳ ଗୋଟିଏ ଚର୍ଚ୍ଚା ଯୁଦ୍ଧ। ଏହି ଯୁଦ୍ଧରେ କିଏ ବିଜୟୀ ହେବେ ? ଯୁଦ୍ଧ, ଯୁଦ୍ଧ- କେବଳ ଯୁଦ୍ଧ। ସଂପୂର୍ଣ୍ଣ ବାତାବରଣରେ ଯୁଦ୍ଧକୁ ନେଇ ଭୟ ବ୍ୟାପିଯାଇଛି। ଯୁଦ୍ଧରେ କିଏ ଜିତିବେ-କିଏ ହାରିବେ? କାହାର କେତେ କ୍ଷତି ହେବ? ଏହି ଯୁଦ୍ଧରେ କିଏ ଦୁର୍ବଳ କିଏ ସବଳ, ସଂପୂର୍ଣ୍ଣ ଗଣିତ କଷା ଚାଲିଛି। ଏହା ବ୍ୟତୀତ କେହି କେହି ଦୁର୍ଯ୍ୟୋଧନଙ୍କୁ ଠିକ୍ କହୁଛନ୍ତି ତ କେହି କେହି ଯୁଧିଷ୍ଠିରଙ୍କୁ। ସିଂହାସନର ପ୍ରକୃତ ଅଧିକାର କାହାର? ଦୁର୍ଯ୍ୟୋଧନଙ୍କୁ ଅପମାନ। ଏହାକୁ ନେଇ ଦ୍ରୌପଦୀଙ୍କ ବସ୍ତ୍ର ହରଣ, ଜୁଆ, ବନବାସକୁ ନେଇ ଚର୍ଚ୍ଚା, ଲୋକ ବିଭାଜିତ, ଗଣତନ୍ତ୍ର ସଶକ୍ତ, ସ୍ୱର ଶାଣିତ, ବ୍ୟାପ୍ତ-ଶକ୍ତ, ଅନେକ ଲୋକ ସ୍ଥାନେ ସ୍ଥାନେ ଆଲୋଚନା କରୁଛନ୍ତି କେବଳ କ୍ଷମତା ଦଖଲ ପାଇଁ ଏହି ଯୁଦ୍ଧ। ଏହି ଯୁଦ୍ଧରେ ସବୁଠୁ ଅଧିକ ପଶୁପାଳକ, କୃଷକ, ଯୁବ ଏବଂ ସାଧାରଣ ଲୋକଙ୍କର କ୍ଷତି। କ୍ଷମତା ପିପାସା ଯିଏ ଯୁଦ୍ଧରେ ମୃତ୍ୟୁବରଣ କରିବେ ସିଏ ଆମ ଲୋକ ବୋଲି ଚିହ୍ନଟ ହେବେ। ମରଣୋତ୍ତର ସମ୍ମାନ ମିଳିବ। ଏହି ଯୁଦ୍ଧ ମହାଭାରତର ଯୁଦ୍ଧ କୌଣସି ଧର୍ମର ଲଢ଼େଇ ନଥିଲା ବା ଏବେ ନାହିଁ। ଏହି ଯୁଦ୍ଧ ଗାଦିଜାତ ସୁଖ ପାଇଁ ନିଜ ସୁଖ-ସମୃଦ୍ଧି ପାଇଁ କୌରବଙ୍କ ପକ୍ଷରୁ କୁହାଯାଇଛି। ରକ୍ତପାତ ମାଧ୍ୟମ ଦେଇ କ୍ଷମତା ଦଖଲର ଉଦ୍ୟମ ରଖିଥିବା କୌରବଙ୍କ ଏପରି ଧର୍ମବାଣୀ ଶୁଣି ପାଣ୍ଡବ ପକ୍ଷ ହତବାକ୍, ଆଶ୍ଚର୍ଯ୍ୟ ଏବଂ ଚକିତ। ଯୁଦ୍ଧ ନିଜ ପାଇଁ ଯେ ପରଷ୍ପର ଲଢୁଛନ୍ତି ଏହା କହୁନାହାନ୍ତି। ଏହା ମଧ୍ୟରେ ମହାଭାରତ ଯୁଦ୍ଧ ଶେଷ, ଯୁଦ୍ଧକାଳରେ ଗୋଟିଏ ପକ୍ଷ ଆରପକ୍ଷକୁ ଧର୍ମଦ୍ରୋହୀ କହିଥିବାବେଳେ- ଅନ୍ୟ ପକ୍ଷ ଦେଶଦ୍ରୋହୀର ସାଙ୍ଗିଆ ଦେଇଥିଲେ। ଯୁଦ୍ଧ ଶେଷ ହେବା ପୂର୍ବରୁ ଗାଁ-ସହର, ସାହି-ବସ୍ତିର ମୁଖିଆଙ୍କୁ ନେଇ ସିଟିଙ୍ଗ, ଇଟିଙ୍ଗ ମିଟିଙ୍ଗ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷରୁ ମୁଦ୍ରାସହ ସୁରା ଆବଶ୍ୟକ ମତେ ଯୋଗାଇ ଦିଆଯାଇଥିଲା। ଯୁଦ୍ଧ ଶୋଭାଯାତ୍ରା-ଯୋଦ୍ଧା ଭାବେ ନିଜକୁ ଚିହ୍ନଟ କରିବା ପାଇଁ ଆୟୋଜିତ ଶୋଭାଯାତ୍ରାରେ ରାଜକୀୟ ଖାଦ୍ୟ ସହ ଯାନ-ବାହାନ ବିମାନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରତ୍ୟେକ ଯୋଦ୍ଧା ଲୋକଙ୍କର- ଲୋକଙ୍କ ପାଇଁ- ଲୋକଙ୍କ ନିମନ୍ତେ ତାଙ୍କ ଜୀବନ ସମର୍ପିତ। ପ୍ରତ୍ୟେକ ଯୋଦ୍ଧା ଜନସେବା, ଜନସୁରକ୍ଷା, ଦେଶରକ୍ଷା ମମଦୀକ୍ଷା ବୋଲି ସତ୍ୟପାଠ ଲୋକଙ୍କ ନିକଟରେ ଯୁଦ୍ଧଶେଷ ଯାଏ ଦାଖଲ କରିଛନ୍ତି। ଯୁଦ୍ଧପାଇଁ ଆବଶ୍ୟକ ବ୍ୟୟ ନିମନ୍ତେ, କୃଷକ, ଶ୍ରମିକଙ୍କ ଉପରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଟିକସ ଲଦି ଦିଆଯାଇଥିଲା। ଅସ୍ତ୍ର ନିର୍ମାଣ, ଯୋଗାଣ କାରଖାନା ଏବଂ ସଂସ୍ଥାରେ ଯୁବ ବର୍ଗଙ୍କୁ ବଳପୂର୍ବକ ନିଯୁକ୍ତି ଦିଆଯାଇଥିଲା। ନିଅତେଲ-କରଗେଲ ପଛରୁ ଠେଲ ଭଳି ଯୁଦ୍ଧ ଆରମ୍ଭରେ ସ୍ଲୋଗାନ ଶୁଣିବାକୁ ମିଳୁଥିଲା। ଦୁର୍ଯ୍ୟୋଧନ ନିଜକୁ ଧର୍ମରାଜ ଯୁଧିଷ୍ଠିର ବୋଲି ପରିଚୟ ଦେଉଥିଲେ। ଯୁଦ୍ଧ ଶେଷଯାଏ ଉନ୍ମାଦନା ଜାରି ରହିଥିଲା। ଧର୍ମ ପ୍ରବଚନରେ ଧୁରନ୍ଧର ଧାର୍ମିକ ପ୍ରବର୍ତ୍ତକ ନିଜ ନିଜ ପକ୍ଷରେ ତର୍କରତ ଥିଲେ। ବାମମାର୍ଗୀ-ଦକ୍ଷିଣମାର୍ଗୀ ବୋଲି ଦିନେ-ଦିନେ କୌରବ ଏବଂ ପାଣ୍ଡବ ନିଜକୁ ଚିହ୍ନାଉଥିଲେ। ଯେଉଁଦିନ ଯୁଦ୍ଧପାଇଁ ଆଚାର ସଂହିତା ଲାଗୁହେଲା ସେଦିନ ଯୁଦ୍ଧ ସଂପର୍କୀୟ ନିୟମ-କାନୁନ ଶୁଣାଇ ଦିଆଯାଇଥିଲା। ଯୁଦ୍ଧରେ ଟାର୍ଗେଟରେ ଥିଲେ କୃଷକ ଏବଂ ଶ୍ରମିକ। ଶତ୍ରୁପକ୍ଷ-ମିତ୍ରପକ୍ଷ ଚିହ୍ନଟ ପାଇଁ ଚିହ୍ନ। ଯୁଦ୍ଧରେ ନିଜଲୋକ ପରସ୍ପରକୁ ସାମ୍ନା କରୁଥିଲେ। ଯୁଦ୍ଧ ଚାଲିଥିବାବେଳେ ଦୁଇପକ୍ଷରୁ ଲାସ୍ ପଡିଥିବାର ଖବର ମଧ୍ୟ ଆସିଥିଲା। ସୂଚନା ଅନୁଯାୟୀ ଯୁଦ୍ଧରେ ମୃତ, ଆହାତ, କ୍ଷତ-ବିକ୍ଷତ ସୈନିକ ଦୁଇପକ୍ଷର ସଂପର୍କୀୟ ଥିଲେ। ଯୁଦ୍ଧ ଭୂମିରେ ପଣ୍ଡିତ ମୁର୍ଖ ପାଲଟି ଯାଇଥିଲେ, ଆଉ ମୁର୍ଖସବୁ ପଣ୍ଡିତ ହୋଇଯାଉଥିଲେ। ଦେଖିବାକୁ ମିଳିଥିଲା ବାହୁବଳ ଏବଂ ଧନବଳର ବଳିୟାନମାନଙ୍କୁ। ଅପରାଧି ସବୁ ସାଧୁ ପାଲଟି ଯାଇଥିବାର, ହାତଯୋଡି ଲୋକଙ୍କଠାରେ ପ୍ରାର୍ଥନା କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଯେଉଁ ଆଡ଼କୁ ଚାହିଁଲେ ଦେଖିବାକୁ ମିଳୁଛି ଯୁଦ୍ଧ ପରର ଦୃଶ୍ୟ ବିଧବା ଏବଂ ଶବକୁ ନେଇ ଦୁଃଖପ୍ରକାଶ। ଏହା ମଧ୍ୟରେ ମୁଁ ଦୁର୍ଯ୍ୟୋଧନ ପରାଜିତ ହେବାପରେ ଜାଣିପାଇଛି ନୂଆ ସରକାର ନୂଆ ଟିକସ ଲୋକଙ୍କ ଉପରେ ଲଦିଦେବେ ଦରଦାମ ବଢ଼ାଇବେ। ମହାଭାରତରେ ଆଜିଯାଏ ସତ୍ୟ, ଦ୍ୱାପର, ତ୍ରେତାରୁ କଳି ଯାଏ ଯେତେ ଯୁଦ୍ଧ ହୋଇଛି କେବଳ ଲୋକଙ୍କର ବିକାଶ ନାମରେ ବିନାଶ ହୋଇଛି। କ’ଣ ନୂଆ ସରକାର ଲୋକଙ୍କର ବିକାଶ କରିପାରିବେ ଲୁଟ ବନ୍ଦହେବ। ମୋର ବିଶ୍ୱାସ ହେଉନି। ମୁଁ ପରାଜିତ ହୋଇଛି ବୋଲି ବିରୋଧ ପାଇଁ ବିରୋଧ କରୁଛି, ସତ କହୁଛି, ଲୁଟ ଜାରି ରହିବ, ଭୁଲ କରୁଥିଲେ ମୋତେ ପୁଣି କହିବେ। କାସିମ୍, ଗଜନୀ, ବାବର, ଆକବର, ସିକନ୍ଦର, ପୃଥିବୀରାଜ, ସୁଗ୍ରୀବ, ବିଭିଷଣ, ମହାରଣା ପ୍ରତାପ, ମାନସିଂହ, ଇଂରେଜୀମାନେ ଧାର୍ମିକ ଚେଲା ଏବଂ ବେପାରୀ ହେବାପାଇଁ କ୍ଷମତା ଦଖଲର ଉଦ୍ୟମ କରି ଯୁଦ୍ଧ କରୁଥିଲେ। ସମୟ ବଦଳିଯାଇଛି। ସଦ୍ୟ ସମାପ୍ତ ମହାଭାରତ ଯୁଦ୍ଧରେ କ’ଣ ଦେଖିଲ? ଦେଶଦ୍ରୋହୀ ଏବଂ ଧର୍ମଦ୍ରୋହୀଙ୍କର ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ନା ନାହିଁ? ମୁଁ କହିବି ହଁ ଥିଲା!! ଯୁଦ୍ଧରେ ଲୋକଙ୍କର କ୍ଷତି-ଲୁଟେରାଙ୍କର ଲାଭ। ଏହା ଯୁଗକୁ ଯୁଗ ଏହିମତେ। ଜାତି, ଧର୍ମ, ଅନ୍ଧ ରାଷ୍ଟ୍ରବାଦ ତ ଯୁଦ୍ଧର ବିଷୟ ଥିଲା। ଯୁଦ୍ଧର ବିଜୟୀ ଅତୀତର ରାଜା-ଶାସକ ସମସ୍ତେ ଗଣତନ୍ତ୍ରର ଜୟ ଜୟକାର ମୁହଁରେ କରୁଥିଲେ କିନ୍ତୁ ଗଣତନ୍ତ୍ରକୁ ଦୃଢ଼ କରୁଥିଲେ। ଏବେତ ଯୁଦ୍ଧ ଶେଷ- ଯୁଦ୍ଧର ଶଙ୍ଖନାଦ ଶେଷ। ଭୀଷ୍ମ କିନ୍ତୁ ଜୀବିତ, ସାମ୍ରାଜ୍ୟ ଦୃଢ କରି ରଖିବା ପାଇଁ ଠିଆ ହୋଇଛନ୍ତି। ନିଜ ଶାସନକୁ ଦେଖିବେ, ଲୋକ ପକ୍ଷର ନା ନିଜ ପକ୍ଷର ଶାସନ। ମୁଁ କିନ୍ତୁ ଦୁର୍ଯ୍ୟୋଧନ କହୁଛି ଶୁଣନ୍ତୁ ମହାଭାରତର ମହାନ ନେତା। ଯୁଦ୍ଧର ଫଳାଫଳ ସେହିଦିନ ପ୍ରଜାନୁକୂଳ ହେବ ଯେଉଁଦିନ ପ୍ରଜାମାନେ ଜାଗ୍ରତ ହେବେ। ଯୁଦ୍ଧର କାରଣ-ପରିଣାମ ସଂପର୍କରେ ପ୍ରଶ୍ନ ପଚାରିବେ! ହିସାବ ମାଗିବେ ଟିକସ ଅର୍ଥ କ’ଣ ହେଉଛି। ମୁଁ ଜାଣେ ମୁଁ ଦୁର୍ଯ୍ୟୋଧନ ଯାହା କହୁଛି ତାହାକୁ ମହାଭାରତର ହସ୍ତିନାପୁରବାସୀ ବିଶ୍ୱାସ କରିବେ ନାହିଁ। କିନ୍ତୁ ନୂଆ ସରକାର କେତେ ଲୋକ ବିକାଶ କରୁଛନ୍ତି, ପ୍ରତିଶ୍ରୁତି ପାଳନ କରୁଛନ୍ତି ତାହାର ହିସାବ ରଖିବା ପାଇଁ ଅନୁରୋଧ। ମୁଁ ଆଗାମୀ ପାଞ୍ଚବର୍ଷ ପରେ ନିଜ ସୈନ୍ୟସାମନ୍ତଙ୍କୁ ଧରି ପୁଣି କୁରୁକ୍ଷେତ୍ର-ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବି। ସେତେବେଳେ ହେ ହସ୍ତିନାପୁର ବାସୀ ଆପଣମାନେ ମୋତେ କହିବେ- ଆଜି ଯାହା ମୁଁ କହୁଛି ତାହା ଠିକ୍ ଥିଲା ନା ଭୁଲ?

Share :