ଇଂ ଜଗବଂଧୁ ଷଡଙ୍ଗୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରାଯିବ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କେବଳ ଏହି ସହର ଓ ନଗର ନିଗମ ଅଞ୍ଚଳରେ ୬୦୦ରୁ ଉର୍ଦ୍ଧ୍ୱ ବସ୍ତି ଏ ଦୁଇ ଦଶନ୍ଧି ମଧ୍ୟରେ ଗଢିଉଠିଛି। ସ୍ମାର୍ଟ ସିଟି ଗଢିବାକୁ ହେଲେ ଏସବୁ ବସ୍ତିର ପୁନଃ ନିର୍ମାଣ, ଦୈନିକ ମଜୁରିଆଙ୍କ ପାଇଁ ବାରାକ୍ ବା ଗୃହ ନିର୍ମାଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ଗମନା ଗମନର ସୁବିଧା ନ କରି ଗୋଟିଏ ମୁଖ୍ୟ ରାସ୍ତାକୁ ନେଇ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖେଇବା ଓଡ଼ିଶା ବାସୀଙ୍କ ପାଇଁ କ’ଣ ମହତ୍ୱ ରଖିବ ବୁଝି ହୁଏନା। ସ୍ମାର୍ଟ ସିଟି ପାଇଁ ସହରର ସବୁ ଅଞ୍ଚଳର ବିକାଶ ଜରୁରୀ। ୨୦୦୪ ମସିହା କଥା। ଜଣେ ବଢେଇ ମୋ ଘରେ କାମ କରୁଥିଲେ। ସେ ସାଲିଆସାହିରେ କେତେକ ମାଫିଆଙ୍କୁ ୨୫୦୦୦ ଟଙ୍କା ଦେଇ ଖଣ୍ଡେ ଖାଲି ଜାଗା ଦଖଲ କରି ୩ ବଖରା ଘର କରିଥାନ୍ତି। ସେଥିରୁ ଗୋଟିଏ ବଖରାରେ ସେ ନିଜେ ରହୁଥିଲେ ଓ ଦୁଇ ବଖରା ୨୦୦୦ ଟଙ୍କା ଲେଖାରେ ଭଡ଼ାରେ ଦେଇଥାନ୍ତି। ସେ ମତେ କହିଲା, ଆପଣ ଖଣ୍ଡେ ଜାଗା ନେଇ ଘର କରି ଭଡ଼ା ଦେଇ ଦିଅନ୍ତୁ, କେବଳ ସେଠା ମାଫିଆ ମାନଙ୍କୁ ୩୦୦୦୦ରୁ ୩୫୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ। ମୁଁ କହିଲି, ଯଦି ସରକାର ଆମକୁ ଉଠାଇ ଦିଅନ୍ତି! ବଢେଇଟି କହିଲା ଆଜ୍ଞା ଏତେ ଲୋକ ରହୁଛନ୍ତି ସମସ୍ତଙ୍କର ରାସନକାର୍ଡ, ଭୋଟର କାର୍ଡ ଇତ୍ୟାଦି ହୋଇଗଲାଣି। ଉଠାଇବେ କାହାକୁ? ଯାହା ହେଉ ସେତେବେଳେ ଏପରି ଅନ୍ୟାୟ କାର୍ଯ୍ୟରେ ଭାଗିଦାରୀ ହେବାକୁ ମୁଁ ମନ କଲି ନାହିଁ। ଆଜି ମୁଁ ଦେଖୁଛି, ମୋର ଅନେକ ଚିହ୍ନା ଲୋକ ବା ଶ୍ରମିକ ଶ୍ରେଣୀୟ ଲୋକ, ସାଲିଆ ସାହି, ଗାନ୍ଧି ବସ୍ତି ଇତ୍ୟାଦିରେ ଭଡ଼ା ଘରେ ରହୁଛନ୍ତି। ଜଣେ ଜଣେ ଠିକାଦାର ବା ସରକାରୀ କର୍ମଚାରୀ ୨/୩ ଜାଗାରେ ଘର ତିଆରି କରି ଭଡ଼ାରେ ଦେଇଛନ୍ତି। ୨/୩ ପରିବାର ପାଇଁ ଗୋଟିଏ କରି ସମୂହ ପାଇଖାନା ଓ ଗୋଟିଏ ଛୋଟ ଦୁଆର ବା ଖାଲିଜାଗା। ଏହା ବ୍ୟତୀତ ଅନେକ ଶ୍ରମିକ ୨୦,୦୦୦ ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଫିଆମାନଙ୍କୁ ଦେଇ କିଛି ଘର କରିଛନ୍ତି ଓ ବଖରାକରେ ରହି ବାକିତକ ଭଡ଼ା ଲଗାଇଛନ୍ତି। ଏଥିରୁ ଜଣାପଡେ ବସ୍ତି ଗଢି ଉଠିଥିିବା ସବୁ ଖାଲି ଜାଗା କିଛି ମାଫିଆଙ୍କ ହାତରେ ଅଛି। ସେମାନଙ୍କୁ ସାହାଯ୍ୟ କରୁଛନ୍ତି କିଛି ରାଜସ୍ବ ଓ ପୁଲିସ କର୍ମଚାରୀ। ପ୍ରାୟ ୨ ମାସ ତଳେ ମୁଁ ମୋର ଜଣେ ପରିଚିତ ଲୋକଙ୍କୁ ନିଜ କାରରେ ନେଇ ସାଲିଆ ସାହିରେ ଛାଡ଼ିବାକୁ ଯାଇଥିଲି। ଶୁଣିଲି ଗୋଟିଏ କଣ୍ଟ୍ରାକ୍ଟର ତାଙ୍କ ରହୁଥିବା ଘରଗୁଡିକୁ ତିଆରି କରିଛି। ୩ଟି ପରିବାର ସହ ଉକ୍ତ ବ୍ୟକ୍ତି ମଧ୍ୟ ଗୋଟିଏ ବଖରାରେ ରହୁଥାନ୍ତି। ତା ମଧ୍ୟରୁ ଗୋଟିଏ ସାମନା ବଖରାରେ ଅଛି ଗୋଟିଏ ଡାଲି ଚାଉଳ ଦୋକାନ, ଘର ଭଡ଼ା ୩୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ। ଦେଖିଲି ସାହି ଯାକରେ ପାନ ଦୋକାନରୁ ଆରମ୍ଭ କରି ଦେଶୀ ମଦ ବିକ୍ରି ପର୍ଯ୍ୟନ୍ତ ସବୁ ଚାଲିଛି। ଶୁଣିଲି କିଛି ଦୋକାନୀ ବିଶେଷ କରି ପାନ ଦୋକାନୀ ମାନେ ଗଞ୍ଜା, ଚରସ ମଧ୍ୟ ରଖନ୍ତି। ରାସ୍ତାଗୁଡିକ ସରୁ (ଅନେକ ରାସ୍ତାରେ ଗାଡ଼ି ଯିବନି କିମ୍ୱା ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଯାଇପାରିବନି।)। ଏଠାରେ ଘରର ପ୍ଲାନିଂ ଦଖଲକାରୀଙ୍କ ଇଚ୍ଛା ଅନୁସାରେ ହୋଇଥାଏ। ଏସବୁ ବେଳକୁ ସରକାରଙ୍କ, ବିଏମସି, ବିଡିଏ ଓ ଅନ୍ୟ ଅଧିକାରୀମାନେ ଶୋଇରହନ୍ତି କାହିଁକି? କିନ୍ତୁ ଆମମାନଙ୍କ ପରି ଜଣେ ଆଇନକୁ ମାନୁଥିବା ନାଗରିକ ଯଦି ୬ ଇଞ୍ଚି ବାଉଣ୍ଡାରୀ ୱାଲ୍ (ପାଚେରୀ) ସରକାରୀ ଜାଗାକୁ ମାଡିଲା ତେବେ ଆମ ପାଖକୁ ନୋଟିସ ଆସେ, ଜୋରିମାନା ଆଦାୟ ହୁଏ କିମ୍ୱା ଉକ୍ତ ମାଡିଥିବା ଜାଗାକୁ ଭାଙ୍ଗି ଦିଆଯାଏ। ଏ ହେଉଛି ଆମ ଗଣତନ୍ତ୍ର - ଆଇନକୁ ମାନୁଥିବା ବ୍ୟକ୍ତି ଦଣ୍ଡ ପାଏ ଓ ନମାନୁଥିବା ବ୍ୟକ୍ତିଙ୍କୁ ଚାରିଖୁଣ ମାଫ। ସେହିପରି ସବୁ ବସ୍ତି ଗଢି ଉଠିଛି। କିଛି ଜବରଦସ୍ତକାରୀ ଓ ମାଫିଆଙ୍କ ଜରିଆରେ ତଥା ସରକାରୀ ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନରେ। ଭୁବନେଶ୍ୱର ସହର ଚଣ୍ଡିଗଡ଼ ସହର ଢାଞ୍ଚାରେ ଗଢ଼ା ହୋଇଥିଲା। କିନ୍ତୁ ଚଣ୍ଡିଗଡ଼ ସହରରେ ପ୍ରାୟତଃ ବସ୍ତି ନାହିଁ। ରାସ୍ତା ଉପରେ ବା କଡ଼ରେ ଉଠା ଦୋକାନ ବା ଜବରଦସ୍ତ ଦଖଲ ଥାଇ ଦୋକାନମାନ ନାହିଁ। ପ୍ରାୟ କିଛି ବର୍ଷ ତଳେ ମୁଁ ଚଣ୍ଡିଗଡ଼ ଯାଇଥାଏ। ଗୋଟିଏ ହୋଟେଲରେ ରହୁଥାଏ। ସକାଳୁ ମୋର ସାବୁନ ଦରକାର ହେଲା। ଯେହେତୁ ରାସ୍ତା କଡ଼ରେ ଉଠାଦୋକାନ ନଥାଏ ମୋତେ ପାଖ ମାର୍କେଟକୁ ଯାଇ ସାବୁନ ଆଣିବାକୁ ପଡ଼ିଲା। କିନ୍ତୁ ଭୁବନେଶ୍ୱରରେ ତ ସବୁ ଗଳି କନ୍ଦିରେ ଦୋକାନ। ଏସବୁ ଅବ୍ୟବସ୍ଥା ଆମ ସ୍ମାର୍ଟ ସିଟିରେ ସମ୍ଭବ ହୋଇଛି ସରକାରଙ୍କ ଦୃଢ ଇଚ୍ଛାଶକ୍ତି ଅଭାବରୁ ଓ କିଛି ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ଯୋଗୁଁ ତଥା ଉପରିସ୍ଥ ଅଫିସରଙ୍କ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ। ଏଥର ଆସିବା ବସ୍ତି ଅଞ୍ଚଳ କଥାକୁ। ବସ୍ତିମାନ ଦୁଇ କିସମର ଲୋକଙ୍କ କବ୍ଜାରେ ଅଛି। ପ୍ରଥମଟି ହେଲା କିଛି କଣ୍ଟ୍ରାକ୍ଟର ଓ ମାଫିଆ ଦଳ- ଯେ କି ଜାଗା କାରବାର/ ବିକ୍ରି କରନ୍ତି- ବିନା କାଗଜ ପତ୍ରରେ, ପଇସା ଦେଇଥିବା ଲୋକକୁ କେବଳ ଜାଗାର ଦଖଲ ଦିଆଯାଏ। ସେ ଲୋକଛାଡି ଚାଲିଗଲେ ଆଉ ଜଣଙ୍କୁ ତାହା ବିକ୍ରି ହୋଇଯାଏ। ଦ୍ୱିତୀୟଟି ହେଲା କିଛି ଶ୍ରମିକ, ଗଉଡ଼, ମିସ୍ତ୍ରୀ ଜାତୀୟ ଲୋକ କାମ ଖୋଜିବାକୁ ଆସି କିଛି ଜାଗାମାଡ଼ିବସି ଘର କରି ରହନ୍ତି - କିଛିରେ ରହନ୍ତି ଓ ଆଉ କିଛି ଭଡ଼ା ଦିଅନ୍ତି। ଅଦ୍ଭୁତ ଆମ ରାଜ୍ୟ, ଯେଉଁଠି ସରକାରୀ ଜାଗା କିମ୍ୱା ସରକାରୀ ଜାଗାରେ ଘର ବିନା କାଗଜପତ୍ରରେ ଦିଆନିଆ ହୁଏ। ସରକାରଙ୍କର ଏଠାରେ କୌଣସି ଦଖଲ ନାହିଁ। ଗାଁରେ ଗୋଟିଏ କିମ୍ୱା ୨ଟି ଇନ୍ଦିରା ଆବାସ/ ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସରେ ପକ୍କା ଘର ଥିବା ଲୋକ ମଧ୍ୟ ବସ୍ତିରେ ଘର କରି ରହୁଛନ୍ତି। ଅନେକ ବାଙ୍ଗଲାଦେଶୀ, କିମ୍ୱା ପଶ୍ଚିମ ବଙ୍ଗବାସୀ ଏ ବସ୍ତିମାନଙ୍କରେ ଆସ୍ଥାନ ଜମାଇ ଅନେକ ବେଆଇନ କାର୍ଯ୍ୟକରୁଛନ୍ତି। ଏ ସମସ୍ତେ କେତେକ ରାଜନେତା ଓ କିଛି ଲାଞ୍ଚୁଆ କର୍ମଚାରୀମାନଙ୍କ ସହାୟତାରେ ଡ୍ୟୁପ୍ଲିକେଟ ଭୋଟର ଆଇଡି / ରାସନକାର୍ଡ / ଆଧାର କାର୍ଡ ଇତ୍ୟାଦି ତିଆରି କରି ସ୍ଥାୟୀ ବାସିନ୍ଦା ଭାବରେ ନିଜକୁ ପରିଚିତ କରାଉଛନ୍ତି। ଭୁବନେଶ୍ୱର ସହରରେ ୬୦୦ରୁ ଉର୍ଦ୍ଧ୍ୱ ବସ୍ତି ଗଢି ଉଠିବାରେ ରାଜ୍ୟ ସରକାର ନିଜେ ସହାୟକ ହୋଇଛନ୍ତି। ଏଣୁ ଏହାର ନିରାକରଣ କରିବା ମଧ୍ୟ ତାଙ୍କର ଦାୟିତ୍ୱ। ଗତ ବର୍ଷ ହକି ଖେଳ ଆୟୋଜନ ହେବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ କଡ଼ରେ ଗତ ୨୦ରୁ ୩୦ ବର୍ଷ ଧରି ଗଢି ଉଠିଥିବା ବସ୍ତି ଭଙ୍ଗା ହେଲା। କେତେ ଲୋକ ବେଘର ହେଲେ। କିନ୍ତୁ ଏପରି ସ୍ଥାନମାନଙ୍କରେ ନୂଆ ନୂଆ ବସ୍ତି ଗଢି ଉଠିବା ପୂର୍ବରୁ ସରକାର ଏପରି ଜବର ଦଖଲକୁ ବନ୍ଦ କଲେନି କାହିଁକି? ଯଦି ଚଣ୍ଡିଗଡ଼ ସରକାର ଏପରି କାର୍ଯ୍ୟ କରିବାରେ ସଫଳ ତେବେ ଆମ ରାଜ୍ୟ କାହିଁକି ନୁହଁ? ସାଲିଆ ସାହି ବା ଗାନ୍ଧି ବସ୍ତି ଭଳି ଭୁବନେଶ୍ୱରରେ ୬୦୦ରୁ ଉର୍ଦ୍ଧ୍ୱ ବସ୍ତିର ସମସ୍ୟା ଅଳ୍ପ ବହୁତେ ସମାନ। ଲୋକମାନେ ଅପ୍ରଶସ୍ତ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ କାଳାତିପାତ କରିବା ମାନବାଧିକାର ଆଇନର ଉଲ୍ଲଘଂନ କରୁନାହିଁକି? ବର୍ତ୍ତମାନ ପରିସ୍ଥ୍ିତିରେ ସରକାର ନିମ୍ନ କେତୋଟି ପ୍ରସ୍ତାବ ବା ଉପଦେଶ ଗ୍ରହଣ କଲେ ସମାଜର ତଥା ସ୍ମାର୍ଟ ସିଟିର ମଙ୍ଗଳ ହୁଅନ୍ତା। ସରକାରଙ୍କୁ ପ୍ରସ୍ତାବ ୧. ସବୁ ବସ୍ତି ଓ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରାଯାଇ ଗୋଟିଏ ରାସନ କାର୍ଡ, ଗୋଟିଏ ଭୋଟ୍ ପରିଚୟ ପତ୍ର, ଗୋଟିଏ ଆଧାର କାର୍ଡ ବ୍ୟବସ୍ଥା କରାଯାଉ। ଜଣେ ବ୍ୟକ୍ତି ଏସବୁ ପରିଚୟ ପତ୍ରକୁ କେବଳ ଗୋଟିଏ ସ୍ଥାନରେ ଯଥା ନିଜ ଗ୍ରାମରେ ବା ସହରରେ ବ୍ୟବହାର କରିପାରିବ ତା’ର ବ୍ୟବସ୍ଥା କରାଯାଉ। ୨. ବାଙ୍ଗଲାଦେଶୀ ଓ ପଶ୍ଚିମବଙ୍ଗୀ ମାନଙ୍କୁ ମଧ୍ୟ ଏହି ପଦ୍ଧତିରେ ଚିହ୍ନଟ କରାଯାଇ ସେମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଉ କିମ୍ୱା ସରକାରୀ ସ୍ତରରେ ତାଙ୍କର ଭବିଷ୍ୟ ନିର୍ଦ୍ଧାରଣ କରାଯାଉ। ୩. ବସ୍ତିଗୁଡିକ ଭଙ୍ଗାଯାଇ ସମସ୍ତ ସୁବିଧା ଥାଇ ସେଠାରେ ନୂତନ ଗୃହ ନିର୍ମାଣ କରାଯାଉ ଓ ଆବଶ୍ୟକ ସ୍ଥଳେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଉ। ଯେଉଁ ବ୍ୟକ୍ତିଙ୍କ ନାମରେ ନିଜ ଗ୍ରାମରେ ସରକାରୀ ଯୋଜନାରେ ଘର, ପାଇଖାନା ଇତ୍ୟାଦି ଦିଆଯାଇଛି ସେମାନଙ୍କୁ ବସ୍ତି ଥଇଥାନରେ ସାମିଲ ନ କରିବା ପାଇଁ ଆଇନ ଅନୁସାରେ ବ୍ୟବସ୍ଥା କରନ୍ତୁ। କେବଳ ବାସହୀନମାନଙ୍କୁ ଥଇଥାନ କରାଯାଉ ଓ ଅନ୍ୟମାନଙ୍କୁ ଭଡାଘର ସୁବିଧା ଦିଆଯାଉ। ୪. ଶ୍ରମିକମାନଙ୍କ ପାଇଁ ଅଲଗା କଲୋନୀ ନିର୍ମାଣ କରି ସେମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଭଡାଘର ବା ବିକ୍ରି ଗୃହ ଯୋଗାଇ ଦିଆଯାଉ। ୫. ଶ୍ରମିକ କଲୋନୀର ଶ୍ରମିକମାନଙ୍କ ଷ୍ଟାଣ୍ଡ ଅପେକ୍ଷା ସ୍ଥାନକୁ ସକାଳ ଓ ସଂଧ୍ୟାରେ ସରକାରୀ ବସ୍ ସର୍ଭିସ୍ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉ। ୬. ଶ୍ରମିକମାନଙ୍କ ପାଇଁ ଷ୍ଟାଣ୍ଡମାନଙ୍କରେ ପଂଜୀକରଣ କରାଯାଇ ସେମାନଙ୍କର ବର୍ଗୀକରଣ କରାଯାଉ ଓ ସେମାନଙ୍କର ଦୈନିକ ମଜୁରୀ ନିର୍ଦ୍ଧାରଣ କରାଯାଉ। ଷ୍ଟାଣ୍ଡମାନ ପାଇଁ ସହରର ବିଭିନ୍ନ ସ୍ଥାନରେ ଜାଗା ନିରୂପଣ କରାଯାଇ, ସେଠାରେ କିଛିଟା ସେଡ୍ କରାଯାଉ। ୭. ରାସ୍ତା ଉପରେ ଦୈନିକ ବା ସବୁଦିନିଆ ଭେଣ୍ଡିଙ୍ଗ୍ ବନ୍ଦ କରାଯାଇ କେବଳ ଭେଣ୍ଡିଙ୍ଗ୍ ଜୋନ୍ରେ କ୍ରୟ ବିକ୍ରୟର ବ୍ୟବସ୍ଥା କରାଯାଉ। ଏହା ଦ୍ୱାରା ସବୁ ରାସ୍ତା ଲୋକମାନଙ୍କ ଯିବା ଆସିବା ପାଇଁ ଖାଲି ରହିବ। ୮. ନୂଆ ନୂଆ ମଲ୍ ବା ବଡ଼ ଦୋକାନର ନିଜର ପାର୍କିଂ ବ୍ୟବସ୍ଥା ନ ଥିଲେ କିମ୍ୱା ରାସ୍ତା କଡ଼ରେ ପାର୍କିଂ ପାଇଁ ଯଥେଷ୍ଟ ଜାଗା ନଥିଲେ ସେପରି ଦୋକାନମାନଙ୍କ ଉପରେ ଅଙ୍କୁଶ ଲଗାଯାଉ। ୯. ଗଉଡ଼ ବସ୍ତିମାନ ସ୍ୱତନ୍ତ୍ର ଗୁହାଳ ବ୍ୟବସ୍ଥା ଥାଇ ସହରଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ନିର୍ମାଣ କରାଯାଉ। ସେମାନଙ୍କର ଖୋଲା କ୍ଷୀର ବିକ୍ରି ପାଇଁ ସବୁ ଅଞ୍ଚଳରେ ବିକ୍ରୟ କେନ୍ଦ୍ରମାନ କରାଯାଉ। ଉପରୋକ୍ତ କେତୋଟି ବିଷୟରେ ଦିଆଯାଇଥିବା ପ୍ରସ୍ତାବ ବା ଉପଦେଶ କିଛି ନୂଆ ନୁହଁ। ସବୁ ବିଷୟ ସରକାର, ସରକାରୀ ଅଧିକାରୀ ଓ ରାଜନେତା ଜାଣନ୍ତି। କେବଳ ନିରାକରଣ କରିବା ପାଇଁ ଦୃଢ ମନୋବଳ ଓ ଇଚ୍ଛା ଶକ୍ତିର ଅଭାବ ପରିଲକ୍ଷିତ ହୁଏ। ଏ ସବୁର ସୁବ୍ୟବସ୍ଥା କରାଗଲେ ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ମାନ୍ୟତା ଦେବାରେ ଆମେ ସମସ୍ତେ ସହାୟକ ହେବା। ଓଡିଶା ଶିଳ୍ପ ବିଭାଗର ପୂର୍ବତନ ନିଦ୍ଦେର୍ଶକ ତଥା ସାଧାରଣ ସଂପାଦକ ଓଡିଶା ଦୁନୀତି ସଂଘର୍ଷ ମଞ୍ଚ ମୋ - ୯୪୩୭୦୧୫୨୦୧