ଶ୍ୟାମଳ ସୁବର୍ଣ୍ଣାର ପ୍ରଥମ ସ୍ବନକ୍ଷତ୍ର ଦିବସ ପାଳିତ

ଶ୍ୟାମଳ ସୁବର୍ଣ୍ଣାର ପ୍ରଥମ ସ୍ବନକ୍ଷତ୍ର ଦିବସ ପାଳିତ

Share :

କୃଷି ଓଡ଼ିଶାର ଭାତହାଣ୍ଡି। ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ। କୃଷିର ବିକାଶ, କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ। ଲଗାତାର ୧ ବର୍ଷର ସଂଗ୍ରାମ ପରେ ଶ୍ୟାମଳ ସୁବର୍ଣ୍ଣ ତା’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ସ୍ଥିତ ବୋକା କେଫ୍ ଠାରେ ପାଳନ କରିଛି। ଏ ସଂଘର୍ଷ ପଥରେ ନାନାଦି ବାଧାବିଘ୍ନ ଆସିଥିଲେ ବି ସଂପୃକ୍ତ ଥିବା ଛାତ୍ରାଛାତ୍ରୀମାନେ ଥକିପଡ଼ି ନାହାନ୍ତି। ଶେଷ ବର୍ଷର ଅଧ୍ୟୟନ ବ୍ୟସ୍ତତା ଓ ଫନିର ପ୍ରଳୟ ହେତୁ ଶ୍ୟାମଳ ସୁବର୍ଣ୍ଣ ପ୍ରକାଶନର କିଂଚିତ ବିଳମ୍ୱ ହେତୁ ଦୁଃଖ ପ୍ରକାଶ କରିଥିଲେ ପତ୍ରିକାର ମୁଖ୍ୟ ସମ୍ପାଦକ ଡି ଶୁଭମ୍। ଉତ୍ସବର ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ଚାଷ ଓ ଚାଷୀର ମହତ୍ତ୍ୱ ସର୍ମ୍ପକରେ ଆଲୋକପାତ କରିଥିଲେ। ଶ୍ରୀ ପାଟ୍ଟଶାଣୀ କହିଥିଲେ ଶ୍ୟାମଳ ଜମିରେ ସୁବର୍ଣ୍ଣର ପରିଭାଷା ହିଁ ହେଉଛି ଚାଷୀର ମୁଖ୍ୟ ଆଭୂଷଣ। ଏହା ପରେ ଉତ୍ସବର ସମ୍ମାନିତ ଅତିଥି ପର୍ଯ୍ୟବେକ୍ଷକର ସମ୍ପାଦକ ଡ଼ଃ ପବିତ୍ର ମୋହନ ସାମନ୍ତରାୟ ପତ୍ରିକାର ସ୍ଥାୟିତ୍ୱ ତଥା ଏହାର ନିରନ୍ତର ପ୍ରକାଶନ କିପରି ହୋଇପାରିବ ସେ ବିଷୟରେ ଅନେକ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି କିସ୍ର ସୋସିଆଲ ଡେଭଲପ୍‌ମେଣ୍ଟ ଅଫିସର ତଥା ସାମାଜିକ କର୍ମୀ ତଥା ପତ୍ରିକାର ଉପଦେଷ୍ଟା ସାଧନା ମିଶ୍ର ଓଡ଼ିଶାରେ କୃଷିର ପରସ୍ଥିତି ବିଷୟରେ ବୁଝାଇବା ସହ ସରକାରଙ୍କର କୃଷି ସମ୍ୱଳିତ ଯୋଜନା ବିଷୟରେ କହିଥିଲେ। ଉସିବର ମୁଖ୍ୟ ବକ୍ତା ସାମାନ୍ୟକଥନ.କମ୍‌ର ସଂପାଦକ ତଥା ବରିଷ୍ଠା ସାମ୍ୱାଦିକ ଦେବେନ୍ଦ୍ର ପୃଷ୍ଟି ଜୈବିକ କୃଷିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ଉତ୍ସବର ଅନ୍ୟ ଅତିଥିଙ୍କ ମଧ୍ୟରେ ଇଂ ଅଭୟ ସୁତାର, ସତ୍ୟବ୍ରତ ରଥ ପ୍ରମୁଖ ଯୋଗ ଦେଇ ପତ୍ରିକାର ଆଭିମୁଖ୍ୟ ସର୍ମ୍ପକରେ ସୂଚନା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଶ୍ୟାମଳ ସୁବର୍ଣ୍ଣ ଯୁବ ଲେଖକ ଓ ଲେଖିକା ସମ୍ମାନ - ୨୦୧୯ ଯଥାକ୍ରମେ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଓୟୁଏଟିର ପ୍ରୀତିଲଗ୍ନା ଧଳଙ୍କୁ ପ୍ରଦାନ କରାଯାଇଥିଲା। ଉତ୍ସବରେ ପତ୍ରିକାର ସମସ୍ତ ସମ୍ପାଦନା ଓ ଉପଦେଷ୍ଟା ମଣ୍ଡଳୀ ଯୋଗଦେଇଥିଲେ। ଶୁଭଶ୍ରୀ ସାହୁ ଓ ଅଭିଷିକ୍ତା ମିଶ୍ର ମଂଚ ସଂଚାଳନ କରିଥିବା ବେଳେ ଉପଦେଷ୍ଟା ଭୁବନାନନ୍ଦ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ମଲ୍ଲିକ, ଅବିନାଶ ଦାସ, ସଂଗ୍ରାମ, ସୌମ୍ୟ, ପ୍ରିତମ, ବିଭୁ, ଦିବ୍ୟ, ଆତ୍ମା ପ୍ରମୁଖ ସହଯୋଗ କରିଥିଲେ। ଶ୍ୟାମଳ ସୁବର୍ଣ୍ଣ ବର୍ତ୍ତମାନ ୧୫ଟି ଜିଲ୍ଲାରେ ପ୍ରସାରିତ ହୋଇ ବହୁଳ ପାଠକୀୟ ଆଦୃତି ଲାଭ କରୁଛି ବୋଲି ପତ୍ରିକାର କାର୍ଯ୍ୟନିବାର୍ହୀ ସମ୍ପାଦକ ଗୌରାଂଗ ଚନ୍ଦ୍ର ଦାସ କହିଥିଲେ।

Share :