ଯଦି, କିନ୍ତୁ ଓ ତଥାପିର ସରକାର

ଯଦି, କିନ୍ତୁ ଓ ତଥାପିର ସରକାର

Share :

ଦେବେନ୍ଦ୍ର ପୃଷ୍ଟି ମେ ୧୯ ତାରିଖ ଶେଷ ପର୍ଯ୍ୟାୟ ଭୋଟ। ମେ ୨୩ ତାରିଖରେ ଭୋଟ ଗଣତି ଓ ଫଳ ଘୋଷଣା। ସମଗ୍ର ଦେଶ ଉତ୍କଣ୍ଠିତ। ଆଶା ଓ ଆଶଙ୍କାରେ ନେତା ଓ ଜନତା, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା। କ’ଣ ହେବ ଫଳାଫଳ? କିଏ ଗଢ଼ିବ ନୂଆ ସରକାର? ଓଡ଼ିଶା ମଧ୍ୟ ଏଭଳି ଅପେକ୍ଷା ଓ ଆକଳନରୁ ଅଲଗା ନୁହେଁ। ଅନେକଙ୍କ ଆକଳନ, ଏଥର ଲଢ଼େଇ ହୋଇଛି ତୀବ୍ର ଓ ଶାଣିତ, ତେଣୁ ଫଳାଫଳ ମଧ୍ୟ ସେହିପରି ହୋଇପାରେ। ଆଉ କିଏ କହୁଛନ୍ତି, ପରିବର୍ତ୍ତନ ଆସିବ ନାହିଁ, ସ୍ଥିତାବସ୍ଥା ବଜାୟ ରହିବ। ଶାସକ ବିଜୁ ଜନତା ଦଳର ଆଗ ଧାଡ଼ିର ନେତା ଓ କର୍ମୀ ପୁଣି ଥରେ ସରକାର ଗଢ଼ିବା ପାଇଁ ଅଙ୍କ କଷା ଚଳେଇଛନ୍ତି। ସେମାନଙ୍କ ଗଣନାରେ ଦଳର ବିଧାନସଭା ଆସନ ସଂଖ୍ୟା ୮୦ରୁ ଆରମ୍ଭ କରି ୧୩୪ ଛୁଉଁଛି। ଲୋକସଭାରେ ମଧ୍ୟ ଦଳ ଅନ୍ୟୁନ ୧୫ଟି ଆସନ ଲାଭ କରିବ ବୋଲି ଦାବି କରୁଛନ୍ତି ନବୀନଙ୍କୁ ଘେରି ରହିଥିବା ନେତା ଓ ବାବୁ। ଏଥର ନବୀନଙ୍କ ଦଳକୁ କଡ଼ା ଟକ୍କର ଦେଇଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ଆଶାବାନ। ଦଳୀୟ ନେତାଙ୍କ ଗଣନାରେ ଓଡ଼ିଶାରେ ବିଜେପିର ବିଧାନସଭା ଆସନ ସଂଖ୍ୟା ୮୫ ଛୁଇଁପାରେ। ଲୋକସଭାକୁ ଓଡ଼ିଶାର ବିଜେପିର ୧୩ ସଭ୍ୟ ନିର୍ବାଚିତ ହେବେ। ଦଳର କେହି କେହି କହନ୍ତି, ଯେତେ ଯାହା ହେଲେ ବି ଦଳର ବିଧାନସଭା ଆସନ ସଂଖ୍ୟା ୫୦ରୁ କମିବ ନାହିଁ। ଆଉ ଯଦି କମିବ ୩୫ରୁ ବଢ଼ିବ ନାହିଁ। ଏଭଳି ସ୍ଥଳେ କଂଗ୍ରେସ ନେତାମାନେ ପ୍ରାୟତଃ ନୀରବ ରହିଛନ୍ତି, ସେମାନଙ୍କର ନୀରବ ରହିବା ଉଚିତ ମଧ୍ୟ। ସେମାନେ କୌଣସି ଆକଳନ କରୁ ନଥିଲେ ବି ସରକାର ଗଢ଼ିବାର ଆଶା କିନ୍ତୁ ଛାଡ଼ି ନାହାନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଚାରୋଟି ସମ୍ଭାବନା ରୂପ ନେଇପାରେ ବୋଲି ବିଚାର କରାଯାଉଛି। ପ୍ରଥମ ସମ୍ଭାବନା ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ପୁଣି ଥରେ ଏକାକୀ ସଂଖ୍ୟାଗରିଷ୍ଠ ଦଳ ହେଲା ଓ ପୂର୍ବର ୧୧୭ ନହେଲେ ମଧ୍ୟ ୧୦୦ ପାଖାପାଖି ଆସନ ହାସଲ କଲା ତେବେ ରେକର୍ଡ଼ ପଞ୍ଚମ ଥର ପାଇଁ ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କିମ୍ବା ସେ ତାଙ୍କର କୌଣସି ମନୋନୀତ ବ୍ୟକ୍ତିଙ୍କୁ ଗାଦୀ ଛାଡ଼ିଦେଇପାରନ୍ତି। ଯଦି କେନ୍ଦ୍ରରେ ଉପା କି ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ ନକଲେ ଓ ବିଜେଡି ସମର୍ଥନ ଲୋଡ଼ିଲେ ତେବେ ଦଳ ନବୀନବାବୁଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଉପସ୍ଥାପିତ କରିବ। ଏହାର ପୂର୍ବ ସୂଚନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇସାରିଲେଣି। ଯଦି ନବୀନବାବୁଙ୍କ ପ୍ରଧାନମନ୍ତ୍ରିତ୍ବକୁ ଏନଡିଏ କି ଉପା ଗ୍ରହଣ କରନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ଯଦି ସେ ଏ ଦୁଇ ମେଣ୍ଟ ପରିବର୍ତ୍ତେ ଏଯାଏଁ ଗଢ଼ା ଯାଇ ନଥିବା ଅଣବିଜେପି ଅଣକଂଗ୍ରେସ ଆଂଚଳିକ ଦଳର ମେଣ୍ଟ ବା ତଥାକଥିତ ତୃତୀୟ ସାମ୍ମୁଖ୍ୟରେ ରହିଲେ ଏବଂ ଏହି ସାମ୍ମୁଖ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କଲା ଏବଂ ନବୀନବାବୁ ସର୍ବସମ୍ମତ ନେତା ହେଲେ ତେବେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ତେବେ ଏହା ‘ମୁଙ୍ଗାରୀ ଲାଲ୍‌ କି ହସିନ୍‌ ସପ୍ନେ’ ପରି କଥା। ଯଦି ମୁଙ୍ଗେରୀଲାଲଙ୍କ ସ୍ବପ୍ନ ସତ ହୁଏ ତେବେ ଓଡ଼ିଶାରେ ବିଜେଡି କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ତାହା ମଧ୍ୟ ଲକ୍ଷେକୋଟି ଟଙ୍କାର ପ୍ରଶ୍ନ। ସେ ସ୍ଥଳେ ସୌମ୍ୟ ପଟ୍ଟନାୟକ ହେବେ କି ଅରୁଣ ପଟ୍ଟନାୟକ ହେବେ, ବବି ଦାସ ହେବେ କି କବି ସାହୁ ହେବେ, ଆନ୍ନା ହେବେ କି ଭାଇନା ହେବେ, ତାହା ସମୟ କହିବ। ଯଦି ବି ସେପରି କିଛି ସମ୍ଭାବନା ସୃଷ୍ଟି ହୁଏ ତେବେ ଦଳ ରହିବ କି ଭାଙ୍ଗିବ ତାହା ମଧ୍ୟ ଏକ କୋଟିଏ ଟଙ୍କାର ପ୍ରଶ୍ନ। ଦ୍ବିତୀୟ ସମ୍ଭାବନା ଯଦି ବିଜେଡି ଏକକ ସଂଖ୍ୟାଗରିଷ୍ଠତା ପାଏ କିନ୍ତୁ ଆସନ ସଂଖ୍ୟା ୮୦ ଭିତରେ ସୀମୀତ ରହେ ତେବେ କଂଗ୍ରେସ ଏହି ସରକାରକୁ ଶକ୍ତି ଯୋଗାଇ ମଜଭୁତ କରିବାର ସମ୍ଭାବନା ରହିଛି। ସେ ସ୍ଥଳେ ନବୀନବାବୁ ମୁଖ୍ୟମନ୍ତ୍ରୀ ହେଲେ ବି କଂଗ୍ରେସ ମୂଳୋଦ୍ଭବ ଜଣେ ନେତା ଉପମୁଖ୍ୟମନ୍ତ୍ରୀ ପଦରେ ବସି ପାରନ୍ତି। କଂଗ୍ରେସର ଏକତୃତୀୟାଂଶ ବିଧାୟକ ଦଳତ୍ୟାଗ କରି ବିଜେଡିରେ ବିଲୀନ ହେବାର ସମ୍ଭାବନା ମଧ୍ୟ ରହିଛି। ବିଜେଡିର ଆବଶ୍ୟକତା ପଡ଼ିଲେ ବାମପନ୍ଥୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ସମର୍ଥନ ଯୋଗାଇଦେବେ। ଏଭଳି ପରିସ୍ଥିତିରେ ନବୀନ ସରକାର ଅସ୍ଥିର ରହିବାକୁ ବାଧ୍ୟ। କଂଗ୍ରେସ ମୂଳୋଦ୍ଭବ ନେତାମାନେ ବିଜେଡି ଭିତରେ ସ୍ବତନ୍ତ୍ର ଗୋଷ୍ଠୀ ବାନ୍ଧିବା ବିଚିତ୍ର ନୁହେଁ। ସେମାନଙ୍କ ବିରୋଧରେ ବିଜେଡି ମୂଳୋଦ୍ଭବ ନେତାମାନେ ଗୋଟି ଚାଳନା କରିବା ମଧ୍ୟ ଅସ୍ବାଭାବିକ ନୁହେଁ। ବିଶେଷକରି ସୁପ୍ରିମୋଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଲେ ବା ଅଧିକ ଖରାପ ହେଲେ ଦଳ ଭିତରେ ଏଭଳି ଅସ୍ଥିରତା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନିର୍ବାଚନ ପ୍ରଚାର ସମୟରେ ନବୀନବାବୁ କହିଛନ୍ତି ଯେ ସେ ତାଙ୍କ ଭଉଣୀ ଗୀତା ମେହେଟ୍ଟା ତାଙ୍କର ଉତ୍ତରାଧିକାରୀ ହେବେ ନାହିଁ। ରାଜନୀତିରେ ତାଙ୍କର ରୁଚି ନାହିଁ। ସେ ତାଙ୍କର ଉତ୍ତରାଧିକାରୀ ବାଛିବେ ନାହିଁ। ଓଡ଼ିଶାବାସୀ ତାଙ୍କର ଉତ୍ତରାଧିକାରୀ ବାଛିବେ। ଯଦି ତାହା ହୁଏ ତେବେ ବିଜେଡିର ବା ସରକାରର ନେତୃତ୍ବ ନେବା ପାଇଁ ଦଳ ଭିତରେ ଯେଉଁ ପ୍ରତିଦ୍ବନ୍ଦ୍ବିତା ହେବ ତାହା ଦଳ ଭିତରେ ଗୋଳିଆ ପାଣି ସୃଷ୍ଟି କରିବ। ଦଳ ଓ ସରକାରରେ ଆଭ୍ୟନ୍ତରୀଣ ଅସ୍ଥିରତା ସୃଷ୍ଟି ହେଲେ ତାହା ନୂତନ ଶକ୍ତି ଭାରତୀୟ ଜନତା ପାର୍ଟି ପାଇଁ ସୁଯୋଗ ସୃଷ୍ଟି କରିବ। ଅବଶ୍ୟ, ଏଯାଏଁ ବିଜୁ ଜନତା ଦଳ ଓ ସରକାରର ପରିଚାଳନାରେ ପ୍ରମୁଖ ଅଂଶ ଗ୍ରହଣ କରି ଆସିଥିବା ଶାସନ କଳର ମୁଖ୍ୟ କାର୍ପଟଦାରମାନେ ଏହି ରାଜନୀତିକ ଅସ୍ଥିରତାକୁ କିଭଳି ମୁକାବିଲା କରୁଛନ୍ତି ତା’ ଉପରେ ଅନେକ କଥା ନିର୍ଭର କରେ। ତୃତୀୟ ସମ୍ଭାବନା ବିଜେଡି ଆସନ ସଂଖ୍ୟା ୬୦ ତଳକୁ ଖସିବ ଓ ବିଜେପି ସଂଖ୍ୟା ୭୦ ଟପିବ। ଏ କ୍ଷେତ୍ରରେ ସ୍ବାଧୀନ ଓ ଛୋଟ ଦଳଙ୍କ ସମର୍ଥନ ହାସଲ କରିବା ବିଜେପି ପାଇଁ ଅଦୌ କଷ୍ଟକର ହେବ ନାହିଁ। ଏପରିକି ଅଫିସରରାଜରେ ଅତିଷ୍ଠ ଥିବା ବିଜେଡି ବିଧାୟକମାନେ ବିଜେପି ଡେଇଁବା କଥା ମଧ୍ୟ ବିଚାର କରିପାରନ୍ତି। କଥା ଛିଡ଼ିଲେ ବିଜେଡିର ଏକତୃତୀୟାଂଶ ବିଧାୟକଙ୍କୁ ନେଇ ବିଜେପି ଏକ ଦୃଢ଼ ସରକାର ଗଠନ କରିପାରେ। ବିଜେପି ଯଦି ଏକାକୀ ସରକାର ଗଠନ କରିବାକୁ ସମର୍ଥ ହୁଏ ତେବେ ମଧ୍ୟ ପାଣି ବିନା ମାଛ ପରି କ୍ଷମତା ବିନା ଛଟପଟ ହେଉଥିବା ବିଜେଡିର ବହୁ ବିଧାୟକ ବିଜେପିରେ ସାମିଲ ହେବା ଅସମ୍ଭବ ନୁହେଁ। ଯଦି ବି ସେମାନେ ସିଧାସଳଖ ବିଜେପିରେ ସାମିଲ ହେବାକୁ ପସନ୍ଦ ନକରନ୍ତି ଏବଂ ଏକତୃତୀୟାଂଶ ବିଧାୟକ ଏକାଠି ହୁଅନ୍ତି ତେବେ ସେମାନେ ଅନ୍ୟ ଏକ ଆଞ୍ଚଳିକ ଦଳ ଗଢ଼ି ବିଜେପି ସହ ମେଣ୍ଟ କରିବାର ସମ୍ଭାବନା ରହିଛି। ସେଭଳି ସ୍ଥିତି ଉତ୍ପନ୍ନ ହେଲେ ବିଜେଡି ସଂସଦୀୟ ଦଳରେ ମଧ୍ୟ ବିଭାଜନ ଘଟିପାରେ ଏବଂ ବିଭାଜିତ ଗୋଷ୍ଠୀର ଜଣେ ଦି’ ଜଣ ସାଂସଦ କେନ୍ଦ୍ରରେ ମନ୍ତ୍ରୀପଦ ଲାଭ କରିପାରନ୍ତି। ଚତୁର୍ଥ ସମ୍ଭାବନା କେନ୍ଦ୍ରରେ ଏନଡିଏ ଓ ରାଜ୍ୟରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ ନକଲେ ବିଜେଡି ଓ ବିଜେପି ପରସ୍ପରର ସହାୟତା ଲୋଡ଼ିପାରନ୍ତି। ଉଭୟ ଦଳ ପରସ୍ପରକୁ କୌଶଳପୂର୍ଣ୍ଣ ସମର୍ଥନ ଯୋଗାଇଦେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ। ଆଉ ଯଦି ‘ଓଡ଼ିଶାର ବୃହତ୍ତର ସ୍ବାର୍ଥ’ କଥା ଉଠେଇ ନବୀନବାବୁ ପୁଣି ଥରେ ଏନଡିଏର ଅଂଶୀଦାର ହୋଇଯାନ୍ତି ତେବେ ଅବଶ୍ୟ ବିଜେପିରେ ଥିବା ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀମାନଙ୍କ ପାଇଁ ଅସ୍ବସ୍ତିକର ବାତାବରଣ ସୃଷ୍ଟି ହେବ। ଶେଷ କଥା ଏସବୁ ଯଦି, କିନ୍ତୁ ଓ ତଥାପିର ଅଙ୍କ ମେ ୨୩ ତାରିଖ ବିଳମ୍ବିତ ସନ୍ଧ୍ୟା ବେଳକୁ ଭୁଲ ହୋଇଯାଇଥାଇ ପାରେ। ବିଜେଡି ଚମତ୍କାର କରିଥାଇପାର ବା ବିଜେପି। କଂଗ୍ରେସର ଚମତ୍କାରିତା ସମ୍ଭାବନା ଅବଶ୍ୟ ଟିକେ କ୍ଷୀଣ ଓ ଅସ୍ପଷ୍ଟ।

Share :