‘ଫଣୀ’ର ଫୁତ୍‌କାର ପରେ ରାଜନୀତିର ରେରେକାର!

‘ଫଣୀ’ର ଫୁତ୍‌କାର ପରେ ରାଜନୀତିର ରେରେକାର!

Share :

ମାୟାଧର ନାୟକ ପ୍ରଳୟଙ୍କର ‘ଫଣୀ’ ଯେତେବେଳେ ତାର ଭୟଙ୍କର ପିଶାଚ ଆଖି ଓ ଲହଲହ ଜିହ୍ୱାରେ ବାରୋଟି ଜିଲ୍ଲାକୁ ଚାଟିନେଇ ଧ୍ୱସ୍ତବିଧ୍ୱସ୍ତ କରିଦେଲା ସେତେବେଳେ ସବୁକିଛି ଛାରଖାର ହୋଇଗଲା। ବିଜୁଳି କଟିଗଲା, ଟେଲିଫୋନ୍, ଇଂଟରନେଟ୍, ମୋବାଇଲ୍ ସେବା ବନ୍ଦ ହୋଇଗଲା। ଅଧା ଓଡ଼ିଶା ଅନ୍ଧାର। ଘନଘୋର ବର୍ଷା, ବିଜୁଳି ଘଡଘଡିରେ ଅବସ୍ଥା ଅସମ୍ଭାଳ। ରସ୍ତାଘାଟରେ ଗଛ ପଡ଼ି ଯାତାୟତ ଠପ୍। ଗାଁ ସହର ବୁଡ଼ିଲା। ବାହାର ଦୁନିଆରୁ ପୁରୀ ସହର ବିଚ୍ଛିନ୍ନ ହୋଇଗଲା। ରାଜପଥ ଜଳାର୍ଣ୍ଣକ। ଛିନ୍ନଛତ୍ର ଗାଁ ଗଣ୍ଡା, ସହର ବଜାର ଚାରିଆଡ଼େ। ସବୁଠି ହାହାକାର। ଭୁଷୁଡି ଯାଇଛି ସ୍ୱପ୍ନର ବାଲିଘର। ସବୁଠି ସ୍ୱପ୍ନ ହୃଦୟ ଭଗ୍ନ। ବାହୁନୁଚି ଓଡ଼ିଶା ଭୂଇଁ। ଭୋକର ଭୂଗୋଳ ଦୁଃଖିନୀ ଓଡ଼ିଶା ଫଣୀର ରାହୁଗ୍ରାସରେ ମୁମୂର୍ଷ, ଖାଁ ଖାଁ ଗାଁ, ସବୁ ସମସାନ, ସବୁ ଶୂନଶାନ, ଚାରିଆଡେ କୁଢକୁଢ ଗଛର କଙ୍କାଳ, ଜଡ଼ର ଜଠର ଝୁପୁଡ଼ି- ସବୁ ଆଜି ପଡିଛି ଉପୁଡି। ବିଷର୍ଣ୍ଣ ବର୍ତ୍ତମାନ, ବିପନ୍ନ ଭବିଷ୍ୟତ, ଅର୍ଥନୀତି ବିପର୍ଯ୍ୟସ୍ତ। ସବୁତ ଲାଗୁଛି ଅସାର, ତଥାପି ସରିନି ସଂସାର! ପଲ୍ଲବହୀନ ଆଜି ଏ ପଲ୍ଲୀ- ଝାଉଁଳି ଯାଇଛି ଜୀବନ ମଲ୍ଲୀ ! ସବୁ ଧ୍ୱସ୍ତ-ସବୁ ଅସ୍ତ! ୧୯୯୯ ରୁ ୨୦୧୯ କେତେ ତଫାତ୍ ? ୨୦ ବର୍ଷ। ସେବେଠାରୁ ଏବେ ଯାଏଁ ନବୀନ ବାବୁ ମୁଖ୍ୟମନ୍ତ୍ରୀ। କେବେବି ମନରୁ ଦି’ପଦ କଥା କହିନାହନ୍ତି। ଓଡ଼ିଆ କହିନାହାଁନ୍ତି, ଓଡ଼ିଆ ଶଦ୍ଦ ଶିଖି ନାହାନ୍ତି କି ସଠିକ୍ ବାକ୍ୟଟିଏ ଏଯାବତ୍ କହିପାରନ୍ତିନାହିଁ। ଇଂରାଜୀ ରୋମାନ ଅକ୍ଷରରେ ଯାହା ଅଫିସରମାନେ ଲେଖିଦିଅନ୍ତି ତାକୁ ନବୀନ ବାବୁ ହାସ୍ୟାସ୍ପଦ ଭଙ୍ଗିମା ସହ ଭୁଲଭାଲ୍ ପଢ଼ନ୍ତି। ପୃଥିବୀରେ ଏମିତି କୌଣସି ଶାସକ ନାହାନ୍ତି, ଯିଏ ନିଜ ମାତୃଭାଷା ଜାଣନ୍ତି ନାହିଁ। ନବୀନ ବାବୁ ଏକମାତ୍ର ଆଶ୍ଚର୍ଯ୍ୟ। ତାଙ୍କ ଅଶୁଦ୍ଧ ଖଣ୍ଡି ଓଡ଼ିଆ ଦି’ପଦ ଶୁଣି ଥୋକେ ଓଡିଆଏ ମୁଗ୍ଧ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଡୋରି ଧରିଛନ୍ତି କେବଳ କେଇଟି ଆଇଏଏସ୍, ଆଇପିଏସ୍ ଗୋଷ୍ଠୀକୁ ଭରସା କରି। ଚଳେଇ ଆସିଛନ୍ତି ଦରବାରୀ ରାଜନୀତିର ଦରିଆରେ ଦଦରା ନାଆ। କୌଣସି ଦଳୀୟ ନେତା କିମ୍ୱା ବିରୋଧୀ ଦଳକୁ ଆଦୌ ବିଶ୍ୱାସ କିମ୍ୱା ଖାତିର କରୁନଥିଲେ ବି ଅଫିସରଙ୍କ ବୁଦ୍ଧିରେ ଲୋକଙ୍କୁ ରାଜକୋଷରୁ ମାହାଳିଆ ଖୋଇ ଖୋଇ ମାଗିଖିଆ ବନେଇ ଦେଇଛନ୍ତି। ଦଳୀୟ କର୍ମୀ ନେତା, ଅଫିସର, ବ୍ୟବସାୟୀ, ଠିକାଦାର ରାଜକୋଷକୁ ଚଳୁକରିବାରେ ଲାଗିଛନ୍ତି। ବିପଦବେଳେ ସବୁ ଧରାପଡ଼ିଯାଏ। ‘ଫଣୀ’ର ପ୍ରଚଣ୍ଡ ପ୍ରହାରରେ ଆମ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୂକ ପାଲଟିଗଲେ ଏବଂ ତାଙ୍କୁ ୧୯ ବର୍ଷ ହେଲା ଚଳେଇ ଆସୁଥିବା ଅଧିକାରୀମାନଙ୍କ ମୁଣ୍ଡକୁ ମଧ୍ୟ ବୁଦ୍ଧି ଜୁଟିଲାନି। ଏଣେ ବାରଟି ଜିଲ୍ଲାର କଲେକ୍ଟର୍, ଏସ୍‌ପି ପ୍ରଳୟଙ୍କର ମହାବାତ୍ୟାରେ ଘରୁ ବାହାରି ପାରିଲେ ନାହିଁ। ସବୁ ଚୁପ୍ଚାପ୍। ଟେଲିଫୋନ୍, ଇଣ୍ଟରନେଟ୍ ସେବା ବ୍ୟାହତ, ସ୍ୱତନ୍ତ୍ର ରିଲିଫ୍ କମିଶନର୍, ଅଧିକାରୀମାନଙ୍କ ମଧ୍ୟରେ ଅସମ୍ଭବ ନିରବତା। ତଥ୍ୟ ନାହିଁ-କଣ କହିବୁ ବୋଲି ହାତ ଟେକି ଦେଇଥିଲେ। ମଇ ୦୧ ଓ ୦୨ ତାରିଖରେ ଏମିତି ପ୍ରଚାର କଲେ ଯେ ସତେ ଯେମିତି ଓଡ଼ିଶା ସରକାର ଦେଶପ୍ରେମୀ, ଜନପ୍ରେମୀ, ବିପଦର ସାଥୀ, ଲୋକଙ୍କ ପାଇଁ କଣ୍ଠ ଫଟାଇ କାନ୍ଦୁଛନ୍ତି। ବଛାବଛା ଆଇଏସ୍‌ଏ, ଆଇପିଏସ୍. ଅଫିସରଙ୍କୁ ୧୨ଟି ଜିଲ୍ଲା ଦାୟିତ୍ୱ ଦେଲେ। ପାଖାପାଖି ୭୦ ବରିଷ୍ଠ ଅଫିସର ନିଯୁକ୍ତି ପାଇଲେ। ତିନିଜଣ ସିନିୟର୍ ଅଫିସରଙ୍କୁ ଦାୟିତ୍ୱ ଦିଆଗଲା ଯେ, ସେମାନେ ପ୍ରତି ମୁହୂର୍ତ୍ତରେ ଟିକି ନିକି ଖବର ଲୋକଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇବେ। ଆଚ୍ଛା! ଯଦି ଟେଲିଫୋନ ଇଣ୍ଟରନେଟ୍ ସେବା ବନ୍ଦ ହୋଇଗଲା ବୋଲି ଖବରଖୁବୁରା ପାଇଲେ ନାହିଁ ତା’ ହେଲେ ସାଟେଲାଇଟ୍ ଫୋନ୍ କେଉଁ କାମରେ ଲାଗିଲା? କେନ୍ଦ୍ର ସରକାର ୩୪୦ କୋଟି ଟଙ୍କା ଆଗତୁରା ସାହାଯ୍ୟ ଦେଇଦେଲେ। ଏଣେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠି ଥୁଆ ହୋଇଛି। ସେ ଟଙ୍କା ଉପରେ ଆଖି ଲାଖି ରହିଲା କି! ଠିକ୍ ଭୟଙ୍କର ବିପଦ ବେଳେ ଏମାନେ ମୂକ ପାଲଟି ଗଲେ! ଏଣେ ପାଣିପାଗ ଅଫିସ, ଆକାଶବାଣୀ କଟକ କେନ୍ଦ୍ର, ଅଧିକାଂଶ ଟିଭି ଟାୱାର ଭୁଷୁଡ଼ି ପଡ଼ିଲା। ଖବର ପ୍ରସାରଣ ବାଧାପ୍ରାପ୍ତ। ଏବେବି ଯୋଗାଯୋଗ ବିଚ୍ଛିନ୍ନ। ଭୁବନେଶ୍ୱର, ପୁରୀ, କଟକ ଅବସ୍ଥା ଅବର୍ଣ୍ଣନୀୟ। ଭୁବନେଶ୍ୱରିଆ ପାଣି, ବିଜୁଳି ପାଇଁ ଡହଳବିକଳ। ଓଡ଼ିଶାର ମୁଣ୍ଡ ରାଜଧାନୀଆବାସୀଙ୍କୁ ପ୍ରଚଣ୍ଡ ପାହାର। ସବୁହେବ ଗୋଳମାଳ। ମଇ ୪ ତାରିଖ ଶନିବାରରେ ସକାଳୁ ସକାଳୁ ‘ଫଣୀ’ ତାର ତାଣ୍ଡବ ନୃତ୍ୟ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର ପ୍ରମୁଖ ଜିଲ୍ଲାରେ ଖେଳାଲୀଳା ସାରି ବଙ୍ଗଳାଦେଶରେ ତାଣ୍ଡବଲୀଳା ରଚନା କରି ଧନଜୀବନ ହାନି କରିବାରେ ଲାଗିଛି। ପ୍ରକୃତିର କରାଳ ରୂପ ଆଗରେ ବିଜ୍ଞାନର କରାମତି ଅଚଳ। ଆମେ ମଣିଷ ଛାର ମାତ୍ର! ଆମର ଗର୍ବ ଅଂହକାର -ଆମେ ପ୍ରକୃତିକୁ ଧ୍ୱଂସ କରିବା, କିଏ ଆମର କଣ କରିବ? ପ୍ରକୃତି ଟିକିଏ କଡ଼ଲେଉଟାଇଲେ ଆଖି ପିଛୁଳାକେ ଭୂମିକଂପ, ସୁନାମି, ବନ୍ୟା, ଅଗ୍ନି ଉଦ୍‌ଗୀରଣ ହୋଇ ଜଗତକୁ କ୍ଷଣିକେ ହତଚକିତ କରିଦେବ। ସେ ବେଳ କଣ ସତରେ ଆସିଗଲାଣି! ‘ଫଣୀ’ର ଫୁତ୍‌କାର ପରେପରେ ସରକାରଙ୍କ ଅସଲ ଚେହେରା ପୂର୍ବରୁ ଭୟାବହ ପ୍ରଚାର। ମୁଖ୍ୟମନ୍ତ୍ରୀ କହିଲେ ଭୟ କରନ୍ତୁ ନାହିଁ। ପରେ କିନ୍ତୁ ଦେଖାଗଲା, ଚାରିଆଡ଼େ ଭୟର ବାତାବରଣ। ବାତ୍ୟା ଆଶ୍ରୟ ସ୍ଥଳରେ ବାପ ମାଆ କେହି ନାହାନ୍ତି। ବିଜୁଳି ପାଣି ନାହିଁ। ସଫାସୁତରା ନାହିଁ। ବିପନ୍ନଙ୍କୁ ଚୂଡା ବିସ୍କୁଟ୍ ବି ଠିକ୍ ସମୟରେ ଦିଆହେଲାନି। ଲୋକେ ଭୋକବେଳେ ଚୂଡା ମୁଠେ ପାଇଲେ ନାହିଁ। ବ୍ରହ୍ମପୁର ଭଳି କେତେକ ସ୍ଥାନରେ ଆଶ୍ରୟସ୍ଥଳରେ ବାସୀଚୂଡା ଉପମା, ଦରସିଝା ଭାତ ଡାଲମା, ଖାଦ୍ୟ ପୁଡିଆରେ ଅଖାଦ୍ୟ ଅଧାସିଝା ଚାଉଳ, ପଲଉ ଦିଆଯିବାରୁ ଲୋକେ ଖାଇଲେନି ଖୋପାଡ଼ିଲେ। ଯେଉଁମାନେ ଚୂଡା, ବିସ୍କୁଟ୍, ରନ୍ଧା ଖାଦ୍ୟା ଯୋଗାଣରେ ଥିଲେ ଘୋର ବିପଦ ବେଳେ ଅତ୍ୟଧିକ ଲାଭ ଲୋଭ ମୋହରେ ପଡ଼ି ଲୋକଙ୍କ ମୁହଁରେ ଆହାର ନଦେଇ ପାହାର ଦେଲେ। ବର୍ତ୍ତମାନ ଓଡ଼ିଶା ଶାସନରେ ଦିଅଁ ଖାଇସାରି ଖଟୁଳି ଖାଇବାର ଅଭିସନ୍ଧି ଆରମ୍ଭ ହୋଇଯାଇଛି। ଏବେ ମହାବାତ୍ୟା ଟଳିଲା ସିନା, ପୁଣି ମାଡ଼ି ଆସୁଛି ରାଜନୀତିର ଘୂର୍ଣ୍ଣିବାତ୍ୟା। ଏ ବାତ୍ୟା ‘ଫଣୀ’ଠୁ ବି ଭୟଙ୍କର। ‘ଫଣୀ’ ପ୍ରଳୟ ବେଳେ ନବୀନ ବାବୁ ପ୍ରଶାସନ ସିନା ଘରୁ ବାହାରିପାରିଲେ ନାହିଁ, ଏବେ କ୍ଷୟକ୍ଷତି ହିସାବ ଚାଲିବ। ଭୋଟ ଗଣା ହେବା ସାଙ୍ଗକୁ ନୋଟ୍ ଗଣା ହେବ। କେନ୍ଦ୍ରରୁ ଆଉ କେତେ ଶହ କୋଟି ଟଙ୍କା ଆଣି ଓଡିଶା ପାଣ୍ଠି ଟଙ୍କା ମିଶାଇ ‘ମାଙ୍କଡ’ ମାନେ ବିଲେଇକୁ ପିଠା ବାଟଂିବା ଭଳି ଚଳୁ କରିଦେବେ। ନିର୍ବାଚନ କମିଶନ ମଧ୍ୟ ମଇ ୨୩ ତାରିଖ ପର୍ଯ୍ୟନ୍ତ ଥିବା ଆଚରଣ ବିଧିକୁ ୧୧ ଟି ଜିଲ୍ଲାରୁ ପ୍ରତ୍ୟାହାର କରିନେଲେଣି। ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ପାଖରେ ପାଟକୁରା ନିର୍ବାଚନକୁ ଘୁଂଚେଇବାକୁ ଗୁହାରି କରି ସଫଳ ହୋଇଛନ୍ତି। ଏବେ ନେତା ଅଫିସରଙ୍କ ପୁଷମାସ : ଫଣୀ ବିପର୍ଯ୍ୟସ୍ତଙ୍କ ସର୍ବନାଶ। ନବୀନ ପଟ୍ଟନାୟଙ୍କକୁ ମୁଁ ନିର୍ଦ୍ଦେଶ କି ପରାମର୍ଶ ଦେଉନାହିଁ। କାରଣ ସେ କାହାର ପରାମର୍ଶ ନିଅନ୍ତି ନାହିଁ, କେବଳ ଦଳେ କୂଚକ୍ରୀ ଗୋଷ୍ଠୀଙ୍କ ଛଡ଼ା। ଜଣେ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ମୋର କିନ୍ତୁ ପ୍ରଶ୍ନ ପଚାରିବାର ଅଧିକାର ଅଛି। ନବୀନ ପଟ୍ଟନାୟକ ଓଡ଼ିଶାର ପରିଚୟ ନୁହଁନ୍ତି, ନବୀନ ପଟ୍ଟନାୟକ ମଧ୍ୟ ବିଜୁ ପଟ୍ଟନାୟକ ନୁହଁନ୍ତି, ବିଜୁବାବୁଙ୍କ କୌଣସି ଗୁଣ ନବୀନବାବୁଙ୍କ ପାଖରେ ନାହିଁ। ଯେହେତୁ ଓଡ଼ିଶା ଲୋକେ ବିଜୁବାବୁଙ୍କୁ ଭଲପାଉଥିଲେ ସେ ଭଲପାଇବାର ସୁଯୋଗନେଇ ବିଜୁବାବୁଙ୍କ ନାଁରେ ଦଳ ଗଠନକରି ସବୁଠି ବିଜୁ ଯୋଜନା କରି ଲୋକଙ୍କୁ ଭୁତେଇବାରେ ଲାଗିଛନ୍ତି। ନିର୍ବାଚନବେଳେ ତାଙ୍କ ଉଚ୍ଚାରଣ, ଆଚରଣରୁ ସବୁ ବାରିହୋଇ ପଡୁଥିଲା। ମିଛୁଟାରେ ନବୀନବାବୁ ସାଢେ ୪ କୋଟି ଓଡିଶାବାସୀ ତାଙ୍କ ପରିବାର ବୋଲି କୋଟିକୋଟି ଟଙ୍କା ରାଜକୋଷ ବରବାଦ କରି ପ୍ରଚାର କରାଇଛନ୍ତି। ଯେତେ ଯାହା ଠକାଠକି, ଭୁତାଭୁତି ଥିଲା ସବୁ ଷ୍ଟକ୍ ସରିଆସିଲାଣି। ଯେଉଁ ନବୀନବାବୁ ଦୁର୍ନୀତିର ସାମାନ୍ୟ କାଳିଦାଗ ଲାଗିଲେ ଗଣ୍ଡାଗଣ୍ଡା ମନ୍ତ୍ରୀଙ୍କ ମୁଣ୍ଡଛେଦନ କରିଛନ୍ତି, ସେଇ ନବୀନବାବୁ ୨୦୧୯ ନିର୍ବାଚନରେ ଦୁର୍ନୀତି, ଚୋରି, ଡକାୟତୀ, ଧର୍ଷଣ, ହତ୍ୟାଭଳି ଅଭିଯୋଗରେ ଗୋଟାପଣି କାଳିବୋଳି ହୋଇଥିବା କଂସେଇମାନଙ୍କୁ ଠିଆ କରେଇଦେଇଛନ୍ତି। ଏହାର ଭିତିରି ଉଦ୍ଦେଶ୍ୟ ହେଲା ନବୀନବାବୁ କୋଇଲା ମନ୍ତ୍ରୀ ଥିଲାବେଳେ ଆଦୌ ପଞ୍ଜୀକୃତ ହୋଇନଥିବା ଏକ ସଂସ୍ଥାକୁ କୋଇଲା ଖଣି ଆବଂଟନ କଲେ, ଏହି ଘୋଟେଲାର ତଦନ୍ତ ସିବିଆଇ ଆରମ୍ଭ କରିଦେଲା। ଏବେ ମଧ୍ୟ ନବୀନବାବୁ ସିବିଆଇ ସ୍କାନର୍‌ରେ। ସେ ଯେତେବେଳେ ନିଜେ ଦୁର୍ନୀତିରେ ଲିପ୍ତ ନିଜ ମୁଣ୍ଡକୁ ନିଜେ ଚ୍ଛେଦନ କରିବା କଥା ସେତେବେଳେ ‘ତୁ ତ ମୁତୁରି, ମଁୁ ତ ମୁତୁରି ହେଁସ କାହିଁପାହିଁ ଧୋଇବା’ ନ୍ୟାୟରେ ଦଳେ କୁଚକ୍ରୀ ମହାଦୁର୍ନୀତିଗ୍ରସ୍ତ ନେତା, ଅଫିସର ନବୀନବାବୁଙ୍କୁ କୁମନ୍ତ୍ରଣା ଦେଇ, ବାଧ୍ୟ କରାଇ, ଭୟ ଦେଖାଇ, ଧମକାଇ ସବୁ ଦୁର୍ନୀତିର କାଳିବୋଳା ଲୋକ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଗଲେ। ଆଉ ଓଡ଼ିଶାବାସୀଙ୍କୁ ଠକନ୍ତୁ ନାହିଁ। ବହୁତ ହୋଇଗଲା। ଏବେ ପାପର ପ୍ରାୟଶ୍ଚିତ ବେଳ। ନିବାର୍ଚନ ଫଳ ପ୍ରକାଶ ପାଇବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ଏହି କେତୋଟି ଦିନ ଭିତରେ ‘ଫଣୀ’ ପାଇଁ କେନ୍ଦ୍ର ଓ ରାଜ୍ୟରୁ ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ ହେବାକୁ ଯାଉଛି ସେଥିରୁ ଗୋଟିଏ ଟଙ୍କା ବାଟମାରଣା କି ଲାଂଚ (ପିସି) ନେଲେ ନେତା ଅଫିସରଙ୍କୁ ଲୋକେ ବରଦାସ୍ତ କରିବେ ନାହିଁ। ଓଡ଼ିଆ ଲୋକେ ସରଳ-ନିରୀହ। ମାତ୍ର ସେମାନେ ଥରେ ରାଗିଲେ କାହାରି ନୁହଁନ୍ତି। ସେମାନେ ରାଗିଲେଣି, ମାତିବାକୁ ବେଶି ସମୟ ଲାଗିବ ନାହିଁ। ରାଜକୋଷ ଲୁଟେରା, ଦେଶଦ୍ରୋହୀମାନଙ୍କୁ ରାସ୍ତା ଘାଟ ଅଫିସ୍ ଦପ୍ତରରେ ଗୋଡ଼େଇ ଗୋଡ଼େଇ ବାଡ଼େଇବେ। କେବଳ ମହାବାତ୍ୟା ବିପନ୍ନ ନୁହଁନ୍ତି, ଶ୍ରମିକ, କର୍ମଚାରୀ, ଚାଷୀ ମୂଲିଆ, ଯୁବ, ଛାତ୍ର, ମହିଳା, ଶିକ୍ଷାବିତ୍ ସମସ୍ତେ ଆଜି ପ୍ରତାରିତ, ନିର୍ଯାତିତ, ଶୋଷିତ, ଅପମାନିତ। ସମସ୍ତେ ଯେତେବେଳେ ଏକାଠି ହୋଇ ହାତ ଉଠେଇବେ ଯେତେ ବଡ଼ ନେତା, ମନ୍ତ୍ରୀ, ଅଫିସର, ଶାସକ, ପ୍ରଶାସକ କେହି ଛାଡ଼ ପାଇବେ ନାହିଁ। ଏବେ ବେଳ ଖରାପ, କାଳ କାହାର କବଳିତ ନୁହେଁ, ସମସ୍ତେ କାଳ ଆଗରେ ଉତ୍ତରଦାୟୀ। ଯାଜପୁର ରୋଡ଼, ଯାଜପୁର ମୋ- ୯୮୬୧୦୩୪୧୬୩

Share :