ମଡେଲ୍ କ’ଣ ମାଗିଖିଆ ସରକାର?

ମଡେଲ୍ କ’ଣ ମାଗିଖିଆ ସରକାର?

Share :

ମାୟାଧର ନାୟକ ମୁକ୍ତି ସଂଗ୍ରାମର ମନ୍ତ୍ରଦାତା ମହାତ୍ମା ଗାନ୍ଧୀଙ୍କର ମାତ୍ର ୪ଟି ଶଦ୍ଦର ଗୋଟିଏ ସ୍ଲୋଗାନ୍ ଦିନେ ଦେଶବାସୀଙ୍କୁ ଦୋହଲାଇ ଦେଇଥିଲା- କୁଟିଖାଅ, କାଟିପିନ୍ଧ। ଏବେ ଏ ଦୁର୍ଗତଦେଶ ଆଉ ରବୀନ୍ଦ୍ରନାଥଙ୍କର ଦୁର୍ଭାଗାଦେଶ ନୁହେଁ ବରଂ ସ୍ୱାଧୀନ ଦେଶର କ୍ଷମତା ସିଂହାସନ ଅକ୍ତିଆର କରିଥିବାବେଳେ ନ୍ୟସ୍ତସ୍ୱାର୍ଥ ଅମଣିଷମାନଙ୍କର ଜୁଲମରେ ଅଶାନ୍ତ ଅସ୍ଥିର। ସ୍ୱାଧୀନତା ପ୍ରକୃତରେ କେବଳ ମରିଚୀକା। ଯେଉଁଠୁ ଶୋଷିତ ପାଇଁ ବୁନ୍ଦେ ଜଳ ଘରେ ନାହିଁ କିମ୍ୱା କ୍ଷୁଧାର୍ତ୍ତ ପାଇଁ ମୁଠାଏ ଦାନା ମିଳେନାହିଁ - ଅଥଚ ଦିନେ ଦି’ ଦିନ ପରି ଯଦି ଗୋଟାଏ ପ୍ରାକୃତିକ ବିପର୍ଯ୍ୟୟ ଆମ ମୁଣ୍ଡଉପରେ ଟିଣା ପିଟି ଉଡ଼ିଗଲା, ତା’ହେଲେ ସେଇ ବିପର୍ଯ୍ୟୟକୁ ସୁବର୍ଣ୍ଣ ସୁଯୋଗ ମନେକରି ଆମ ଆଂଚଳିକ ଶାସନ ମୁଖ୍ୟମାନେ କେନ୍ଦ୍ର ଆଡ଼କୁ ଅଙ୍ଗୁଠି ଦେଖାଇ ତଲବ କରନ୍ତି, ହଜାର କୋଟି ଟଙ୍କାର ଅନୁଦାନ, ଆସେ ଦି’ ହଜାର କୋଟିଟଙ୍କାର ସହାୟତା, କିନ୍ତୁ ସେ ସହାୟତା ପରେ ବି ଆଂଚଳିକ ଶାସନ ମୁଖ୍ୟମାନେ କହନ୍ତି, ଆହୁରିଦିଅ ଆହୁରିଦିଅ। ପ୍ରକୃତରେ କେହି କ’ଣ ଅସଲ ହିସାବ ଫରଦ କେବେହେଲେ ଲେଉଟାନ୍ତି? ଆମର ଉପରମୁହାଁ ରାଜନୈତିକ ମାତବରମାନେ ହେଲିକେପ୍ଟରର ଖିଡିକିବାଟେ ତଳବାଲାଙ୍କ ନାହିଁନଥିବା ଦୁଃଖଦୁର୍ଦ୍ଦଶାର ଦୃଶ୍ୟଗୁଡିକୁ ଦେଖିଦେଖି ଫେରିଯାଆନ୍ତି, ଯେମିତି ବଣଭୋଜୀରୁ ବାହୁଡିଯାଆନ୍ତି ଦୂରାଗତ ଭ୍ରମଣକାରୀଦଳ। ସେମାନଙ୍କ ତଥାକଥିତ ଜନଦରଦୀ ବିବୃତ୍ତିଗୁଡିକ ଖବରକାଗଜରେ ରଂଗବୋଳାହୋଇ ଛପାଯାଏ। ଏହି ସୁଯୋଗରେ ସେମାନଙ୍କ ବାହାଦୁରୀଗୁଡାକୁ ବିଜ୍ଞପ୍ତି ରୂପେ ବ୍ୟବହାର କରିବାକୁ ମଧ୍ୟ ଏଠି କୋଟିକୋଟି ଟଙ୍କା ଅତି ଆରାମରେ ଖର୍ଚ୍ଚ କରିଦିଆଯାଏ। ହେଲେ ଏଇ ସମୟରେ ରିଲିଫ୍‌ କେନ୍ଦ୍ରର ଲମ୍ୱାଧାଡିରେ ଛିଡାହୋଇଥିବା ସେ ସବାଶେଷ ଚେହେରାଟିକୁ କେହି କ’ଣ କେବେ ଦେଖିଛନ୍ତି କି? ଲକ୍ଷ୍ୟକଲେ ଠିକ୍ ଜାଣିହେବ ଯେ ସେଇ ସବାଶେଷ ଚେହେରାଟି ହେଉଛି ଆମର ଏ ଭୋକିଲା ଭୂଇଁ ଓଡ଼ିଶା। ୧୮୮୦ରୁ ୨୦୧୯ ଯାଏ ଓଡ଼ିଶା ଅତି କମ୍‌ରେ ୪୦୦ ବାତ୍ୟା ଭୋଗିଛି। ତାହାର ୧୪ ବର୍ଷ ଆଗରୁ ନଅଙ୍କ ଭଳି ଗୋଟାଏ ଦାରୁଣ ଦୁର୍ଭିକ୍ଷ ଓଡିଶାକୁ ନାରଖାର କରିଦେଇଛି। ମାତ୍ର ଏ ମହାଜାତି ତା’ର ମେରୁଦଣ୍ଡ ବଂଚେଇ ହାତପାତି ବାରଦୂଆରେ ଭିକ ମାଗିନାହିଁ। ବନ୍ୟାଜଳରେ ଡୁବିଯାଇଛି ବହୁ ଜୀବନଭେଳା। ଏପରିକି ବଡ଼ବଡ଼ ଅଜଗରୀ ପାଣିର ଭଉଁରୀ ତଳେ ଚିରକାଳ ପାଇଁ ପୋତି ହୋଇଯାଇଛି ହଜାରହଜାର ଗାଁଗଣ୍ଡା। ଅଥଚ ସେଇ ଉଜୁଡ଼ା ଇଲାକାରୁ ବି ଉଇଁଆସିଛି ନୂଆ ସକାଳର ସୂର୍ଯ୍ୟ। ଏହା କେବଳ ସମ୍ଭବ ହୋଇପାରିଛି ଗୋଟାଏ ଲଢୁଆ ମହାଜାତିର ଅଦମନୀୟ ଇଚ୍ଛାଶକ୍ତି ଯୋଗଁୁ। କିନ୍ତୁ ବର୍ତ୍ତମାନର ବାସ୍ତବତା ଗୋଟାଏ ମସ୍ତବଡ଼ ବିଡମ୍ୱନା। ସେ ଇଚ୍ଛାଶକ୍ତି ଉଡ଼ାପତ୍ରପରି ଉଡ଼ିଗଲା କୁଆଡ଼େ। ଅଥଚ ଏବେ କେବଳ ଆମକୁ ଜଳକା କରିବାପାଇଁ ଦିନରାତି କେବଳ ଅର୍ଥଶକ୍ତିର ହିଁ କୀର୍ତ୍ତନ ଚାଲିଛି। ହଜାରହଜାର କୋଟିଟଙ୍କାର ଦାବୀନାମା କାନକୁ ହୁଏତ ସୁନ୍ଦର ଶୁଣାଯାଇଥାଇପାରେ, କିନ୍ତୁ ସାମୂହିକ ମନ ଓ ବିବେକର ପ୍ରଶ୍ନ ଆଗରେ ଏ ଅର୍ଥର କାଣିଚାଏ ମୂଲ୍ୟ ଅଛିକି? ଏଇ କିଛିଦିନ ତଳେ ଆମ ଆଂଚଳିକ ଶାସନମୁଖ୍ୟଙ୍କର ଗୋଟିଏ ନିର୍ଦ୍ଦେଶର ଦିଗ ଆମ୍ଭମାନଙ୍କୁ ଶୁଣାଇଦିଆଗଲା। ସେ ନିର୍ଦ୍ଦେଶ ହେଉଛି, ଲୋକେ ରାସ୍ତାରେ ପଡ଼ିଥିବା ଗଛର ଡାଳକାଟି ଘରକୁ ନେଇଯାଆନ୍ତୁ। ଏ ନିଷ୍ପତ୍ତିରେ ଲୋକେ ଖୁସି। ହେଲେ ଟିକିଏ ଭାବିଲେ କି ଏ ନିଷ୍ପତ୍ତିଟା ଶାସନମୁଖ୍ୟଙ୍କର ପ୍ରକୃତରେ ଜନଦରଦୀବାଣୀ ନା ତାଙ୍କ ନିଜ ଅପାରଗତାର ଇସ୍ତାହାର? ଆସନ୍ତାକାଲି ଯଦି ରିଲିଫ୍‌ କେନ୍ଦ୍ରରେ ଖାଦ୍ୟଗୁଡ଼ା ପହଂଚି ନପାରିଲା କି ଖାଦ୍ୟା ନାଁରେ ଗୁଡ଼ାଏ ଦରସିଜା ଅଖାଦ୍ୟ ଆସି ଥୁଆହେଲା ତା’ହେଲେ ଲୋକମାନଙ୍କୁ ନିଜ ଅପାରଗତାକୁ ଘୋଡ଼ାଇବାକୁ ଯାଇ ଶାସନମୁଖ୍ୟ ନୂତନ ନିଷ୍ପତି ଶୁଣାଇଦେଇପାରନ୍ତି ଯେ ଯଦି ପାରୁଛ ଲୁଟିଖାଅ। ମନେପଡୁଛି ଅଭିଭକ୍ତ ବଂଗ ପ୍ରଦେଶରେ ୧୯୪୨ ମସିହାରେ ମହାଭୟଙ୍କର ଦୁର୍ଭିକ୍ଷ ଆସି ଯେତେବେଳେ ଜନଜୀବନକୁ ତଳିତଳାନ୍ତ କରିଦେଲା ସେତେବେଳେ ଜାତୀୟ କ୍ରାନ୍ତୀର କର୍ଣ୍ଣଧାର ପଣ୍ଡିତ ଜବାହାରଲାଲ ନେହେରୁ ପରାଧୀନ ଦେଶର ବଂଗ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ, ଖାଦ୍ୟ ମିଳୁନି ତ ଯାଅ ଲୁଟ୍‌ପାଟ୍‌ କର, ଯେଉଁଠି ଯାହାପାଉଛ ଅକ୍ତିଆର କର। ପ୍ରସଙ୍ଗକ୍ରମେ ୧୯୭୧ ମସିହାରେ ଯେତେବେଳେ ବାଂଲାଦେଶର ମୁକ୍ତିଯୋଦ୍ଧା ବାହିନୀ ନିଜମାଟିକୁ ଆଜାଦ୍ କରିବା ଅଭିଯାନରେ ମତୁଆଲା ସେତେବେଳେ ସେମାନଙ୍କ ଆଖି ଆଗରେ ପାକିସ୍ଥାନ ସେନାବାହିନୀ ନୁହେଁ ବରଂ ତା’ଠାରୁ ଶତେଗୁଣେ ବଳଶାଳୀ ଆଉ ଗୋଟାଏ ଦୁର୍ଦ୍ଧାନ୍ତ ଦୁଶ୍‌ମନ ଆସି ସେମାନଙ୍କ ଅଗ୍ରଗତିର ପଥରୋଧ କଲା। ଜାଣନ୍ତି ସେ ଦୁଶ୍‌ମନ୍‌ କିଏ? ତାହା ହେଉଛି ମଣିଷର ସେଇ ଚିରକାଳୀନ ଶତ୍ରୁ, କ୍ଷୁଧା। ସେଇ ସମୟରେ ବଂଗଳାଦେଶରେ ଗୋଟିଏ ସ୍ଫୃଲିଙ୍ଗର ପଙ୍‌କ୍ତି ଗଗନପବନକୁ ଥରଥର କରିଦେଇଥିଲା। ତା’ର ପ୍ରତିକ୍ରିୟା ଏ ଓଡ଼ିଶା ମାଟିର ଅଗ୍ରଗଣ୍ୟ କବି ସଚ୍ଚି ରାଉତରଙ୍କ କବିତାରେ ମଧ୍ୟ ପ୍ରତିଧ୍ୱନିତ- ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର ଯେଣୁ ମୁଁ କ୍ଷୁଧାର୍ତ୍ତ। ଏଇ ୨୦ ବର୍ଷ ଆମର ଏ ଓଡିଶା ପାଲଟିଛି ଗୋଟିଏ ବୁଭୁକ୍ଷିତ ଭୂମି। ୧୯୯୯ର ମହାବନ୍ୟାରୁ ଆରମ୍ଭକରି ନିକଟ ଅତୀତରେ ଫାଇଲିନ୍, ହୁଡ୍ହୁଡ୍, ତିତିଲି ଓ କିଛିଦିନ ତଳର ‘ଫଣୀ’ର ଫୁତ୍‌କାର ଏ ଭୂମିକୁ ଗୋଟାଏ ଭୟଙ୍କର ଭୋକର ଭୂଗୋଳରେ ପରିଣତ କରିଦେଇଛି। ଏ ଭୋକର ଆଁ ଆଗରେ ହଜାରହଜାର କୋଟି ଟଙ୍କା ହାବୁକାଏ ହାଇ ଆଗରେ କୁଆଡ଼େ ବୋଲି କୁଆଡ଼େ ଉଡ଼ି ଯାଇଥିବା ମୁଠାଏ କୁଟାକାଠି ମାତ୍ର। ଏ ମହରଗ ମୂଲକର ମାଗିଖିଆ ସରକାର ଯେତେ ଲାଗିପଡ଼ିଲେ ବି ଭୋକିଲା ମଣିଷମାନଙ୍କ ମୁହଁରେ ଚେନାଏ ହସ ଫୁଟାଇପାରିବ ନାହିଁ। କାରଣ ଦି’ଟଙ୍କିଆ ଚାଉଳରୁ ଆରମ୍ଭ ହୋଇଥିବା ରାଜନୈତିକ ନାରା ଆଜି ତାଙ୍କ ନିର୍ବାଚନ ଧାରାକୁ ଧୂର୍ତ୍ତ ପ୍ରଶାସକମାନଙ୍କ କୂଟକୌଶଳ ନିକଟରେ ନତମସ୍ତକ କରାଇବା ପାଇଁ ବାଧ୍ୟ କରିଛି। ଆମେ ଏବେ ନିର୍ବାଚନୀ ମଂଚରେ ଯେଉଁମାନଙ୍କୁ ନାୟକ ଭୂମିକାରେ ଛିଡ଼ାହେବାର ଦେଖିଲୁ ସେମାନଙ୍କ ମଧ୍ୟରୁ କେହିଜଣେ ହେଲେବି ଗାନ୍ଧୀ, ଗୋପବଂଧୁ, ସୁବାଷ, ନେହେରୁ, ଶାସ୍ତ୍ରୀଙ୍କ କାଣି ଆଙ୍ଗୁଠିକୁ ସରିହେବେ ନାହିଁ। ଗୁଡ଼ିଏ ଚଂଚକଚରିତ୍ର ଏବେ ଆମ ଆଖିଆଗରେ କାରପଟ୍‌ଦାର କୁଶୀଲବ। ଯେଉଁମାନଙ୍କ ଭିତରୁ ଶତକଡା ୮୫ ଜଣ କାଠଗଡାର ଶୋଭା ବଢାଇବା କଥା ଆଜି ସେଇମାନଙ୍କ ହାତରେ ଏ ପ୍ରଦେଶର ବିଚାରଭାର ଆଗକୁ ନ୍ୟସ୍ତ ରହିବ। ସେମାନଙ୍କୁ କୁହାଯିବ, ନବୀନ ଓଡ଼ିଶାର ଭାଗ୍ୟବିଧାତା। ଏଇ ପରିପ୍ରେକ୍ଷୀରେ ବିଚାର କରନ୍ତୁ, ରାଜ୍ୟପାଇଁ କେନ୍ଦ୍ରରୁ ଆସୁଥିବା ହଜାର ହଜାର କୋଟିଟଙ୍କାର ସହାୟତା କ’ଣ ସତରେ ଶତପ୍ରତିଶତ ଜନସ୍ୱାର୍ଥରେ ନିୟୋଜିତ ହେବ? ଏ ପ୍ରଶ୍ନ ଏକ ସାମୂହିକ ପ୍ରଶ୍ନ ଯାହାର ଜବାବ ଏ ନକଲି ନବାବମାନେ କସ୍ମିନ୍‌କାଳେ ଦେଇପାରିବେ ନାହିଁ। ମୋର ବିନମ୍ର ଅନୁରୋଧ, ଏ ଓଡିଶା ଭୂଇଁକୁ ଇଚ୍ଛାମୃତ୍ୟୁର କବରଭୂମିରେ ପରିଣତ କରିବାର ପ୍ରହସନ ବନ୍ଦ କରିବାପାଇଁ ପ୍ରତ୍ୟେକ ଘରୁ ନାରୀସମାଜର ସ୍ୱର କୋଟିକୋଟି କଣ୍ଠରେ ଗୁଞ୍ଜରିତ ହେଉ, ଗୋଟାଏ କାପୁରୁଷ ଶାସନଚକ୍ର ଏ ମାଟିର ସୁଦର୍ଶନ ଚକ୍ରକୁ ସାମ୍ନା କରିବାର ଦୁଃସାହସକୁ ଖତମ୍ କରିଦିଆଯାଉ। ସମସ୍ତେ ଅଂଟା ସଳଖି ବାଟଚାଲିଲେ କଂଟା ଆଗରେ ଆମର କଦମ କେବେ ହାର୍ ମାନିବାରନାହିଁ। ଆମେ କାନ୍ଧକୁ କାନ୍ଧ ମିଶାଇ ହାତରେ ହାତଛନ୍ଦି ଆସନ୍ତୁ ଆବିଷ୍କାର କରିବା ଆମର ସେଇ ଅପହୃତ ଇଚ୍ଛାଶକ୍ତିର ଅପରାଜେୟ ଓଡ଼ିଶା। ଯାଜପୁର ରୋଡ଼, ଯାଜପୁର ମୋ- ୯୮୬୧୦୩୪୧୬୩

Share :