ସମୁଦ୍ରରେ ଅଧିକ ସମୟ ଥିଲା ଫଣି

ସମୁଦ୍ରରେ ଅଧିକ ସମୟ ଥିଲା ଫଣି

Share :

ଗତ ମେ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ଫଣି। ତେବେ ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫଣି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି) ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ପ୍ରଳୟଙ୍କରୀ ବାତ୍ୟା ଫଣି ଉଭୟ ସମୁଦ୍ର ଓ ସ୍ଥଳଭାଗରେ ଦୀର୍ଘ ୧୧ ଦିନ ଧରି ତିଷ୍ଠି ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏହି ଭୟଙ୍କର ବାତ୍ୟାର ତୀବ୍ରତା ସମୁଦ୍ରରେ ସମାନ ରହିଥିଲା ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟରେ ଲ୍ୟାଣ୍ଡଫଲ୍ ହେବା ପରେ ମଧ୍ୟ ଏହାର ତୀବ୍ରତା କମି ନଥିଲା। ତେବେ ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇନଥିଲା ବୋଲି ଡ. ସାହୁ କହିଛନ୍ତି। ସାତପଡ଼ାରେ ଏହି ସମୟରେ ସମୁଦ୍ରର ଢେଉର ଉଚ୍ଚତା ୧୦ ଫୁଟ ରହିଥିଲା ଏବଂ ପବନର ଗତି ଘଂଟା ପ୍ରତି ୨୦୦ କିମିରୁ ଅଧିକ ଥିଲା। ଏହି ଘୂର୍ଣ୍ଣିବାତ୍ୟା ଏପ୍ରିଲ ୨୪ ତାରିଖରୁ ଲଘୁଚାପର ରୂପ ନେଇଥିବା ବେଳେ ଲ୍ୟାଣ୍ଡଫଲ୍ ପରେ ଉପକୂଳ ଲଂଘିବା ପାଇଁ ଦୁଇଘଂଟା ସମୟ ନେଇଥିଲା ଏବଂ ତା’ପରେ ଭୁବନେଶ୍ୱର ଓ ତା’ର ନିକଟବର୍ତ୍ତୀ ଅଂଚଳକୁ ମୁହାଁଇଥିଲା। ବାତ୍ୟାର ଆଖିର ପରିସର ମଧ୍ୟରେ ଓଡ଼ିଶାର ରାଜଧାନୀ ରହିଥିଲା। ଏହି ଆଖିର ପରିଧି ୨୮ କିମି ଥିଲା ଏବଂ ଏହା ୨୨ କିମି ବେଗରେ ଗତି କରୁଥିଲା। ଡ. ସାହୁ କହିଛନ୍ତି ବାତ୍ୟା ପ୍ରାୟ ୩୦ ମିନିଟ୍ ପାଇଁ ଥମି ଯାଇଥିଲେ ମଧ୍ୟ ଏହା ପରେ ପବନର ଗତି ଏବଂ ଦିଗ ବଦଳିଯାଇଥିଲା। ବାତ୍ୟାର ଆଖି ଉପକୂଳ ଲଂଘିବା ପରେ ପବନର ବେଗ ବୃଦ୍ଧି ପାଇଥିଲା। ବାତ୍ୟାର ତୀବ୍ରତା ଭୁବନେଶ୍ୱର ପହଂଚିବା ପର୍ଯ୍ୟନ୍ତ ସମାନ ରହିଥିଲା ଏବଂ ଏହା ପରେ ଏହାର ଦିଗ ପରିବର୍ତ୍ତନ ହୋଇ ଉତ୍ତର ପୂର୍ବ ଦିଗଆଡ଼କୁ ମୟୂରଭଞ୍ଜ ମୁହାଁ ହୋଇଥିଲା। ଦ୍ରୁତ ବେଗରେ ପବନ ଏବଂ ଏହାର ଗତି ଯୋଗୁଁ ସ୍ଥଳଭାଗରେ ଫଣି ପ୍ରଳୟ ରଚିଥିଲା। ତେବେ ଏହି ବିପର୍ଯ୍ୟୟ ଆହୁରି ଅଧିକ ହୋଇଥାନ୍ତା ଯଦି ଏହା ଅଧିକ ସମୟ ସ୍ଥଳଭାଗରେ ସ୍ଥିର ହୋଇ ରହିଥାନ୍ତା ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ସାହୁ କହିଛନ୍ତି। ବାତ୍ୟା ଦୁର୍ବଳ ହେବା ପରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ଏବଂ ମେ ୧୭ ତାରିଖ ବେଳକୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ସେଂଟିଗ୍ରେଡ ହୋଇପାରେ। ଏଭଳି ପରିସ୍ଥିତି ଏକ ସପ୍ତାହ ଧରି ଜାରି ରହିବ ବୋଲି ସେ କହିଛନ୍ତି।

Share :