ବାତ୍ୟାଭୋଗ

ବାତ୍ୟାଭୋଗ

Share :

ଦେବେନ୍ଦ୍ର ପୃଷ୍ଟି ଏବେ ତ ସରକାର ନାହିଁ, ଲଢ଼େଇ ସରିଛି, ଆଉ ଏକ ଶାସନର ଅପେକ୍ଷାରେ କୋଳାହଳ ରାଜୁତି କରୁଛି ବାତ୍ୟାଗ୍ରସ୍ତ ଜମ୍ବୁ ଦ୍ବୀପ ଭ୍ରତ ଖଣ୍ଡ ଉତ୍କଳ ପ୍ରଦେଶ। ମୁଖିଆ ଅଛନ୍ତି ମାତ୍ର କଲମ ଓ କଞ୍ଚିକାଠି ଖୋସଣିରେ ଖୋସା ହୋଇ ଝୁଲୁଛି ଯାହାର ସିଏ ପ୍ରେତ ଏକ ବ୍ୟବସ୍ଥାର, ଅବୈଧ ସମ୍ରାଟ। ବୃକ୍ଷର ବିପତ୍ତି କିବା ମଣିଷର ବିଳାସରେ କମା ଦେଇ ବତାସ ଆଣିଛି ବାର୍ତ୍ତା ଆକାଶର ଗହନ ଅନ୍ଧାରୁ ଆଲୁଅର ଉଦବେଳନ କଥା। ବସ୍ତିର ଉଡ଼ାଇ ସୁଖ ସହରର ସମ୍ଭୋଗରେ ବିପର୍ଯ୍ୟୟ ବାନା ଦୁଃଖର ଦହନ ସବୁ ଦୋକାନରେ ଲାଭ ହୋଇ ଢାଙ୍କିଦେଇ ଶାସନରେ ଦୁର୍ନୀତି କମ୍ବଳ, ସମାଜରେ ଝାଡ଼ିଦେଇ ବ୍ୟବଧାନ ଧନର, ମନର ଆଉ ଯନ୍ତ୍ରଣାର ପୋଥି ଭର୍ତ୍ତି କାହାଣୀ କାହାର। କିଏ କାଟିଥିଲା ଗଛ, ଜାଳିଥିଲା କିଏ ସେ କୋଇଲା, ପେଟ୍ରୋଲର ପୃଥିବୀରେ ଗଢ଼ିଥିଲା ବୁରୁଜ ଖଲିଫା, ରକେଟ ଉଡ଼େଇଥିଲା, ଫିଙ୍ଗିଥିଲା ଧ୍ବଂସର ଯେତେସବୁ ବୋମା, ଏ ବାତ୍ୟା ବଢ଼େଇଦେଲା ସେମାନଙ୍କ ସ୍ବପ୍ନର ଫାଇଦା ସବୁ ଅନ୍ୟାୟର ତୀର ବର୍ଷି ଜୀବନର ଜମାଖାତା ବନେ ଉପବନେ। କାହାର କରମ କିଏ ଭୋଗ କରେ, ଯୁଦ୍ଧ କିଏ ଲଢ଼େ କିଏ ଜିତେ? କିଏ ନିଏ ବୀରଗତି ବିଜୟର ଶ୍ରେୟ ନିଏ କିଏ? ପ୍ରକୃତିର ଭାରସାମ୍ୟ ଉଜାଡିଲା କିଏ ଆଉ ପ୍ରଳୟର ପରିଣତି ଭୋଗକଲା କିଏ? ଏ ବାତ୍ୟା ଆଣିଲା କିଛି ସମାନତା- ଭୋଗିଲେ ସମସ୍ତେ, ଧନୀ ଓ ଦରିଦ୍ର, ବୈଶାଖର ଉତ୍ତାପରେ ଫୁଙ୍ଗୁଳା ପ୍ରକୃତି ଓ ଉଲଗ୍ନ ମଣିଷ। ଆଣିଲା ବି ବ୍ୟବସାୟ, ଦୁର୍ନୀତିର ପ୍ରଚୁର ସୁଯୋଗ- ଅସମାନତାର ବ୍ୟାପ୍ତି, ବିଳାସ ଓ ବୈରାଗ୍ୟର ବହୁବିଧ ଚିତ୍ର। ପ୍ରଳୟର ପୂର୍ବାଭାସ ନେଇ ପ୍ରଭାତରେ ଆସିଥିଲା ଫଣି ସୂର୍ଯ୍ୟାସ୍ତରେ ବିଞ୍ଚି ଦେଇ ଅନ୍ଧକାର ଅନ୍ଧାରୀ ମୂଲକେ ଜାଳିଦେଇ ଆଉ କିଛି କ୍ଷୁଧାତୃଷ୍ଣା, କାମନାର ବହ୍ନି ପୁରେ ପୁରେ ମନେ ମନେ ଆଖିର ପଲକେ। ପବନ ଉଡ଼େଇନେଲା କେତେ ସ୍ବପ୍ନ, କେତେ ଆଶା ଭାଙ୍ଗିଦେଲା କେତେ ଘର, କେତେ ମନ, କେତେ ଯେ କଳ୍ପନା। ଶାସନର ସ୍ତରେ ସ୍ତରେ ବୁଣିବୁଣି ନପୁଂସକ ଚଞ୍ଚଳତା ଶକ୍ତିହୀନ, ସଂଯୋଗ ରହିତ କରି ସମାଜର ସମସ୍ତ ଚେତନା। ପ୍ରସ୍ତୁତିର ପର୍ବ ସବୁ ଶୋଇଗଲେ ଡାଳୁଅ ଧାନର କ୍ଷେତେ ଝଡ଼ିଗଲା ଯତ୍ନର ଫସଲ ସବୁ ଆମ୍ର ଉପବନେ ପୋତିହେଲା ସମୁଦ୍ର ବାଲିରେ ମୃତ୍ତିକାର ଗର୍ଭ ଏବଂ ଲକ୍ଷଲକ୍ଷ ତରୁଡାଳୁ ଝାଡ଼ିଦେଇ କୁଢ଼କୁଢ଼ ଜୀବନର ଶବ।

Share :