ଫଣି- ଡାଏରୀର କେଇ ଧାଡ଼ି

ଫଣି- ଡାଏରୀର କେଇ ଧାଡ଼ି

Share :

ଦେବେନ୍ଦ୍ର ପୃଷ୍ଟି ୧. ନିର୍ବାଚନୀ ନିଦ୍ରା ଏପ୍ରିଲ ୨୪ ତାରିଖ, ୨୦୧୯। ଠିକ ପୂର୍ବ ଦିନ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥାଏ। ଭାରତୀୟ ପାଣିପାଗ ବିଭାଗ ଖବର ଦେଲା ଗୋଟେ ବାତ୍ୟା ଆସୁଛି। ତାହା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମଧ୍ୟରେ ଭୂମି ସ୍ପର୍ଶ କରିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ୨୫ ତାରିଖ। ସୂଚନା ମିଳିଲା ବାତ୍ୟା ଉତ୍ତର ଦିଗକୁ ମୁହାଁଇଛି। ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁ ପାରେ। ଏପ୍ରିଲ ୨୬। ଜଣାପଡ଼ିଲା ବାତ୍ୟା ଖୁବ ଜୋରରେ ଓଡ଼ିଶା ଆଡ଼କୁ ମୁହାଉଛି। ଏପ୍ରିଲ ୨୭ ବେଳକୁ ଭାରତୀୟ ପାଣିପାଗ ବିଭାଗ ନିଶ୍ଚିତ ହୋଇଗଲାଣି ଯେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫଣି ଓଡ଼ିଶାରେ ହିଁ ମାଡ଼ ହେବ। ସରକାର କିଛି ବୁଝୁ ନଥାନ୍ତି। ଏପ୍ରିଲ ୨୯ ତାରିଖରେ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେଲା। ତା’ ପରେ ଯାଇଁ ସରକାର ଚେତିଲେ। ଲାଗୁଥିଲା ଯେମିତି ଶାସନ କଳ ଫଣି ମୁକାବିଲା ପରିବର୍ତ୍ତେ ବିରୋଧୀ ଦଳଙ୍କର ମୁକାବିଲାକୁ ଅଧିକ ଗୁରୁତ୍ବ ଦେଉଥିଲେ! ମୁଖ୍ୟ ସଚିବ ସମୀକ୍ଷା କଲେ। ମୁଖ୍ୟମନ୍ତ୍ରୀ ବି ସମୀକ୍ଷା କଲେ। ସମସ୍ତେ କହିଲେ, ଫଣି ମୁକାବିଲା ପାଇଁ ଓଡ଼ିଶା ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ମେ ୨ ତାରିଖ ଭିତରେ ସରକାରଙ୍କ ପ୍ରସ୍ତୁତି କେବଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହରେ ସୀମିତ ରହିଲା। ଶାସନ କଳର ପ୍ରମୁଖ ଲୋକମାନେ ନିର୍ବାଚନୀ କ୍ଳାନ୍ତି ମେଣ୍ଟେଇବାରେ ସମୟ ବିତେଇଦେଲେ। ବାତ୍ୟା ମେ ୩ ତାରିଖରେ ପୁରୀରେ ମାଡ଼ ହେଲା। ମେ ୧୧ ତାରିଖ ଆଡ଼କୁ ସରକାର କହିଲେ ଫଣି ମାଡ଼ରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ହେଲା। ୨. ଫଣି ମୁକାବିଲା ଗତ ଶହେ ବର୍ଷ ଭିତରେ ଓଡ଼ିଶାବାସୀ ପ୍ରତି ବର୍ଷ ହାରାହାରି ୩-୪ଟି ଛୋଟବଡ଼ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ଚୁଡ଼ା, ଗୁଡ଼, ମହବତୀ, ଦିଆସିଲି, ପଲିଥିନ ସଂଗ୍ରହରେ ସୀମିତ। ଉପକୂଳରେ ବିଭିନ୍ନ ରଙ୍ଗର ସତର୍କତା ଜାରି ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଦେଲେ ଓଡ଼ିଶା ସରକାରଙ୍କର ବାତ୍ୟା ମୁକାବିଲା ଶେଷ ହୋଇଯାଏ। ଏଥର ମଧ୍ୟ ସେଇଆ ହେଲା। ଉପକୂଳ ଓଡ଼ିଶାରୁ ସରକାର ୧୨ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ବୋହିନେଲେ ବୋଲି ବାହାବା ନେଲେ। ବାତ୍ୟା ପର ଦିନ ଏ ସଂଖ୍ୟା ୧୪ ଲକ୍ଷ ଟପିଗଲା। ୩. ପ୍ରସ୍ତୁତିର ପର୍ଦ୍ଦାଫାସ ବାତ୍ୟାର ୮ ଦିନ ପରେ ବି ରାଜଧାନୀ ଭୁବନେଶ୍ବରର ଅର୍ଦ୍ଧାଧିକ ଅଂଚଳରେ ବିଜୁଳି ସଂଯୋଗ ପୁନଃସ୍ଥାପନ ହୋଇପାରିଲା ନାହିଁ। ପୁରୀରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ଭୁବନେଶ୍ବର ଓ ପୁରୀ ଲୋକେ ବାତ୍ୟା ପରେ ବି ନିରାପଦ ଆଶ୍ରୟ ସ୍ଥଳ ଖୋଜିବାରେ ଲାଗିଲେ। ରାଜଧାନୀର ଗରୀବ ଲୋକେ ଗାଁକୁ ପଳେଇଲେ, ଧନୀ ଲୋକେ ତାରକା ହୋଟେଲରେ ଆଶ୍ରୟ ନେଲେ! ଭୁବନେଶ୍ବର ଓ କଟକବାସୀଙ୍କ ପାଇଁ ବଜାରରେ ଜେନେରେଟର ଷ୍ଟକ ସରିଗଲା। ବାତ୍ୟାର ତିନି ଦିନ ପରେ ବିଜୁଳି ବିଭାଗ ବିଜ୍ଞାପନ ନୋଟିସ ଦେଲା ଯେ ବିଭାଗର ସମସ୍ତ ପଂଜୀକୃତ ଠିକାଦାର ସେମାନଙ୍କର କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ନେଇ ମେ ୧୦ ତାରିଖ ସୁଦ୍ଧା ବିଭାଗରେ ରିପୋର୍ଟ କରିବେ। ନହେଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଏ ନୋଟିସଟା ମେ ୩ ତାରିଖ ପୂର୍ବରୁ ଦେବାକୁ ବିଜୁଳିବାବୁଙ୍କ ମୁଣ୍ଡରେ ଢୁକି ନଥିଲା। ବୋଧହୁଏ ମନ୍ଦପୁଷ୍ଟି ଯୋଗୁଁ ତାଙ୍କ ମସ୍ତିଷ୍କର ପୂର୍ଣ୍ଣାଙ୍ଗ ବିକାଶ ହୋଇନାହିଁ! ମେ ୧୦ ତାରିଖରେ ଠିକାଦାର ପହଂଚିଲେ ତାଙ୍କୁ କାମ ବତାଯିବ ଦୁଇ ଦିନ ପରେ ଓ କାମ ଆରମ୍ଭ ହେବ ଆଉ ଦୁ ଦିନ ପରେ! ପୁନରୁଦ୍ଧାର କାମ ସରିବ କେବେ? ମେ ୧୦ ତାରିଖରେ ଶକ୍ତି ସଚିବ ହେମନ୍ତ ଶର୍ମା କହିଲେ, ଆମର ଲୋକ ଅଭାବ ଥିଲା। ଆମେ କେରଳ, ତେଲେଙ୍ଗାନା, ଆନ୍ଧ୍ର, ପଶ୍ଚିମ ବଙ୍ଗ ଓ ବିହାରରୁ ଲୋକ ମଗେଇଛୁ। ସେମାନେ ପହଂଚିଲେ କାମ ଶୀଘ୍ର ସରିଯିବ। ଲୋକେ ଯଦି ନଥିଲେ ତାହା କ’ଣ ବାତ୍ୟା ପୂର୍ବରୁ ଜଣା ନଥିଲା? ବର୍ଷକୁ ତିନି ଚାରିଟା ବାତ୍ୟା ମୁକାବିଲା କରୁଥିବା ଓଡ଼ିଶା ସରକାରଙ୍କ ପାଖରେ ଯାନ୍ତ୍ରିକ କରତ ଅଭାବ ପଡ଼ିବ, ଅଳିଆ ଉଠା ଗାଡ଼ି ଓ ଲୁହା ଖୁଣ୍ଟ ସଳଖିବା ଯନ୍ତ୍ର ମିଳିବ ନାହିଁ- ଏକଥା କେଉଁ ଦକ୍ଷତାର ପ୍ରମାଣ? ଏଇଥି ପାଇଁ କ’ଣ ମୁଖ୍ୟମନ୍ତ୍ରୀ କୋଉଠୁ ଗୋଟେ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପାଇଥିଲେ? ୪. ବିଜୁ ଯୁବ ବାହିନୀ ଉଭାନ ନିର୍ବାଚନ ପୂର୍ବରୁ ସରକାରୀ ଖର୍ଚ୍ଚରେ ବିଜୁ ଜନତା ଦଳ ପାଇଁ କାମ କରୁଥିବା ବିଜୁ ଯୁବ ବାହିନୀ ନିର୍ବାଚନ ପରେ ଥକ୍କା ମେଣ୍ଟାଇବାକୁ ସିମଳା, ମୁସୌରି ଆଡ଼େ ପଳେଇଲେ ବୋଧେ, ବାତ୍ୟା ମୁକାବିଲା ବେଳକୁ ସେମାନଙ୍କର ଦେଖା ମିଳିଲା ନାହିଁ। ବିପନ୍ନ ଲୋକେ ଖୋଜିଲେ, ପାଇଲେ ନାହିଁ। ଲୋକେ ବୁଝିଲେ, ନିର୍ବାଚନ ସହିତ ବିଜୁ ଯୁବ ବାହିନୀର କାମ ବୋଧହୁଏ ଶେଷ ହୋଇଗଲା। ୫. ଆମ ସିଏମ, ଆମ ହିରୋ ଫଣିର ଫଣାରେ ଓଡ଼ିଶା ଉପକୂଳ ଉଜୁଡ଼ିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତି ସମୀକ୍ଷା କରିଥିଲେ। କହିଥିଲେ, ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ବାତ୍ୟାର ଦ୍ବିତୀୟ ଦିନ ପାଗ ଖୋଲିବାରୁ ହେଲିକପ୍ଟରରେ ବାତ୍ୟାଞ୍ଚଳ ପର୍ଯ୍ୟଟନରେ ଗଲେ ଓ ଫେରି କହିଲେ, କ୍ଷୟକ୍ଷତି ପ୍ରଚୁର। ତେବେ କି ମୁକାବିଲା କରୁଥିଲା ତାଙ୍କ ସରକାର? କେଉଁ ଗୋଟେ ଘରୋଇ କଲେଜରୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ନବୀନ ପଟ୍ଟନାୟକଙ୍କୁ ଯେଉଁ ଲୋକମାନେ ‘ଆମ ମୁଖ୍ୟମନ୍ତ୍ରୀ ଆମ ହିରୋ’ ସ୍ଲୋଗାନ ଦେଇ ପାଛୋଟି ନେଇଥିଲେ ସେମାନେ ଭାବିଥିଲେ ସେ ଜେମ୍ସ ବଣ୍ଡ, ରବିନ ହୁଡ଼ କିମ୍ବା ସୁନୀଲ ସେଟ୍ଟି କି ଅକ୍ଷୟ କୁମାର ଭଳି ହିରୋଗିରି ଦେଖେଇବେ, ଓଡ଼ିଶାବାସୀଙ୍କୁ ଉଦ୍ଧାର କରିବେ! କିନ୍ତୁ ୟେ କ’ଣ? ମେ ୩ ତାରିଖରୁ ମେ ୧୨ ତାରିଖ ହେଲା ପଛେ, ମୁଖ୍ୟମନ୍ତ୍ରୀ ସ୍ଥଳପଥରେ କୌଣସି ବିପନ୍ନ ଅଂଚଳ ଗଲେ ନାହିଁ, ଲୋକଙ୍କ ଦୁଃଖ ଦେଖିଲେ ନାହିଁ, ଦୂର କରିବା ଦୂରେ ଥାଉ। ୬. ବିଜୁଳି, ଶାସନ ଗଲାଣି ହୁଗୁଳି ୧୯୯୯ ମହାବାତ୍ୟାର ୫ ମାସ ପରେ ଶାସନକୁ ଆସିଥିଲେ ନବୀନ ପଟ୍ଟନାୟକ। ତତ୍କାଳୀନ କଂଗ୍ରେସ ସରକାର ମହାବାତ୍ୟାର ଉପଯୁକ୍ତ ମୁକାବିଲା କରିପାରି ନଥିଲା। ସରକାର ପ୍ରସ୍ତୁତ ନଥିଲେ। ନବୀନ କହିଲେ, ଓଡ଼ିଶାର ନବ ନିର୍ମାଣ କରାଯିବ। ତାଙ୍କ ଲୋକେ କହିଲେ, ଓଡ଼ିଶାର ନୂତନ ସୂର୍ଯ୍ୟୋଦୟ ହେଲା। ତାଙ୍କର ଦୁଇ ଦଶନ୍ଧିର ଶାସନ ମଧ୍ୟରେ ଓଡ଼ିଶାବାସୀ ଆଉ ତିନିଟି ବଡ଼ ଧରଣର ବାତ୍ୟା ଭୋଗ କଲେଣି। ପ୍ରତି ଥର ମୁକାବିଲା ଢିଲା। ପୁନରୁଦ୍ଧାରରେ କୋଟିକୋଟି ଖର୍ଚ୍ଚ। ତା’ସତ୍ତ୍ବେ ଭିତ୍ତିଭୂମି ଦୁର୍ବଳ। ପବନରେ ବଙ୍କି ଯାଉଛି ବିଜୁଳି ଖୁଣ୍ଟ। ବାହାଘର ବେଳେ ବାଇଗରଣ ରୁଆ ପରି ବାତ୍ୟା ପରେ ହିଁ ସରକାର ଗୋଟଉଛନ୍ତି କରତ, କ୍ରେନ, ଡ୍ରୋଜର ଓ ଏକ୍ସଭେଟର ପରି ଯନ୍ତ୍ରପାତି। ପୁଣି ନିଜ ପ୍ରସ୍ତୁତି ଓ ସାମର୍ଥ୍ୟକୁ ପଦାରେ ପକେଇବା ଲୋକ ବି ଆଉ କେହି ନୁହଁ, ସେଇ ଅମଲା। ଦୁର୍ନୀତିମୁଳକ ଅଭିସନ୍ଧି ଯୋଗୁଁ କ୍ଷୟକ୍ଷତି ସଂଖ୍ୟା ବଢ଼େଇ ଚଢ଼େଇ ହିସାବ ହେଉଛି। ଫଣିରେ କୁଆଡ଼େ ରାଜଧାନୀ ଭୁବନେଶ୍ବରରେ ୪୦ ହଜାର ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି! ମାନେ ୱାର୍ଡ଼ ପିଛା ୬୦୦ ବିଜୁଳି ଖୁଣ୍ଟ ଉପୁଡ଼ି ଗଲା! ସେହିପରି ଉପକୂଳ ଓଡ଼ିଶାରେ ୧.୫୬ ଲକ୍ଷ ବିଜୁଳି ଖୁଣ୍ଟ ଭାଙ୍ଗିଗଲା ବୋଲି ହିସାବ ହେଲା। ହିସାବ ହେଲା ୫.୫ ଲକ୍ଷ ଘର ଭାଙ୍ଗିଗଲା ବୋଲି। ଫାଇଲିନ ବାତ୍ୟା ପରଠୁଁ ରାଜଧାନୀ ଭୁବନେଶ୍ବରରେ ମାଟିକଳ କେବୁଲ୍‌ କାମ ଚାଲିଛି। ଏଲ ଆଣ୍ଟ ଟି କମ୍ପାନୀ ଏ କାମର ଠିକା ପାଇଛି। ପାଂଚ ବର୍ଷ ହେଲା ବିଜୁଳି ତାର ସବୁ ଖୁଣ୍ଟ ବଦଳରେ ମାଟିତଳେ ଯାଉଥିଲେ ବି ଆହୁରି ଏତେ ଖୁଣ୍ଟ ରହିଲା କେମିତି? ଓଡ଼ିଶାର ସବୁ କଚ୍ଚା ଘରକୁ ନବୀନ ସରକାର ପକ୍କା ଘର କରିବାର ସ୍ଲୋଗାନ ସତ୍ତ୍ବେ ଏତେ ଘର ପୁଣି ଭାଙ୍ଗିଲା କେମିତି? ନିମ୍ନ ମାନର ଘର ଯୋଗେଇଥିଲେ କି ସରକାର? ୭. ଅନ୍ୟାୟ ରିଲିଫ ଧାରା ବାତ୍ୟାର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଘରଭୋଗା ସହାୟତା ଘୋଷଣା କଲେ। କହିଲେ ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ୯୫,୧୦୦ ଟଙ୍କା ଓ ଆଂଶିକ ଭାଙ୍ଗିଥିଲେ ୫୨୦୦ ଟଙ୍କା ଦିଆଯିବ। ସାମାନ୍ୟ ଘରଭଙ୍ଗା ସାହାଯ୍ୟର ପରିମାଣ ୩ ହଜାର ଟଙ୍କା। ଅଧା ଘର ଭାଙ୍ଗିଥିବା ଲୋକ ହିସାବ କଲା ସେ କେତେ ପାଇବ? ହିସାବ କରି ମୁଣ୍ଡରେ ହାତ ଦେଲା। ଭାବିଲା, ଏହା ନ୍ୟାୟ ନା ଅନ୍ୟାୟ? ସଂପୂର୍ଣ୍ଣ ଭାଙ୍ଗିଥିଲେ ୯୫ ହଜାର, ଅଧା ଭାଙ୍ଗିଥିଲେ ୫ ହଜାର? ବାତ୍ୟାର ଆଠ ଦିନ ପରେ ମୁଖ୍ୟମନ୍ତ୍ରୀ ଚାଷ କ୍ଷତି ପାଇଁ ସହାୟତା ଘୋଷଣା କଲେ। କହିଲେ, ଜଳସେଚିତ ଜମିର ଫସଲ କ୍ଷତି ପାଇଁ ହେକ୍ଟର ପିଛା ୧୩,୫୦୦ ଓ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୫୦୦ ଟଙ୍କାର କ୍ଷତିପୂରଣ ମିଳିବ। ଚଷା ମୁଣ୍ଡ ହିସାବ କଲା, ଫରିଦାବାଦ ଫାର୍ମ ହାଉସ ମାଲିକ ବୋଧେ ବିନା ଜଳରେ ଚାଷ କରନ୍ତି! ସରକାର ଶସ୍ତାରେ ଜଳ ଯୋଗାନ୍ତି। ଘରୋଇ ଉଦ୍ୟମରେ ଜଳ ମଡ଼େଇଲେ ଅଧିକ ଖର୍ଚ୍ଚ ହୁଏ। ଯେଉଁ ଜମିକୁ ସରକାର ସେଚସୁବିଧା ଦେଇନାହାନ୍ତି ସେ ଚାଷୀର ଅଦିକ ଖର୍ଚ୍ଚ। କିନ୍ତୁ କ୍ଷତିପୂରଣ ପାଇବ କମ! ଏହା କି ନ୍ୟାୟ? ସେହିପରି ଦୁଧିଆଳୀ ଗାଈ ମରିଥିଲେ ଗୋଟାକୁ ୩୦ ହଜାର ଟଙ୍କାର ସହାୟତା ମିଳିବ ବୋଲି ଘୋଷଣା ହେଲା। ସରକାରଙ୍କ ପାଇଁ କ’ଣ ସବୁ ଗାଈ ସମାନ? ଦେଶୀ ଗାଈର ଦାମ୍‌ ଯାହା ଜର୍ସି ଓ ହୋଲିଷ୍ଟିନ ଗାଈର ଦାମ୍‌ କ’ଣ ସେଇଆ? ଦିନକୁ ୨ ଲିଟର କ୍ଷୀର ଦେଉଥିବା ଗାଈ ଓ ଦିନକୁ ୨୦ ଲିଟର କ୍ଷୀର ଦେଉଥିବା ଗାଈର ଦର କ’ଣ ସମାନ? ୮. ବଡ଼ଲୋକି, ଛୋଟଲୋକି ଫଣି ପରେ ରାଜଧାନୀର ଧନୀ ଓ ସମ୍ଭ୍ରାନ୍ତ ବର୍ଗର ଅନେକ ଲୋକ ପିଲା ପରିବାରକୁ ତାରକା ହୋଟେଲରେ ରହିଲେ। କାରଣ ଘରେ ବିଜୁଳି ନାହିଁ। ଏସି ଚାଲୁନି। ବିନା ଏସିରେ ମେ ମାସର ତାପଜ୍ବାଳା ଅସହ୍ୟ। କିଛି ବାବୁଭୟା ଜେନେରେଟର କିଣିଲେ। କିଛି ପ୍ରଭାବଶାଳୀ ଆଗ ନିଜ ଘର ବା କ୍ବାର୍ଟରକୁ ବିଜୁଳି ସଂଯୋଗ ପୁନଃସ୍ଥାପନ କରାଇଲେ। ଗାଁ କଥା ଭୁଲିଯାଉଥିବା କିଛି ଲୋକଙ୍କର ହଠାତ ଗାଁ କଥା ମନେ ପଡ଼ିଲା। କାରଣ ସେଠି ଲାଇନ୍‌ ଅଛି, ପବନ ଅଛି, ତାତି ନାହିଁ। ଆଉ କିଛି ଲୋକ ରିଲିଫ ଲୁଟ୍‌ କଲେ। ଦୋକାନ ସଫା କରିଦେଲେ। ବିଳମ୍ବରେ କାହିଁକି ଖୁଣ୍ଟ ଉଠଇବାକୁ ଆସିଛ ବୋଲି ଅନ୍ୟ ପ୍ରଦେଶରୁ ସାହାଯ୍ୟ କରିବାକୁ ଆସିଥିବା ଶ୍ରମିକମାନଙ୍କୁ ମାରପିଟ କଲେ। ଆହାର କେନ୍ଦ୍ର ବନ୍ଦ ହେଲା। ମାଗଣାରେ ସରକାରୀ ରନ୍ଧାଖାଦ୍ୟ ବଣ୍ଟାଯାଉଥିବା ଜାଗାରେ କାର୍‌ ଓ ମୋଟର ସାଇକେଲ ଲାଗିଲା। ତହସିଲଦାର, ରାଜସ୍ବ ନିରୀକ୍ଷକ, ବିଦ୍ୟୁତ ଯନ୍ତ୍ରୀ, ପୌର କର୍ମଚାରୀ ଆଦି ବର୍ଗର ଲୋକଙ୍କ ଘରେ ଖୁସିର ଗୋଟେ ଅଲଗା ଅନୁଭବ ବାରି ହେଇପଡ଼ୁଥିଲା। ଏମାନଙ୍କ ହାତ ଚିକ୍କଣ ହେଉଥିଲେ ବି ଚିକ୍କଣ ହାତରୁ କିଛି ତଳକୁ ଖସି ପଡ଼ୁ ନଥିଲା।

Share :