ଓଡ଼ିଆ ବିରୋଧୀ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ!

ଓଡ଼ିଆ ବିରୋଧୀ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ!

Share :

ସ୍ବତନ୍ତ୍ର ପ୍ରତିନିଧି ରାଜ୍ୟରେ ଖୋଲା ନିରନ୍ତର ଭାବେ ଅଳ୍ପ ଖର୍ଚ୍ଚରେ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୫ ମସିହାରୁ କାର୍ଯ୍ୟ କରୁଛି l ଏଥିରେ ଉଚ୍ଚଶିକ୍ଷା ଲାଭ ଆଶାରେ ବିଭିନ୍ନ ଅଞ୍ଚଳରୁ ମେଧାବୀ ଛାତ୍ରଛାତ୍ରୀମାନେ ଅନେକ ପାଠ୍ୟକ୍ରମ ପାଇଁ ନାଁ ଲେଖାଇଛନ୍ତି। କିନ୍ତୁ ଏହି ବିଶ୍ୱବିଦ୍ୟାଳୟ ନାଁ ଲେଖା ପରଠୁଁ ଚରମ ଅବ୍ୟବସ୍ଥା ଦେଇ ଗତି କରୁଥିବାର ଅଭଯୋଗ ହୋଇଆସୁଛି l ଶିକ୍ଷାକ୍ଷେତ୍ରରେ ପାଠ୍ୟ ପୁସ୍ତକର ଅଭାବ, ଅବ୍ୟବସ୍ଥା, ଦତ୍ତକର୍ମ/ପରୀକ୍ଷା ପରିଚାଳନାରେ ବିଶୃଙ୍ଖଳା, ତ୍ରୁଟି ଆଦି ବହୁ ସମ୍ବେଦନଶୀଳ ଅଭିଯୋଗମାନ ବିଦ୍ୟାର୍ଥୀଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ବାରମ୍ବାର ଉପସ୍ଥାପନା କରାଯାଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ ଅତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଉଦାହରଣ ସ୍ବରୂପ ଦେବାଶିଷ ପାତ୍ର ନାମକ ଛାତ୍ର ଯିଏ କୌଶଳ ଭିତ୍ତିକ ପାଠ୍ୟକ୍ରମ ସଫ୍ଟସ୍କିଲ ଏବଂ ଆଇଟି ନେଇ ପାଠ୍ୟପୁସ୍ତକ ପାଇ ନଥିବାରୁ ବାରମ୍ବାର ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷ ‘ଆଜି ଦେବୁ କାଲି ଦେବୁ, ଆପଣ ଆପଣଙ୍କ ଶିକ୍ଷାକ୍ଷେତ୍ରରେ ଦେଖନ୍ତୁ’ କହି ତାଙ୍କୁ ଭଣ୍ଡେଇଛନ୍ତି। କିନ୍ତୁ ପାଠ୍ୟକ୍ରମ ପୁସ୍ତକ ତାଙ୍କୁ ଦେଇ ନାହାନ୍ତି। ପରବର୍ତ୍ତୀ ସମୟରେ ମଧ୍ୟ ପରୀକ୍ଷା ତାରିଖ ଘୋଷିତ କରି ତାଙ୍କୁ ନକହି କର୍ତ୍ତୃପକ୍ଷ ସେହି ତାରିଖକୁ ଘୁଞ୍ଚେଇ ଦେଇଛନ୍ତି। ଯାହାଦ୍ୱାରା ତାଙ୍କ ପାଠ୍ୟକ୍ରମ ବନ୍ଦ ହେଇ ଯାଇଛି l ସେହିପରି ଭାବରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସ୍ନାତକୋତ୍ତର ପାଠ୍ୟକ୍ରମ ଗ୍ରାମାଞ୍ଚଳ ବିକାଶ ନିଜ ଭାଷା ଅନୁସାରେ ନେଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଙ୍କୁ ତାଙ୍କ ଭାଷାରେ ପାଠ୍ୟପୁସ୍ତକ ଯୋଗାଇପାରିନାହିଁ l ଉକ୍ତ ପାଠ୍ୟକ୍ରମଟି ଉଭୟ ଓଡ଼ିଆ ଏବଂ ଇଂଲିଶରେ ଥିଲା ବେଳେ ଓଡ଼ିଆ ଭାଷାରେ ନେଇଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ମାତ୍ର ୨/୩ଟି ବହି ଦେଇ ପ୍ରଥମ ସେମିଷ୍ଟରର ବାକି ସବୁ ବହି ଇଂଲିଶରେ ଦେଇଛନ୍ତି। ଦ୍ଵିତୀୟ ସେମିଷ୍ଟରର ଅବସ୍ଥା ମଧ୍ୟ ସମାନ। ଇଂଲିଶ ନେଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଇଂଲିଶର ଅନେକ ବହି ଦେଇନାହାନ୍ତି l ଏହି ଅବ୍ୟବସ୍ଥା ବିରୋଧରେ ଛାତ୍ରଛାତ୍ରୀମାନେ ପ୍ରଥମରୁ ଅଭଯୋଗ କରିବାରୁ କର୍ତ୍ତୃପକ୍ଷ କହିଛନ୍ତି ଯେ ବହି ଛପା ହେଇନଥିବାରୁ ଆପଣଙ୍କୁ ଦେଇପାରିନାହୁଁ, ମାସେ ଅପେକ୍ଷା କରନ୍ତୁ ମିଳିଯିବ। କିନ୍ତୁ ମାସେ ଛାଡି ଦୁଇ ମାସ ଅପେକ୍ଷା ପରେ ମଧ୍ୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବହି ଦେଇନାହାନ୍ତି l ଓଡ଼ିଆ ବହି ନେଦଇ ଛାତ୍ରଛାତ୍ରୀଙ୍କୁ ଇଂଲିଶ ବହି ପଢିବାକୁ ବାଧ୍ୟ କରିଛନ୍ତି। କର୍ତ୍ତପକ୍ଷଙ୍କ ଉତ୍ତର ହେଲା, ଆପଣ ଇଂଲିଶ ପଢି ଓଡ଼ିଆରେ ପରୀକ୍ଷା ଦେଇପାରିବେ। ଏପରି ବି ଓଡ଼ିଆରେ ଦତ୍ତକର୍ମ ଗୁଡିକୁ ଲେଖିପାରିବେ l ଏହାକୁ ଅନେକ ଛାତ୍ରଛାତ୍ରୀ ବିରୋଧ କରି ବିଶ୍ଵବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଇ-ମେଲ ଏବଂ ଫୋନ ଯୋଗେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହା ପରିବର୍ତ୍ତେ ସେମାନଙ୍କୁ କୁହାଯାଇଛି, ପରୀକ୍ଷା ଆପଣ ଇଂଲିଶରେ ପଢି ଓଡ଼ିଆରେ ଦିଅନ୍ତୁ, ନହେଲେ ଇଂଲିଶରେ ଲେଖନ୍ତୁ l ଏହି ଅବ୍ୟବସ୍ଥା ସଂପର୍କରେ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ପଞ୍ଜିୟନ କର୍ତ୍ତାଙ୍କୁ ଛାତ୍ରଛାତ୍ରୀ ଇ-ମେଲ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ l ନିକଟରେ ଏହି ଅବ୍ୟବସ୍ଥା ବିରୋଧରେ ଛାତ୍ର ଦେବାଶିଷ ପାତ୍ର ବିଶ୍ୱବିଦ୍ୟାଳୟକୁ ଫୋନ ମାଧ୍ୟମରେ ସ୍ୱର ଉଠେଇବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶିବାନନ୍ଦ ପଣ୍ଡା ଧମକ ଦେଲାଭଳି କହିଛନ୍ତି ଯେ ଆପଣ ଆମ ସହ ନାଁ ଲେଖାଇଲାବେଳେ କୌଣସି ସର୍ତ୍ତ ରଖିନଥିଲେ ଯେ ଓଡ଼ିଆରେ ନେଲେ ଓଡ଼ିଆ ବହି ପାଇବେ। ଇଂଲିଶରେ ବହି ପାଇଛନ୍ତି ମାନେ ତାହା ପଢି ପରୀକ୍ଷା ଦିଅନ୍ତୁ, ନହେଲେ ଆପଣଙ୍କ ଇଚ୍ଛା। ଏଥିରୁ ଯାହା ଜଣା ଯାଉଛି ଯେ ବିଶ୍ୱବିଦ୍ୟାଳୟ ଜାଣିଶୁଣି ନିଜ ଅପାରଗତାର ପରିଚୟ ଦେଇଛି। ଛାତ୍ରଛାତ୍ରୀଙ୍କ ପ୍ରତି ଏହା ବିଶ୍ୱବିଦ୍ୟାଳୟର ବୈମାତୃକ ଭାବ। ବହି ପାଇନଥିବାରୁ ଅନେକ ଛାତ୍ରଛାତ୍ରୀ ଦତ୍ତକର୍ମ ନିଜର ବିଶ୍ବବିଦ୍ୟାଳୟକୁ ଦେଇନାହାନ୍ତି ଓ ନିକଟ ବର୍ଷ ପାଇଁ ନାମଲେଖାରୁ ନିଜକୁ ବଞ୍ଚିତ କରିଛନ୍ତି। ଏହି ଅନ୍ୟାୟ ବିରୋଧରେ ଛାତ୍ରଛାତ୍ରୀମାନେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ମନ କରିଛନ୍ତି l ଅନ୍ୟ ପାଠ୍ୟକ୍ରମ ନେଇଥିବା ଛାତ୍ରଛାତ୍ରୀ ମଧ୍ୟ ଅନେକ ଅସୁବିଧା ଓ ଅବ୍ୟବସ୍ଥା ଭୋଗୁଛନ୍ତି। କିନ୍ତୁ ସେମାନେ ସ୍ୱର ଉତ୍ତୋଳନ କରୁନାହାନ୍ତି, ଏହି ଭୟରେ ଯେ କାଳେ ବିଶ୍ୱବିଦ୍ୟାଳୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ!l ପିଲାଙ୍କୁ ନାଁ ଲେଖାଇ ପାଠ୍ୟପୁସ୍ତକ ନଦେବା, ତାଙ୍କୁ ଭଣ୍ଡେଇବା, ଓଡ଼ିଆ ନେଇଛ ମାନେ ଇଂଲିଶରେ ପଢ଼ିବା ଓ ଲେଖିବାକୁ ବାଧ୍ୟକରି ତାଙ୍କ ଭାବନା ସହ ଖେଳିବା ମାନବିକତାର ଉଲ୍ଲଘଂନ। ଏ ବିଷୟରେ ଓଡ଼ିଆ ବୁଦ୍ଧିଜୀବୀମାନେ ଆଗକୁ ଆସିବା ଉଚିତ l ଏହା କେବଳ ପିଲାଙ୍କ ଭବିଷ୍ୟତର ପ୍ରଶ୍ନ ନୁହେଁ ଓଡ଼ିଆ ଅସ୍ତିତ୍ବ ଏବଂ ଅସ୍ମିତା ବିରୋଧରେ ମଧ୍ୟ ଏହା ଏକ ଷଡ଼ଯନ୍ତ୍ର।

Share :