ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ଫଣୀ

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ଫଣୀ

Share :

ପିଆଇବି ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ଫଣୀ ଗତ ୬ ଘଂଟା ମଧ୍ୟରେ ୨୨ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ୧୧.୩୦ ସୁଦ୍ଧା ୧୧.୬ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୭ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଓଡ଼ିଶାର ପୁରୀଠାରୁ ୮୦୦ କିଲୋମିଟର ଦୂର ଦକ୍ଷିଣ, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରୁ ୬୨୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୬୦ କିଲୋମିଟର ଉତ୍ତର-ଉତ୍ତରପୂର୍ବରେ ପହଂଚିଛି। ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୧ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ପରେ ଏହା ଉତ୍ତର-ଉତ୍ତରପୂର୍ବ ମୋଡ଼ ନେଇ ଓଡ଼ିଶା ଉପକୂଳରେ ଗୋପାଳପୁର ଏବଂ ଚାନ୍ଦବାଲି ଦେଇ ମେ ୩ ଅପରାହ୍ନ ସୁଦ୍ଧା ପୁରୀର ଦକ୍ଷିଣ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଘଂଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ଘଂଟା ପ୍ରତି ସର୍ବାଧିକ ୨୦୫ କିଲୋମିଟର ବେଗରେ ପହଂଚିବାର ସମ୍ଭାବନା ରହିଛି। ଝଡ଼ ପ୍ରଭାବରେ ମେ ୨ରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୨୦ ସେମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି। ମେ ୪ରେ ଉତ୍ତର ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୨ରେ ଓଡ଼ିଶା ଉପକୂଳରେ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରୁ ଆରମ୍ଭ ହୋଇ ୮୫ କିଲୋମିଟରରେ ପହଂଚିବାର ସମ୍ଭାବନା ରହିଛି। ମେ ୩ ସକାଳୁ ପବନର ବେଗ ଘଂଟାପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବ ଏବଂ ଏହା ବୃଦ୍ଧି ପାଇ ୨୦୫ କିଲୋମିଟରରେ ପହଂଚିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ପ୍ରବଳ ଭାବେ ଅଶାନ୍ତ ରହିବ। ଝଡ଼ ସ୍ଥଳ ଭାଗ ଛୁଇଁବା ସମୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧.୫ ମିଟର ଉଚ୍ଚତାରେ ଜୁଆର ଉଠି ତଳିଆ ଭୂମି ଆଡ଼କୁ ମାଡିଆସିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି। ଓଡିଶାକୁ ୩୪୦.୮୭୫ କୋଟିର ସହାୟତା ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନସିଏମସି)ର ନିଷ୍ପତି ଆଧାରରେ ସାମୁଦ୍ରିକ ଝଡ ଫଣୀ ପାଇଁ ପ୍ରଶମନ ଓ ଉଦ୍ଧାର କାର୍ଯ୍ୟ ନିମିତ ୪ଟି ରାଜ୍ୟକୁ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା କୋଷ (ଏସଡିଆରଏଫ)ମାନଙ୍କୁ ଅଗ୍ରୀମ ୧୦୮୬ କୋଟି ଟଙ୍କା ପ୍ରଦାନ କରିବା ନେଇ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଛି। ଏହି ସହାୟତା ଅନ୍ତର୍ଗତ ଓଡିଶାକୁ ୩୪୦.୮୭୫ କୋଟି, ଆନ୍ଧ୍ର ପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ କୋଟି ଏବଂ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ପ୍ରଦାନ କରାଯିବ। ହାଇ ଆଲର୍ଟରେ ଭାରତୀୟ ନୌସେନା ସାମୁଦ୍ରିକ ଝଡ଼ ଫଣୀ ବିପର୍ଯ୍ୟୟର ମୁକାବିଲା କରିବାକୁ ତଥା ଆବଶ୍ୟକୀୟ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ପୂର୍ବ ନୌସେନା କମାଣ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି। ଚିକିତ୍ସା ସହାୟତା ସମେତ ଉଦ୍ଧାର କାର୍ଯ୍ୟ, ଲଜିଷ୍ଟିକ୍ସ, ମାନବୀୟ ସହାୟତା, ରିଲିଫ ଆଦି କାର୍ଯ୍ୟ ଲାଗି ସବୁଠାରୁ ଅଧିକ ପ୍ରଭାବିତ ଅଂଚଳକୁ ଯାତ୍ରା କରିବା ପାଇଁ ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି। ଏହି ଜାହାଜମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ଭାସମାନ ରବର ବୋଟ ଏବଂ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି। ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ୱଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକେଇବା ଲାଗି ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଦେଗାରେ ପ୍ରସ୍ତୁତ ହୋଇ ରହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଝଡ଼ ଉପରେ ଇଏନଏସ ତୀକ୍ଷ୍ଣ ନଜର ରଖିଛି ଏବଂ ତାମିଲନାଡୁ ଓ ପୁଡୁଚେରୀର ଫ୍ଲାଗ ଅଫିସର ଓ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକୀୟ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନ ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି।

Share :