ଲଘୁ ଖଣିଜରେ ଲକ୍ଷେ କୋଟିର ଲୁଟ୍‌!

ଲଘୁ ଖଣିଜରେ ଲକ୍ଷେ କୋଟିର ଲୁଟ୍‌!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୭ ସେପ୍ଟେମ୍ବର ୯ ତାରିଖର ଘଟଣା। କଟକ ନିର୍ଗୁଣ୍ଡି ରେଳ ଷ୍ଟେସନରୁ ବେଆଇନ ଭାବେ ଟ୍ରେନରେ ବାଲି ଚାଲାଣ ହେଉଥିଲାବେଳେ କେତେକ ସାମାଜିକ କର୍ମୀଙ୍କଠାରୁ ସୂଚନା ପାଇ ଶାସନ କଳ ପହଂଚିଥିଲା। ଧରପଗଡ଼ବେଳେ ଦେଖାଗଲା ପ୍ରାୟ ୫୯ଟି ବଗିରେ ୬୦୦୦ ଟନ୍ ନଦୀବାଲି ଉତ୍ତର ପ୍ରଦେଶକୁ ଚାଲାଣ ହେଉଥିଲା। ଏହି ବେଆଇନ କାରବାରରେ ଜଡ଼ିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବାସ୍, ସେଇ ଥରକ। ପରେ ସେ ବାଟେ ଆଉ କେତେ ବାଲି ଗଲା କି ଆଇଲା ତା’ ଉପରେ ଆଉ କେହି ନିଘା ରଖି ନାହାନ୍ତି। ସେଇ ଘଟଣାର ପନ୍ଦର ଦିନ ପରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ନିକଟସ୍ଥ ଭାଲୁମୁସ୍କା ରେଳ ଷ୍ଟେସନରେ ମଧ୍ୟ ଏଇପରି ଭାବେ ଚାଲାଣ ହେଉଥିବା ତିନି ବଗି ବାଲି ଜବତ ହୋଇଥିଲା। ରାଜ୍ୟରେ ଏଭଳି ଘଟଣା ବିରଳ ନୁହେଁ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଆଦି ଉପକୂଳ ଜିଲ୍ଲାରୁ ଆରମ୍ଭ କରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ପରି ଦକ୍ଷିଣାଂଚଳ ଏବଂ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଆଦି ପଶ୍ଚିମ ପ୍ରାନ୍ତରେ ମଧ୍ୟ ବେଆଇନ ଭାବେ ଲକ୍ଷଲକ୍ଷ ଟନର ନଦୀବାଲି କାରବାର ଚାଲିଛି। କେଉଁଠି ତହସିଲଦାରମାନେ ଶାଗମାଛ ମୂଲରେ ବାଲି ସଇରାତ ସବୁ ଲିଜ୍ ଦେଉଛନ୍ତି ତ କେଉଁଠି ବିଲକୁଲ ଲିଜ୍ ନନେଇ ମଧ୍ୟ ନଦୀବାଲି ଲୁଟ୍ ଚାଲିଛି। କେଉଁଠି ପୁଣି ହଜାରେ ବର୍ଗ ମିଟର ସଇରାତ ଲିଜ୍ ନେଇ ମାଫିଆମାନେ ୫ ହଜାର ବର୍ଗଫୁଟର ବାଲି ଚୋରି କରି ନେଉଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ବିକାଶ ନାମରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଅଧିକରୁ ଅଧିକ ସଂଖ୍ୟାରେ ହେଉଥିବାରୁ ନଦୀବାଲିର ଚାହିଦା ବଢ଼ିଯାଇଛି। ତେଣୁ ଶାସକ ଦଳ ଓ ଶାସନ କଳ ସହିତ ସଂପର୍କ ରଖିଥିବା ଅସାଧୁ ବେପାରୀମାନେ ବିଭିନ୍ନ ବାଟରେ ନଦୀବାଲି ଚୋରି କରି କୋଟିକୋଟି ଟଙ୍କାର ବେଆଇନ ମୁନାଫା ଅର୍ଜନ କରୁଛନ୍ତି। ମୁମ୍ବାଇରେ ଏବେ ବାଲି ଟନ ୧୫ ହଜାର ଟଙ୍କା। କୋଲକାତାରେ ଟ୍ରକେ ବାଲିର ଦାମ ୩୫୦୦ ଟଙ୍କା। ଚେନ୍ନାଇରେ ବାଲି ଟନ୍ ୧୨ ହଜାର ଟଙ୍କା। ମୋଟ ଉପରେ ହିସାବ କଲେ ଭାରତର ବିଭିନ୍ନ ସହରରେ ବାଲିର ଦର ଟନ୍ ପିଛା ହାରାହାରି ୧୦ ହଜାର ଟଙ୍କାରୁ ଅଧିକ ହେବ। ଅନ୍ତର୍ଜାତୀୟ ବଜାରରେ ନଦୀବାଲିର ଦର ଟନ୍ ପିଛା ୫୦ ହଜାର ଟଙ୍କା। ନଦୀବାଲିରେ କେବଳ କୋଠା ଘର ବା ପକ୍କା ପୋଲ ତିଆରି ହୁଏ ନାହିଁ। ଅନେକ ନଦୀ ବାଲିରେ ସୁନା ଓ ଥୋରିୟମର ଛୋଟଛୋଟ କଣିକା ମଧ୍ୟ ଥାଏ। କେବଳ ନଦୀବାଲି ନୁହେଁ, ଓଡ଼ିଶାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୋରମ, ମାଙ୍କଡ଼ା ପଥର ଓ ଚିପ୍ସ ବା ନିର୍ମାଣରେ ବ୍ୟବହୃତ ଛୋଟଛୋଟ ପଥର ଖଣ୍ଡର ମଧ୍ୟ ବ୍ୟାପକ ଲୁଟ୍ ହେଉଛି। ବାଲି ଲିଜ୍ ପରି ଏ କ୍ଷେତ୍ରରେ ମଧ୍ୟ ଅଧେ ପାହାଡ଼ ଲିଜ୍ ନେଇ ପୂରା ପାହାଡ଼ ଖୋଳି ନିଆଯାଉଛି। ଏକରରେ ପଡ଼ିଆ ଲିଜ୍ ନେଇ ୧୦ ଏକର ପଡ଼ିଆରୁ ମୋରମ ଓ ମାଙ୍କଡ଼ା ତାଡ଼ି ନିଆଯାଉଛି। ମୋରମ ଓ ଚିପ୍ସ ଦର ବି କିଛି କମ୍ ନୁହେଁ। ସ୍ଥାନୀୟ ପ୍ରଶାସନର ଆଖି ତଳେ ଏଭଳି ଲୁଟ୍ ଚାଲିଛି। ସ୍ଥାନୀୟ ନେତାମାନେ ମଧ୍ୟ ସବୁ ଜାଣି ନୀରବ ଓ ନିଷ୍କ୍ରିୟ ରହିଛନ୍ତି। ସରପଂଚର ଅଜ୍ଞାତସାରରେ କ’ଣ ତାଙ୍କ ପଂଚାୟତରୁ ବାଲି, ମୋରମ ଓ ଚିପ୍ସ ଚୋରି ହୋଇପାରିବ? ନିର୍ବାଚନ ମଣ୍ଡଳୀର କେଉଁ ଭୋଟର ଘରେ ବାହାଘର, ଏକୋଇଶିଆ, ଏକାଦଶାହ ସେ ଖବର ପାଉଥିବା ବିଧାୟକମାନେ କ’ଣ ଏ ବିଷୟରେ କିଛି କୋଉଠୁ ଶୁଣୁ ନଥିବେ? କେଉଁ ଲୋକ କେଉଁ ଦଳକୁ ଭୋଟ ଦେଲା ସେ ଖବର ପାଉଥିବା ନେତାମାନେ ତାଙ୍କ ଅଂଚଳର ସାଧାରଣ ସଂପତ୍ତି ଚୋରୀ ହେଉଥିବା ଖବର ପାଉ ନାହାନ୍ତି ବୋଲି କହିବା ବିଶ୍ୱାସଯୋଗ୍ୟ କି? ଅନ୍ତର୍ଜାତୀୟ ବଜାରରେ ଲୁହା ପଥର, କ୍ରୋମ, ମାଙ୍ଗାନିଜ ଓ ବକ୍ସାଇଟର ଚାହିଦା ବଢ଼ିବା ପରେ ଓଡ଼ିଶାରେ ବ୍ୟାପକ ଭାବେ ଖଣି ଲୁଟ୍ ଚାଲିଲା। କେବଳ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୦୦ ମସିହାରୁ ୨୦୧୦ ମଧ୍ୟରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଲୁହା ପଥର ଓ ମାଙ୍ଗାନିଜ ଲୁଟ୍ ହୋଇଗଲା ବୋଲି ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ସାମାଜିକ କର୍ମୀ ଆକଳନ କରିଥିଲେ। ଓଡ଼ିଶା ସରକାର ଖଣି ଦୁର୍ନୀତିକୁ ବାରମ୍ବାର ଅସ୍ୱୀକାର କରିଥିଲେ ବି ପରବର୍ତ୍ତୀ ସମୟରେ ବେଆଇନ ଖଣି କାରବାର ପାଇଁ ୬୦ ହଜାର କୋଟି ଟଙ୍କାର ଜରିମାନା ନୋଟିସ ଜାରି କରିଥିଲେ। ଶାହା କମିଶନ ଏହା ଉପରେ ସିବିଆଇ ତଦନ୍ତ ସୁପାରିଶ କରିଥିଲେ ବି ପ୍ରଥମେ ମନମୋହନ ସିଂହଙ୍କ ଉପାର ସରକାର ଓ ପରେ ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର ସେହି ନିର୍ଦ୍ଦେଶ ଦେଇ ନାହାନ୍ତି। ତେବେ ସୁପ୍ରିମ କୋର୍ଟଙ୍କ ତାଗିଦ ଓ ନିର୍ଦ୍ଦେଶକ୍ରମେ ଗଲା କେଇ ବର୍ଷ କେତେକ ଖଣିକୁ ଓଡ଼ିଶା ସରକାର ବାଧ୍ୟ ହୋଇ ବନ୍ଦ କରିଛନ୍ତି। ତଥାପି ଲୁଟପାଟ ସଂପୂର୍ଣ୍ଣ ବନ୍ଦ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ଖଣି ଚୋରି ଧରା ପଡ଼ିବା ପରେ ଏହି ଚୋର ବର୍ଗ ଏବେ ରାଜ୍ୟର ଲଘୁ ଖଣିଜ ପଦାର୍ଥ ଚୋରି କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ଓଡ଼ିଶାରେ ଗଲା ୧୮ ବର୍ଷ ଧରି ବିଜୁ ଜନତା ଦଳ ଶାସନ କ୍ଷମତାରେ ରହିଛି। ରାଜ୍ୟର ୨୧ ଲୋକସଭା ଏମପିରୁ ୨୦ ଜଣ ଏମପି ବିଜେଡିର। ରାଜ୍ୟର ୧୪୭ରୁ ୧୧୭ ବିଧାୟକ ବିଜେଡିର। ରାଜ୍ୟର ୬୫୦୦ ଗ୍ରାମ ପଂଚାୟତରୁ ୪ ହଜାର ଉପରେ ପଂଚାୟତରେ ଏହି ଦଳର ସମର୍ଥକ ସରପଂଚ। ଅନେକ ସମୟରେ ଅଭିଯୋଗ ହୁଏ ରାଜ୍ୟରେ ଏବେ ଅଫିସର ରାଜ୍ ଚାଲିଛି। ଅର୍ଥାତ ରାଜ୍ୟରେ ଏବେ ଉଭୟ ନେତା ଓ ବାବୁଙ୍କ ରାଜୁତି, ସବୁ ଗୋଟିଏ ଦଳର। ତେବେ, ଏ ଲୁଟ୍ ପାଇଁ କିଏ ଦାୟୀ? ବିଜେଡି ନା ବିରୋଧୀ ଦଳ?

Share :