ମହାନଦୀକୁ ମାରିଲା କିଏ?

ମହାନଦୀକୁ ମାରିଲା କିଏ?

Share :

ଦେବେନ୍ଦ୍ର ପୃଷ୍ଟି ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ଉପରେ ଓଡ଼ିଶାର ୬୫ ପ୍ରତିଶତ ଲୋକ ନିର୍ଭରଶୀଳ। ମହାନଦୀ ଶୁଖିଗଲେ ଓଡ଼ିଶା ଲୋକେ ପାଣି ପାଇବେ ନାହିଁ। ଏଇ ତିନିଟି ବାକ୍ୟ ବ୍ୟତିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କ ନିକଟରେ ମହାନଦୀ ଉପରେ ଅାଉ ବୋଧେ ଅଧିକ କିଛି ଜ୍ଞାନ ଓ ସୂଚନା ନାହିଁ? ଥିଲେ ତ’ ଏତେ ବିତର୍କରେ ସେସସବୁ ପଦାକୁ ଅାସନ୍ତା! ଛତିଶଗଋ ଯୋଗୁଁ ଓଡ଼ିଶାରେ ମହାନଦୀ ଶୁଖିଯିବ ବୋଲି ଓଡ଼ିଶା ସରକାର କେମିତି ଓ ଯେଉଁ ତଥ୍ୟ ଅାଧାରରେ ଜାଣିଲେ ତାହା ତ ଅନ୍ତତଃ ପଦାକୁ ଅାସିବା କଥା! ନା ସେମିତି କିଛି ତଥ୍ୟ ମୂଳରୁ ନାହିଁ? ବିନା ତଥ୍ୟ ଓ ପ୍ରମାଣରେ ସରକାର କେମିତି ମହାନଦୀକୁ ଓଡ଼ିଶାର ମହାପ୍ରସଙ୍ଗରେ ପରିଣତ କରିଛନ୍ତି? ନବୀନବାବୁ ଓ ତାଙ୍କ ଦଳର ଏହି ପ୍ରସଙ୍ଗ ପାଇଁ ଓଡ଼ିଶା ଲୋକଙ୍କର କେତେ ସମୟ ନଷ୍ଟ ହୋଇଛି? ଗଣମାଧ୍ୟମର କେତେ କାଗଜ ଓ ପ୍ରସାରଣ ସମୟ ଯାଇଛି? ସରକାରଙ୍କର କେତେ ଟଙ୍କା ଖର୍ଚ୍ଚ ହୋଇ ଏହାକୁ ଏକ ରାଜନୀତିକ ପ୍ରସଙ୍ଗରେ ପରିଣତ କରାଯାଇଛି? ଏସବୁ ପ୍ରଶ୍ନର ଉତ୍ତର ନା ନବୀନବାବୁ ଦେଇପାରିବେ ନା ତାଙ୍କ ଚେଲାଚାମୁଣ୍ଡା? ୧. ଭୁଆଁ ବୁଲୁଛନ୍ତି ନା ବୁଲଉଛନ୍ତି? ଦି’ ବର୍ଷ ହେଲାଣି ନବୀନବାବୁ, ତାଙ୍କର ବିଜୁ ଜନତା ଦଳ ଓ ସରକାର ମହାନଦୀକୁ ପୋତ କରି ଦୁର୍ନୀତି ଓ ଅପାରଗତାର ମହାସମୁଦ୍ର ପାର ହେବାକୁ ଚେଷ୍ଟା ଚଳାଇଛନ୍ତି। ଅଥଚ ମହାନଦୀକୁ ନେଇ ଛତିଶଗଡ଼ ଓ କେନ୍ଦ୍ର ବିରୋଧରେ ସେ ଯେଉଁ ଅଭିଯୋଗ କରୁଛନ୍ତି ତାହା ଯେ ଅମୂଳକ ଓ ଭିତ୍ତିହୀନ ତାହା ତାଙ୍କରି ସରକାରର କେତେକ ପ୍ରଚାରୋପଯୋଗୀ ଫାଇଲଚାଷରୁ ସ୍ପଷ୍ଟ ହୋଇଯାଇଛି। ୨୦୧୬ ମସିହାରେ ନବୀନ ସରକାର ମହାନଦୀ ଜଳ ସର୍ବେକ୍ଷଣ କରିବାକୁ ଓର୍‌ସାକ୍‌କୁ ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ଅବବାହିକାରେ କେତେ ବୃଷ୍ଟିପାତ ହେଉଛି, କେତେ ଜଳ ମହାନଦୀରେ ରହୁଛି, କେତେ ଜଳ ସମୁଦ୍ରକୁ ଚାଲି ଯାଉଛି ଇତ୍ୟାଦି ବିଷୟରେ ଓର୍‌ସାକ୍‌ ସରକାରଙ୍କୁ ରିପୋର୍ଟ ଦେବା କଥା। ଏହାର ଅର୍ଥ, ମହାନଦୀର ଜଳସ୍ଥିତି ନେଇ ଓଡ଼ିଶା ସରକାର ଏଯାଏଁ କିଛି ଜାଣି ନାହାନ୍ତି। ଖାଲି ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ଆଉ ଛତିଶଗଡ଼ ଓ କେନ୍ଦ୍ର ଆଡ଼କୁ ମୁହଁ କରି ଭୁକିବାରେ ଲାଗିଛନ୍ତି। ଯେଉଁ ଦିନ ନବୀନ ପଟ୍ଟନାୟକଙ୍କ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ଠିକ ସେହିଦିନ ତାଙ୍କର ବିଜୁ ଜନତା ଦଳ ପାରାଦୀପରୁ ହୀରାକୁଦ ଯାଏଁ ଏକ ମାନବ ଶୃଙ୍ଖଳ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ମହାନଦୀ ନେଇ ଜନ ଚେତନା ଜାଗ୍ରତ କରିବାକୁ ଦଳ ଏହି ପ୍ରୟାସ କରିଥିଲା। କିନ୍ତୁ ଜ୍ଞାନ ନଥାଇ କି ଚେତନା? କି ଜାଗରଣ? ୨. ରାଜନୀତି ମହାନଦୀ ନେଇ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କିମ୍ବା ଏବେକାର ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ବାଘେଲଙ୍କୁ କିଛି ପ୍ରଶ୍ନ କରନ୍ତୁ, ସେମାନେ ତଥ୍ୟ ଓ ପରିସଂଖ୍ୟାନ ଦେଇ ବୁଝେଇ ଦେବେ ଯେ ତାଙ୍କ ରାଜ୍ୟରେ ହେଉଥିବା ବ୍ୟାରେଜ ଯୋଗୁଁ ଓଡ଼ିଶାର କିଛି ବି କ୍ଷତି ହେବନି। ବରଂ ସେମାନେ ଏହା ବି କହିବେ ଯେ ଓଡ଼ିଶା ସରକାର ତାଙ୍କ ଭାଗ ମହାନଦୀ ଜଳ ବ୍ୟବହାର ନକରି ଅାମକୁ ଦୋଷ ଦେଉଛନ୍ତି। ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ମଧ୍ୟ ଗୁଡ଼ାଏ ପରିସଂଖ୍ୟାନ ଅାଧାରରେ ଓଡ଼ିଶା ଖାଲି ରାଜନୀତି କରୁଛି ବୋଲି କହିବେ। ମହାନଦୀ ନେଇ ତଥ୍ୟ ଓ ପରିସଂଖ୍ୟାନ ଦେଉ ନାହାନ୍ତି କେବଳ ନବୀନ। ମହାନଦୀ ଅବବାହିକାରେ ବାର୍ଷିକ ବୃଷ୍ଟିପାତ ହାର କେତେ? ସେଥିରୁ କେତେ ପାଣି ମହାନଦୀରେ ପଡ଼ୁଛି? ଛତିଶଗଡ଼ର କେତେ ବର୍ଷା ଜଳ ମହାନଦୀରେ ପଡ଼ୁଛି ଓ ଓଡ଼ିଶାର କେତେ ବର୍ଷା ଜଳ ସେଥିରେ ମିଶୁଛି? ହୀରାକୁଦ ଜଳ ଭଣ୍ଡାରର ଜଳଧାରଣ କ୍ଷମତା କେତେ? ଛତିଶଗଡ଼ରୁ କେତେ ପାଣି ମୌସୁମୀ ଓ ଅଣମୌସୁମୀ ସମୟରେ ଅାସୁଛି? ସେଥିରୁ କେତେ ପାଣି ଓଡ଼ିଶା ସରକାର ବିଭିନ୍ନ କଳକାରଖାନାକୁ ଏକରକମ ମାଗଣାରେ ଦେଉଛନ୍ତି? କେତେ ପାଣି ଚାଷ ପାଇଁ କେନାଲରେ ଛଡ଼ା ଯାଉଛି? ହୀରାକୁଦ ପରେ ବାର୍ଷିକ କେତେ ପାଣି ସମୁଦ୍ରକୁ ଚାଲିଯାଉଛି? ଏସବୁ ତଥ୍ୟ ଓ ପରିସଂଖ୍ୟାନ ଓଡ଼ିଶା ସରକାରଙ୍କ ପାଖରେ ନାହିଁ ନା ତାହା ସେମାନେ ପ୍ରଘଟ କରିବାକୁ ପସନ୍ଦ କରୁ ନାହାନ୍ତି? ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ୨୦୦୦, ୨୦୦୧, ୨୦୦୫, ୨୦୦୬, ୨୦୦୯ ଓ ୨୦୧୦ ଅାଦି ବର୍ଷଗୁଡ଼ିକରେ ବିଧାନସଭାରେ ଏ ସଂକ୍ରାନ୍ତରେ ବିଭିନ୍ନ ଦଳର ସଦସ୍ୟମାନେ ଅନେକ ପ୍ରଶ୍ନ ପଚାରିଛନ୍ତି। ସବୁଥର ସରକାରଙ୍କ ଉତ୍ତର ବେଶ ସକାରାତ୍ମକ ଥିଲା- ଓଡ଼ିଶାର କିଛି କ୍ଷତି ହେବ ନାହିଁ। ବଡ଼ ସନ୍ତୋଷର କଥା ଯେ ପ୍ରତ୍ୟେକ ଥର ବିଧାନସଭା ଉତ୍ତର ପାଇଁ ସରକାର ବହୁ ପରିସଂଖ୍ୟାନର ସହାୟତା ନେଇଛନ୍ତି। ଅବଶ୍ୟ ଏବେ ସେସବୁ ପରିସଂଖ୍ୟାନକୁ ଏବେ ବିଜେଡି ନେତା ଓ ପ୍ରବକ୍ତାମାନେ ଯୁକ୍ତିର ଆଧାର କରିବାକୁ ବିଲକୁଲ ପସନ୍ଦ କରୁ ନାହାନ୍ତି। ଏଇ ୧୯ ବର୍ଷ ଭିତରୁ ନବୀନବାବୁ ନିଜେ ପ୍ରାୟ ୧୫ ବର୍ଷ ଜଳ ସଂପଦ ବିଭାଗର ମନ୍ତ୍ରୀ ଥିଲେ। ସେ ନିଜେ ଏବଂ ତାଙ୍କ ବିଭାଗର ସଚିବମାନେ ୨୦୧୬ ପୂର୍ବରୁ ବାରମ୍ବାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ ଛତିଶଗଡ଼ ୭ କାହିଁକି ୧୦୦ ବ୍ୟାରେଜ କଲେ ବି ଓଡ଼ିଶାର କିଛି କ୍ଷତି ହେବ ନାହିଁ। ନବୀନ ସରକାରର ଅତ୍ୟନ୍ତ ପ୍ରିୟ ଅଧିକାରୀ ପୂର୍ବତନ ଜଳସଂପଦ ସଚିବ ସୁରେଶ କୁମାର ମହାପାତ୍ର ଏକଥା ଏକାଧିକ ଥର କହିଛନ୍ତି। କ୍ଷତି ହେବାର ଥିଲେ ତ’ ହେବ! ନହେବାର ଥିଲେ କିପରି ହେବ? ଅାଉ ଯଦି ସତରେ ବି ଛତିଶଗଡ଼ ଓଡ଼ିଶା ପାଣିକୁ ଉପରମୁଣ୍ଡରେ ଅଟକାଏ ତେବେ ଓଡ଼ିଶା ବା ଭାରତ ସରକାର କ’ଣ କରିବେ? ପାକିସ୍ତାନକୁ ଜବାବ ଦେବାକୁ ଯାଇଁ ଭାରତ ସରକାର ଯଦି ସିନ୍ଧୁ ଜଳ ନଛାଡ଼ିବାକୁ ନିଷ୍ପତ୍ତି ନେବେ ବା ରବି, ବିତସ୍ତା, ଝେଲମ ଓ ଚେନାବ ଅାଦି ନଦୀରେ ବନ୍ଧ ବାନ୍ଧିବେ ତେବେ ଛତିଶଗଡ଼ କାହିଁକି ତାଙ୍କ ଲୋକଙ୍କ ସ୍ବାର୍ଥ ପାଇଁ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧିବନି? ଭାରତରେ କାବେରୀ ନଦୀ ଉପରେ କର୍ଣ୍ଣାଟକ ଏଇଅା କରିଛି। ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ବି ଏଇଅା କରୁଛି। ତେବେ ମାନବିକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯେପରି ସିନ୍ଧୁ ଜଳ ଚୁକ୍ତି ହୋଇଥିଲା ସେପରି ହେବାରେ କାହାର କିଛି ଅାପତ୍ତି ନାହିଁ। ତାହା ରାଜନୀତିକ ସୌଜନ୍ୟ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୁଏ ନା ଗୋଟିଏ ସରକାର ଓ ଜାତିକୁ ଓଡ଼ିଶାର ଶତ୍ରୁ ଭାବେ ଚିତ୍ରିତ କଲା ପରେ? ଛତିଶଗଡ଼ କଥା ଛାଡ଼ନ୍ତୁ। ହୀରାକୁଦ ହେଉଛି ଉପର ମୁଣ୍ଡ ଓ କଟକ ଅାଦି ଜିଲ୍ଲା ରହିଲେ ତଳମୁଣ୍ଡରେ ହୀରାକୁଦ ପାଣିରୁ କେତେ ଭାଗ କେନାଲ ବାଟେ ଅବିଭକ୍ତ ସମ୍ବଲପୁରକୁ ଯାଉଛି? କେତେ ଭାଗ ଅବିଭକ୍ତ କଟକ ଜିଲ୍ଲାକୁ ଅାସୁଛି? ନରାଜ ଓ ଯୋବ୍ରାରୁ କେତେ ପାଣି ପାରାଦୀପ ବନ୍ଦର ଓ ଶିଳ୍ପକୁ ଯାଉଛି? କେତେ ପାଣି ଚାଷୀ ପାଉଛନ୍ତି? ଚାଷ ପାଇଁ ମହାନଦୀ ପାଣି ଦରକାର ନିଶ୍ଚୟ। କିନ୍ତୁ ଚାଷ ହେଉଛି ନା? ଓଡ଼ିଶା ସରକାର ତ ମାଗଣାଖିଅା ଭୋଟର ସୃଷ୍ଟି କରିବାରେ ଲାଗିଛନ୍ତି, ଅଧା ଜମି ପଡ଼ଇା ପଡ଼ିଲାଣି କୋଉ ଜମିକୁ ପାଣି ଦରକାର? କେତେ ଦରକାର? ଏ ପରିସଂଖ୍ୟାନ ବି ଛତିଶଗଡ଼ ଦେବ? ମହାନଦୀ ଅାମର ମା’। କିଏ ମନା କରୁଛି? ସବୁ ନଈ ମଣିଷ ଓ ଅନ୍ୟାନ୍ୟ ଜନ୍ତୁଙ୍କର ମା’। କିନ୍ତୁ ମା’କୁ ଓଡ଼ିଶା ସରକାର ମଳ ଖୁଅାଇବା କ’ଣ ଛତିଶଗଡ଼ର ଅପରାଧ? ମହାନଦୀକୁ ଓଡ଼ିଶାର କେତେ ଶିଳ୍ପ ଓ ସହରର ମଳ ଛଡ଼ାଯାଉଛି? ଉପର ମୁଣ୍ଡରେ ମଳ ଛାଡ଼ି ତଳମୁଣ୍ଡ ଲୋକଙ୍କୁ ବିଷ୍ଠା ଖୁଅାଇବା କେଉଁ ସଭ୍ୟତା? ସମ୍ବଲପୁରିଅା ଓ କଟକିଅାଙ୍କ ମଳ କେନ୍ଦ୍ରାପଡ଼ିଆ ଓ ଜଗତସିଂହପୁରିଅା କାହିଁକି ଖାଇବେ? ମହାନଦୀରେ ଜଳ ସଙ୍କଟ ପାଇଁ ଉଭୟ କେନ୍ଦ୍ର ଏବଂ ଛତିଶଗଡ଼ ସରକାର ଦାୟୀ କହି ଶାସକ ଦଳ ରାଜ୍ୟବ୍ୟାପୀ ଅାନ୍ଦୋଳନ ଓ ଧର୍ମଘଟ ଅାୟୋଜନ କଲା। ସେହି ସମୟରେ ରାଜ୍ୟ ସରକାର ପରିସ୍ଥିତି ଅନୁଧ୍ୟାନ କରିବାକୁ ଏକ ବିଶେଷଜ୍ଞ ଦଳ ଛତିଶଗଡ଼ ଗସ୍ତ କରିବେ ବୋଲି ଘୋଷଣା କଲେ। କିଛିଦିନ ପରେ ଉକ୍ତ ବିଶେଷଜ୍ଞ ଦଳଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କରାଗଲା। ପରେ ଅନ୍ୟ ଏକ ବିଶେଷଜ୍ଞ ଦଳ ଛତିଶଗଡ଼ ଗଲେ। କିନ୍ତୁ ସେଠାରୁ ଫେରିବା ପରେ ମଧ୍ୟ ସେମାନେ ଏଯାଏଁ ଓଡ଼ିଶା କେମିତି କ୍ଷତିଗ୍ରସ୍ତ ହେବ ତାହାର ରିପୋର୍ଟ ସର୍ବସାଧାରଣରେ ଉପସ୍ଥାପନ କଲେ ନାହିଁ। ୨୦୦୦ ମସିହାରେ ନବୀନବାବୁ କ୍ଷମତାକୁ ଅାସିବା ପରେ କେନ୍ଦ୍ରର ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ଚିଠି ଲେଖି ମହାନଦୀ ଉପର ମୁଣ୍ଡରେ ତତ୍କାଳୀନ ମଧ୍ୟ ପ୍ରଦେଶ ସରକାର ନିର୍ମାଣ କରୁଥିବା ବହୁ ବନ୍ଧ ଏବଂ ବ୍ୟାରେଜ ପ୍ରସଙ୍ଗ ଉଠାଇ ନିଜର ଉଦବେଗ ପ୍ରକାଶ କରିଥିଲେ ଏବଂ ଓଡ଼ିଶା ସରକାରଙ୍କ ବିନା ପରାମର୍ଶରେ କେନ୍ଦ୍ର ସରକାର ମହାନଦୀରେ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ନ ଦେବାକୁ କହିଥିଲେ। ତା ୭.୭.୨୦୦୦ରିଖରେ ଦିଅାଯାଇଥିବା ଏହି ଚିଠିରେ ଉଲ୍ଲେଖ ଥିଲା ଯେ ହୀରାକୁଦ ନଦୀବନ୍ଧ ହେଲାପରେ ମଧ୍ୟ ପ୍ରଦେଶ ସରକାର ୮ଟି ବୃହତ୍ ଜଳସେଚନ ପ୍ରକଳ୍ପ, ୨୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୦ଟି ବ୍ୟାରେଜ୍ ନିର୍ମାଣ କରି ସାରିବା ପରେ ମଧ୍ୟ ୪ଟି ବୃହତ୍ ସେଚ ପ୍ରକଳ୍ପ ନିର୍ମାଣାଧୀନ ଥିଲା। ତା ସହିତ ୫ଟି ନୂଅା ଡ୍ୟାମ୍ ଏବଂ ଗୋଟିଏ ବ୍ୟାରେଜ୍ ନିର୍ମାଣ ପାଇଁ ମଧ୍ୟ ପ୍ରଦେଶ ସରକାରଙ୍କର ପ୍ରସ୍ତାବ ଥିଲା। ଏହି ପ୍ରସଙ୍ଗରେ ମଧ୍ୟ ଅଗଷ୍ଟ, ୨୦୦୦ରେ ବିଧାନସଭାରେ ସଦସ୍ୟ ଅଶୋକ ଦାସଙ୍କ ଅାଗତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ସୁରକ୍ଷିତ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୦ ମସିହାରେ ବିଧାୟକ ପ୍ରଭାତ ବିଶ୍ବାଳ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଧ୍ୟାନ ଅାକର୍ଷଣକାରୀ ପ୍ରସ୍ତାବ ଉପରେ ଅାଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ରଘୁନାଥ ମହାନ୍ତି ଉତ୍ତର ରଖି ମହାନଦୀରେ ଜଳ ସଙ୍କଟ ନାହିଁ ଏବଂ ଯଥେଷ୍ଟ ଜଳ ରହିଥିବାରୁ ଶିଳ୍ପମାନଙ୍କୁ ପାଣି ଦେବାରେ ଅସୁବିଧା ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବିଧାୟିକା ରାଧାରାଣୀ ପଣ୍ଡା ଏବଂ ରାସେଶ୍ବରୀ ଦେବୀଙ୍କ ପ୍ରଶ୍ନର ଉତ୍ତରରେ ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମହାନଦୀରେ ଜଳ ସଙ୍କଟ ନାହିଁ ବୋଲି କହିଥିଲେ ଯଦି ଏପରି ସମସ୍ୟା ନଥିଲା, ତେବେ ହଠାତ୍ ମହାନଦୀରେ ଜଳ ସଙ୍କଟ ଦେଖାଗଲା କିପରି? ୩. କଠୋର ବାସ୍ତବତା ୧୯୮୨ ମସିହାରେ ମହାନଦୀରେ ଏକ ବଡ଼ ଧରଣର ବନ୍ୟା ହୋଇଥିଲା ସେତେବେଳେ ତ୍ରିକୋଣଭୂମି ଉପରମୁଣ୍ଡରେ ଜଳପ୍ରବାହର ପରିମାଣ ଥିଲା ୧୫.୮୭ ଲକ୍ଷ କ୍ୟୁସେକ। ୨୦୦୮ ମସିହା ସେପ୍ଟେମ୍ବର ବନ୍ୟାରେ ୧୫.୮୧ ଲକ୍ଷ କ୍ୟୁସେକ ଜଳ ପ୍ରବାହ ଥିବା ରେକର୍ଡ଼ କରାଯାଇଥିଲା। ମହାନଦୀ ତ୍ରିକୋଣଭୂମି ଉପରମୁଣ୍ଡରେ ଯେତେବେଳେ ବନ୍ୟା ଜଳ ପ୍ରବାହ ୯.୬୦ ଲକ୍ଷ କ୍ୟୁସେକ ହୁଏ, କୁଅାଖାଇ ନଦୀରେ ଜଳପ୍ରବାହର ଭାଗ ପଡ଼ିଥାଏ ୧.୩୦ ଲକ୍ଷ କ୍ୟୁସେକ। ଏହି ଜଳପ୍ରବାହ ନଦୀର ଜଳଧାରଣ କ୍ଷମତା ଅପେକ୍ଷା ୩୦ ପ୍ରତିଶତ ଅଧିକ ହୋଇଥିବାରୁ ବଳକା ବଢ଼ିପାଣି ବିସ୍ତୃତ ଅଞ୍ଚଳକୁ ମାଡ଼ିଯାଏ, ଚାଷଜମି ଜଳମଗ୍ନ ହୁଏ, ଶସ୍ୟହାନି ଘଟେ, କେତେ ଗାଁ ବୁଡ଼ିଯାଏ, ଗୃହପାଳିତ ପଶୁ ଏବଂ ଲୋକେ ହଇରାଣ ହରକତ ହୁଅନ୍ତି, କଚାଘର ଭାଙ୍ଗିଯାଏ, ସର୍ବସାଧାରଣ ସଂପତ୍ତି କ୍ଷତିଗ୍ରସ୍ତ ହୁଏ। ପ୍ରାୟ ପ୍ରତିବର୍ଷ କୁଅାଖାଇ ନଦୀର ତିନୋଟି ଶାଖା ନଦୀ ଦୟା, ଭାର୍ଗବୀ ଏବଂ କୁଶଭଦ୍ରା ଅବବାହିକାରେ ଏହି ପରିସ୍ଥିତି ସୃଷ୍ଟି ହୋଇଥାଏ। ମହାନଦୀ ତ୍ରିକୋଣଭୂମିରେ ରାଜ୍ୟର ପ୍ରାୟ ଏକତୃତୀୟାଂଶ ଲୋକ ବସବାସ କରନ୍ତି। ଏହି ଲୋକମାନଙ୍କୁ ବନ୍ୟା ପ୍ରକୋପରୁ ରକ୍ଷା କରିବାକୁ, ବନ୍ୟା ପରେ ରିଲିଫ ଓ ପୁନର୍ବାସ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଏ। କିନ୍ତୁ କେବେ ବି ବନ୍ୟା ରୋକେ ନାହିଁ। ପ୍ରତି ବର୍ଷ ବନ୍ୟା, ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ। ବନ୍ୟା ନାଁରେ ବିପୁଳ ସହାୟତା ପାଇଁ କେନ୍ଦ୍ର ସରକାରଙ୍କଠାରେ ଦାବି, ନଦେଲେ ‘କେନ୍ଦ୍ର ଅବହେଳା’ର ଅଭିଯୋଗ, ଅାନ୍ଦୋଳନ। ଏ ରୀତି ରାଜନୀତି ଚାଲିଥାଏ। ଲୋକ ହଇରାଣ ହେଉଥାନ୍ତି। ଅାଉ ଏହି ପ୍ରକ୍ରିୟାରେ ବନ୍ୟା ଓଡ଼ିଶାର ଚିରସହଚର ବା ଚିର ଦୁର୍ଦ୍ଦିନରେ ପରିଣତ ହୋଇଥାଏ। ପଶ୍ଚିମ ଓଡ଼ିଶାର ମହାନଦୀ ଅବବାହିକାରେ ହେଉଥିବା ପ୍ରବଳ ବୃଷ୍ଟିପାତ ବନ୍ୟାରେ ପରିଣତ ହୋଇଥାଏ। ଏହା ରୋକିବା ସଙ୍ଗେସଙ୍ଗେ ଚାଷ ଓ ସହର ପାଇଁ ପ୍ରଚୁର ପାଣି ଯୋଗାଇବାକୁ ସୁବଳୟା ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତାହା ଏଯାଏଁ କାର୍ଯ୍ୟକାରୀ ହେଲା ନାହିଁ। ମହାନଦୀ ଜଳସମ୍ପଦର ବିନିଯୋଗ ପାଇଁ ୧୯୬୪ ମସିହାରେ ଟିକରପଡ଼ା ବନ୍ଧ ପ୍ରକଳ୍ପ ଚୂଡ଼ାନ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏହାର ଶିଳାନ୍ୟାାସ କରିଥିଲେ। ପ୍ରକଳ୍ପ ହେଲେ ୧୨୦୦ ଗାଁ, ୩ଟି ସହର ଏବଂ ବ୍ୟାପକ ଜଙ୍ଗଲ ସମ୍ପଦ ଜଳମଗ୍ନ ହେବା ଜାଣିବା ପରେ ଲୋକେ ଏହାକୁ ବିରୋଧ କରିବାରୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାନଦୀର ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ବ୍ୟବସ୍ଥା ପାଇଁ ବିକଳ୍ପ ଭାବରେ ମଣିଭଦ୍ରା ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ପ୍ରକଳ୍ପ ଦ୍ବାରା ୯୬୦ ମେଗାୱାଟ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ଟିକରପଡ଼ା ଯୋଜନାରେ ବ୍ୟବସ୍ଥା ଥିବା ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ଉଦ୍ଦେଶ୍ୟ ମଧ୍ୟ ସାଧିତ ହୋଇଥାନ୍ତା। ଦୁଇଟି ସହର, ୨୭୩ଟି ଗାଁ ଏବଂ କିଛି ପରିମାଣର ଜଙ୍ଗଲ ସମ୍ପଦ ଜଳମଗ୍ନ ହେବା ଦାବିରେ ଲୋକେ ଏହାକୁ ମଧ୍ୟ ବିରୋଧ କଲେ ଓ ପ୍ରକଳ୍ପ ହୋଇପାରିଲା ନାହିଁ। ୧୯୯୯ ମସିହାରେ ମହାନଦୀରେ ସମ୍ପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ସହିତ ୧,୪୦,୦୦୦ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା, ଏବଂ ଋଷିକୁଲ୍ୟା ବେସିନକୁ ୧୪୦୦ କ୍ୟୁସେକ ଜଳ ସ୍ଥାନାନ୍ତରଣ ଓ ବର୍ଷା ଋତୁରେ ୨୧୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ସୁବଳୟା ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ଏହାଦ୍ବାରା କୌଣସି ଗାଁ ଜଳମଗ୍ନ ହୋଇନଥାନ୍ତା। ଜଣେ ମଧ୍ୟ ବିସ୍ଥାପିତ ହୋଇନଥାନ୍ତେ। କେବଳ ୭୩ଟି ଗାଁ ବର୍ଷରେ ୬ ଦିନ ୬ ଘଣ୍ଟା ପାଇଁ ଜଳସ୍ତରରୁ ତଳେ ଏକ ଉଚ୍ଚ ଘେରି ବନ୍ଧର ନିରାପତ୍ତା ଭିତରେ ରହିବା ବ୍ୟବସ୍ଥା ଦରକାର ଥିଲା। ଏହି ଯୋଜନା ଦ୍ବାରା ବନ୍ୟାର ସର୍ବୋଚ୍ଚ ସୀମା ୧୭.୪ ଲକ୍ଷ କ୍ୟୁସେକ ଥିଲେ ମଧ୍ୟ ତାହାକୁ ୮.୭ ଲକ୍ଷ କ୍ୟୁସେକରେ ସୀମିତ କରାଯାଇପାରିବ ବୋଲି ଅାକଳନ କରାଯାଇଥିଲା। ଏହି ଯୋଜନାଟି ଛତିଶଗଡ଼ ରାଜ୍ୟ ଗଠନ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ହେଁ ଦୀର୍ଘ ୨୦ ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାନଦୀର ଉତ୍ପତ୍ତି ଛତିଶଗଡ଼ରେ। ପ୍ରାୟ ୮୬୦ କିଲୋମିଟର ଦୀର୍ଘ ମହାନଦୀର ପ୍ରାୟ ୨୯୦ କିଲୋମଟିର ଏହି ରାଜ୍ୟରେ ପ୍ରବାହିତ। ବାକି ୬୦୦ କିଲୋମିଟର ଓଡ଼ିଶା ଭିତରେ ପ୍ରବାହିତ। ମହାନଦୀର ସମଗ୍ର ଅବବାହିକାର ଅାୟତନ ୧,୪୧,୧୩୪ ବର୍ଗ କିଲୋମିଟର ମଧ୍ୟରୁ ୭୫,୧୩୬ ବର୍ଗ କିଲୋମିଟର ଛତିଶଗଡ଼ରେ ଏବଂ ୬୫,୬୨୮ ବର୍ଗ କିଲୋମିଟର ଓଡ଼ିଶାରେ ଅବସ୍ଥିତ। ଏଭଳି ସ୍ଥଳେ ଛତିଶଗଡ଼ ସବୁ ପାଣି ନେଇଗଲା ବୋଲି ଦି’ ବର୍ଷ ହେଲା ଚିତ୍କାର କରିବାର ମାନେ କ’ଣ? ଓଡ଼ିଶା ଭିତରେ ମହାନଦୀରେ ପଡ଼ୁଥିବା ପାଣି ସଂରକ୍ଷଣ କରିବା ପାଇଁ ନବୀନ ସରକାର କି ପଦକ୍ଷେପ ନେଇଛନ୍ତି? ହାତ ଅଳସେ ନିଶ ବଙ୍କା, କ’ଣ ନା ବାରିକ ସଳଖିଲା ନାହିଁ!

Share :