ପାଉଁରୁଟି ପାଇଁ ଇଜ୍ଜତ ବିକିବେ ଓଡ଼ିଆ ଝିଅ!

ପାଉଁରୁଟି ପାଇଁ ଇଜ୍ଜତ ବିକିବେ ଓଡ଼ିଆ ଝିଅ!

ମାୟାଧର ନାୟକ ମିଛ ମେଳିଆଙ୍କ ମୁଲକରେ ସତକଥା ପଦେ ଶୁଣିବେ କି? ଆପଣମାନେ ଭେନେଜୁଏଲା ଦେଶର ନାଁ ତ ଶୁଣିଥିବେ। ଏହାର ଲୋକସଂଖ୍ୟା ମାତ୍ର ୩ କୋଟି ୫୦ ଲକ୍ଷ। ଓଡିଶାଠାରୁ ମଧ୍ୟ କମ୍। ଏହି ଭେନେଜୁଏଲାରେ ଉର୍ବର ଚାଷଜମି, ପ୍ରଚୁର ବର୍ଷା, ଶହଶହ ଛୋଟଛୋଟ ନଦୀ, ନାଳ ଓ ହଜାରହଜାର ମାଇଲ୍ ବେଳାଭୂମି ଅଛି। ଏସବୁ ସତ୍ତ୍ବେ ଭେନେଜୁଏଲାରେ ଭୋକିଲା ମଣିଷଙ୍କ ଆର୍ତ୍ତନାଦରେ ଗଗନପବନ ପ୍ରକମ୍ପିତ। ସେଠାରେ ଫସଲ ନାହିଁ, ଖାଦ୍ୟ ନାହିଁ, ଫଳ ନାହିଁ, ପରିବା ନାହିଁ, କ୍ଷୀର ନାହିଁ, ମାଛ ନାହିଁ, ମାଂସ ନାହିଁ, ଏପରିକି ସେମାନେ ଗହମ, ଧାନ, ପନିପରିବା ଫଳେଇ ପାରୁନାହାଁନ୍ତି। ହଜାର ହଜାର ହେକ୍ଟର ଜମି ଚରାଭୂଇଁ ପାଲଟିଛି। ସେ ଦେଶର ଲୋକେ ଗୋରୁଗାଈ, ମଇଁଷି, ଛେଳି, ମେଣ୍ଢାମାନଙ୍କୁ ମାରି ଖାଇସାରିଲେଣି। ଚାରିଆଡେ କ୍ଷୁଧାର୍ତ୍ତଙ୍କ ଆର୍ତ୍ତନାଦ। ଯଦି ଆପଣ ଭେନେଜୁଏଲା ମୁଦ୍ରା ବୋଲିଭାଲ ବ୍ୟାଗରେ ବ୍ୟାଗେ ନେଇ ଦୋକାନକୁ ଯିବେ, ପାଉଁରୁଟି ପ୍ୟାକେଟ୍‌ଟିଏ ପାଇବା କଷ୍ଟକର ହେବ। ବର୍ତ୍ତମାନ ଭାରତବର୍ଷର ଗୋଟିଏ ଟଙ୍କାର ଦାମ ଭେନେଜୁଏଲା ମୁଦ୍ରାର ୩୬୦୭ ସଂଗେ ସମାନ। ଆପଣମାନେ କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ଦିନେ ଏଇ ଭେନେଜୁଏଲା ପୃଥିବୀର ଅଶୋଧିତ ତୈଳରେ ଭରପୂର ଥିଲା। ଏପରିକି ସାଉଦି ଆରବଠାରୁ ଅଧିକ ଥିଲା। ଆପଣମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ କୋଡିଏ ବର୍ଷ ତଳେ ଭେନେଜୁଏଲା ଏକ ଉନ୍ନତ ବିକାଶଶୀଳ ରାଷ୍ଟ୍ର ଥିଲା। କିନ୍ତୁ ଭେନେଜୁଏଲା ନେତାମାନଙ୍କର ଭୁଲ ନୀତି ହିଁ ଏଇ କୋଡିଏ ବର୍ଷ ଭିତରେ ଭେନେଜୁଏଲା ଭଳି ବିକାଶଶୀଳ ଦେଶକୁ ଭିକାରି ଦେଶରେ ପରିଣତ କରିଦେଲା। ବର୍ତ୍ତମାନ ଅବସ୍ଥା ଏପରି ଉତ୍କଟ ଯେ ଖଣ୍ଡେ ପାଉଁରୁଟି ପାଇଁ ଭେନେଜୁଏଲାର ନାରୀମାନେ ବେଶ୍ୟାବୃତ୍ତି ଆରମ୍ଭ କରିଦେଇଛନ୍ତି। ଅପରପକ୍ଷରେ ଦେଖନ୍ତୁ ଜଣେ ଭଲ ନେତା ତା ଦେଶ ସିଙ୍ଗାପୁରକୁ ଏଇ ୨୦ ବର୍ଷ ଭିତରେ ପୃଥିବୀରେ ଏକ ଧନୀ ରାଷ୍ଟ୍ରରେ ପରିଣତ କରିଥିବାବେଳେ ଭେନେଜୁଏଲାର ଅଯୋଗ୍ୟ ନେତୃପକ୍ଷ ତା ଦେଶକୁ ଭିକାରିରେ ପରିଣତ କରିଦେଲା। କ’ଣ ଭୁଲ ଥିଲା ଭେନେଜୁଏଲାର ଶାସକମାନଙ୍କର? ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତୈଳର ଚାହିଦା ପୃଥିବୀରେ ବଢିଯାଇଥିଲା ଏବଂ ତୈଳଦର ଆକାଶଛୁଆଁ ହୋଇଗଲା। ଭେନେଜୁଏଲା ୧୯୪୫ରେ ପ୍ରତିଦିନ ୧୦ ଲକ୍ଷ ବ୍ୟାରେଲ ତୈଳ ବିକ୍ରୀ କରିବା ଆରମ୍ଭ କଲା। ସରକାର ଲୋକମାନଙ୍କୁ ମାଗଣାରେ ଖାଦ୍ୟପଦାର୍ଥ ବାଂଟିବା ଆରମ୍ଭ କଲେ। ସରକାର ସବୁ ଫ୍ରି କରିଦେଲେ। ସମଗ୍ର ବିଶ୍ୱରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ, ଫଳ, ପନିପରିବା, ମେଡିସିନ୍, ମେସନାରୀ, ଲୁଗାପଟା ସବୁକିଛି ତୈଳ ବଦଳରେ ଆମଦାନୀ କରାଗଲା। ସରକାର ଲୋକମାନଙ୍କ ପାଇଁ ସବୁ ଫ୍ରି କରିଦେବା ଦ୍ୱାରା ଲୋକମାନେ ଶାସକଙ୍କ ଜୟଗାନ କରି ଗଗନପବନ ପ୍ରକମ୍ପିତ କଲେ। ଶାସକଦଳ ବି ଲୋକମାନଙ୍କ ତୁଚ୍ଛା ଜୟଗାନରେ ବେଙ୍ଗ ଭଳିଆ ଫୁଲିବାକୁ ଲାଗିଲେ। ୧୯୫୦-୬୦ ମସିହାରେ ଯେତେବେଳେ ସମଗ୍ର ବିଶ୍ୱରେ ଦେଶମାନେ କଠିନ ପରିଶ୍ରମ କରି ନିଜନିଜର ଉତ୍ପାଦନକୁ ବଢାଇବାକୁ ଲାଗିଲେ, ସେତେବେଳେ କିନ୍ତୁ ଭେନେଜୁଏଲାରେ ଶାସକମାନେ ଛୁଂଚିଟେ ମଧ୍ୟ ଉତ୍ପାଦନ କରିପାରିଲେ ନାହିଁ। ଏପରିକି ୟୁରୋପରୁ ପନିପରିବା, ଟମାଟୋ ମଧ୍ୟ ଆମଦାନୀ କଲେ। ଭେନେଜୁଏଲା ଏକ ସୌନ୍ଦର୍ଯ୍ୟମୟ ଦେଶ। କିନ୍ତୁ ସେଠାରେ ପର୍ଯ୍ୟଟନ ଶିଳ୍ପ ନାହିଁ। ଯଦିବା ଭୁଲବଶତଃ ପର୍ଯ୍ୟଟକମାନେ ଆସିଲେ ସେମାନଙ୍କୁ ପାଣି ଗ୍ଲାସେ ଦେବାକୁ ମଧ୍ୟ କେହି ନଥିଲେ। ବିଦେଶୀ ପର୍ଯ୍ୟଟକମାନେ ଏ ଦେଶକୁ ଆଉ ଆସିଲେ ନାହିଁ। ଭେନେଜୁଏଲା ଜନଗଣ ବଂଚିବା ପାଇଁ କୌଣସି ପରିଶ୍ରମ କଲେନାହିଁ, କର୍ମକୋଢ଼ି ହୋଇ ବସିରହିଲେ। ଯାହାଫଳରେ ଦେଶ ଭୟଙ୍କର ବିପଦରେ ପଡିଗଲା। ହଠାତ୍ ତୈଳଦର ଖସିଯିବା ଫଳରେ ସରକାରୀ ପରିଚାଳିତ କଳକାରଖାନାମାନେ ବିପଦରେ ପଡିଗଲେ। ତୈଳ କମ୍ପାନୀମାନେ ଶ୍ରମିକ ଛଟେଇ କରିବା ଆରମ୍ଭ କଲେ। ସରକାର ବାଧ୍ୟ କଲା ସମସ୍ତଙ୍କୁ ଚାକିରି ଦେବାପାଇଁ। ଶେଷରେ ପ୍ରତିଘରୁ ଜଣକୁ ହେଲେ ଚାକିରି ଦିଅ ନେହୁରା ହେବାରୁ ତୈଳ କମ୍ପାନୀମାନେ ସକ୍ଷମ ହେଲେନାହିଁ। ପୁନଶ୍ଚ ତୈଳଦର କମିଯିବାରୁ କମ୍ପାନୀମାନେ ବହୁତ କ୍ଷତିଗ୍ରସ୍ତ ହେଲେ। ଫଳରେ ଯାହାକିଛି ମାଗଣାରେ ଖାଦ୍ୟ, ବସ୍ତ୍ର, ଟଙ୍କା ଯୋଗାଇଦିଆଯାଉଥିଲା ସବୁ ବନ୍ଦ ହୋଇଗଲା। ୩ କୋଟି ୫୦ ଲକ୍ଷ ମାଗଣାଖିଆ ବିନା କାମରେ ହାତ ପତଉଥିବା ଲୋକମାନଙ୍କର ଅବସ୍ଥା ଖରାପ ହେଇଗଲା। ସେମାନେ ଯେଉଁଠି ଧନସମ୍ପତ୍ତି ଅଛି ଲୁଟିବା ଆରମ୍ଭ କଲେ। ଝିଅମାନେ ଦେହ ବିକିବା ସାଙ୍ଗକୁ ପୁଅମାନେ ଚୋରି ଡକାୟତି ଚଳାଇଲେ। ଭେନେଜୁଏଲା ସରକାର ବଂଚିବା ପାଇଁ ବିଭିନ୍ନ ଦେଶରୁ କରଜ କରିବାପାଇଁ ହାତ ପାତି ମଧ୍ୟ ସଫଳ ହୋଇପାରିଲାନାହିଁ। ବର୍ତ୍ତମାନ ଭେନେଜୁଏଲାର ରାଜଧାନୀ କାରାକାସ୍ ପୃଥିବୀର ସବୁଠୁ ଅସୁରକ୍ଷିତ ସହର। ସେଠାରେ ହଣାକଟା ଚାଲିଛି। ଝିଅମାନେ ଖଣ୍ଡେ ରୁଟି ପାଇଁ ତାଙ୍କ ଇଜ୍ଜତ୍ ବିକ୍ରୀ କରିବାରେ ଲାଗିଛନ୍ତି। କିଭଳି ଏଇ ବିରାଟ ଦେଶ ତାହାର ୩ କୋଟି ୫୦ ଲକ୍ଷ ଲୋକଙ୍କ ପାଇଁ ଧାନ, ଗହମ ଉତ୍ପାଦନ କରିବାକୁ ସକ୍ଷମ ହେଲାନାହିଁ? ଏଇ ଦେଶର ଜନଗଣଙ୍କୁ କିଏ ଏଭଳି ଅପଦାର୍ଥ କରିଦେଲା? କାହିଁକି ଏ ଦେଶରେ ଭୋକିଲାର ଆର୍ତ୍ତନାଦ ପ୍ରତିଦିନ ଗଗନପବନକୁ ଭୀତତ୍ରସ୍ତ କରୁଛି? ଏବେ ଆଉ ଗୋଟିଏ ଦେଶର କଥା ଶୁଣନ୍ତୁ। ଚୀନ ଦେଶର କଥା। ଏକଦା ଚୀନ ଦେଶ ଦେଶୀଶାସକ, ବିଦେଶୀ ସାମ୍ରାଜ୍ୟବାଦୀ ଦେଶଙ୍କ ଅଧୀନରେ ରହିଥିଲା। ଚୀନ ଏକ ବିରାଟ ଦେଶ। ଚାରିଆଡ଼େ ଜମି, ନଈ, ନାଳ, ଜଙ୍ଗଲ, ପର୍ବତ, ପାହାଡ଼, ଖଣିଖାଦାନ, ଯୁଆଡ଼େ ଦେଖିବ ଖାଲି ସବୁଆଡ଼େ କୃଷକ ଦଳଦଳ। କୁଚକ୍ରୀ ଶାସକମାନେ ଚାଇନାର ସାଧାରଣ ଲୋକଙ୍କୁ ମୁଣ୍ଡକୁ ବିଗାଡି ଦେବା ପାଇଁ ଅଫିମ ନିଶା ବହୁଳ ଭାବରେ ପ୍ରଚଳନ କଲେ। ଶାସକମାନେ ଦୋକାନବଜାର, ହାଟଘାଟରେ ମାହାଳିଆ ଅଫିମ ବିକିବା ଆରମ୍ଭ କଲେ। ଲୋକ ମାହାଳିଆ ପାଇଲେ ନଈବାଲି ଗିଳିଦେବେ। ଚାଇନାର ସମସ୍ତେ ଅଫିମିଆ ହୋଇଗଲେ। ହଠାତ୍ ମାହାଳିଆ ଅଫିମ ବାଂଟିବା ବନ୍ଦ ହୋଇଗଲାରୁ ଲୋକେ ଅଫିମ ପାଇଁ ପାଗଳ। ଯେଉଁଠି ଲୁଚାଛପା ଚୋରାରେ ବିକ୍ରୀ ହେଲା ସେଇଠୁ ଶହେ ଗୁଣ ଦାମ୍‌ରେ କିଣିଲେ। କିଣିବା ପାଇଁ ଅଂଟିରେ ମୁଦ୍ରା ନଥିବାରୁ ଘରଦ୍ୱାର, ଜମିବାଡି ଏପରିକି କଂସାକବାଟ ବିକିବା ଆରମ୍ଭ କଲେ। ଶେଷରେ ନିଜ ସ୍ତ୍ରୀ, କନ୍ୟା, ଭଉଣୀକୁ ମଧ୍ୟ ବିକିବାକୁ ପଛାଇଲେ ନାହିଁ। ଏପରି ଅବସ୍ଥା ହେଲା ଯେ ନିଜ ନାରୀମାନଙ୍କ ଇଜ୍ଜତକୁ ରକ୍ଷାକରିବାକୁ ମଧ୍ୟ ଅଫିମିଆଙ୍କ ପାଖରେ ଅର୍ଥ ନଥିଲା। ସାରା ଦେଶ ଅଫିମ ନିଶାରେ ଢୋଳେଇଲେ। ଖାଦ୍ୟ ଅଭାବ ଘଟିଲା। ଏଇ ସମୟରେ ଚାଇନାର ନେତା ମାଓ ସେ ତୁଙ୍ଗଙ୍କ ଆବିର୍ଭାବ। ସେ ମୂଳରୁ ଲୋକମାନଙ୍କୁ ସଂଗଠିତ ସଚେତନ କରି ମହାବିପ୍ଳବପଥରେ ଆଗେଇନେଲେ। ବିପ୍ଳବ ସଫଳ ହେଲା। ଚାଇନା ଏବେ ଧନସମ୍ପତ୍ତି ସବୁଥିରେ ଭରପୂର। ସାରା ବିଶ୍ୱକୁ ଚମକେଇ ରଖିଛି। ଆମ ଦେଶର ରାଜନୀତିକ ଦଳ ଶାସକମାନେ ଲୋକଙ୍କୁ ସବୁ ମାହାଳିଆ ଦେବେ ବୋଲି ଘୋଷଣା କରି ଭେନେଜୁଏଲା ଦେଶର ଅବସ୍ଥା କରିଦେବେ କି? ଏ ପାଗଳାମି କେବେ ବନ୍ଦ ହେବ? ଏବେ ଆସନ୍ତୁ ଆମ ଓଡିଶାକୁ। ଏଇ ଆମ ପ୍ରିୟ ଓଡିଶାରେ କ’ଣ ନାହିଁ? ଯାହାର ମାଟିତଳେ ଅଜସ୍ର ସମ୍ପଦ। ଲୁହାପଥର, ମାଙ୍ଗାନିଜ୍, କୋଇଲା, କ୍ରୋମାଇଟ୍, ହୀରା, ମୋତି, ମାଣିକରେ ଭରପୂର, ଯାହାର ମାଟି ଉପରେ ବଣ, ଜଙ୍ଗଲ, ପାହାଡ, ପର୍ବତ, ଉର୍ବର ଚାଷଜମି, ନଈନାଳରେ ଭର୍ତ୍ତି, ଯାହାର ବେଳାଭୂମି ଗୋପାଳପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ୱିଛି, ଯାହାର ପୁଅଝିଅମାନେ ସରଳ, ନିରୀହ ଚାଷୀ ପରିବାରରେ ଭରପୂର, ସେମାନେ ଆଜି ଆଖିରୁ ଲୁହ ଗଡାଉଛନ୍ତି କାହିଁକି? ପିଇବା ପାଣି ମୁନ୍ଦିଏ ପାଇଁ ଆର୍ତନାଦ କରୁଛନ୍ତି କାହିଁକି? କାମ ଖଣ୍ଡିଏ ପାଇଁ ମୁଣ୍ଡ ଗଡଉଛନ୍ତି କାହିଁକି? ଖାଦ୍ୟ ଗଣ୍ଡାକ ପାଇଁ ବାରଦୁଆର ହେଉଛନ୍ତି କାହିଁକି? ଜୁଆଡେ ଦେଖିବ କ୍ଷୁଧାର୍ତ୍ତ, ବେକାରି, ଚାଷୀ, ଶ୍ରମିକମାନଙ୍କର ଆର୍ତ୍ତନାଦ। ଏହି ଭୟଙ୍କର ଅସନ୍ତୋଷ ଅଶାନ୍ତି ବ୍ୟାପିବାରେ ଲାଗିଛି। କେତେବେଳେ ଯେ ବିସ୍ଫୋରଣ ହେବ କହିହେବନି। ୧୯୯୦ରେ ଏ ଦେଶର ସରକାର ଯେତେବେଳେ ଗ୍ୟାଟ୍ ଚୁକ୍ତିରେ ସ୍ୱାକ୍ଷର କଲେ ସମଗ୍ର ବିଶ୍ୱର ପୁଞ୍ଜିପତିମାନଙ୍କ ଚରାଭୂଇଁ ପାଲଟିଗଲା ଭାରତ। ସେମାନଙ୍କ ଶାଗୁଣା ଆଖି ଦେଶର ଜମି, ଜଳ, ଜଙ୍ଗଲ, ଖଣିଖାଦାନ ଉପରେ ପଡିଲା। ସେମାନେ ପଶିଆସି ଆମ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କୋଳେଇନେଲେ। କୋଟିକୋଟି ଟଙ୍କାରେ ପୋତିଦେଲେ। ସେମାନଙ୍କ ବୁଦ୍ଧି ହରଣ କରିନେଲେ। ଲୋଭ ଦେଖାଇଲେ। କହିଲେ - ତୁମେ ତ ପାରୁନା, ଆମକୁ ତମ ଜମି, ଜଳ, ଜଙ୍ଗଲ, ଖଣି, ପାହାଡ ଦେଇଦିଅ, ଆମେ ତମକୁ ଚାକିରି ଦେବୁ, ସବୁକିଛି ଦେଇଦେବୁ। ତାଙ୍କ ମନ ଭୁଲାଣିଆ କଥାରେ ଭାରତ ସରକାର ଦେଶର ଚତୁର୍ଦ୍ଦିଗକୁ ମେଲା କରିଦେଲେ। ସେମାନେ ଯିଏ ଯୁଆଡେ ଆସି ନିଜ ନିଜ ଜାଗା ଦଖଲ କରିନେଲେ। ଆମ ଓଡିଶାରେ କ୍ରୋମାଇଟ୍ ସୁକିନ୍ଦାରେ ୯୮ ପ୍ରତିଶତ ଅଛି। ଲୁହାପଥର ଦେଶରେ ୨୭ ଭାଗରୁ ଅଧିକ ଅଛି। କୋଇଲା ମଧ୍ୟ ୩୪ ଭାଗ ଅଛି। ମାଙ୍ଗାନିଜ୍ ୫୬ ଭାଗ ଅଛି। ୨୩ ପ୍ରକାର ଖଣିଜ ସମ୍ପଦ ଭର୍ତ୍ତି ହେଇଛି। ବିଶେଷକରି ଲୁହାପଥର, କ୍ରୋମାଇଟ୍ ବିଶ୍ୱର ଇସ୍ପାତ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଚାଇନାରେ ଆମଠାରୁ ପର୍ଯ୍ୟାପ୍ତ ଲୁହାଖଣି ଥିଲେ ମଧ୍ୟ ସେ ଦେଶ ୧୦୦ ବର୍ଷ ପାଇଁ ଲୁହାପଥର ଉତ୍ପାଦନ ନକରି ତାଙ୍କ ଉତ୍ତରପିଢି ପାଇଁ ସାଇତି ରଖିଛି। ଆମ ଓଡିଶାକୁ ଆସି ସରକାରକୁ ଧରି ଲୁହାପଥର କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ କଲା। ଲୁହାପଥର ଟନ୍ ସେତେବେଳେ ୨୫୦ ଟଙ୍କାରେ କେହି କିଣୁନଥିଲେ। ହଠାତ୍ ଗୋଟିଏ ଟନକୁ ୫ ହଜାର ଟଙ୍କାରେ କିଣିବା ପାଇଁ ଘୋଷଣା କଲା। ଆମ ସରକାର, ପ୍ରଶାସନ, ଖଣି ବେପାରୀ, ଠିକାଦାର, ଟ୍ରାନ୍ସପୋର୍ଟରଙ୍କ ପାଟିରୁ ଅନବରତ ଲାଳ ବୋହିବାକୁ ଲାଗିଲା। ସେମାନେ କେନ୍ଦୁଝର, ସୁନ୍ଦରଗଡ ଖଣିକୁ ଖୋଳକରି ରାତିଦିନ ପାରାଦ୍ୱୀପ ବୋହିବାରେ ଲାଗିଲେ। ସେଇ ୪-୫ ବର୍ଷ ସରକାରଠାରୁ ଆରମ୍ଭ କରି ଖଣି ବେପାରୀମାନେ କୋଟିକୋଟି ଟଙ୍କା ରୋଜଗାର କଲେ। ଖଣି ମାଫିଆଙ୍କ ଅକ୍ତିଆର ଆସିଗଲା ଆମ ଅର୍ଥନୀତିରୁ ରାଜନୀତି ପର୍ଯ୍ୟନ୍ତ ବୃହତ୍ତର ସ୍ତରକୁ। ସେମାନେ ସରକାରକୁ ନଚେଇଲେ। ହଠାତ୍ ଚାଇନା ଲୁହାପଥର କିଣିବା ବନ୍ଦ କରିଦେଲା। ଆମ କ୍ରୋମାଇଟକୁ ମଧ୍ୟ ଜାପାନ କିଣିନେଇ ତା ସମୁଦ୍ରରେ ଗୋଦାମ କରି ରଖିଲା। ଆମେରିକା, ଜାପାନ ପ୍ରମୁଖ ୨୩ଟି ଦେଶ ସୁକିନ୍ଦାରୁ କ୍ରୋମାଇଟ୍ ରାତିଦିନ ବୋହି ଖୋଳ କରିଦେଲେ। ଏଠିବି ବହୁ ଲୋକ ମାଲେମାଲ। ଏଣେ ଆମ ସରକାର ବିରୋଧୀ ଦଳମାନେ ଲୋକଙ୍କୁ ସବୁ ମାହାଳିଆ ଦେବାପାଇଁ ଘୋଷଣା କରି ବାଇଆ କରିଦେଲେଣି। ସମୟ ଆସିବ ଶାସକ ବୋପାରୀମାନେ କିଏ କୁଆଡ଼େ ମରି ହଜିଯିବେ। ଯେଉଁମାନେ ସମ୍ପତ୍ତି କମେଇଗଲେ ତାଙ୍କ ପରିବାର ସିନା ଗୋଡରେ ଗୋଡ ପକାଇ ଖାଇବେ - ଆମେ ଓଡିଶାବାସୀ, ଚାଷୀକୁଳ, ଶ୍ରମିକକୁଳ କ’ଣ ଜଳକା ହୋଇ ଚାତକ ଭଳି ଚାହିଁରହିଥିବା? ମୁଣ୍ଡରେ ହାତମାରି କପାଳକୁ ନିନ୍ଦୁଥିବା? ନା। ଆଉ ମୁଣ୍ଡରେ ହାତଦେଇ ବସିବାର ବେଳ ନୁହେଁ। ଅଧିକାର ଛିଣ୍ଡେଇ ଆଣିବାର ସମୟ ଆସିଗଲାଣି। ଆସନ୍ତୁ ଆମେ ସବୁ ଏକ ହେବା। ନୂଆ ଓଡିଶା ଗଢିତୋଳିବା। ଯାଜପୁରରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :