ଗଣତନ୍ତ୍ର ବର୍ଜନ କଲେ ଗ୍ରାମବାସୀ

ଗଣତନ୍ତ୍ର ବର୍ଜନ କଲେ ଗ୍ରାମବାସୀ

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଂଚଳ କୁହାଯାଉଥିବା ବଣପାହାଡ଼ ଘେରା ବାଂଶପାଳ ବ୍ଲକର ଏପରି ଅନେକ ଗାଁ ଅଛି ଯେଉଁଠାରେ ବସବାସ କରୁଥିବା ଲୋକେ ସରକାରଙ୍କ ଅନେକ ମୌଳିକ ସୁବିଧାରୁ ଦୂରରେ ରହିଯାଇଛନ୍ତି। ଏପରିକି ଗ୍ରାମକୁ ଯାତାୟତ ଯୋଗ୍ୟ ରାସ୍ତା ନାହିଁ କିମ୍ୱା ପାନୀୟ ଜଳର ସୁବିଧା ନାହିଁ। ଏହି ଗ୍ରାମରେ ବିଦ୍ୟୁତ ସେବା ସାତ ସପନ। ହରିଚନ୍ଦନପୁର ବ୍ଲକର ବଡ଼ ପଳାଶପାଳ ପଂଚାୟତ ରାଣୀପଡ଼ା ଗ୍ରାମ ହେଉ କି ବାଁଶପାଳ ବ୍ଲକର ଫୁଲଝର ପଂଚାୟତ ଅନ୍ତର୍ଗତ ଧଳାଡିହି ଗ୍ରାମ। କେବଳ ଭୋଟ ଆସିଲେ ଏଠାକୁ କିଛି ନେତା ଆସିଥାନ୍ତି। ମୌଳିକ ସୁବିଧାରୁ ଦୂରରେ ଥିବା ଏହି ଗ୍ରାମବାସୀ ଏଥର ୨୦୧୯ ସାଧାରଣ ନିବାର୍ଚନରେ ଭୋଟ ନଦେବା ନିଷ୍ପତି ନେଇ ଭୋଟ ବର୍ଜନ କରିଥିଲେ। ଧଳାଡିହି ଗ୍ରାମ ପ୍ରଥମିକ ବିଦ୍ୟାଳୟ ୨୦ ନଂ ବୁଥରେ ୨୫୭ ଜଣ ପୁରୁଷ ଓ ୨୯୩ ଜଣ ମହିଳା ଭୋଟର ଥିବା ବେଳେ ପାନୀୟ ଜଳ ଅଭାବ, ରାସ୍ତା ନଥିବା ଓ ବିଦ୍ୟୁତ ସଂଯୋଗ ଦାବୀ ନେଇ ପୂର୍ବରୁ ଜିଲାପାଳଙ୍କୁ ଦେଖାକରି ଭୋଟ ବର୍ଜନ କଥା ଜଣାଇଥିଲେ। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା ହେତୁ ସେମାନେ ୨୦୧୯ ସାଧାରଣ ନିବାର୍ଚନରେ ଭୋଟ ବର୍ଜନ କରି ଉଦାହରଣ ସୃଷ୍ଟି କଲେ। ଏହି ଗ୍ରାମକୁ ଯିବାକୁ ହେଲେ ନାଳ ପାର ହୋଇ ଯିବାକୁ ପଡ଼େ। ୧୯୯୩ ମସିହାରୁ ଏଠାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ନା ରହିଛି ସ୍କୁଲର ପାଚେରୀ ନା ଅଛି ସ୍କୁଲ ପିଲାଙ୍କ ପାଇଁ ପାଣିର ସୁବିଧା। ଗୋଟିଏ ଅଚଳ ନଳକୂପ ଥିଲେ ବି କେଉଁ କାଳରୁ ଅଚଳ ସେକଥା କହି ହେବନାହିଁ। ଶୌଚାଳୟ ନିର୍ମାଣ ସ୍ୱପ୍ନ। ଏହି ଗ୍ରାମ ନିକଟରେ ଆରଡେଣ୍ଟ ଷ୍ଟିଲ କାରଖାନା ଥିଲେ ବି କମ୍ପାନୀ ପାରିପାର୍ଶ୍ବିକ ଉନ୍ନୟନରେ ଏହି ଗ୍ରାମ ପାଇଁ କିଛି ବିକାଶ କରିବାର ନାଁ ଧରୁନାହିଁ। ବୁଦ୍ଧିଜୀବୀ ଗ୍ରାମବାସୀଙ୍କ ନିଷ୍ପତିକୁ ଠିକ କହିଛନ୍ତି। ଅନୁରୂପ ଭାବେ ହରିଚନ୍ଦନପୁରର ଉପାନ୍ତ ଅଂଚଳ ୩୦୭ ଜଣ ଭୋଟର ଓ ରାଣୀପଡାର ୫୪୧ ଜଣ ଭୋଟର ମଧ୍ୟ ଏହି ଗ୍ରାମପ୍ରତି ପ୍ରଶାସନର ଉପେକ୍ଷା ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି। ପ୍ରଶାସନକୁ ଆଗାମୀ ଦିନରେ କୌଣସି ପ୍ରକାର ସହେଯାଗ ନକରିବାକୁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ପ୍ରଶାସନ ଖୁବ ଶୀଘ୍ର ଏହାର ପ୍ରତିକାର କରିବାର ପ୍ରତିଶୃତି ଦେଇଛି। ଏହି ବୁଥଗୁଡିକରେ ମତଦାନ ପାଇଁ କର୍ମଚାରୀ ପହଁଚିବା ପରେ ଗ୍ରାମବାସୀଙ୍କ ତରଫରୁ ସୁବିଧା ଯୋଗାଇଥିବା ବେଳେ ଭୋଟଦାନ ପାଇଁ କେହି ଆସିନଥିଲେ। ଭୋଟ ପାଇଁ ଆସିଥିବା କର୍ମଚାରୀମାନେ ଖାଲି ବସିବସି ନିର୍ବାଚନ ସମୟ ଶେଷଯାଏ ଅପେକ୍ଷା କରିଥିଲେ। ଏହି ଗ୍ରାମ ଗୁଡିକର ପୂର୍ବରୁ ଜଣାଇଥିବା ସାମୂହିକ ଭୋଟ ବର୍ଜନ ନିଷ୍ପତି ଦାବୀକୁ ପ୍ରଶାସନ ହାଲୁକା ଭାବେ ନେଇଥିବା ଦୃଷ୍ଟିରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା।

Share :