କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ ଆମ୍ଭେମାନେ କେହି ପାପୀ ନୋହୁଁ - କିନ୍ତୁ ଲୋଭରେ, ମୋହରେ, ଲାଂଚରେ, କଳାଟଙ୍କାରେ, ରଂଗୀନ ସୁରାରେ ଭୁଲିଯାଇ ପାପୀଙ୍କୁ ସମର୍ଥନ କଲେ, କିମ୍ୱା ତୁଣ୍ଡ ନଖୋଲିଲେ ମହାପାପୀ ବୋଲାଇବା। ସେହି ମହାପାପର ପ୍ରାୟଶ୍ଚିତ କରିବାକୁ ବେଳ ନଥିବ। ମନକୁ ପଚାରି, ବିବେକରେ ବିଚାରି ପାପୀନାଶନ ପାଇଁ ଏହି ମୁହୂର୍ତ୍ତରୁ ଆଗେଇ ଆସନ୍ତୁ। ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ଦେଲେଣି। ଗଲା ଅପ୍ରେଲ ୧୧ ତାରିଖରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି ଦଫାକୁ ଦଫା ମେ’ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଶେଷରେ ମେ’୨୩ରେ ଫଳାଫଳ ଘୋଷଣା ହେବ। ମହାଭାରତ ଯୁଦ୍ଧ ୧୮ ଦିନ ଲାଗିଥିଲା। ରୁଷ ବିପ୍ଲବ ୧୦ ଦିନରେ ଶେଷ ହୋଇଥିଲା। ୨୦୧୯ କଳିଯୁଦ୍ଧ ବର୍ଷବର୍ଷ ଧରି ଲାଗିରହିଛି। ଧର୍ମକୁ ଆଖିଠାରି ମିଛଟାରେ ନିର୍ବାଚନୀ ପାଲା ଚାଲିଛି। ଏ ପାଲା ଦେଢମାସ ଚାଲିବ। ୪୨ ବର୍ଷ ତଳେ ୧୯୭୭ ମସିହାରେ ସଙ୍କଟର ଏକ ସନ୍ଧିକ୍ଷଣରେ ନିର୍ବାଚନ ହୋଇଥିଲା। ସେ ଦିନ ଆଜି ଭିତରେ କେତେ ତଫାତ୍? ଆଜି ସଙ୍କଟର ଶୃଙ୍ଗଶିଖର ଉପରେ ବସି ଆମେ ନିର୍ବାଚନର ହାଣମୁହଁକୁ ମୁହାଁଇଛେ। ଆମକୁ ଜୋରକରି ଟାଣିନେଇ ବଳି ପକେଇଦେବେ। ଏ ନିର୍ବାଚନରେ ଆମକୁ ବାଛିନେବାକୁ ହେବ ଆତ୍ମରକ୍ଷା ନା’ ଆତ୍ମସମର୍ପଣ। ଆଜି ଏ ଦେଶର ବର୍ତ୍ତମାନଟା କି ବିକୃତ, କି ବୀଭତ୍ସ, କି ବିକଳାଙ୍ଗ! ବିଶାଳ ବିରୋଧାଭାସର ବିଚିତ୍ର ଏ ଦେଶ.... ଯାହାକୁ ଆମେ ଭାରତବର୍ଷ କହିଲେ ଉପହାସ କରିବ ଇତିହାସ- ଲଜ୍ଜା ଓ ସଂକୋଚରେ ମୁହଁ ଘୋଡ଼ାଇବେ ଆମ ପୂର୍ବପୁରୁଷ। ଆମର ଭାରତବର୍ଷ ଗୋଟିଏ ବିକଳ ଭଗ୍ନସ୍ତୂପ। ଏଠି ନପୁଂସକ ନାୟକହୀନ ରାଜନୀତି ଉତ୍କଟ ଉପଦ୍ରଂଷ୍ଟ ପରି ଆକ୍ରାନ୍ତ କରିସାରିଛି ଆମର ଏହି ଦୁର୍ଭାଗା ଦେଶକୁ। ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକ ହିଁ ସାଜିଛନ୍ତି ଶାସକ ଶ୍ରେଣୀ। ଦୁର୍ବୃତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ! ମାଫିଆ ହୋଇଛି ମୁଖିଆ, ଗୁଣ୍ଡା ବନିଛି ମୁଣ୍ଡିଆଳ, ମେଣ୍ଢା ପାଲଟଛି ଭେଣ୍ଡା, ଗବ୍‌ବର ହୋଇଛି ମାତବର୍‌, ଜିରୋ ହୋଇଛି ହିରୋ। ଶାସକମାନଙ୍କ ଆଖିରେ କୁମ୍ଭୀରର ଅଶ୍ରୁଳ ବିଜ୍ଞପ୍ତି ଦେଖି ଭୁଆଁ ବୁଲୁଛି ଭାରତୀୟ ଜନତା। ସ୍ୱର୍ଣ୍ଣକଙ୍କଣଧାରୀ କ୍ଷୁଧିତବ୍ୟାଘ୍ରର ବାହ୍ୟ ବୈରାଗ୍ୟରେ ପ୍ରତାରିତ ହେଉଛି ଆଜିର ପ୍ରଲୁବ୍‌ଧ ଯୁବସମାଜ। ଚଂଚକ ରାଜନୀତି ଚଳୁ କରିବାକୁ ବସିଛି ସାରାଦେଶକୁ। ରାଜନୈତିକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣର ଗଢିଉଠିଛି ଖୋଲାଖୋଲି ସଂପର୍କ। ଭିନ୍ନ ଭିନ୍ନ ନାଁ ଓ ଦଳ ଦଖଲ କରିନେଇଛନ୍ତି ଭିନ୍ନ ଭିନ୍ନ କିଆରି। ଜନସ୍ୱାର୍ଥ ନୁହେଁ, ଆତ୍ମ ଓ ନ୍ୟସ୍ତସ୍ୱାର୍ଥ ହିଁ ଆଜି ଏକମାତ୍ର ଆଭିମୁଖ୍ୟ। ସେଥିପାଇଁ ଆଜି ନେତାମୁଣ୍ଡରେ ଟୋପି, ଜନତା ମଥାରେ ଥୋପି ! ନେତାର ଚାଲିଛି ବିଧାନସଭା, ରାଜ୍ୟସଭା, ଲୋକସଭା। ଜନତାର କେବଳ ଶୋକସଭା। ଆଜିର ରାଜନୀତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମ ଧୂସର। ଏହି ଅବସ୍ଥା ଏକ ଅରାଜକତା ଓ ଅତି ଅବ୍ୟବସ୍ଥା ଛଡ଼ା ଆଉ କ’ଣ ହୋଇପାରେ? ଏହି ଅବାଂଛନୀୟ ଅବସ୍ଥାରୁ ହିଁ ଜନ୍ମନିଏ ଆତଙ୍କବାଦ, ଅନ୍ଧବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ। ବିଷମଞ୍ଜି ଆଜି ପାଲଟିସାରିଛି ବିଶାଳ ବିଷବୃକ୍ଷ। ଏ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାସରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ। ଭାରତବର୍ଷର ପ୍ରତ୍ୟେକ ଗାଁ ଗୋଟିଏ ଭାତହାଣ୍ଡିର ଚାଉଳ। ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳଶୂନ୍ୟତା ସବୁଠି ସଂଚରିତ। ଏହା ନିଶ୍ଚିତପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଂଟୁଆରୀର ମୁକୁଳା ମଇଦାନରେ ଯର୍ଶି ପିନ୍ଧିବାକୁ ଆଗେଇଆସୁଛି, ତାହା ପାଇଁ ମସ୍ତବଡ ଚ୍ୟାଲେଞ୍ଜ। ମାତ୍ର ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କେତୋଟି ଦଳ ଭିତରେ ରହିଛି? ସ୍ୱାଧୀନ ଭାରତବର୍ଷରେ ଅସଲ ଶାସକ ଦଳ ଏପର୍ଯ୍ୟନ୍ତ ଏକ ଉତ୍କଟ ପ୍ରଶ୍ନବାଚୀ। କୌଣସି ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧର ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଗୋଟାଏ ଶବ୍ଦ ଏକ ସବୁଠି ପ୍ରତିଧ୍ୱନିତ, ହାଇକମାଣ୍ଡ୍! ଏ ହାଇକମାଣ୍ଡ୍ମାନଙ୍କ ଛାଇରେ ନାହିକଟା ନାବାଳକ ଭାରତବର୍ଷର ଭବିଷ୍ୟତ ଆମ ରାଜନୀତିରେ ବଜାଇଚାଲିଛି ଏକ ଶିଶୁମୃତ୍ୟୁଭୟର ସତର୍କଘଣ୍ଟି! ବର୍ତ୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପ୍‌ଚାପ୍‌ ବସିରହିବା ଆଦୌ ନିରାପଦ ନୁହେଁ। ପରିଛନ୍ନ ଭାବମୂର୍ତ୍ତୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱ୍ୱଳ ଭବିଷ୍ୟତର ସୁରକ୍ଷାକଳ୍ପେ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆହୋଇପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ। ଜନଗଣଙ୍କୁ ଅନ୍ଧକାରରେ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଁରେ ଗାଦିରେ ଠାକୁର କରାଇ ବସାଇଦେଉଥିବା ଯାଏଁ - ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍ ବିଛେଇ ଚାଲୁଥିବା ମାତ୍ର। ଏବେ ନକାରାମିକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି ଏବଂ ଏ ବ୍ୟାଧି ଉତ୍କଟ ଭାବରେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଶି ଦେବାପାଇଁ ପୁରା ତୟାର। ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ? ଆଜି ମନ୍ଦିର-ମସ୍ଜିଦକୁ ନେଇ ଝଗଡା। ଧର୍ମ- ଅଧର୍ମକୁ ନେଇ ବିବାଦ। ସୀମା-ସନ୍ତ୍ରାସକୁ ନେଇ ତୁମ୍ୱିତୋଫାନ। ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳକରି ସାରା ପୃଥିବୀରେ ସମ୍ପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତରେ ଚମତ୍କାରିତା ପ୍ରଦର୍ଶନ କରିଚାଲିଛି। ମାଟିଠୁଁ ମଣିଷକୁ ଅଲଗା କରିଦିଆଯାଉଛି। ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖାଯାଉଛି। ସ୍ୱପ୍ନଠୁ ସଂକଳ୍ପକୁ ହଟେଇ ନିଆଯାଉଛି। ସବୁସ୍ତରରେ ଲେଲିହାନ୍ ଲୋଳଜିହ୍ୱା ବିସ୍ତାର କରିଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା। ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲାତି କରୁଥବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ଶି ଆଗରେ ଚେହେରା ନଚାଉଥିବା ଦୁର୍ନୀତିଗ୍ରସ୍ତ ପ୍ରଶାସକବର୍ଗ ସମକାଳୀନ ସମାଜର ଏ ଉତ୍କଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ। ଆମେ କଂସେଇମାନଙ୍କୁ କରିଛୁ କର୍ଣ୍ଣଧାର। ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଜବ ଗୋଟାଏ ଅଜଗରୀ ରାଜନୀତି ବିସ୍ତାର କରିସାରିଛି ତାହାର ଭୟଙ୍କର ଫଣା। ଜଘନ୍ୟ ଜନଜହ୍ଲାଦମାନଙ୍କ ପ୍ରଚଣ୍ଡ ଫୁତ୍କାର ଭିତରେ ମିଳେଇ ଯାଉଛି ପ୍ରବଂଚିତ ଜନଗଣଙ୍କ ଛିନ୍ନଭିନ୍ନ ଚିତ୍କାର! ବାପ ଯାଉଛି ଦାଦନକୁ, ମା’ ଗୋଟୋଉଛି ଗୋବର, ପିଲା ବିକ୍ରୀ ହେଉଛି ବିଚ୍ ବଜାରରେ। ଦଳମାନେ ବାଂଟିଚାଲିଛନ୍ତି ଫମ୍ପା ପ୍ରତିଶ୍ରୃତିର ପାମ୍ପରା ପାମ୍ପଲେଟ୍। ହାଣମୁହଁକୁ ମୁହାଁଇ ଚାଲିଥିବା ଆମର ଏଇ ଯୁଗଯୁଗର ଐତିହ୍ୟମୟ ଦେଶ ଓ ସମାଜଜୀବନକୁ କ’ଣ ନିଶ୍ଚିହ୍ନ ହେବାପାଇଁ ଆମେ ଛାଡ଼ିଦେବା? ଗୋଟାଏ କୁରୁକ୍ଷେତ୍ରରେ ଦିନେ ମୂଳପୋଛ ହୋଇଯାଇଥିଲା ମହାଭାରତ। ଆଜି ଆମ ସାମ୍ନାରେ ସହସ୍ର କୁରୁକ୍ଷେତ୍ର...ଆମର ଏଇ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକେଇଦେବା ତା’ ଭିତରେ ? ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଭାରତୀୟ ସମାଜବ୍ୟବସ୍ଥାରେ ରାଜନେତା, ଅପରାଧୀ, ଶିଳ୍ପପତି, ଅମଲାତନ୍ତ୍ରୀମାନଙ୍କ ଅଶୁଭ ମୈତ୍ରୀ କେବେଠୁଁ ଶାସନକ୍ଷମତାକୁ ଜାବୁଡି ଧରିଥିବାରୁ ଆଜି ଦେଶରେ ଆର୍ଥିକ ଦୁର୍ଗତି, ରାଜନୈତିକ ଭଣ୍ଡାମି, ସାମାଜିକ ବ୍ୟଭିଚାର, ସାଂସ୍କୃତିକ ଅଧୋପତନ ଦ୍ରୁତଗତିରେ ବଢିଚାଲିଛି। ସମ୍ପ୍ରତି ନିର୍ବାଚନ ଭୟଙ୍କର ଯୁଦ୍ଧ ଆଡ଼କୁ ଗତିକରୁଛି। ଏ ନିର୍ବାଚନ ଧର୍ମଯୁଦ୍ଧ ନୁହେଁ, ଜଘନ୍ୟ କ୍ଷମତାଯୁଦ୍ଧ। ଗଣତନ୍ତ୍ର ଆଜି ରକ୍ତାକ୍ତ- ସାମ୍ପ୍ରଦାୟିକ ଦଙ୍ଗା, ଦୁର୍ନୀତି ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର, ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟଆଡକୁ ନେଇଯିବାପାଇଁ ଉନ୍ମାଦନା, ଉତ୍ତେଜନା ସୃଷ୍ଟିକରିବା ସଂଗେସଂଗେ ଜନଗଣଙ୍କ ଅଧିକାରକୁ ପଣ୍ୟ କରିବାପାଇଁ କଦର୍ଯ୍ୟ, କୁତ୍ସିତ ଚରିତ୍ରସଂହାର, ବାକ୍‌ଚାତୁରିପୂର୍ଣ୍ଣ ଉଦ୍ଦଣ୍ଡନାଚ। ଗଣମାଧ୍ୟମରେ ନକଲି ଚେହେରା ପ୍ରଦର୍ଶନ ଓ ମିଥ୍ୟା ପ୍ରଚାର କରି କୋଟିକୋଟି ଜନଗଣଙ୍କ ମଧ୍ୟରେ ବିଭ୍ରାନ୍ତି ବିଦ୍ୱେଷ ସୃଷ୍ଟିକରାଯାଉଛି। ମଣିଷସଭ୍ୟତାର ପୁରୁଣା ଧର୍ମଯୁଦ୍ଧରେ କିଛି ନିୟମକାନୁନ୍ ଥିଲା। ଏବେ ଅମଣିଷ ରାଜନୀତିର ନିର୍ବାଚନୀ କ୍ଷମତା ଯୁଦ୍ଧରେ ସ୍ୱାର୍ଥପାଇଁ ଯିଏ ଯାହା କଲା ସେଇଟା ନୀତି ବୋଲି ଜବରଦସ୍ତ ଜାରି ରହିଛି ଢୋଲପିଟା। ଡମ୍ପା ଓ ଫମ୍ପା ପ୍ରଚାର ପାଇଁ ଜନଗଣଙ୍କ ଝାଳବୁହା ଧନ କାହିଁକି ଖର୍ଚ୍ଚ ହେବ? ଏ ପ୍ରଶ୍ନ ପଚାରିବା କାହାକୁ? ଜର୍ମାନୀର ହିଟଲର - ଆର୍ଯ୍ୟଜାତି ଶ୍ରେଷ୍ଠ ଜାତି, ସମାଜବାଦୀର ଧ୍ୱନିଦେଇ ପୁଞ୍ଜିବାଦ ସାମ୍ରାଜ୍ୟବାଦର ଶେଷ ଅସ୍ତ୍ର ଫାଶୀବାଦ ଆଣିଥିଲା। ଇତିହାସ ତାକୁ କ୍ଷମା ଦେଲାନି, ସେ ଆତ୍ମହତ୍ୟା କଲା। ଆଜି ଫାଶୀବାଦ ଏକ ନୂଆରୂପ, ନୂଆଢାଂଚା, ନୂଆକୌଶଳରେ ଦେଶ ଓ ରାଜ୍ୟରାଜ୍ୟରେ ପ୍ରବେଶ କରିସାରିଛି। ଧର୍ମ, ଜାତି, ସମ୍ପ୍ରଦାୟ ନାଁରେ ପ୍ରଗତି, ବିକାଶ ନାଁରେ ସମସ୍ତଙ୍କୁ ସବୁ ଦେଇଦେବୁ ପ୍ରଚାରରେ ଫାଶୀବାଦର ଉତ୍କଟ ବିଷମଞ୍ଜି ବୁଣାଯାଇ ଛୋଟଛୋଟ ଗଛଗୁଡ଼ାକୁ ଏବେ ବଡବଡ ବିଷବୃକ୍ଷରେ ପରିଣତ କରାଗଲାଣି। ଦେଶ ତମାମ୍ ଜାଲିଆତିର ଜାଲ ବିଛାଯାଇଛି, ଜନଗଣ ଜଳକା ହେଇ ଅନାଇଛନ୍ତି। ଦେଶର ଭବିଷ୍ୟତ ନିର୍ଭର କରୁଛି ୨୦୧୯ ନିର୍ବାଚନ ଉପରେ। ଆଗକୁ ଭୟଙ୍କର ବିପଦ। ଯିଏ ଯାହା ପ୍ରତିଶ୍ରୃତି ଦେଉଛି, ସେସବୁ ଅବାନ୍ତର ପ୍ରତିଶ୍ରୃତିର ଉଚ୍ଚତା ଏଭରେଷ୍ଟକୁ ଟପିଗଲାଣି। ସ୍ୱୟଂ ଭଗବାନ ଯଦି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନିଅନ୍ତି, ସେ ବି ଟଙ୍କାରେ ଅଣେ ପ୍ରତିଶ୍ରୃତି ପାଳନ କରିପାରିବେ କି ନାହିଁ ସନ୍ଦେହ! କାରଣ ଭାରତବର୍ଷର ଏହି ଭୟଙ୍କର ପୂତିଗନ୍ଧମୟ ସମାଜବ୍ୟବସ୍ଥାରେ ଯିଏ ଯାହା କହୁ ପଛକେ ମାଟି କାମୁଡ଼ି ପଡ଼ିରହିଥିବା ଏ ଭାରତୀୟ ମହାଜାତିର ଅସଲ ଇଚ୍ଛା କଦାପି ପୂରଣ କରିପାରିବେନାହିଁ। ଯାହା ବି କରାଯିବ ସବୁ ସେଇ ପୁଞ୍ଜିବାଦର ସ୍ୱାର୍ଥରେ। ତେଣୁ ନିର୍ବାଚନରେ ସରକାର ବଦଳେଇଦେଲେ ଲୋକଙ୍କର ଭାଗ୍ୟ ବଦଳିଯିବ, ଏ କଥା ଭାବିବା ମୂର୍ଖତା ଛଡା ଆଉ କିଛି ନୁହେଁ। ଦେଶର ପରିବର୍ତ୍ତନ, ଜନଗଣଙ୍କର ବିକାଶ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ମହାଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡିବ। ଏ ନିର୍ବାଚନର ଭୋଟରମାନଙ୍କୁ କଳ୍‌କୀ ଅବତାରର ଭୂମିକା ନିର୍ବାହ କରିବାକୁ ହେବ। କୋଟିକୋଟି ଗରିବ ଚାଷୀ, ଶ୍ରମିକ, ଯୁବକ, ବିସ୍ଥାପିତ ନରନାରୀ, ନିରନ୍ନ ନିରୀହ ମଣିଷମାନଙ୍କୁ ଗଣତନ୍ତ୍ରର ହତିଆର ଭାବେ ବ୍ୟବହାର କରି ଏବେ ନୂତନ ପିଢ଼ିର ରଣନୀତିଜ୍ଞମାନଙ୍କୁ ଘୋଷଣା କରିବାକୁ ପଡ଼ିବ ଯେ ଦେଶଦ୍ରୋହୀମାନଙ୍କ ମୁଖାରେ ଶକ୍ତ ଆଘାତ ଦେବାର ସମୟ ଆସିଯାଇଛି। ସେ ଦେଶଦ୍ରୋହୀମାନଙ୍କୁ ଖୋଜିବାକୁ ହେଲେ ବିଦେଶ ଯିବାକୁ ପଡ଼ିବ ନାହିଁ, ଦୂର ସୀମାନ୍ତରେ ପାଦ ପକାଇବାର କ୍ଳେଶ ବରଣ କରିବାକୁ ହେବ ନାହିଁ। ସେମାନେ ଅଛନ୍ତି ଆମ ଆଗରେ ପଛରେ, ଏକଡ଼ ସେକଡ଼ ଚାରିକଡ଼। ଏଇ ଦେଶ ଭିତରେ, ଆମ ଆଖିର ପରିଧିରେ, ନାମ ସାମ୍ନାରେ। ସେମାନଙ୍କ ସଂହାର ସକାଶେ ଭାରତୀୟ ଭୋଟର ଏବେ କଳ୍‌କୀର ଭୂମିକା ନେବା ଦରକାର। ଯାଜପୁରରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :