କାହାର ବିଜେଡି? କାହାର ସରକାର?

କାହାର ବିଜେଡି? କାହାର ସରକାର?

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସାରା ବିଜେଡି ପ୍ରାର୍ଥୀ ବାଛିଲେ ନବୀନ ପଟ୍ଟନାୟକ, କେବଳ ଦୁଇଟି ଆସନକୁ ଛାଡ଼ି। ସେ ଦୁଇଟି ଆସନର ପ୍ରାର୍ଥୀ ବାଛିଲେ ସନାତନ ମହାକୁଡ଼। ସନାତନ ବିଜେଡିର କେହି ନୁହନ୍ତି। କିନ୍ତୁ ବିଜେଡି ଉପରେ ତାଙ୍କର ଏତେ ପ୍ରଭାବ! ରହସ୍ୟ କ’ଣ? ଅନ୍ୟ ସବୁ ଥର ପରି ଏଥର ମଧ୍ୟ ଶାସକ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀଙ୍କୁ ବାଛିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ତାଙ୍କରି ଘର ଆଗରେ ବିଜେଡି ନେତା ଓ କର୍ମୀମାନେ ଧାଡ଼ି ବାନ୍ଧିଲେ, ଦରଖାସ୍ତ କଲେ, ଲବି ଚଳେଇଲେ, ଟିକେଟ ନେଲେ। ବିଜେଡି ପ୍ରାର୍ଥୀ ହେବାକୁ ନବୀନ ନିବାସ ଆଗରେ ମାସାଧିକ କାଳ ଜନଗହଳି ଲାଗି ରହିଲା। ଶେଷରେ ସେ ବିଭିନ୍ନ ପର୍ଯ୍ୟାୟରେ ଦଳର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ। ତେବେ ଏହି ପ୍ରକ୍ରିୟାରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ସେ ବାଛି ନଥିଲେ, ଖାଲି ଘୋଷଣା କଲେ। ସେ ଦୁଇ ପ୍ରାର୍ଥୀଙ୍କ ଚୟନ ତାଙ୍କ ନିୟନ୍ତ୍ରଣ ବାହାରେ ଥିଲା। ସେହି ଦୁଇଟି ଆସନ ହେଲା କେନ୍ଦୁଝର ଲୋକସଭା ଆସନ ଏବଂ ସେହି ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁ ଏବଂ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଭାବେ ମୀନାକ୍ଷି ମହନ୍ତଙ୍କ ନାମ ଘୋଷଣା କଲେ। ଯେଉଁ ଦିନ ନବୀନ ପଟ୍ଟନାୟକ କେନ୍ଦୁଝର ଲୋକସଭା ଆସନ ଓ ଚମ୍ପୁଆ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ସେହିଦିନ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ବିଭିନ୍ନ ଟେଲିଭିଜନ ସାମ୍ବାଦିକଙ୍କୁ କହିଲେ ଯେ ସେ ଏ ଦୁଇଟି ନାମ ସୁପାରିଶ କରିଥିଲେ। ବିଜେଡି ମୁଖ୍ୟଙ୍କ ଅନୁରୋଧ ରକ୍ଷା କରି ସେ ନିଜେ ଏଥର ଲଢ଼ିଲେ ନାହିଁ କି ତାଙ୍କ ଦଳ ଏ ନିର୍ବାଚନରେ ପ୍ରାର୍ଥୀ ଦେଲା ନାହିଁ। କିନ୍ତୁ କେନ୍ଦୁଝର ଲୋକସଭା ଓ ଚମ୍ପୁଆ ବିଧାନସଭା ପାଇଁ ସେ ବାଛିଥିବା ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ସେ ଦାବି କରିଥିଲେ। ନବୀନ ପଟ୍ଟନାୟକ ତାହା ଗ୍ରହଣ କରିଥିଲେ। ସନାତନ ମହାକୁଡ଼ ହେଉଛନ୍ତି ଚମ୍ପୁଆର ପୂର୍ବତନ ବିଧାୟକ। ସେ ୨୦୧୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼େଇ କରି ନବୀନ ପଟ୍ଟନାୟକଙ୍କ ମନୋନୀତ ପ୍ରାର୍ଥୀ ପପୁ ପମ୍‌ ପମ୍‌ଙ୍କୁ ପରାସ୍ତ କରିଥିଲେ। ସେହି ନିର୍ବାଚନ ପରେ ପରେ ପପୁ ଏକ ଟେଲିଭିଜନ ସାକ୍ଷାତକାରରେ କହିଥିଲେ ଯେ ସେ କ’ଣ ଚମ୍ପୁଆରେ ସ୍ବୟଂ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ ବି ହାରିଥାନ୍ତେ। ଏହି ନିର୍ବାଚନରେ ମଧ୍ୟ ଚମ୍ପୁଆରେ ସନାତନଙ୍କ ପ୍ରଭାବ ବାରି ହୋଇପଡ଼ୁଛି। ଚମ୍ପୁଆରେ ବିଶେଷକରି ଏବଂ କେନ୍ଦୁଝରରେ ସାଧାରଣ ଭାବେ ସନାତନ ମହାକୁଡ଼ଙ୍କର ସ୍ବତନ୍ତ୍ର ପ୍ରଭାବ ରହିଛି। ତାଙ୍କ ସହିତ ଟକ୍କର ଦେଇ ବିଫଳ ହୋଇଛନ୍ତି କେନ୍ଦୁଝରର ବାହୁବଳୀ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର। ତେବେ କିଏ ଏହି ସନାତନ? ସେ କାହିଁକି ଏତେ ଅସାଧାରଣ? କାରଣ ସେ ହେଉଛନ୍ତି ତ୍ରିବେଣୀ ଆର୍ଥ ମୁଭର୍ସର ଲୋକ। ତ୍ରିବେଣୀ ଆର୍ଥ ମୁଭର୍ସ ପୁଣି କିଏ? ଏହା ଏକ ଅଣଓଡ଼ିଆ କମ୍ପାନୀ। ଏହାର ମାଲିକ ହେଲେ ପ୍ରଭାକରନ? ତାଙ୍କ ଘର ତାମିଲନାଡ଼ୁରେ। ସେ ଓଡ଼ିଶାରେ କ’ଣ କରନ୍ତି? ସେ ଓଡ଼ିଶାର ଡଜନେ ଖଣ୍ଡେ ଖଣିର ଠିକାଦାର ଓ ଉପ-ପଟ୍ଟାଦାର। ଖଣି ଆଇନ ଓ ନିୟମ ଅନୁସାରେ ଖଣି ପଟ୍ଟାଦାର ଖଣି ଖନନ, ଖଣିଜ ଉତ୍ତୋଳନ ଓ ବିପଣନ ଦାୟିତ୍ବ ଅନ୍ୟ କାହାକୁ ଠିକାରେ ଦେଇପାରିବେ ନାହିଁ। ମାତ୍ର, ପ୍ରଭାକରନଙ୍କର ତ୍ରିବେଣୀ ଆର୍ଥ ମୁଭର୍ସ ଆଇନକୁ ଫାଙ୍କି କେନ୍ଦୁଝର ଜିଲ୍ଲାରେ ଥିବା ପ୍ରାୟ ଡଜେନ ଖଣ୍ଡେ ଖଣିର ସବ୍‌-ଲିଜ୍‌ ବା ଉପ-ପଟ୍ଟା ନେଇଛି। ଏସବୁ ଖଣିରେ ପୁଣି ଅନେକ ଆଇନ ଉଲ୍ଲଙ୍ଘନ ହୋଇଥିବା କଥା ବିଚାରପତି ଏମବି ଶାହା କମିଶନ ଭାରତ ସରକାରଙ୍କୁ ଦେଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୦୦ ମସିହାରେ ଏକରକମ ଦେବାଳିଆ ଅବସ୍ଥାକୁ ଖସି ଯାଇଥିଲା ତ୍ରିବେଣୀ ଆର୍ଥ ମୁଭର୍ସ। ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ଏହାର ମାଟି ଖୋଳା ଠିକା କାମ ବାତିଲ ହୋଇଯାଇଥିଲା। ଠିକ ସେତିକିବେଳେ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଖଣି ନିଗମର ଏକ ଖଣିର ରେଜିଂ କଣ୍ଟ୍ରାକ୍ଟ ବା ଖଣିଜ ଉତ୍ତୋଳନ ଠିକା ପାଇଲା ତ୍ରିବେଣୀ। କିନ୍ତୁ ସେହି ଖଣିର ପରିବେଶ ମଞ୍ଜୁରୀ ନଥିଲା। ଏଠି ତ୍ରିବେଣୀ ଯନ୍ତ୍ରପାତି ଓ କର୍ମଚାରୀମାନେ କାମରେ ନଲାଗିଲେ ଆହୁରି କ୍ଷତି। ଏଇ ସମୟରେ ଆରପି ସାଓ ଖଣିର ଠିକା ପାଇଲା ତ୍ରିବେଣୀ। ଯତେ ମୂଲ୍ୟର ଲୁହା ପଥର ବାହାରିବ ଓ ବିକ୍ରି ହେବ ତାହାର ୪୦ ପ୍ରତିଶତ ପାଇବ ତ୍ରିବେଣୀ। ଏହା ପରେ ପରେ କେଜେଏସ ଆଲୁୱାଲିଆ, ଇନ୍ଦ୍ରାଣୀ ପଟ୍ଟନାୟକ ଓ ସିରାଜୁଦ୍ଦିନ ମାଇନ୍ସ। ଏହିପରି ଭାବେ ଯୋଡ଼ା ଖଣି ମଣ୍ଡଳରେ ପ୍ରାୟ ଡଜନେ ଖଣ୍ଡେ ଖଣି ଏବେ ତ୍ରିବେଣୀ ଆର୍ଥ ମୁଭର୍ସ ନିୟନ୍ତ୍ରଣକୁ ଚାଲିଯାଇଛି। ଖଣି ଖନନ, ଖଣିଜ ଉତ୍ତୋଳନ, ପରିବହନ ଓ ବିପଣନ- ଏବେ ପ୍ରାୟ ସବୁ କିଛି କରୁଛି ଏହି କମ୍ପାନୀ। ୨୦୦୦ ମସିହାରେ ୯୦ କୋଟି ଟଙ୍କାର କାରବାର କରୁଥିବା ତ୍ରିବେଣୀର ବାର୍ଷିକ କାରବାର ପରିମାଣ ଖାତାପତ୍ରରେ ୨୦୧୫ରେ ୧୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏବେ ଏହି କମ୍ପାନୀ ଇଣ୍ଡୋନେସିଆ ଓ ଆଫ୍ରିକାରେ ମଧ୍ୟ ଖଣି ପଟ୍ଟା ପାଇଛି। ଇଣ୍ଡୋନେସିଆ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସଂପର୍କ କାହାକୁ ଅଜଣା ନୁହେଁ। ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ମଧ୍ୟ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର ଓଡ଼ିଶା ଆସି ବୁଲିଛନ୍ତି। ଓଡ଼ିଶାରେ ତ୍ରିବେଣୀ ଆର୍ଥ ମୁଭର୍ସର କାରବାର ବୃଦ୍ଧି ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି କ୍ରମେ ଏକ ରାଜନୀତିକ ପ୍ରସଙ୍ଗରେ ପରିଣତ ହୋଇଛି। ପାଣ୍ଡିଆନ ହେଉଛି ତାମିଲ। ପ୍ରଭାକରନ ହେଉଛନ୍ତି ତାମିଲ। ଯୋଡ଼ା ଖଣି ମଣ୍ଡଳରେ ତ୍ରିବେଣୀ ଆର୍ଥ ମୁଭର୍ସ ଗୋଟିଏ ପରେ ଗୋଟିଏ ଖଣିର ଠିକା ପାଇବା ସହିତ ସନାତନ ମହାକୁଡ଼ଙ୍କର ମଧ୍ୟ କାଟତି ବଢ଼ି ଚାଲିଲା। ସନାତନ ପ୍ରଥମେ କିଛି ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରଭାକରନଠାରୁ ପରିବହନ ଠିକା ଯୋଗାଡ଼ କରିଥିଲେ। ପରେ ତାଙ୍କ ଅନୁମତି ବିନା ସେହି ଖଣି ମଣ୍ଡଳରେ କୌଣସି ଖଣିର ଖନନ, ଉତ୍ତୋଳନ, ପରିବହନ ଓ ବିପଣନ ହୋଇପାରିଲା ନାହିଁ। କାରଣ ସାନା ଆବାସ, ସନା ଭତ୍ତା, ସନା ମେଡିକାଲ ସହାୟତା ଆଦି ବ୍ୟକ୍ତିଗତ ଯୋଜନା ଜରିଆରେ କେନ୍ଦୁଝରରେ ସନାତନ ନିଜର ଏକ ରବିନହୁଡ଼ ଭାବମୂର୍ତ୍ତି ସୃଷ୍ଟି କରିଥିଲେ। ତାଙ୍କ କଥାରେ ଖଣି ସମୃଦ୍ଧ ଅଞ୍ଚଳର ଅତ୍ୟନ୍ତ ଗରୀବ ଲୋକମାନେ ଖଣି କାର୍ଯ୍ୟରେ ବାଧାସୃଷ୍ଟି କରୁଥିଲେ। ତେଣୁ ସନାଙ୍କୁ ହାତ କରି ପ୍ରଭାକରନ ଯୋଡ଼ା ଖଣି ମଣ୍ଡଳର ସମ୍ରାଟ ହୋଇଗଲେ। ବିଜେଡିର ବାହୁବଳୀ ବଦ୍ରି ଯୋଡ଼ାରେ ଅନ୍ୟତମ ଖଣି ମାଫିଆ କୁଶ ଓ ଲବ ଆପଟ ଦୁଇ ଭାଇଙ୍କୁ ସମର୍ଥନ କରି ସନାତନଙ୍କ ବିରୋଧରେ ଲାଗିବାରୁ ସେ ୨୦୧୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କଲେ ଓ ଜିତିଲେ ବି। ପରେ ସେ ନିଜର ଏକ ଦଳ ବି ଗଢ଼ିଲେ। ଏଥର ନିର୍ବାଚନ ପୂର୍ବରୁ କିନ୍ତୁ ତାଙ୍କ ଦଳର ବହୁ କର୍ମକର୍ତ୍ତାଙ୍କୁ ଓଡ଼ିଶା ପୁଲିସ ଗିରଫ କଲା। ଭିତରେ କି ବୁଝାମଣା ହେଲା କେଜାଣି ନିଜ ଦଳର ସଭାପତି ପଦରୁ ଇସ୍ତଫା ଦେଲେ ସନାତନ ଆଉ ବିଜେଡି ପାଇଁ ପ୍ରାର୍ଥୀ ଚୟନ କଲେ। ତ୍ରିବେଣୀ ଆର୍ଥ ମୁଭର୍ସର ବି. ପ୍ରଭାକରନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଯୋଗସୂତ୍ର ନଥିଲେ ଏହା ସମ୍ଭବ ହୋଇଥାନ୍ତା କି? ସୁପ୍ରିମ କୋର୍ଟଙ୍କ ନିଯୁକ୍ତ ଉଚ୍ଚ କ୍ଷମତା ସଂପନ୍ନ କମିଟି ଓ ବିଚାରପତି ଏମବି ଶାହା କମିଶନଙ୍କ ରିପୋର୍ଟରେ ଏକାଧିକ ଥର ଉଲ୍ଲେଖଥିଲେ ମଧ୍ୟ ତ୍ରିବେଣୀ ଆର୍ଥ ମୁଭର୍ସର ବେଆଇନ ଖଣି କାରବାର ଏବେ ବି ଅବାଧରେ ଚାଲିଛି କିପରି? ଏହି କମ୍ପାନୀ ନିର୍ବାଚନ ସମୟରେ ପ୍ରାୟ ୭୫୦ କୋଟି ଟଙ୍କାର ମୋବାଇଲ କିଣି ବିଜୁ ଯୁବ ବାହିନୀର କର୍ମୀମାନଙ୍କୁ ବାଣ୍ଟିଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ବି ହୋଇଛି। ତେବେ ରାଜ୍ୟ ସରକାରର ପ୍ରକୃତ ମୁଖ୍ୟ କିଏ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ପ୍ରଭାକରନ? ନା ମଝିରେ ସେତୁ ହୋଇଥିବା ପାଣ୍ଡିଆନ?

Share :