ଗଣତନ୍ତ୍ରର ଜୟ ହେଉ!

ଗଣତନ୍ତ୍ରର ଜୟ ହେଉ!

Share :

ଡି ଶୁଭମ୍ ଓଡ଼ିଶା - ଏକ ଶବ୍ଦ ନୁହେଁ, ବରଂ ଏଥିରେ ଭରି ରହିଛି ଆତ୍ମୀୟତା। ସାରା ଭାରତରେରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ଆମ ଓଡ଼ିଶା। ଏଠି ଥାଏ ଭାଇଚାରାର ନିବିଡ଼ ସର୍ମ୍ପକ। ମାଟି କଥା କୁହେ,ପବନର ସ୍ପର୍ଶକୁ ବି ଅନୁଭବ କରାଯାଇପାରେ। ଏବେ ସବୁଆଡେ଼ ମାଳମାଳ ପୋଷ୍ଟର ଆଉ ହୋର୍ଡିଂ। ନେତାଠୁ ଭୋଟର ସଭିଏଁ ରାଜନୀତିର ହୋଲିରେ ରଂଗୀନ୍। ସବୁଦଳ ନିବାର୍ଚନୀ ଇସ୍ତାହାର ସାଂଗକୁ ବିଜୟ ପରେ କ’ଣ କ’ଣ ବିକାଶ କରିବେ ତାର ଲମ୍ୱା ଚିଠା ଭୋଟରଙ୍କ ଆଗରେ ରଖିଲେଣି। ସକାଳଠୁ ସଂଧ୍ୟା ନେତାଏଁ ଏବେ ଭୋଟରମାନଙ୍କ ଘରେଘରେ। ରାତି ପାହିବାଠୁ ମଧ୍ୟରାତ୍ର ଯାଏଁ ଚାଲିଛି ନିବାର୍ଚନୀ ସଭା। ଲୋକଙ୍କୁ ଆକୃଷ୍ଟ କରିବା ପାଇ ନାନାଦି ଯୋଜନାମାନ ଆପଣେଇଲେଣି। ଖବରକାଗଜଠୁ ଟିଭି ସବୁଠି ନିବାର୍ଚନର ଝଲକ। କିଏ ପିନ୍ଧିବ ମୁକୁଟ, କାହା ପଲା ପଡ଼ିବ ଭାରି....ତାକୁ ଲାଗି ଚାଲିଲାଣି କସରତ। ଶାସକଠୁ ବିରୋଧୀ ସମସ୍ତଙ୍କ ଭିତରେ ଚାଲିଲାଣି ଅଙ୍କକଷା। ଆଉ ଇତି ମଧ୍ୟରେ ବିକାଶକୁ ପ୍ରମୁଖ ପ୍ରସଙ୍ଗ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ବିକାଶର ଡବଲ ଇଞିନ୍ କେଉଁ ଦଳର ଗାଡ଼ିକୁ ଜୋରରେ ଗଡ଼େଇବ ...ଏବେ ତାକୁ ଦେଖିବାର ବେଳ। ବୁଝିହୁଏନି ନିବାର୍ଚନ ଆସିଲେ ସତରେ କ’ଣ ଏ ପରିବେଶ ପାଣିପାଗ ସବୁକିଛି ଓଲଟପାଲଟ ହେଇଯାଏ? ନିବାର୍ଚନର ଘଡ଼ିସନ୍ଧି ମୁହୂର୍ତ୍ତ ଉପନୀତ। ସମୟ ଆସିଛି ନିଜ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାର ସମୟ। ଏ ନିର୍ବାଚନ ରଣାଙ୍ଗନର ସେନାପତି ବି ଜନତା ଆଉ ସାରଥୀ ବି ଜନତା। ତେବେ ଏସବୁ ଭିତରେ ଜନତାଙ୍କୁ ଦୃଷ୍ଟିଦେବାକୁ ପଡ଼ିବ ଯେ ଏ ନିର୍ବାଚନରେ ଯେପରି ଏକ ସ୍ୱଚ୍ଛ ଓ ଲୋକାଭିମୁଖୀ ପ୍ରତିନିଧି ଚୟନ କରିବାକୁ ପଡ଼ିବ। କେବଳ ଭୋଟ ପାଇଁ ପ୍ରଚାର କରି ବସିଗଲେ ହେବନି ବରଂ ସବୁ ସମୟରେ ଲୋକଙ୍କ ପାଇଁ କାମ କରିବାର ଅହେତୁକ ସ୍ପୃହା ଦେଖାଯିବା ଆବଶ୍ୟକ। ଏପରି ପରିସ୍ଥିତିରେ ବିକାଶର ଡବଲ ଇଞିନ କଥାଟା ଟିକେ ନୂଆ ଲାଗୁନି? ଶାସକ ହୁଅନ୍ତୁ କି ବିରୋଧୀ ସଭିଏଁ ବିକାଶର ନାରା ଦେଲେଣି। ଏ ବିକାଶର ଡବଲ ଇଞିନ ଲୋକଙ୍କୁ କେତେ ପ୍ରଭାବିତ କରିପାରିବ ସେଇଟା ଦେଖିବାର ସମୟ। କେବଳ ଶହଶହ କର୍ମୀଙ୍କୁ ନେଇ ବିରାଟ ପଟୁଆରେ ଶୋଭାଯାତ୍ରାଟିଏ କରିଦେଲେ ହବନି ବରଂ ଲୋକଙ୍କୁ ନିଜ ଆଡ଼କୁ ପ୍ରଭାବିତ କରିବାର ଅଛି। ନିଜର ସଚ୍ଚୋଟ ପଣିଆକୁ ପ୍ରତିପାଦିତ କରିବାର ଅଛି। ଗଣତନ୍ତ୍ରରେ ଜନାଦେଶ ହେଉଛି ମୁଖ୍ୟ। ହେଲେ ପରସ୍ପର ଭିତରେ ନିର୍ବାଚନୀ ହିଂସାକୁ ନେଇ ଗୁଣ୍ଡାଗିରି କରିବାର ଦୃଷ୍ଟାନ୍ତ ସତରେ ନିନ୍ଦନୀୟ। ଏ ନିର୍ବାଚନୀ ଜନତନ୍ତ୍ର ଉପରେ ଆଧାରିତ। ସେଇଥି ପାଇଁ ତ ପ୍ରତ୍ୟକ୍ଷ ନିର୍ବାଚନକୁ ଶ୍ରେଷ୍ଠ ନିର୍ବାଚନର ଆଖ୍ୟା ଦିଆଯାଏ। ତେବେ ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାଣିବା ଓ ଜିଣିବା। ପ୍ରଜାତନ୍ତ୍ରକୁ ସମ୍ମାନ ଦେବା ହିଁ ଲକ୍ଷ୍ୟ ହେବା ଆବଶ୍ୟକ। ଗଣତନ୍ତ୍ରର ଉପଯୁକ୍ତ ମାନ ରଖିବା ବିଧେୟ। କେବଳ ଭୋଟ ପାଇଁ କେଇ ଦିନ ପ୍ରଚାର କରିଦେଲେ ନେତାର କାମ ସରିଯାଏନି ବରଂ ଯଥାର୍ଥ ନେତା ସିଏ ଯିଏ ଲୋକଙ୍କ ପାଖରେ ସବୁସମୟରେ ଥାଏ। ପ୍ରମୁଖ କଥା ହେଉଛି ନିଜ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଆଣିବା ଜମାରୁ ଠିକ କଥା ନୁହେଁ । ଏହା ଯୋଗୁଁ ଗୋଟିଏ ଦଳକୁ ବହୁତ କିଛି କ୍ଷତି ସହିବାକୁ ପଡ଼େ। ଏକମନ ଏକମତ ନେଇ ସଭିଏଁ କାର୍ଯ୍ୟ କରିବା ଆବଶ୍ୟକ । ଯିଏ ବି ନେତା ହେଉ କିନ୍ତୁ ଆମେ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିବା, ଏହା ଦଳଗତ ନିର୍ବିଶେଷରେ ସଭିଏଁ ଚିନ୍ତା କରିବା ଆବଶ୍ୟକ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ- ଏହା ସଭିଙ୍କ ବାଣୀ ହେବା ବିଧେୟ। ନିଜ ନିଜ ଭିତରେ କଳହ ନଲାଗି ଏକମନା ହୋଇ କାଯ୍ର୍ୟ କରିବା ଏବଂ ମୁଁ ନୁହେଁ ଆମେ ଏହାକୁ ମନ ଭିତରେ ରଖି କାମ କରିବା। ଏହି ସପ୍ତଦଶତମ ନିବାର୍ଚନର ଫଳାଫଳ ଉପରେ ଏବେ ଉଭୟ ନେତା ଓ ଜନତାଙ୍କ ନଜର। ଏଥରର ପାଣିପାଗ କଣ ରହିବ, ତାକୁ ନେଇ ଏବେ ଚାଲିଲାଣି ତର୍ଜମା । କାହା କପାଳକୁ ସୁନାକଳସ ଖସିବ...ତାହାକୁ ନେଇ ଅପେକ୍ଷା। ଗଣତନ୍ତ୍ରର ଜୟ ହେଉ ...ଏତିକି କାମନା। ଯୋଗାଯୋଗ- ସମ୍ପାଦକ, ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର, ଭଦ୍ରକ ମୋ - ୯୪୩୮୪୬୭୦୭୯

Share :