ବିଜେପିର ଶକ୍ତି ବଢ଼ୁଛି, ବିଜେଡିର ଶଙ୍କା ବଢ଼ୁଛି!

ବିଜେପିର ଶକ୍ତି ବଢ଼ୁଛି, ବିଜେଡିର ଶଙ୍କା ବଢ଼ୁଛି!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ଏପ୍ରିଲ ୧୦ ତାରିଖ। ଭଞ୍ଜନଗର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନଙ୍କୁ ତୁରୁମ ଗାଁରେ କେତେ ଜଣ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କଲେ। ଏହା ପଛରେ ସ୍ଥାନୀୟ ସରପଞ୍ଚ ତଥା ବିଜେଡି ନେତା ଟୁଟୁ ପ୍ରଧାନଙ୍କର ହାତ ଥିବା ସେ ଅଭିଯୋଗ କରିଥିଲେ। ଏପ୍ରିଲ ୧୨ ତାରିଖ। ଭୁବନେଶ୍ବର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ମଧ୍ୟମ ଭୁବନେଶ୍ବର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଶୋଭାଯାତ୍ରା ସମୟରେ ୟୁନିଟ ଆଠରେ ବିଜେଡି କର୍ମୀଙ୍କ ଢେଲା ପଥର ମାଡ଼। ଏଥିରେ ବିଜେପିର ବହୁ କର୍ମୀ ଆହତ ହୋଇଥିଲେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଚିକିଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରାୟ ଅଭିଯୋଗ କରିଥିଲେ ଯେ ତାଙ୍କର ସମର୍ଥକମାନଙ୍କ ଉପରେ ବିଜେଡି କର୍ମୀମାନେ ଅନେକ ସ୍ଥାନରେ ଆକ୍ରମଣି କରିଛନ୍ତି, ଅନେକ ସ୍ଥାନରେ ସେମାନଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ବିଜେପିକୁ ସମର୍ଥନ କରିଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଦ୍ୟାନସାମନ୍ତରାୟ ଅଭିଯୋଗ କରିଥିଲେ। ଏପ୍ରିଲ ୧୪ ତାରିଖରେ ବିଜେପିର ଖୋର୍ଦ୍ଧା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେଡି ସମର୍ଥକମାନେ ଗୁଳି କରି ହତ୍ୟା କଲେ। ଖୁବ ଅଳ୍ପ ରାଜସ୍ବ ଦେଇ ଗାଁର ଗୋଟିଏ ପୋଖରୀ ନିଲାମ ନେଇ ଜଣେ ବିଜେଡି ନେତା ପ୍ରଚୁର ରୋଜଗାର କରୁଥିଲେ। ମଙ୍ଗୁଳି ଜେନା ପଞ୍ଚାୟତକୁ ଅଧିକ ରାଜସ୍ବ ଦେଇ ପୋଖରୀ ନିଲାମ ଧରିବାରୁ ବିଜେଡି ନେତାଙ୍କର ଗାତ୍ରଦାହ ହୋଇଥିଲା। ସେଇ କାରଣରୁ ସେ ତାଙ୍କୁ ହତ୍ୟା କଲେ ବୋଲି ଅଭିଯୋଗ ହୋଇଛି। ଏପ୍ରିଲ ୧୭ ତାରିଖେର ମଧ୍ୟ ଭୁବନେଶ୍ବର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ୪୮ ନମ୍ବର ୱାର୍ଡ଼ରେ ଥିବା ଅଫିସ ଉପରେ ବିଜେଡି କର୍ମୀମାନେ ବୋମାମାଡ଼ କଲେ। ଏଥିରେ ଅବଶ୍ୟ କେହି ମୃତାହତ ହୋଇନଥିଲେ। ସେହିଦିନ ଉତ୍ତର ଭୁବନେଶ୍ବର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ଦଳର ଭୁବନେଶ୍ବର ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାପତି ମାନସୀ ରାୟପାଢ଼ୀଙ୍କ ଉପରେ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀ ସାବତ ଓ ଶ୍ରୀମତୀ ରାୟପାଢ଼ୀଙ୍କ ସମେତ ବିଜେପିର ପ୍ରାୟ ୯ ଜଣ କର୍ମୀ ଗମ୍ଭୀର ଭାବେ ଆହତ ହୋଇଥିଲେ। ସେହି ଏପ୍ରିଲ ୧୭ ତାରିଖରେ ଭଟଲି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନିର୍ଦ୍ଦେଶରେ ତାଙ୍କର ସମର୍ଥକମାନେ ବିଜେପିକୁ ସମର୍ଥନ କରୁଥିବା ଜଣେ ପୂର୍ବତନ ସରପଞ୍ଚ ଓ ୨ ଜଣ ବିଜେପି କର୍ମୀଙ୍କୁ ମାଡ଼ମାରି ଆହତ କରିଥିଲେ। ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭଟଖୋଲି ଗାଁରେ ମଧ୍ୟ ସେହିଦିନ ବିଜେଡି କର୍ମୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ୨ ଜଣ ବିଜେପି କର୍ମୀ। ସୋରଡ଼ା ନିର୍ବାଚନ ମଣ୍ଡଳୀର ଲାଠିପଡ଼ା ପଞ୍ଚାୟତର କଦଳୀଝୋଲା ଗାଁର ବିଜେପି କର୍ମୀ ସନ୍ତୋଷ ପତିଙ୍କୁ ସେହି ଏପ୍ରିଲ ୧୭ ତାରିଖ ରାତିରେ ହତ୍ୟା କରାଗଲା। ଏହା ପଛରେ ବିଜେପି କର୍ମୀଙ୍କର ଯୋଜନା ଓ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ହୋଇଛି। ଏପ୍ରିଲ ୧୮ ତାରିଖରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଆଗଝୋଲା ଗାଁରୁ ସଦାନନ୍ଦ ପ୍ରଧାନ ନାମକ ଜଣେ ବିଜେପି କର୍ମୀଙ୍କ ଗଳିତ ଶବ ଉଦ୍ଧାର କରାଗଲା। ସେହି ଅଞ୍ଚଳରେ ବିଜେପି ବିରୋଧରେ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ସେହିଦିନ ବ୍ରଜରାଜନଗର ପୌରାଞ୍ଚଳରେ ବିଜେପି ବିଧାୟକ ରାଧାରାଣୀ ପଣ୍ଡାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଉପରେ ବିଜେଡି କର୍ମୀମାନ ଆକ୍ରମଣ କରି ତାଙ୍କୁ ଆହତ କରିଥିଲେ। ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରକ୍ରୟା ଆରମ୍ଭ ହେବା ପରଠାରୁ ରାଜ୍ୟ ସାରା ଏଇଭଳି ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏଇଭଳି ଅଧିକାଂଶ ରାଜନୀତିକ ହିଂସାକାଣ୍ଡର ଶିକାର ହୋଇଛନ୍ତି ମୁଖ୍ୟତଃ ଭାରତୀୟ ଜନତା ପାର୍ଟିର କର୍ମୀ ଓ ନେତା ଏବଂ ଆକ୍ରମଣକାରୀ ହେଉଛନ୍ତି ବିଜେଡ଼ି କର୍ମୀ। ବିଜେଡି କର୍ମୀମାନେ କେଉଁଠି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଥାନାରେ ହୋଇନି କି ଗଣମାଧ୍ୟମରେ। ଏସବୁ ହିଂସାକାଣ୍ଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ରାଜ୍ୟରେ ୧୯ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର କର୍ମୀମାନେ ବିଜେପିର ଶକ୍ତି ଓ ଲୋକପ୍ରିୟତାକୁ ଡରିବା ଆରମ୍ଭ କରିଛନ୍ତି। ବିଜେପି ଯଦି ବିଜେଡିର ଶକ୍ତିଶାଳୀ ବିକଳ୍ପ ଭାବେ ଲୋକମାନଙ୍କର ଆସ୍ଥା ଭାଜନ ହୋଇନଥାନ୍ତା ତେବେ ହୁଏତ ବିଜେଡି କର୍ମୀମାନେ ବିଜେପି ନେତା ଓ କର୍ମୀମାନଙ୍କୁ ଏଭଳି ହିଂସାତ୍ମକ ବିରୋଧ କରିନଥାନ୍ତେ। ୨୦୧୭ ପଞ୍ଚାୟତିରାଜ ନିର୍ବାଚନରେ ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ବିଜେପି ଦୁଇ ନମ୍ବର ଦଳ ଭାବେ ଆଗକୁ ଆସିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ପ୍ରଦେଶ କଂଗ୍ରେସର ଡଜନେ ଉପରେ କର୍ମକର୍ତ୍ତା ଓ ବିଧାୟକ ବିଜେଡିରେ ଯୋଗଦେଇ ରାଜ୍ୟରେ କଂଗ୍ରେସକୁ ଅଧିକ ଦୁର୍ବଳ କରିଦେଇଛନ୍ତି। କଂଗ୍ରେସ ଦୁର୍ବଳ ହେବାର ଫାଇଦା ବିଜେଡିକୁ ଯିବା ପରିବର୍ତ୍ତେ ବିଜେପିକୁ ଯାଉଛି ବୋଲି ରାଜନୀତିକ ସମୀକ୍ଷକମାନ ମତ ପୋଷଣ କରୁଛନ୍ତି। ଏଭଳି ସ୍ଥିତିରେ ବିଜେପିକୁ ବିଜେଡିର ନିଜର ସଶକ୍ତ ପ୍ରତିଦ୍ବନ୍ଦ୍ବୀ ଭାବେ ଗ୍ରହଣ କରିଛି। ସେଇଥିପାଇଁ ବିଜେପି କର୍ମୀ ଓ ସମର୍ଥକମାନଙ୍କୁ ଭୟଭୀତ କରି ଚପେଇ ଦେବାକୁ ବିଜେଡି ତରଫରୁ ହିଂସାକୁ ଏକ କୌଶଳ ଭାବେ ଗ୍ରହଣ କରାଯାଇଛି।

Share :