ରହସ୍ୟମୟ ଗୁମ୍ଫା ଓ ଝାଡ଼େଶ୍ୱର ମନ୍ଦିର

ରହସ୍ୟମୟ ଗୁମ୍ଫା ଓ ଝାଡ଼େଶ୍ୱର ମନ୍ଦିର

Share :

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରଠାରୁ ମାତ୍ର ୩୫ କି.ମି ଦୂରରେ ପୁରୁଷୋତ୍ତମପୁର। ସେଠାରୁ ମାତ୍ର ୧୭ କି.ମି ଦୂରରେ ଅବସ୍ଥିତ ପ୍ରଭୂ ଶ୍ରୀଶ୍ରୀଶ୍ରୀ ଝାଡେ଼ଶ୍ୱରଙ୍କ ମନ୍ଦିର। ପ୍ରଭୂଙ୍କ ମନ୍ଦିର ପାହାଡ଼ ଏବଂ ଜଙ୍ଗଲ ପରିବେଷ୍ଟିତ ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ। ଏଠାରେ ରହିଥିବା ପର୍ବତର ନାମ ହେଉଛି କୃଷ୍ଣଗିରି ପର୍ବତ। ଏହି ମନ୍ଦିରକୁ ପ୍ରତିଦିନ ବହୁ ଭକ୍ତ ପ୍ରଭୂଙ୍କ ଦର୍ଶନ ପାଇଁ ଆସନ୍ତି। ଏଠାକୁ ବଣଭୋଜି ପାଇଁ ମଧ୍ୟ ଲୋକେ ଆସିଥାନ୍ତି। ଏହି ବେଢ଼ାରେ ୨ଟି ମୁଖ୍ୟ ତଥା ମୂଳ ମନ୍ଦିର ସମେତ ଛୋଟବଡ଼ ୨୦ଟି ମନ୍ଦିର ରହିଛି। ଏଠାକୁ ଥରେ ଆସିଲେ ଏହାର ପରିବେଶ ଲୋକଙ୍କୁ ପୁଣିଥରେ ଆସିବା ପାଇଁ ଆଗ୍ରହ ସୃଷ୍ଟି କରାଇଥାଏ। ଏହି ମନ୍ଦିରକୁ ଯିବା ରାସ୍ତାରେ ବହୁ ଛୋଟବଡ ଼ଗ୍ରାମ ରହିଛି। ବହୁଲୋକ ବସବାସ କରୁଛନ୍ତି। ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଅଣ ଓସାରିଆ ରାସ୍ତା ଏବଂ ସନ୍ଧ୍ୟାହେଲେ ବିଦ୍ୟୁତ୍ ସମସ୍ୟା କାରଣରୁ ଏହି ପୀଠଟି ଆଜି ମଧ୍ୟ ଅବହେଳିତ ହୋଇ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା କାରଣରୁ ଏଠାରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ସମୟରେ ହୋଇଥିବା ୨ଟି ମୁଖ୍ୟ ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି। ତେବେ ଏହି ମନ୍ଦିରର ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ପ୍ରଭୂ ଶ୍ରୀଝାଡେ଼ଶ୍ୱରଙ୍କ ପୀଠ ଅନ୍ୟତମ ହୋଇଥିଲେ ସୁଦ୍ଧା ଓଡ଼ିଶା ପର୍ଯ୍ୟଟନ ବିଭାଗ (ଓଟିଡ଼ିସି) ପକ୍ଷରୁ ଏ ଦିଗରେ କୌଣସି ତତ୍ପରତା ପରିଲକ୍ଷିତ ହେଉନାହିଁ। ନଚେତ୍ ଏହା ମଧ୍ୟ ମାଁ ତାରାତାରିଣୀଙ୍କ ପୀଠଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ। ସରକାରୀ ଇଚ୍ଛାଶକ୍ତିର ଅଭାବ କାରଣରୁ ଜିଲ୍ଲାର ସ୍ୱତନ୍ତ୍ର ଏବଂ ମହାନ ସଂସ୍କୃତି ମଧ୍ୟ ଅବହେଳିତ ହେବା ସହ ଲୋପପାଉଛି। ଏହି ମନ୍ଦିରକୁ ନେଇ ବହୁ କିମ୍ୱଦନ୍ତୀ ରହିଛି। ଗୋଟିଏ କିମ୍ୱଦନ୍ତୀ ଅନୁଯାୟୀ ଏଠାରେ ଅଗସ୍ତି ଋଷିଙ୍କ ପିତା କୁମ୍ଭ ଋଷିଙ୍କର ଆଶ୍ରମ ରହିଥିଲା। ତ୍ରେତୟା ଯୁଗରେ ପ୍ରଭୂ ଶ୍ରୀରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣ ଏବଂ ଦେବୀ ସୀତାଙ୍କୁ ନେଇ ଯେତେବେଳେ ୧୪ ବର୍ଷ ବନବାସରେ ଯାଇଥିଲେ, ସେମାନେ ଏହି ରାସ୍ତା ଦେଇ ଯାଇଥିଲେ। ଏହି ସମୟରେ ସୀତାମାତାଙ୍କୁ ତୃଷାହେବାରୁ ସେ ମାତା ଗଙ୍ଗାଙ୍କୁ ଆବାହନ କରିଥିଲେ। ତେବେ ଘୋର ବନରେ ଗଙ୍ଗାମାତା ତାଙ୍କ ଡାକ ନଶୁଣିବାରୁ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନରେ ଗଙ୍ଗାମାତାଙ୍କ ପ୍ରତି କ୍ରୋଧ ଜାଗ୍ରତ ହୋଇଥିଲା। ଏ ସମୟରେ ପ୍ରଭୁଙ୍କ କ୍ରୋଧ ଦେଖି ସାନଭାଇ ଲକ୍ଷ୍ମଣ ପ୍ରଭୁଙ୍କୁ ଆଦେଶ ମାଗି ଏହି କୃଷ୍ଣଗିରି ପର୍ବତକୁ ପ୍ରଭୁ ଶ୍ରୀରାମଚନ୍ଦ୍ର, ଭ୍ରାତାଲକ୍ଷ୍ମଣ ଏବଂ ଦେବୀସୀତାଙ୍କ ନାମରେ ୩ଟି ଶରବିଦ୍ଧ କରିଥିଲେ। ଯାହାଫଳରେ ପର୍ବତରୁ ୩ ଧାର ଜଳ ବାହାରିଥିଲା ଏବଂ ସେଠାରେ ସେମାନେ ତୃଷା ମେଣ୍ଟାଇଥିଲେ। ଏଠାରେ ଏହି ୩ ଧାର ଜଳକୁ ଏହିଭଳି କେମିତି ବହିବାକୁ ଦେଇ ଚାଲିଯିବେ ଭାବିଲେ ଏବଂ ଏଠାରେ ବାବାଙ୍କ ଏବଂ ମାତା ରାମଚଣ୍ଡିଙ୍କ ମୂର୍ତ୍ତି ସ୍ଥାପନା କରିଚାଳିଯାଇଥିଲେ। ଏହି ୩ ଧାର ଜଳକୁ ଗଙ୍ଗା- ଜମୁନା- ସରସ୍ୱତୀ ନାମରେ ନାମିତ କରିଗଲେ। ଏହି ଜଳଧାର ସେହିଦିନ ଠାରୁ ଅହରହ ବହିଚାଲିଛି। ଖରା, ବର୍ଷା, ଶୀତ ସବୁଦିନେ ଏଠାରେ ଏହି ଧାର ବହିଚାଲିଥିବା ବେଳେ ଋତୁ ଅନୁସାରେ ଜଳରେ ପରିବର୍ତ୍ତନ ହୋଇଥାଏ। ବର୍ଷା ଦିନରେ ଜଳ ଅତି ଥଣ୍ଡା କିମ୍ୱା ଅତିଗରମ ନହୋଇ ସମାନ ରହୁଥିବା ସ୍ଥଳେ ମାଘମାସ ତଥା ଶୀତ ଦିନରେ ଏହିଜଳ ଧୀରେ ଧୀରେ ଗରମ ହୋଇଥାଏ। ରାତିରେ ଦେଖିଲେ ଏହି ପାଣିରୁ ଗରମ ବାଷ୍ଫ ମଧ୍ୟ ବାହାରୁ ଥିବା ମନ୍ଦିର ପୂଜାରୀଙ୍କ ନିକଟରୁ ପ୍ରକାଶ। ଏହିଜଳ କେଉଁଠାରୁ ବାହାରିଛି ତଥା ଏହାର ମୂଳସ୍ଥାନ କେଉଁଠି ତାହା ଆଜି ପର୍ଯ୍ୟନ୍ତ କେହି ଦେଖିନାହାଁନ୍ତି। ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ, ଏହି ୩ଧାର ଜଳର ସ୍ୱାଦରେ ଏବଂ ଓଜନରେ ମଧ୍ୟ ଭିନ୍ନତା ଥିବା ଜନଶ୍ରୁତି ରହିଛି। ଏହି ଜଳରେ ସ୍ନାନ କଲେ ଶରୀରର ଚର୍ମରୋଗ ଦୂରହୁଏ ଏବଂ ଖାଦ୍ୟ ଭଲ ହଜମ ହୋଇଥାଏ। ଏହି ୩ ଧାର ଜଳ ପର୍ବତ ଦିଗରୁ ଆସିଥିବା ବେଳେ ମନ୍ଦିର ମଧ୍ୟରେ ଏକ କୁଣ୍ଡରେ ପଡ଼ିଥାଏ ଏବଂ ଏହିଠାରୁ ଜଳ ଅନ୍ୟଗ୍ରାମକୁ ମଧ୍ୟ ଯାଇଥାଏ। ଏହି କୁଣ୍ଡରେ ଲୋକେ ଗଧୋଇଥାନ୍ତି। ଏହି ଗ୍ରାମଠାରୁ କିଛିଦୂରରେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ କଡ଼ରେ ଅବସ୍ଥିତ ପ୍ରତାପପୁର ଗ୍ରାମଠାରେ ପ୍ରଭୁ ରାମଚନ୍ଦ୍ର ତୁମ୍ୱେଶ୍ୱରଙ୍କୁ ସ୍ଥାପନା କରିଥିଲେ। ଝାଡ଼େଶ୍ୱର ଠାରେ ପ୍ରଥମେ ପ୍ରଭୂଙ୍କ ଦ୍ୱାରା ସ୍ଥାପନ ହୋଇଥିବା ପିତାଙ୍କ ମୂର୍ତ୍ତି ଏବଂ ମାତା ରାମଚଣ୍ଡିଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ପରବର୍ତ୍ତି ସମୟରେ ପୁରୀ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଜୁତି ସମୟରେ ସେ ଯେତେବେଳେ ଏଠାକୁ ଭ୍ରମଣରେ ଆସିଥିଲେ ଏଠାକାର ମନୋରମ ପରିବେଶ ପ୍ରତି ଆକୃଷ୍ଟ ହୋଇ ଏବଂ ଏହାର କିମ୍ୱଦନ୍ତୀ ଶୁଶି ଏହିସ୍ଥାନକୁ ପଞ୍ଚତୀର୍ଥ ରେ ପରିଣତ କରିବାକୁ ଆଗ୍ରହ ପ୍ରକାଶ କରିବା ସହ ଏହିମନ୍ଦିର ପରିସରରେ ଆଉ ୧୪ଟି ମନ୍ଦିର ପ୍ରତିଷ୍ଠା କରିଥିଲେ। ସେମାନଙ୍କ ମଧ୍ୟରେ ୫ଟି ମହାଦେବ ଯଥା ଝାଡ଼େଶ୍ୱର, ଧବଳେଶ୍ୱର, ମୁକ୍ତେଶ୍ୱର, ଐଶାନେଶ୍ୱର ଏବଂ ପଶ୍ଚିମେଶ୍ୱର। ସେହିଭଳି ୫ ନାରାୟଣ ଯଥା ଲକ୍ଷ୍ମୀ ନାରାୟଣ, ଆଦି ନାରାୟଣ, ଅନାଦି ନାରାୟଣ, ସୂର୍ଯ୍ୟ ନାରାୟଣ ଏବଂ ରଘୁନାଥ। ଏଥିସହ ଗଣେଶ, ଗଙ୍ଗାମାତା, ସାବିତ୍ରୀ- ସତ୍ୟବାନ୍ ଏବଂ ମାଁ ରାମଚଣ୍ଡି ରହିଛନ୍ତି। ଏହି ମନ୍ଦିରରେ ଦେଉଳିଆ ପଣ୍ଡାମାନେ ପୂଜାକରନ୍ତି। ଏହାପରେ କାଳକ୍ରମେ ଏଠାରେ ମନ୍ଦିର ସଂଖ୍ୟା ୨୦ରେ ପହଞ୍ଚିଛି। ସେହିଭଳି ଏହି ପର୍ବତ ଆରପଟେ ତଥା ଝାଡ଼େଶ୍ୱର ଗ୍ରାମଠାରୁ କିଛି ଦୂରରେ ୨ଟି ଗୁମ୍ଫା ରହିଛି। ଏଠାରେ ଏକ ବଡ଼ ପଥର ଏବଂ ବଡ଼ ଗର୍ତ୍ତ ରହିଛି। ଉକ୍ତ ପଥର ନିକଟରେ ବସି କୌଣସି ପାତ୍ରରେ ପାଣି ବାହାର କଲେ ସେଠାରୁ ପାଣି ବାହାରେ ଏଠାରେ ପ୍ରାୟ ୧ ହଜାର ଲୋକ ଭୋଜିକରି ଖାଇପାରିବେ। ତେବେ ଏହି ଗୁମ୍ଫା ମଧ୍ୟକୁ କେହି ଯାଇଥିବା ଶୁଣିବାକୁ ମିଳିନାହିଁ। ଥରେ ଏହି ମନ୍ଦିରର ପୂଜାରୀଙ୍କ ଜଣେ ବଂଶଧର ବର୍ଷା ନହେବାରୁ ବର୍ଷା ହେବା ପାଇଁ ଢୋଲ, ମୃଦଙ୍ଗ ବଜାଇ ଭୋଜି ପାଇଁ ଗ୍ରାମର କିଛି ଲୋକଙ୍କ ସହ ଯାଇଥିଲେ। ସେ ସେଠାରେ ବୁଲାବୁଲି କରିବା ସମୟରେ ଉକ୍ତ ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ। ସେ ଭିତରକୁ ନଇଁକି, ବସିକି ଚାଲିଥିଲେ ହେଲେ ଯେଉଁଠାରେ ପାଣିପଡ଼ିଲା ସେଠାରୁ ଆଉ ଯାଇପାରିଲେ ନାହିଁ। ଶେଷରେ ସେ ବହୁକଷ୍ଟରେ ଗୁମ୍ଫା ତଳେ ରହିଥିବା ଗୋଟିଏ ଗ୍ରାମରେ ରାତି ପ୍ରାୟ ୧୦ଟା ସମୟରେ ପହଞ୍ଚିଲେ। ଏହା କିମ୍ୱଦନ୍ତୀରୁ ଶୁଣିବାକୁ ମିଳେ ତେବେ ତାହାପରେ ଆଉକେହି ଯାଇଥିବା ଶୁଣିବାକୁ ମିଳିନାହିଁ।

Share :