ଲୋପ ପାଇବ କିଆଫୁଲ ଶିଳ୍ପ!

ଲୋପ ପାଇବ କିଆଫୁଲ ଶିଳ୍ପ!

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମର କିଆ ଫୁଲ ଚାଷୀ ଆଜି ନିଜ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯିବାର ପରିଲକ୍ଷିତ କରାଯାଉଛି। ଦିନକୁ ଦିନ କିଆ ଫୁଲର ଚାହିଦା ହ୍ରାସ ହେବା ଫଳରେ ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବା ସହ ସେମାନଙ୍କ ପେଟ ପୋଷିବା କଷ୍ଟକର କରିଦେଇଛି। ଏହାର କାରଣ ବଜାର ଦର ଦିନକୁ ଦିନ ବୃଦ୍ଧି ହେଲେ ମଧ୍ୟ ସେହି ପରିମାଣରେ ଏହି ଫୁଲର ଚାହିଦା କମି କମି ଯାଉଛି। ଏହା ଫଳରେ ବଜାର ଦର ନିୟନ୍ତ୍ରଣ କରିବା ପାଇଁ କିଆ ଫୁଲ ଚାଷୀ କିଆ ଫୁଲ ଚାଷର ପରିମାଣ ବଢାଇଛନ୍ତି, ଯାହାଫଳରେ ଉତ୍ପାଦନ ବୃଦ୍ଧି ହେବ ଏବଂ କିଆ ଫୁଲ ସଂପୂର୍ଣ୍ଣ ପରିମାଣରେ ବଜାରକୁ ଛଡାଯାଇପାରିବ। ଚାଷୀ ଗାଁ ଗାଁ ବୁଲି ଏହି ଫୁଲ ସଂଗ୍ରହ କରିଥାନ୍ତି ମାତ୍ର ଏହା ବଜାରକୁ ଆଣିବା ପରେ ଏଥିରୁ ବହୁ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ବେପାରୀ ଭଲ ଫୁଲକୁ ଚୟନ କରିଥାଏ ଏବଂ ବାକି ଗୁଡିକ ଚାଷୀକୁ ଫେରସ୍ତ ନେବାକୁ ପଡିଥାଏ। ଦିନକୁ ଦିନ କିଆ ଫୁଲ ଭାଟି ବନ୍ଦ ହେବା ଯୋଗୁଁ ଚାଷୀମାନଙ୍କୁ ଏହାର ସଂପୂର୍ଣ୍ଣ ଟଙ୍କା ମଧ୍ୟ ମିଳେ ନାହିଁ। ଭାଟି ବନ୍ଦ ହେବାର ଅନ୍ୟ ଏକ କାରଣ ହେଉଛି କିଆ ଫୁଲର ଅତର ଏବଂ ଏହାର ଜଳୀୟ ଅଂଶ ଯାହା ତମ୍ୱାଖୁ ଏବଂ ଗୁଟଖା ସାମଗ୍ରୀ ତିଆରିରେ ବ୍ୟବହାର କରାଯାଏ ତାହା ସରକାର ଦ୍ୱାରା ନିଷିଦ୍ଧ ହେବା ପରେ ଏହାର ଚାହିଦା ଦିନକୁ ଦିନ ହ୍ରାସ ପାଉଛି। କିଆ ଫୁଲ ବ୍ୟବସାୟୀଙ୍କ କହିବା ଅନୁସାରେ ଆରବ ଦେଶରେ ବିଗତ ବର୍ଷରେ କିଆ ଫୁଲ ସେଂଟର ବେଶି ଚାହିଦା ଥିଲା। ଭାରତରେ ଏହି ଅତରକୁ ଗୁଟଖା କାରଖାରେ ବହୁ ମାତ୍ରାରେ ବ୍ୟବହାର ହେବା ଫଳରେ ସେହି ସମୟରେ ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏହି କିଆ ଫୁଲ ଭାଟି ଗଢି ଉଠିଥିଲା। ଛତ୍ରପୁରଠାରେ ଅବସ୍ଥିତ ଥିବା କଣମଣା, ବାସନାପୁଟି ଏବଂ ହରିପୁର ଗ୍ରାମର କିଆ ଫୁଲ ଚାଷୀଙ୍କ କହିବା ଅନୁସାରେ କିଆ ଫୁଲ ଭାଟି ହେବା ଫଳରେ ଗ୍ରାମର ଅବସ୍ଥିତ ଥିବା ୨୦୦ରୁ ଉର୍ଦ୍ଧ୍ୱ ପରିବାରର ପେଟ ପୋଷିବା ସହାୟକ ହେଉଛି। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଏହାର ପତନ ଘଟିବା ଫଳରେ ଚାଷୀମାନେ ଆଗପରି ପେଟ ପାଟଣା କରିପାରୁ ନାହାନ୍ତି, ଯାହା ଫଳରେ ସେମାନଙ୍କୁ ଅନ୍ୟ ବ୍ୟବସାୟରେ ନିୟୋଜିତ ହେବାକୁ ପଡୁଛି। ଗଂଜାମ ଜିଲ୍ଲା ପୂରା ଭାରତ ବର୍ଷରେ କିଆ ଫୁଲ ଅତର ତିଆରି କରିବାରେ ବୃହତ୍ତମ ସ୍ଥାନ ଅଧିକାର କରିଛି। ପୂରା ଭାରତରେ ଗଂଜାମ ଜିଲ୍ଲା ୯୦ ଶତକଡାରୁ ଅଧିକ ମାତ୍ରାରେ କିଆ ଫୁଲ ଅତର ତିଆରି କରିଥାଏ। ଭାଟି ଗୁଡିକ ବନ୍ଦ ହେବା ଫଳରେ ବିଗତ ବର୍ଷରେ ବ୍ୟବସାୟୀ ମାନେ ଯେଉଁ ପରିମାଣରେ ଅର୍ଥ ଦେଇ କିଆ ଫୁଲ ଅତର କ୍ରୟ କରୁଥିଲେ, ତାହା ବର୍ତ୍ତମାନ ସଂପୁର୍ଣ୍ଣ ନିମ୍ନ ଆଡକୁ ଗତି କରୁଛି। ବିଗତ ୨୦୦୦ ରୁ ୨୦୦୮ ମସିହାରେ କିଆ ଫୁଲ ପରଫ୍ୟୁମ କିଲୋ ପିଛା ୩ ଲକ୍ଷ ଟଙ୍କା ଥିବା ବେଳେ ଏହା ୨୦୦୮ ବର୍ଷରୁ ହ୍ରାସ ପାଇ ବର୍ତ୍ତମାନ ପ୍ରାୟ ୧ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ଯେବେଠାରୁ ସୁପ୍ରିମ୍‌ କୋର୍ଟ ଦ୍ୱାରା ଗୁଟଖା ଏବଂ ତମ୍ୱାଖୁ ଏବଂ ପାନମସଲା ତିଆରି କରିବା ଏବଂ ବିକ୍ରୟ କରିବାରେ ରୋକ୍ ଲାଗିଲାଣି ସେବେଠାରୁ କିଆ ଫୁଲ ସେଂଟ ଉତ୍ପାଦନରେ ପ୍ରାୟ ଶତକତା ୮୦ ଭାଗ କ୍ଷତି ହେଉଛି । ଏହି କ୍ଷତି ଫଳରେ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଚାଷୀ ନିଜ ପେଟ ପୋଷିବା କଷ୍ଟସାଧ୍ୟ ହୋଇପଡୁଛି। ଜଣେ ଚାଷୀ ଗୋଟିଏ କିଆ ଫୁଲ ପିଛା ୬ ରୁ ୭ ଟଙ୍କା ପାଇଥାଏ, ମାତ୍ର ଚାଷୀକୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କିଆ ଫୁଲ ବିକ୍ରୟ କରିବାକୁ ପଡିଥାଏ। ଏହାକୁ ବ୍ୟବସାୟୀ ଭାଟି ମାଲିକକୁ ୮ଟଙ୍କାରେ ବିକ୍ରୟ କରିଥାଏ। ବର୍ତ୍ତମାନ ବ୍ୟବସାୟୀ ଏହି କିଆ ଫୁଲରୁ କେବଳ ୨୦୦ ଭଲ କିଆ ଫୁଲ ବାଛି ନେଇ ଅନ୍ୟ ସବୁ ଫେରାଇ ଦେଉଛନ୍ତି ଯାହାଫଳରେ ଚାଷୀକୁ କ୍ଷତି ସହିବାକୁ ପଡୁଛି। ଯଦି ଏହି କିଆ ଫୁଲ କାରଖାନାକୁ ସରକାର ନିଜ ଅଧୀନକୁ ନ ନେବେ ତେବେ ଗଂଜାମ ଜିଲ୍ଲାରେ କିଆ ଫୁଲ ଭାଟି ସବୁ ବନ୍ଦ ହେବ ତାହାର ତିଳେ ମାତ୍ର ସନ୍ଦେହ ନାହିଁ। କିଆ ଫୁଲ ଅତର ଉତ୍ପାଦନ ପ୍ରଣାଳୀ କିଆ ଫୁଲ ଗଂଜାମ ଜିଲ୍ଲାର ୪ ଗୋଟି ଉପକୂଳବର୍ତ୍ତି ଅଞ୍ଚଳରେ ଉତ୍ପାଦନ କରାଯାଏ । ସେଥିମଧ୍ୟରୁ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଂଜାମ, ଚିକିଟି ଅନ୍ୟତମ। କିଆ ଫୁଲକୁ ଭାଟିରେ ବାଷ୍ଫୀକୃତ କରାଯାଇ ସେଥିରୁ ଅତର ପ୍ରସ୍ତୁତ କରାଯାଏ। ଗଂଜାମ ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ୱ କିଆଫୁଲ ଭାଟି ଥିବା ବେଳେ ବର୍ଷ ତମାମ ସଂପୂର୍ଣ୍ଣ ପ୍ରଣାଳୀ ଜରିଆରେ ୩୦୦କିଗ୍ରା କିଆ ଫୁଲରୁ ୩୦ ଲକ୍ଷ କେଜି ଭଲ ଅତର ପ୍ରସ୍ତୁତ କରାଯାଏ। ସେହି ଅତର ମଧ୍ୟରୁ ୩ ରୁ ୫ ପ୍ରତିଶତ କିଆର ଏବଂ ଅନ୍ୟ ଚନ୍ଦନ କାଠରେ ବ୍ୟବହାର କରାଯାଏ। ଏହାକୁ ତିନିଟି ପର୍ଯ୍ୟାୟ କ୍ରମେ ଉତ୍ପାଦନ କରାଯାଏ। ପ୍ରଥମ ଅଗାରି ମାଧ୍ୟମରେ ୧୦ ରୁ ୧୨ କିଲୋ ଆରୋମେଟିକ୍ ଜଳ, ଦ୍ୱିତୀୟ ପର୍ଯ୍ୟାୟରେ ପୋଚ ଏବଂ ତୃତୀୟରେ ନିମ୍ନ ମାନର ଅତର ବାହାରି ଥାଏ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାହାରି ଥିବା ଜଳ, ପୋଚକୁ ଶୀତଳିକରଣ କରାଯାଇଥାଏ। ଏହାକୁ ଶୀତଳ କରିବା ପାଇଁ ଜଣେ ବ୍ୟକ୍ତି ପୂରା ଦିନ ତମାମ ଜଳରେ ରହି ମାଟି ପାତ୍ରକୁ ଥଣ୍ଡା ରଖିଥାଏ। ଏହି ଦୁଇ ପ୍ରର୍ଯ୍ୟାୟ କ୍ରମେ ବାହାରି ଥିବା ଅତରକୁ ଖାଦୀ ପଦାର୍ଥର ତିଆରି, ମିଠା, ସର୍ଫ ଏବଂ ସଫ୍ଟ ଡ଼୍ରିଙ୍କ୍ ଆଦିରେ ବ୍ୟାବହାର କରାଯାଏ। ଏହି ଅତରକୁ ଖୀର ଏବଂ ଚିନି ଦ୍ୱାରା ବ୍ୟବହାର କରାଯାଇ ରସଗୋଲା, ଗୁଲାବଜାମୁ, ରସମଲେଇ ଏବଂ ଚାଉଳ ସହ ମିଶାଇ ବିରିଆନି ଆଦି ପ୍ରସ୍ତୁତ କରାଯାଇଥାଏ। ଛତ୍ରପୁର ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତି ସୁଧୀର କୁମାର ରେଡୀଙ୍କ କହିବା ଅନୁଯାୟୀ ଯଦି ଏହି କିଆ ଫୁଲଚାଷ ଏବଂ ଏହାର ଭାଟିକୁ ସଂପୂର୍ଣ୍ଣ ରୂପେ ସରକାରୀକରଣ କରାନଯାଏ ତେବେ ଆଗାମୀ ଦିନରେ ଏହା ଲୋପ ପାଇବା ଏବଂ ଏହାର ଉତ୍ପାଦନ ପ୍ରଣାଳୀ ଧୀରେ ଧୀରେ ବନ୍ଦ ହୋଇଯିବ। ଏହି ଚାଷକୁ ନେଇ ପୂରା ଗଂଜାମ ଜିଲ୍ଲାରେ ୨୦୦ ରୁ ଉର୍ଦ୍ଧ୍ୱ ପରିବାରଙ୍କ ପେଟ ପୋଷଣ ନିର୍ଭର କରୁଥିବା ବେଳେ ଏହାର ଉନ୍ନତି ଜରୁରୀ ଅଟେ।

Share :